Unknown

 

 

 

 

 

 

 

 

 

 

 

କେତେ ଚିତ୍ରାଙ୍ଗଦା

ଉମାଶଙ୍କର ପଣ୍ଡା

 

ଉତ୍ସର୍ଗ

 

ସାହିତ୍ୟିକ ବନ୍ଧୁ

ଶ୍ରୀ ବ୍ରଜମୋହନ ମହାନ୍ତି

ଶ୍ରୀମତୀ ସୁଜାତା ମହାନ୍ତିଙ୍କୁ

ମମତାବଦ୍ଧ

 

ଉମାଶଙ୍କର

 

ସୂଚୀପତ୍ର

 

୧.

ଯୋଜନଗନ୍ଧା

୨.

ଗଣିକା

୩.

ଉପପତିର ଉପକଥା

୪.

ନିଶି ମୃଗୟା

Image

 

ଯୋଜନଗନ୍ଧା

 

ଗ୍ରାମ୍ୟ ପୁରୋହିତର ତରୁଣୀ ଭାର୍ଯ୍ୟା ଯେତେବେଳେ ଏକ କପର୍ଦକହୀନ ଲଫଙ୍ଗା ଯୁବକର ହାତ ଧରି ଘରଛାଡ଼ି ପଳାୟନ କଲା ସେତେବେଳେ ଆଉ ଲଜ୍ଜାର ସୀମା ରହିଲା ନାହିଁ । ଇତି ମଧ୍ୟରେ ପୁରୋହିତଙ୍କ ଔରସରୁ ଦୁଇ ଦୁଇଟି ସନ୍ତାନ ଜନ୍ମଲାଭ କରି ସାରିଥିଲେ । ଦିଓଟିଯାକ ଝିଅ । ବୟସ ଖୁବ୍‌ ଅଳ୍ପ । ଜଣକର ନଅ, ଅପରଟିର ସାତ । ଭଦ୍ରଲୋକଙ୍କ କେଶ ରାଶିରେ ଯଦିଓ ଈଷତ୍‌ ଧୂସରତାର ସ୍ପର୍ଶ ଲାଗି ଆସିଥିଲା ତଥାପି ନିଶ ହଳକ ଥିଲା ମଚ୍‌ ମଚ୍‌ କଳା । ତା’ଛଡ଼ା ସାଧାରଣ ଭାବେ ସେ ଥିଲେ କାନ୍ତିମାନ ପୁରୁଷ । ତାଙ୍କର ସୁନ୍ଦରୀ ରତିତାଡ଼ିତା ସ୍ତ୍ରୀ ପାଖରେ ତାଙ୍କର ପୌରୁଷ ଓ ରମଣ କ୍ଷମତା ଯେ ପରାଭୂତ, ଏକଥା ତାଙ୍କର ସବୁଠାରୁ ବଡ଼ ଶତ୍ରୁ ମଧ୍ୟ କହିପାରିବ ନାହିଁ ।

 

କିନ୍ତୁ ଏମିତି ନାଟକୀୟ ଭାବରେ ପଳାୟନର ଅର୍ଥ–କ’ଣ ? ଏମିତି ଭୟଙ୍କର ଭାବରେ ଈର୍ଷା ଓ ବିରାଗପହୃତା ହୋଇ ବିସ୍ଫୋରିତ ହୋଇପଡ଼ିବାର କାରଣ କ’ଣ ? କାହିଁକି ଏହି ଉନ୍ମାର୍ଗଗାମିତା ? କେହି ତା’ର ସ୍ପଷ୍ଟ ଓ ସ୍ୱଚ୍ଛ ଉତ୍ତର ଦେଇପାରିନାହାନ୍ତି । କେବଳ ମାତ୍ର ଅପାପବିଦ୍ଧ ପଲ୍ଲୀବାସୀଙ୍କ ଗୁଞ୍ଜନରୁ ଜଣାଗଲା ଯେ, ପ୍ରକୃତରେ ସ୍ତ୍ରୀ ଜଣକ ଥିଲା ମଳିନ ଓ ଅସଦ୍‌ଚରିତ୍ରା । କେଉଁ କେଉଁ ଭୀତତ୍ରସ୍ତା ପଲ୍ଲୀବଧୂ ଜାଣି ଶୁଣି ଜିଭ କାମୁଡ଼ି ପକେଇଥିଲେ । ଝିଅ ଦିହେଁ ଜାଣିପାରିଲେ ନାହିଁ ପ୍ରକୃତ କାରଣ କ’ଣ । ସେମାନେ ଭାବିଲେ ସେମାନଙ୍କ ପ୍ରତି ଚରମ ଉପେକ୍ଷା କରି ହିଁ ମା’ ଆଜି ନିରୁଦ୍ଦେଶ ପଳାତକ ।

 

ସ୍ୱାମୀଟି ଅର୍ଥାତ୍‌ ସେହି ପୁରୋହିତ ସେତେବେଳେ ପ୍ରାବନ୍ଧିକ ଭାବରେ ବେଶ୍‌ ଯଶସ୍ୱୀ ହେଇ ଉଠିଛନ୍ତି, ବିଭିନ୍ନ ବିତର୍କମୂଳକ ପ୍ରବନ୍ଧ ରଚନା କରି ପାଠକ ସମାଜରେ ସେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ସୃଷ୍ଟି କରିଛନ୍ତି ପ୍ରବଳ ଆଲୋଡ଼ନ । ଇତି ମଧ୍ୟରେ ହିଁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ସେହି ଅଞ୍ଚଳ ନବନିର୍ମିତ ରେକ୍‌ଟରୀରେ ଉପାଧ୍ୟକ୍ଷ ପଦରେ ସେ ଅବସ୍ଥାପିତ ହୋଇଗଲେ । ସେହି ଶିକ୍ଷାଳୟ ଥିଲା ପ୍ରକୃତରେ ଏକ ରୁକ୍ଷ, କୁତ୍ସିତ ପଥରରେ ତିଆରି ଗୃହ ବିଶେଷ । ପ୍ୟାପେଲ ନଦୀକୂଳରେ ସେଇ ଘର । ଉପାଧ୍ୟକ୍ଷଙ୍କ ଆଗମନରେ ଆବାସ–ସ୍ଥଳଟିର ଯଥୋଚିତ ସଂସ୍କାର ସାଧନ କରାଯାଇଥିଲା । ନଦୀ କୂଳରେ ଥିଲା ଦୁଇଟି ସୂତାକଳ ।

 

ପତ୍ନୀପରିତ୍ୟକ୍ତ ଉପାଧ୍ୟକ୍ଷ ତାଙ୍କର ବୃଦ୍ଧା ମା, ଏକ ଭାଇ ଓ ଭଉଣୀକୁ ସହରରୁ ଆଣି ନିଜ ପାଖରେ ରଖିଛନ୍ତି । ବର୍ତ୍ତମାନ ତାଙ୍କର ବୟସ ସତଚାଳିଶ ବର୍ଷ । ପଳାତକା ସ୍ତ୍ରୀ ପାଇଁ କେବେହେଲେ ତାଙ୍କର ବିଷାଦ ଉଚ୍ଚାରିତା ହୋଇନି ଏବଂ ସେହି ଅନୁଚ୍ଚାରିତା ଯନ୍ତ୍ରଣା ନିରବଚ୍ଛିନ୍ନ ଆତ୍ମଶ୍ଳାଘାର ଛାପ ଫୁଟିଉଠିଥିଲା ତାଙ୍କର ମୁହଁର ବେଦନାମୟ ରେଖାରେ । ସହାନୁଭୂତିଶୀଳ ନାରୀମାନଙ୍କ ଆଶ୍ୱାସନା ଫଳରେ ତାଙ୍କ ମନରୁ ଆତ୍ମଦହନର ଚିନ୍ତା ଦୂର ହୋଇଯାଇଥିଲା ।

 

ଛୋଟ ଝିଅ ଯୋଡ଼ିକ ସେତେବେଳେ ପୂରାପୂରି ନିୟତିର ବଶବର୍ତ୍ତିନୀ । ସମସ୍ତ ଘରଟିରେ ସେମାନେ ରହୁଥିଲେ ଅଶୀତିପର ବୃଦ୍ଧା ଆଈ ମା’ ନିକଟରେ । ବୃଦ୍ଧାର ଚକ୍ଷୁରେ ଇତି ମଧ୍ୟରେ ପରଳ ପଡ଼ିବା ଆରମ୍ଭ ହୋଇ ଯାଇଥିଲା । ଆଉ ପିଉସୀ ବି ଥିଲେ ବିଗତ ଯୌବନା ନାରୀ । ବୟସ ପ୍ରାୟ ଚାଳିଶ । ପୀଣ୍ଡର, ଅବକ୍ଷୟମାନ, ଧର୍ମଭୀରୁ ଆଉ ଗୃହକର୍ମ ନିପୁଣା । କାକା ଫ୍ରେଡରଙ୍କ ବୟସ ବି ଥିଲା ଚାଳିଶ ପାଖାପାଖି, ଆତ୍ମସୁଖୀ ମଣିଷଟି କୌଣସି ଏକ ତାଡ଼ନାରେ ପ୍ରତ୍ୟହ ସହରକୁ ଯାଉଥିଲେ । ଉପାଧ୍ୟକ୍ଷ ମହାଶୟ ମନରେ ଗଭୀରତମ ଗୋପନ ପ୍ରଦେଶରେ ହୁଏତ ସ୍ତ୍ରୀ ପାଇଁ ଦୁଃଖବୋଧ କରୁଥିଲେ ତାଙ୍କର ସମଗ୍ର ସତ୍ତବିଭାମୟ ହୋଇ ଉଠୁଥିଲା ସେହି କଳୁଷହୀନା ରମଣୀକୁ ସେ ବିବାହ କରିଥିଲେ ଏବଂ ପୂଜା ବି କରୁଥିଲେ ନିର୍ବିଚାରରେ । ହୁଏତ ସେତେବେଳେ ବିହ୍ୱାଳିତ ମହାପୃଥିବୀର କୋଣଅନୁକୋଣରେ ଘୁରି ବୁଲୁଥିଲା । ଯଶୋବିହୀନ କଳଙ୍କିତା ଏକ ବଧୂ ଯିଏ ତା’ର ଔରସ–ଜାତ ସନ୍ତାନ ଓ ଜୀବନର ଆରାଧ୍ୟ ଦେବତାଙ୍କୁ ହତମାନାବସ୍ଥାରେ ପକେଇ ଆସିଛି ହୁଏତ ଅଦୃଷ୍ଟଦେବତା ତାଙ୍କୁ ସ୍ପର୍ଶ କରିବା ପାଇଁ ଦେଇଛି ଏମିତି ଏକ ମଣିଷକୁ ଯିଏ ସମଗ୍ର ବିଶ୍ୱରେ ଅପାଂକ୍ତେୟ ବ୍ରାତ୍ୟ । କିନ୍ତୁ ପୁରୋହିତଙ୍କ ଅନ୍ତଃକରଣରେ ସେତେବେଳେ ପର୍ଯ୍ୟନ୍ତ ବି ବିପୁଳ ପତ୍ନୀ ପ୍ରେମ ଦିବ୍ୟଆଭାରେ ସନ୍ଦୀପ୍ତ । ତାଙ୍କର ସ୍ଥିର ବିଶ୍ୱାସ ଥିଲା ସେଇ ପ୍ରଭାମୟ ପବିତ୍ର ପ୍ରେମର ସ୍ମୃତି ତା’ ମନରେ ଅବିନଶ୍ୱର ରହିବ । ଉପାଧ୍ୟକ୍ଷର ବୃଦ୍ଧା ମାତା, କିନ୍ତୁ ପୁତ୍ର ମନର ଏଭଳି ଭାବପ୍ରବଣତାକୁ ବରଦାସ୍ତ କରି ପାରୁ ନ ଥିଲେ; ତେବେ ସେ କେବେହେଲେ ପୁତ୍ରର ମନରେ ଆଘାତ ଦେବା ଭଳି କଥାବାର୍ତ୍ତା କହୁ ନ ଥିଲେ । ପୁଅ ବିବାହ କରିଥିଲା ଏକ ସ୍ନିଗ୍‌ଧ କମନୀୟ, ଶୁଦ୍ଧ, ସରୋଜ ପ୍ରତିମ ନାରୀକୁ ।

 

ଝିଅ ଯୋଡ଼ିକ ଇତି ମଧ୍ୟରେ ହିଁ କୈଶୋରରେ ପଦାର୍ପଣ କରିବା ପାଇଁ ପାଦ ବଢ଼େଇଥିଲେ । ସେମାନଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ହିଁ ଆହୁରି ବେଶୀ ପରିମାଣରେ ହତବୃଦ୍ଧି ଓ ସଂଶୟାଚ୍ଛନ୍ନ ହୋଇପଡ଼ୁଥିଲେ ନାନା ଘଟଣାରେ । ଆଈ ମା’ ସେତେବେଳେ ବାର୍ଦ୍ଧକ୍ୟ ପୀଡ଼ିତ ଶରୀର ନେଇ ଆରାମ କେଦାରାରେ ଶାୟିତା । ତାଙ୍କର ଦୃଷ୍ଟି ହେଇଛି କ୍ଷୀଣତର । ମଧ୍ୟାହ୍ନ ପୂର୍ବରୁ ତାଙ୍କର ନିଦ ଭାଙ୍ଗେନା । ତଥାପି ସେହି ଶଯ୍ୟାଶାୟିନୀ ଚକ୍ଷୁବିହୀନା ଜରତୀ ହିଁ ସମସ୍ତ ଗୃହର ଏକେଶ୍ୱରୀ । ଆଉ ତାଙ୍କର ସେହି ଉଚ୍ଚାସନୁରୁ ତାଙ୍କୁ ବିତାଡ଼ିତ କରିବା ଭଳି ଏମିତି କୌଣସି ପରାକ୍ରମୀ ପୁରୁଷ ଅତନ୍ତଃ ସେହି ଗୃହରେ କେହି ନ ଥିଲେ । ତା’ର ପ୍ରବଳତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ନାତୁଣୀ ଦି’ ଜଣ । ତେବେ ଛୋଟ ନାତୁଣୀ ଇଭେତିକୁ ହିଁ ସେ ମନେ ମନେ ଭୟ କରୁଥିଲେ ବେଶୀ । ଇଭେତି ତା’ର ମା’ର ସେହି ଆଶ୍ଚର୍ଯ୍ୟ ଅନାୟାସ ରମଣୀତାରେ ଥିଲା ଦେଦୀପ୍ୟମାନା । ବାପ ବି ଇଭେତିକୁ ଅତିରିକ୍ତ ସ୍ନେହ ଦେଇ ପ୍ରାୟ ଉଚ୍ଛନ୍ନ କରି ଦେଉଥିଲେ । ଆଉ ବଡ଼ ନାତୁଣୀ ଲୁସିଲ ପ୍ରତି ଆଈ ମା’ଙ୍କର ଗୂଢ଼ ଅନୁଚର୍ଯ୍ୟ ଦ୍ୱେଷ ଚିରସ୍ଥାୟୀ କରିବା ପାଇଁ ସଚେଷ୍ଟ ଥିଲେ । ସମଗ୍ର ପରିବାର ମଧ୍ୟରେ ବିଶ୍ୱସ୍ତତାର ଅଲୌକିକ ଘ୍ରାଣ ପ୍ରସାରିତ ହୋଇରହିଥିଲା ଯା ଫଳରେ ଲୁସିଲ ତା’ର ଆଈ ମା’ର ଅମୋଘ ଆଧିପତ୍ୟ ଓ ଅହମିକା ସଂପର୍କରେ ଇଭେତି ତୁଳନାରେ ବି ଥିଲା ବେଶୀ ସଚେତନ । ଅନ୍ୟ ଦିଗରେ ପୁଣି ପିଉସୀ ଇଭେତିକୁ ବିଷ ଚକ୍ଷୁରେ ଦେଖୁଥିଲେ । ତା’ର ନାମଟା ହିଁ ତାଙ୍କ ପାଖରେ ଅସହନୀୟ ହୋଇ ଉଠୁଥିଲା । ପିଉସୀ ସମଗ୍ର ଜୀବନରେ ଯୌନତା ହରେଇ ସାରିଥିଲେ । ପଚାଶ ପାଖାପାଖି ସେ ପହଞ୍ଚି ସାରିଥିଲେ । ଇତି ମଧ୍ୟରେ ମଝିରେ ମଝିରେ ପ୍ରଚଣ୍ଡ ଈର୍ଷା ଓ ଦୁର୍ଦ୍ଦମନୀୟ କ୍ରୋଧ ତାଙ୍କୁ ତାଡ଼ିତ କରୁଥିଲା ଭୟଙ୍କର ଭାବରେ । ଏଇ ସମୟରେ ସେ ଉନ୍ମାଦିନୀବତ୍‌ ଅଭିନବ ଉପାୟରେ କୃଚ୍ଛ୍ର କରି ସାରିଥିଲେ–ଆଉ ପିଉସୀଙ୍କ ଜୀବନର ଏକମାତ୍ର କାମ ଥିଲା ମା’ର ସେବା କରିବା । ପିଉସୀର ସେହି ନାରକୀୟ ଅସୂୟା ଧାବିତ ଝିଅ ଦୁହିଁଙ୍କ ଆଡ଼କୁ । ସେ ନିଭୃତ ଆକାଶରେ ଦେବତା ନିକଟରେ କାନ୍ଦି କାନ୍ଦି ପ୍ରାର୍ଥନା ଜଣାଉଥିଲେ ଯେମିତି ତାଙ୍କର ଏକ ଅପ୍ରାକୃତ ମନୋଭାବ ଦୂର ହୋଇଯାଏ ଯା ଫଳରେ କ୍ଷମା କରିବା ଶକ୍ତି ଅର୍ଜନ କରିପାରିବେ । କିନ୍ତୁ ଅସୂୟା କୁଟୈଷଣା ତାଙ୍କର ପ୍ରତିଟି ଶିରା-ପ୍ରଶିରାରେ ସଞ୍ଚାରିତ ହୋଇପଡ଼ୁଥିଲା ।

 

ତେବେ ସ୍କୁଲ ପରିତ୍ୟାଗ କରିବାର ପରଠାରୁ ହି ଲୁସିଲ ଆଉ ଇଭେତି ବେଶ୍‌ ପରିଷ୍କାର ଭାବରେ ଅନୁଭବ କଲେ ଦନ୍ତହୀନ, ଲୋଳଚର୍ମ, ଜରାଚ୍ଛନ୍ନ ଆଈ ମା’ର ପ୍ରଭାବ ଯାହା ଗୃହର ପ୍ରତିଟି ରନ୍ଧ୍ରରେ ରାଜ୍ୟବିସ୍ତାର କରିଥିଲା । ଲୁସିଲ ବର୍ତ୍ତମାନ ଏକବିଂଶ ବର୍ଷିୟା ପୀବର ଯୌବନ ଭାରା ବନତଦେହୀ ନାରୀ-ରତ୍ନ ବିଶେଷ, ଆଉ ଇଭେତି ସେଇ ମାତ୍ର ବୟଃସନ୍ଧିର ମାୟାମୟ ନୟନାଭିଭାମ, ଶଙ୍କାକୂଳ ଭୀଷଣ ସୁନ୍ଦର କୋଠରୀ ପାରିହୋଇ ଯୌବନର ରାଜଦ୍ୱାରରେ ପ୍ରବିଷ୍ଟା । ସେମାନେ ବେଶ୍‌ ନାମକରା ସ୍କୁଲରେ ହିଁ ପଢ଼ା ଶେଷ କରିଥିଲେ ।

 

ଓଃ ଭାବି ଦେଖ ତ ନାନୀ, ଆମ ଘରର ଚାରିପାଖ କେମିତି କ୍ଳାନ୍ତିକର, ନିର୍ଜନ । ଆଚ୍ଛା, ଆଖପାଖରେ କ’ଣ ଜନମାନବ କେହି ନାହାନ୍ତି ? ବାପାଙ୍କୁ ବି କୌଣସି ବନ୍ଧୁବାନ୍ଧବଙ୍କ ସହ ଆଳାପ କରିବା ବା କାହା ଘରକୁ ଯିବା ମୁଁ ଦେଖି ନାହିଁ ।

 

‘‘କେଜାଣି, କିଛି ବୁଝୁ ନାହିଁ ।’’ ଲୁସିଲ ପୋଖତ ଦାର୍ଶନିକ ଭଳି ଆତ୍ମସ୍ଥଭଙ୍ଗୀରେ କହିଲା । ତା’ ମନରେ ହୁଏତ ଲୋକ ସମାଗମହୀନ ପାରିପାର୍ଶ୍ୱିକତା ଭାସି ଉଠୁଥିଲା ।

 

‘‘ରବିବାରର ପ୍ରାର୍ଥନା ସଭାରେ ପିଲାମାନଙ୍କ କଣ୍ଠସ୍ୱର ଶୁଣି ତଥାପି ଟିକିଏ ଭଲଲାଗେ-। ପାଖାପାଖି ମାଇଲିଏ ଭିତରେ ଗୋଟାଏ ହେଲେ ପୁରୁଷ ଭଳି ପୁରୁଷ ଦେଖୁନି ।’’

 

‘‘କାହିଁକି ତୋରି ସମରକୋର୍ଟ ତ ଦେଖୁଛି, ତୋତେ ପ୍ରାୟ ପୂଜା କରେ ।’’

 

‘‘ଏହିସବୁ ପୌରୁଷହୀନ ନୀରବ ପୂଜାରୀମାନଙ୍କୁ ମୁଁ ଘୃଣା କରେ । ସେମାନେ କି ଭୀଷଣ ଭାବରେ ଅସହ୍ୟ । ଜଗଦ୍ଦଳ ପଥରଭଳି ସବୁବେଳେ ଛାତିରେ ଚପି ରହିଥାନ୍ତି ।’’

 

‘‘ତାହାହେଲେ ତୁ କ’ଣ ଚାହୁଁ ? ମୋର ପାଦତଳେ ଯୁବକମାନେ ଆସି ନୈବେଦ୍ୟ ଢାଳିଦେଇ ଯାଉଛନ୍ତି ଏ କଥା ଭାବିବା ମାତ୍ରକେ ମୋର ଦେହ କମ୍ପିଉଠେ ।

 

‘‘ତୁ ତ ଆଉ ସେମାନଙ୍କୁ ବାହା ହବା ପାଇଁ ଯାଉନୁ । ଯଦି ସବୁ ସ୍ତାବକ ଦଳ ଆଖପାଖରେ କରପତ୍ର ହୋଇ ଘୂରି ବୁଲନ୍ତି କ୍ଷତି କ’ଣ ?’’

 

‘‘କିନ୍ତୁ ମୁଁ ତ ବିବାହ କରିବା ପାଇଁ ଚାହେଁ ।’’ ଇଭେତି ପଞ୍ଚମସ୍ୱରରେ ଚିତ୍କାର କରି ଉଠିଲା ।

 

‘‘ତେବେ ସେମାନଙ୍କ ମଧ୍ୟରୁ ପସନ୍ଦ ମୁତାବକ କାହାକୁ....

 

‘‘ନା ନା ସେମାନଙ୍କୁ ଦେଖିଲେ ମୋର ହନନସ୍ପୃହା ଜାଗ୍ରତ ହୁଏ । ମୁଁ ଚାହେ ଭୟଙ୍କର ଭାବରେ, ତୁମୂଳ ଭାବରେ ଏକାବେଳକେ ପ୍ରବଳ ଅସହ୍ୟ, କ୍ରୂର ଭାବରେ ପ୍ରେମରେ ପଡ଼ିବାକୁ ।’’

 

‘‘ପ୍ରଥମେ ଆମେ କ’ଣ ଚାହୁଁ ତାହା ଠିକ୍‌ ଭାବରେ ବୁଝିବା ଉଚିତ ଇଭେତି ।’’

 

‘‘କିନ୍ତୁ ଘରକୁ ଫେରିଯିବା ପାଇଁ ତୋତେ ଖରାପ ଲାଗୁ ନାହିଁ ?’’

 

‘‘କ’ଣ ଆଉ କରାଯିବ କହ ?’’

 

‘‘ଆଈ ମା’ଙ୍କର କିଛି ପ୍ରିୟ ଖାଦ୍ୟ ଅଛି, ଯେମିତି ବରାହ ମାଂସ ଅଥବା ସୁସ୍ୱାଦୁ କାଷ୍ଟର୍ଡ-। ପିଉସୀ କିସି ଅବଶ୍ୟ ଏକାବେଳକେ ଭୋଜନ କ୍ଷମତାବତୀ ନୁହନ୍ତି । ଡାଇନିଂ ଟେବୁଲରେ ବସି, ପ୍ଳେଟ ଉପରେ ନିର୍ଜନ, ବର୍ତ୍ତୁଳାକାର ଆଳୁ ନେଇ ହିଁ ସେ ଅନେକ ସମୟ କଟେଇ ଦିଅନ୍ତି । ତାଙ୍କୁ କେହି କେବେ ମାଂସ ଖାଇବାର ଦେଖି ନାହାନ୍ତି ।

 

ଏହିଭଳି ଭାବରେ ମାସ ପରେ ମାସ କଟିଯାଏ । ଗେରି ସମରକୋର୍ଟ ଅଦ୍ୟାବଧି ଇଭେତିର ସ୍ତୁତିଗାନରେ ନିମାଜ୍ଜମାନ । ଆହୁରି ଅନେକ ପ୍ରାଣିପାର୍ଥୀ ଥିଲେ ସେଇଠି । କିଛି ସମ୍ପନ୍ନ କୃଷକପୁତ୍ର କିମ୍ୱା ମିଲମାଲିକର ସ୍ୱାସ୍ଥ୍ୟବାନ ପୁଅ । ଇଭେତିର ସମୟ ଖୁବ୍‌ ଭଲଭାବରେ ହିଁ କଟିଯିବା ଚିତ ଥିଲା । ଇଭେତିର ସମୟ ଖୁବ୍‌ ଭଲଭାବରେ ହିଁ କଟିଯିବା ଉଚିତ ଥିଲା । ସେ ଇଚ୍ଛା କଲେ ହିଁ ପାର୍ଟି, ନାଚ ଗେଟ୍‌ ଟୁଗେଦର୍‌କୁ ଯାଇପାରେ, ତା’ ପାଇଁ ସଦାସର୍ବଦା ଘର ଆଗରେ ମୋଟର ଗାଡ଼ି ଆସି ଠିଆ ହେଉଥିଲା, ଅଥଚ ତା’କୁ ଦେଖିଲେ ମନେ ହେଉଥିଲା ସେ ଯେମିତି କୁହୁକକାତରା ଭୁତବିଷ୍ଟ । କେବେ ହେଲେ ତା’କୁ ପର୍ଯ୍ୟାପ୍ତ ଉଲ୍ଲାସରେ ଭାସିଯିବା କେହି ଦେଖି ନାହାନ୍ତି । ତା’ର ହୃଦୟର ଅନ୍ତର୍ଗତ ଅନୀହା, ଜଗଜ୍ଜୀବନ ପ୍ରତି ଏଷଣାବିହୀନ ମନୋଭଙ୍ଗୀର ପ୍ରାବଲ୍ୟରେ ତା’କୁ ନିରୁତ୍ସାହୀ, ଉତ୍ତାପବିହୀନ ଜୀବ ବୋଲି ମନେ ହେଉଥିଲା, ଅଥଚ ଇଭେତି ନିଜେ ବି ଜାଣି ନ ଥିଲା । ଏହି ନିସ୍ପୃହତାର ଉତ୍ସ କ’ଣ ବା କେଉଁଠି ? ଘରେ ପିଉସୀ ସହିତ ତା’ର ପ୍ରାୟତଃ ମନୋମାଳିନ୍ୟ ଘଟିଥାଏ, ସେ ଖୁବ୍‌ ଅଳ୍ପକରେ କ୍ରୋଧାତୁରା । ଲୁସିଲ୍‍ଟା ଅନେକ ବେଶୀ ବାସ୍ତବମୁଖୀ ଓ ସଂସାରାଭିଜ୍ଞା । ସେ ନିଜ ଚେଷ୍ଟାରେ ସହରରେ ଜଣେ ନାମଜାଦା ଭଦ୍ରବ୍ୟକ୍ତିଙ୍କ ପ୍ରାଇଭେଟ ସେକ୍ରେଟାରୀର କାମ ଯୋଗାଡ଼ କରିନେଇଛି । ଅବଲୀଳା କ୍ରମେ ଫରାସୀ ଭାଷା କହିଯିବାରେ ତା’ର ବିଶେଷ ଦକ୍ଷତା ରହିଛି । ଆଉ ସେ ଅସମ୍ଭବ ଦ୍ରୁତ ଗତିରେ ସର୍ଟହ୍ୟାଣ୍ଡ ନେଇପାରେ । କାକା ଫ୍ରେଡ୍ ସହିତ ସେ ଏକା ସାଙ୍ଗରେ ସହରକୁ ଯାଏ, ପୁଣି ଫେରିଆସେ; କିନ୍ତୁ ଗୋଟାଏ କ୍ୟାମେରାରେ ଦୁହିଁଙ୍କ ମଧ୍ୟରୁ ଜଣକୁ ହେଲେ ଏକା ସାଥିରେ ଦେଖାଯାଏନା ।

 

ତରୁଣୀ ଦିହିଁଙ୍କ ନିକଟରେ ସବୁଠାରୁ ବେଶୀ ସୁଖପ୍ରଦ ଥିଲା ସୁନ୍ଦର ସାବଲୀଳ ସାମାଜିକ ଜୀବନ ପ୍ରଣାଳୀ । ରେକ୍‌ଟାରୀକୁ ସେମାନେ ଆଦୌ ସହ୍ୟ କରିପାରୁ ନ ଥିଲେ । ତଳ ମହଲାର ଚାରୋଟିଯାକ ଘର ରୋଷଘର, ଯେଉଁଠି ଦୁଇଜଣ ଚିର ଅତୃପ୍ତା, ସ୍ଥୂଳାଙ୍ଗୀ ପରିଚାରିକା ବୀର ଦର୍ପରେ ରାଜତ୍ୱ କରନ୍ତି–ଆଲୋକବିହୀନ ଆହାର ଗୃହ ବାପାଙ୍କ ପଢ଼ାଘର ଆଉ ଏକ ବୈଠକଖାନା । ଏହି ବୈଠକଖାନାର ଏକଛତ୍ରାଧୂପତ୍ନୀ ହେଲେ ଆଈ ମା’ । ପ୍ରାୟତଃ ଗୃହର ସମସ୍ତ ଲୋକ ଏହି ଘରକୁ ଆସି ଜମା ହେଉଥିଲେ । ମଝିରେ ମଝିରେ ପିଉସୀ ଦେବାଲ ଘଡ଼ିକୁ ଚାହାଁନ୍ତି ମା’ର ହରଲିକ୍‌ସ ଖାଇବା ସମୟ ହେଲା କି ନାହିଁ । ଘରର ନିଥର ପରିବେଶରେ ଇଭେତିର ଶ୍ୱାସରୋଧ ହୋଇ ଆସେ । ସେ ଉଠିପଡ଼ି ଝରକା ଖୋଲିଦିଏ । ପ୍ରାୟ ବଧିର ଆଈ ମା’ କମ୍ପିତ କଣ୍ଠରେ କହି ଉଠନ୍ତି–‘‘ଇଭେତି ଝରକା ଖୋଲୁଛୁ ବୋଧହୁଏ ? ଭୁଲିଯାଇଛୁ କି ଘରେ ତୋ’ ଭଳି ସମର୍ଥ ମଣିଷ ବିଶେଷ ନାହାନ୍ତି ।’’

 

‘‘କି ଅସହ୍ୟ ଗରମ, ଶ୍ୱାସ କଷ୍ଟ ହେଉଛି ।

 

‘‘ମୋର ତ ମନେହୁଏ ଘରଟା ଯଥେଷ୍ଟ ବଡ଼ । ଆଉ ଚୂଲିର ନିଆଁ ବି ବେଶ୍‌ ଜ୍ୱଳନ୍ତ । ଏମିତି ଥଣ୍ଡା ଲଗେଇ ମାରିବାକୁ ଚାହୁଁ ବୋଧହୁଏ । ଥଣ୍ଡା ଲାଗିବ ଏଥିରେ ? ସାମାନ୍ୟ ସ୍ୱଚ୍ଛ ପବନ ଆସିଲେ ।’’

 

ଉପାଧ୍ୟକ୍ଷ ଆଶ୍ଚର୍ଯ୍ୟ ନୀରବତା ସହ ଠିଆ ହୋଇ ଝରକାଟା ଦୃଢ଼ଭାବରେ ବନ୍ଦ କରିଦେଇ ପୁନରାୟ କ୍ରସ୍‌ଓ୍ୱାର୍ଡରେ ବୁଡ଼ିଗଲେ । ଏହି ଶବ୍ଦ ନେଇ ଖେଳ ସମ୍ଭବତଃ ଲୁସିଫାର୍‌ର ଜଠରଜାତ ତାହା ଚାଲିଲା ଯେତେ ସମୟ ପର୍ଯ୍ୟନ୍ତ ପିଉସୀ ଆଈ ମା’ଙ୍କ ପାଇଁ ହରଲିକ୍‌ସ ନେଇ ଆସି ନାହାନ୍ତି । ରାତି ନ’ଟା ବାଜିବା ସଙ୍ଗେ ସଙ୍ଗେ ଶୁଭରାତ୍ରି ଜ୍ଞାପନ ଶେଷ ହେଲା । ଆଈ ମା’ ଏକାକୀ ଶୋଇପାରନ୍ତି ନାହିଁ । ‘‘ଦେଖ ମୋ ଜାଣିବାରେ ମୁଁ ବିଛଣାରେ ଏକା ଶୋଇ ନାହିଁ କହି ଚାଲିଲେ ସେ । ଚଉବନ ବର୍ଷ ପର୍ଯ୍ୟନ୍ତ ତୁମର ଠାକୁରବାବାଙ୍କ ବଳିଷ୍ଠ ହାତ ମୋର ନାଭିମୂଳରେ ପଡ଼ି ରହୁଥିଲା । ସେ ଯେମିତି ଚାଲିଗଲେ ମୁଁ ଏକା ଏକା ଶୋଇବା ପାଇଁ ଅଭ୍ୟାସ କରିବାକୁ ଲାଗିଲି । ମାତ୍ର ଆଖି ବୁଜିବା ମାତ୍ରକେ ମନହେଉଥିଲା ହୃତପିଣ୍ଡ ଯେମିତି ଶରୀର ବିଦାରି ଆସିବ । ସେ କି ଭୟାବହ ଅଭିଜ୍ଞତା ! ଭଗବାନ ମୋତେ ପ୍ରଥମେ ଟାଣିନେଲେ ନାହିଁ କାହିଁକି, ସେହି କଥା ଭାବେ ।’’ ସୁତରାଂ ପିଉସୀକୁ ବୁଢ଼ୀ ସହିତ ଶୋଇବା ପାଇଁ ପଡ଼ୁଥିଲା । ବୁଢ଼ୀ ତା’ର ଶିଥିଳ ଶରୀର ବିଛଣାରେ ଥୋଇ ନିଜ ବାଳିକା ବୟସର ଅସ୍ପଷ୍ଟ ଅପସୃୟମାନ ସ୍ମୃତିର ସରୋବରରେ ଲମ୍ଫ ପ୍ରଦାନ କରୁଥିଲେ । ଭାବୁଥିଲେ ତାଙ୍କ ରୂପେଲି ଦିନଗୁଡ଼ିକର କଥା । ସେହି ଛୋଟ ସହର ବକିଂହାମଶାୟାର୍‌ର କଥା । ହାୟରେ ସେହି ଦୂରଗାମୀ ପରିତ୍ୟକ୍ତ ବାଳିକା ବୟସ । ବର୍ତ୍ତମାନ କେବଳ ସେ ସ୍ୱପ୍ନରେ ମୃତ୍ୟୁ ମୁହଁ ଦେଖନ୍ତି–ଭୀଷଣ ପାଣ୍ଡୁର । ତେଣୁ ଏକାକୀ ଶୋଇବା ପାଇଁ ଭୟ ହୁଏ, କାଳେ ମୃତ୍ୟୁ ହେବ ।

 

ଆଈ ମା’ କିନ୍ତୁ ସାଧାରଣତଃ ଯଥେଷ୍ଟ ଅତିଥିବତ୍ସଳା । ଘରକୁ ଇଭେତି କିମ୍ୱା ଲୁସିଲର ସାଙ୍ଗସାଥି ଆସିଲେ । ଆତିଥେୟତାର ତ୍ରୁଟି ହେଉ ନ ଥିଲା ଏବଂ ବୟୋବୃଦ୍ଧଗଣ ଯେଉଁ ଧରଣର ଆଦିରସାତ୍ମକ ସ୍ଥୂଳ ରସିକତା କରିଥାଆନ୍ତି ତାହା ବି ବାଦ୍‌ ପଡ଼ୁ ନ ଥିଲା । ଏଇ ତ ସେଦିନ ଦି’ପହରେ ଲୁଟି, ଏଲା ଓ ବକ୍‌ଫ୍ୟାମ୍‌ଲେ ଆସିଥିଲେ । ସଙ୍ଗରେ ଥିଲେ ଲିଓ ଏଦାରେଲ୍‌ ।

 

ନିଆଁର ଠିକ୍‌ ପାଖରେ ଆରାମକେଦାରାରେ ଆସୀନା ବୃଦ୍ଧା ସଙ୍ଗେ ସଙ୍ଗେ ସ୍ୱାଗତ ଜଣାଇଲେ । ସେମାନେ ତାଙ୍କ ଚାରିପାଖରେ ଘେରି ଠିଆ ହେଲେ ।

 

‘‘ଆଈ ମା’, ୟେ ହେଉଛି ମି: ଏଦାରେଲ୍‌ ।’’

 

ମି: କ’ଣ ଯେମିତି କହିଲୁ ? କିଛି ମନେକରିବନି ପିଲାଏ । ବର୍ତ୍ତମାନ କାନରେ ମୋଟେ ଶୁଣିପାରୁ ନାହିଁ । କହୁ କହୁ ତାଙ୍କର କୁଞ୍ଚିତ କର୍କଶ ହାତ ବଢ଼େଇଦେଲେ ସେହି ଆଶ୍ୱସ୍ତି ପୀଡ଼ିତ ଯୁବକ ଆଡ଼କୁ । ଦୃଷ୍ଟିହୀନ ଚକ୍ଷୁରେ କିଛି ସମୟ ଚାହିଁ ରହିଲେ ।

 

‘‘ଆଗାମୀ କାଲି ଆମେ ପିକ୍‌ନିକ୍‌ରେ ଯାଉଛୁ ଲିଓର ଗାଡ଼ିରେ ।’’ ଲୁସିଲ ଲଘୁ କଣ୍ଠରେ କହିଲା, ‘‘କେଉଁଠିକି ?’’

 

‘‘ବନସାଲ୍‍ ହେଡ୍‍ ।’’

 

‘‘କ’ଣ କହିଲୁ ? ବନସାଲ୍‌ ହେଡ୍‍ ?’’

 

‘‘ହଁ ।’’

 

‘‘ଗାଡ଼ିରେ ଯାଉଛ ?’’ ‘‘ହଁ । ଲିଓର ମଟର ଗାଡ଼ିରେ ।’’

 

‘‘ଲିଓ ନିଶ୍ଚୟ ଖୁବ୍‌ ଭଲ ଗାଡ଼ି ଚଳାଏ । ରାସ୍ତା ବଡ଼ ଖରାପ ।’’

 

‘‘ହଁ ଲିଓ ଖୁବ ଭୀଷଣ ବେଗରେ ଗାଡ଼ି ଚଳାଏ ।

 

ତମେମାନେ ଯେତେବେଳେ ବନସାଲ୍‌ ହେଡ୍‍କୁ ଯାଉଛ ତେବେ ଲେଡ଼ି ଲୁଥକୁ ମୋର ଖବର ଦେବ । ପିଉସୀ ଆସନ୍ତି–ସଙ୍ଗରେ ପରିଚାରିକା ଦିହେଁ ଚା’ ଆଉ କେକ ନେଇ ପଶନ୍ତି ।

 

ମା’ ଚା’ ଆଣିଛି ।

 

‘‘ତୁମ୍ଭେମାନେ ଆଗରୁ ତ ଲିଓର କଥା ମୋତେ କହିନା’’ ଆଈ ମା’ ସହସ୍ୟ କହିଲେ ।

 

‘‘ମନେକରିପାରୁନି’’ ଲୁସିଲ ଅଳ୍ପ ଆତ୍ମସ୍ଥଭାବରେ କହିଲା । ‘‘କହିନା । ନାଆଁଟା ନୂତନ ଲାଗିଲା ।’’

 

ଇଭେତି ଗୋଟାଏ କେକ ନେଇ କାମୁଡ଼ୁଥିଲା । ତା’ର ଆଖି ଯୋଡ଼ିକ ଘୂରିବୁଲୁଥିଲା ଚତୁର୍ଦ୍ଦିଗରେ ।

 

ତୁମେମାନେ ଯେତେବେଳେ ବନସଲ୍‌ ହେଡ୍‍କୁ ହିଁ ଯାଉଛ ଲେଡ଼ିଲୁଥ୍‌କୁ ମୋର ଖବର ଜଣେଇବ ।

 

ଉଫ୍‌ ।

 

‘‘ଲୁଥ୍‌ ଭାରି ବୁଦ୍ଧିମତୀ ଓ ଦୟାଶୀଳା । ଏଇ ତ ଗତ ସପ୍ତାହରେ ଡ୍ରାଇଭର ହାତରେ ମୋ ପାଖକୁ କ୍ରସଓ୍ୱାର୍ଡ ପଜଲ୍‌ର ନୂତନ ବହିଟା ପଠେଇଦେଇଥିଲା । ବନ୍ଧୁମାନେ ବିଦାୟ ନେବା ପରେ ସେମାନେ ନିଶ୍ୱାସ ପକେଇ ବଞ୍ଚିଲେ । ବନ୍ଧୁମାନେ ବିଦାୟ ନେବା ପରେ ସେମାନେ ନିଶ୍ୱାସ ପକେଇ ବଞ୍ଚିଲେ । ଆଈ ମା’ ତାଙ୍କର ପୃଥୁଳ କାୟା ନେଇ ଆରାମ କେଦାରାରେ ହିଁ ବସିଥିଲେ । ତାଙ୍କର ନିୟତ କଳ୍ପନାଶୀଳ, ରକ୍ତହୀନ ମୁଖାବୟବରେ କେମିତି ଏକ ସ୍ଫଟିକ କଠିଣ ନିର୍ମମଭାବେ ଫୁଟି ଉଠିଥିଲା । ଅନେକ ସମୟରେ ମନେହେଉଥିଲା ସେ ଯେମିତି ମୁଖା ପିନ୍ଧିଛନ୍ତି–ଗତିହୀନତା ସ୍ଥବିରତ୍ୱର ମୁଖା ।

 

ପରବର୍ତ୍ତୀ ଦିନଟି ବେଶ୍‌ ନିରସ ମନେହେଲା, ନିଥର ମନେହେଲା ସେମାନଙ୍କ ପାଖରେ । ଏକ ଦଗ୍‌ଧ ପାହାନ୍ତା ପ୍ରହରରେ ସେମାନେ ବାହାରିପଡ଼ିଥିଲେ । ରାସ୍ତା ପ୍ରକୃତପକ୍ଷେ ବିପଦପୂର୍ଣ୍ଣ । ଶେଷପର୍ଯ୍ୟନ୍ତ ଲେଡିଲୁଥ୍‌ ପଇଁ ସେମାନେ ଚିଠି ନେଇ ନାହାନ୍ତି । ଛଅଜଣ ଯୁବକ ଯୁବତୀ ବେଶ୍‌ ଖୋଲା ହୃଦୟରେ ଛୁଟି ଚାଲିଥିଲେ କର୍ଦମାକ୍ତ ରାସ୍ତାରେ । ଆଜି ସେମାନଙ୍କର ଅଙ୍ଗ ସଞ୍ଚାଳନରେ କୌଣସି ପ୍ରକାର ସଙ୍କୋଚ ନ ଥିଲା । ସେମାନଙ୍କ ସମ୍ମୁଖରେ ଭାଙ୍ଗିବାର କୌଣସି ଶୃଙ୍ଖଳ ନ ଥିଲା । କୌତୁକ ଗୀତ । ସେମାନଙ୍କ କଣ୍ଠସ୍ୱରରେ ଗ୍ରାମ୍ୟପଥ ବାରମ୍ୱାର ମୁଖରିତ ଓ ଉଚ୍ଚକିତ ହୋଇ ଉଠୁଥିଲା । ମଝିରେ ମଝିରେ ଭୀତାତ୍ରସ୍ତା ହରିଣୀର ଦଳ ଦେଖାଯାଉଥିଲା । ଓକ୍‌ ଗଛଗୁଡ଼ିକ ଛାଇରେ ସେମାନେ ଧାଡ଼ିବାନ୍ଧି ଉତ୍କର୍ଣ୍ଣ ହୋଇ ଠିଆ ହୋଇଥିଲେ । ଇଭେତି ଚିତ୍କାର କରି ଗାଡ଼ି ବନ୍ଦ କରିବା ପାଇଁ କହିଲ । ତା’ର ଇଚ୍ଛା ସେହି ହରିଣୀମାନଙ୍କ ମଝିକୁ ଯାଇ ଅଳ୍ପ ସମୟ ଖେଳନ୍ତା ।

 

ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ହରିଣ ହରିଣୀଗୁଡ଼ିକ ବିସ୍ମୟାହତ ଆଖିରେ ତା’କୁ ଦେଖିବାକୁ ଲାଗିଲେ । ଲଘୁ ଛନ୍ଦରେ ଆଗେଇଯିବାକୁ ଲାଗିଲା ଇଭେତି । କିନ୍ତୁ ପାଖାପାଖି ଯିବା ପୂର୍ବରୁ ହିଁ ସେମାନେ ଯେମିତି ବହୁ ଦୂରରେ ପବନ ସହିତ ମିଳେଇ ଯିବାକୁ ଲାଗିଲେ ।

 

‘‘କି ସୁନ୍ଦର ଦେଖ, ଦେଖ ଲୁସିଲ, ଏଲା ।’’

 

ପୁନରାୟ ଗାଡ଼ି ତୀବ୍ର ବେଗରେ ଦୌଡ଼ିଲା । ଅନ୍ୟାନ୍ୟ ଶସ୍ୟ କ୍ଷେତ୍ରରେ ପାଣ୍ଡୁର ଧଳା ନାନା ରଙ୍ଗର ମେଷ ଦଳ ଚୁପ୍‌ଚାପ୍‌ ନିରୁଦ୍‌ବେଗ ଭାବରେ ଚରି ବୁଲୁଥିଲେ । କୌଣସି ଶବ୍ଦ ନାହିଁ, ଉତ୍ତେଜନା ନାହିଁ । ଗାଡ଼ି ବେଶ୍‍ ସ୍ୱଚ୍ଛନ୍ଦରେ ଚାଲୁଥିଲା । ଏହି ସମୟରେ ସାମନାରେ ବଳଦଗାଡ଼ି ଭଳି ଗାଡ଼ିଟିଏ ଦେଖାଗଲା । ଜଣେ ଚାଳକ ରହିଛି ଏବଂ ସେ ଗାଡ଼ି ନିଜେ ହିଁ ଟାଣିନେଉଛି । ତାହା କୌଣସି ଜନ୍ତୁଚାଳିତ ଗାଡ଼ି ନୁହେଁ । ଲୋକଟା କର୍ଦମାକ୍ତ ରାସ୍ତାରେ ସହଳ ଚାଲିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା । ତା’ ପାଖରେ ଜଣେ ବୟସ୍କ ଅଥଚ ସ୍ୱାସ୍ଥ୍ୟବତୀ ସ୍ତ୍ରୀଲୋକ ମଧ୍ୟ ହଲିଝୁଲି ଚାଲୁଥିଲା । ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ । ଲିଓ ହର୍ଣ୍ଣ ବଜେଇଲା । ଲୋକଟା ଥରେ ଫେରି ଚାହିଁଲା । ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ । ଲିଓ ହର୍ଣ୍ଣ ବଜେଇଲା । ଲୋକଟା ଥରେ ଫେରି ଚାହିଁଲା । କିନ୍ତୁ ସ୍ତ୍ରୀଲୋକଟି ଥରେ ହେଲେ ମୁହଁ ନ ବୁଲେଇ କ୍ରମାଗତ ଠେଲି ଗାଡ଼ିଟାକୁ ସହଳ ଆଗେଇ ନେଇଯିବା ପାଇଁ ଚେଷ୍ଟା କରିବାକୁ ଲାଗିଲା । ଗାଡ଼ି ଉପରେ ଯେ ଗୋଟାଏ ମଣିଷ ରହିଛି ଏତେବେଳଯାଏ କାହା ଆଖିରେ ପଡ଼ିନି । ଲୋକଟା ଠିଆ ହୋଇ ସେମାନଙ୍କ ଗାଡ଼ିଆଡ଼କୁ ଚାହିଁବା ମାତ୍ରକେ ଇଭେତିର ହୃତ୍‌ପିଣ୍ଡ ଥରଥର କରି କମ୍ପି ଉଠିଲା । ଲୋକଟା ଯାଯାବର, ଜିପ୍‌ସି ଭଳି ମନେହେଲା ।

ରୌଦ୍ରପୀଡ଼ିତ ପେଶୀବହୁଳ, ସୁଠାମଦେହୀ ଯୁବକ ସେ । ସେଇ ଗାଡ଼ିରେ ହିଁ ବସିରହିଲା । ସେହି ଦୂରତ୍ୱରୁ ହିଁ ଗାଡ଼ିର ଆରୋହୀମାନଙ୍କୁ ବେଶ୍‍ କୌତୁହଳଭରା ଆଖରେ ଦେଖୁଥିଲା । ତା’ର କ୍ଷୀଣ ଖଣ୍ଡାଧାର ନାକ ତଳେ ସରୁ ଗାରେ ନିଶ । ବେକରେ ଗୋଟାଏ ନାଲି ହଳଦୀ ରଙ୍ଗର ରୁମାଲ ବନ୍ଧା । ଏଥର ସ୍ତ୍ରୀଲୋକଟି ମଧ୍ୟ ଗାଡ଼ି ଆଡ଼କୁ ଚାହିଁଲା । ଲିଓ ପୁନରାୟ ହର୍ଣ୍ଣ ବଜେଇଲା । ଯୁବକଟି ମଧ୍ୟ ସବୁଜ ଟୋପି ପିନ୍ଧି ବସିଥିଲା । ହସ ହସ ମୁହଁରେ ସେମାନଙ୍କ ଆଡ଼କୁ ଚାହିଁଲା ।

‘‘ରାସ୍ତା ଛାଡ଼’’ ଚିତ୍କାର କରି କହିଲା ଲିଓ ।

‘‘ସୁନ୍ଦରୀଗଣ ଆପଣମାନେ କ’ଣ ଆପଣମାନଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଚାହାନ୍ତି ନାହିଁ ?’’ କହିଲା ଯୁବକଟି ଏବଂ ତା’ର ଗଭୀର କଳା ଆଖି ଯୋଡ଼ିକ ସମସ୍ତଙ୍କ ମୁହଁରେ ଘୁରିଘୁରି ଇଭେତିର ସୁକୁମାର ସ୍ନିଗ୍‌ଧ ମୁଖାବୟବରେ ସ୍ଥିର ହୋଇଗଲା ।

ଇଭେତିର ମନେ ହେଲା ତା’ର ଔରସରେ କେହି ଯେମିତି ଅଜାଗତିକ ଅଗ୍ନି ପ୍ରଜ୍ଜ୍ୱଳନ କରିଦେଲା । ତା’ର ମନେହେଲା ମଣିଷଟି ତା’ ଅପେକ୍ଷା ବି ବିକ୍ରମଶାଳୀ ।

‘‘ହଁ, ହଁ, ଆମ୍ଭେମାନେ ହାତ ଦେଖେଇବୁ ।’’ ଲୁସିଲ ଶିଶୁ ସଦଶ୍ୟ କହିଉଠିଲା–‘‘ଆରେ ଡେରି ହୋଇଯିବ ଯେ,’’ କ୍ଷୀଣ କଣ୍ଠରେ ଆପତ୍ତି ଜଣେଇଲା ଲିଓ । ‘‘ମୋଟ ଡେରି ହେବନି । ଚୁପ୍‌ଚାପ୍‌ ବସ ତ ।’’

ଜିପ୍‌ସୀ ତରୁଣଟି ସେମାନଙ୍କ ଗାଡ଼ିର ଗୋଟାଏ ପାଖରେ ବସି ବସି ସମସ୍ତଙ୍କ ମୁହଁକୁ ଚାହୁଁଥିଲା । ଏଥର ଆସ୍ତେ କରି ତଳକୁ ଓହ୍ଲାଇଲା । ବୟସ ବେଶୀ ହେଲେ ପଚିଶ । ବେଶ ଭଦ୍ରଲୋକଙ୍କ ଭଳି ପୋଷାକ ପିନ୍ଧିଥିଲା ତରୁଣଟି । ବନ୍ଧୁକବାଜ୍‌ ଶିକାରୀମାନେ ଯେମିତି ଡବଲ ବ୍ରେଷ୍ଟେଡ୍‍ ଜ୍ୟାକେଟ୍‌ ପିନ୍ଧନ୍ତି ସେମିତି ଜ୍ୟାକେଟ୍‌ ସେ ପିନ୍ଧିଥିଲା । ତା’ର ନିତମ୍ୱ ଉପରକୁ ନଇଁଆସିଲା ଜ୍ୟାକେଟଟି । ବେଶ୍‌ ଚିପା କଳା ଟ୍ରାଉଜର୍‌ ଥିଲା ତା’ର ଅଧମାଙ୍ଗରେ । ପାଦରେ କଳା ବୁଟ୍‌ ଆଉ ଗଳାରେ ଲାଲ୍‍ ହଳଦି ରଙ୍ଗର ରୁମାଲ୍‌ । ଜୀପ୍‌ସୀମାନଙ୍କ ମଧ୍ୟରେ ଏଭଳି ବାବୁଆନୀ ସଚରାଚର ଦେଖାଯାଏ ନାହିଁ । ଆଉ ଯୁବକଟି ଯେ ବେଶ୍‌ ସୁନ୍ଦର ତା’ ଯେ କେହି ଏକବାକ୍ୟରେ ସ୍ୱୀକାର କରିନେବ । ଇଭେତି, ଲୁସିଲ, ଏଲା ଗାଡ଼ିରୁ ଡେଇଁପଡ଼ି ଓହ୍ଲାଇଲେ । ଲଟି ପ୍ରଥମେ ପ୍ରଥମେ ଅବାକ୍‌ ହୋଇଯାଇଥିଲା ସେମାନଙ୍କ ବ୍ୟବହାରରେ । ଶେଷରେ ସିଏ ବି ଓହ୍ଲେଇ ପଡ଼ିଲା ଗାଡ଼ିରୁ । ଏତେ ସମୟ ପରେ ସେମାନଙ୍କ ଆଖିରେ ପଡ଼ିଲା ଅଳ୍ପ ଦୂରରେ ରାସ୍ତା ପାଖରେ ଦୁଇ ତିନୋଟି ଛାଉଣୀ ପଡ଼ିଛି–ତହିଁରୁ ଧୂମ ନିର୍ଗତ ହେଉଛି । ଗୋଟାଏ ପାଖରେ ଖଡ଼ ଆଉ ଗଛର ପତ୍ରରେ ତିଆରି ବିରାଟ ଅସ୍ତାବଲ୍‌ । ଘୋଡ଼ାମାନେ ଖୁରା ଠୁକି ମାଛି ଅଡ଼ଉଛନ୍ତି । ଛାଉଣୀର ଦେହ ଘସି ଉଠିଯାଇଛି ଧୂସର ପାହାଡ଼ । ମାଟି ବେଶ୍‌ ରୁକ୍ଷ, ପ୍ରସ୍ତରମୟ । ତେବେ ତା’ ମଝିରେ ଘାସର ଚିହ୍ନ ବି ରହିଛି । ବୟସ୍କା ନାରୀଟି ଗୋଟିଏ ତମ୍ୱୁ ଆଡ଼କୁ ଚାଲିଗଲା । ତମ୍ୱୁ ଭିତରୁ ଦୁଇଟି ଶିଶୁ କୌତୂହଳୀ ଦୃଷ୍ଟି ନେଇ ଉଙ୍କି ମାରୁଥିଲେ । ଜୀପ୍‌ସୀ ଯୁବକଟି ଆଉ ଗୋଟିଏ ଛାଉଣି ଭିତରେ ପଶିଗଲା । ଛାଉଣି ପାଖରେ କୁଣ୍ଡଳି ପକେଇ ଗୋଟିଏ କୁକୁର ଶୋଇଗଲା । ଧଳା ଲୋମ ଉପରେ ଜତ୍‌କୃତ ରଙ୍ଗର ଛାପିଛାପିକଆ ଦାଗ । ଲିଓ ଓ ବବ୍‌ ଆଗେଇବା ମାତ୍ରକେ ନମ୍ର ଗର୍ଜନ କରିଉଠିଲା । ଏହି ସମୟରେ ଯୁବକଟି ଯେଉଁ ଛାଉଣିରେ ପ୍ରବେଶ କରିଥିଲା ତା’ରି ଭିତରୁ ଜଣେ ଜିପ୍‌ସୀ ରମଣୀ ବାହାରି ଆସିଲା । ତା’ର ମୁହଁ ତାମ୍ର ବର୍ଣ୍ଣ ହାଲୁକା ଗୋଲାପୀ ଶାଲରେ ବୁକୁ ଆବୃତ । ମୁଣ୍ଡରେ ରଙ୍ଗୀନ୍‌ ରୁମାଲ୍‌ ଆଉ କାନରେ ବଡ଼ ବଡ଼ ସୁନାର ଦୁଲ୍‌ । ତା’ର ଭାରୀ ସବୁଜ ସ୍କାର୍ଟ ଆନ୍ଦୋଳିତ କରି ସେମାନଙ୍କ ଆଗରେ ଆସି ଠିଆ ହେଲା ।

ଆପଣଙ୍କ ଭିତରୁ କେଉଁ ସୁନ୍ଦରୀ ଭାଗ୍ୟ ପରୀକ୍ଷା କରିବାକୁ ଚାହାନ୍ତି ? ସେ ତାଙ୍କର ହାତ ମୋତେ ଦିଅନ୍ତୁ ।

ରମଣୀଟି ଦୀର୍ଘକାୟା, ଗର୍ବସ୍ଫୁରିତାଧାରା । ତା’ର ଦୁଇ କନୀନିକା ମୁଖ ଉପରେ ତୀବ୍ର ବେଗରେ ଘୂରିବାକୁ ଲାଗିଲା । ଯେମିତି ତାହା ନିର୍ଦ୍ଦେୟ ଭାବରେ ପାର୍ଥିବ ବସ୍ତୁକୁ ଖୋଜୁଥିଲା ।

ଇତିମଧ୍ୟରେ ଯୁବକ ପୁନରାୟ ସେଇଠି ଆସି ଠିଆହେଲା । ଓଠରେ ଲାଗି ରହିଛି ଧୂମାୟମାନ କଫି ବା ଚା’ର ପାତ୍ର । ତା’ ପଛେ ପଛେ ଗୋଟାଏ ପ୍ରାୟ ତିନି ବର୍ଷର ଶିଶୁ ବି ସ୍ଖଳିତ ପାଦରେ ଆସି ଉପସ୍ଥିତ ହେଲା । ଶିଶୁଟିର କେଶ ଆଶ୍ଚର୍ଯ୍ୟଭାବରେ କଳା । ଯୁବକ ଚା’ ଅଥବା କଫିରେ ଚୁମୁକ ଦେଉ ଦେଉ ସମଗ୍ର ଦଳଟାକୁ ଲକ୍ଷ୍ୟ କରୁଥିଲା ନିର୍ବିକାର ଭାବରେ । ତା’ର ଆଖିର ଦୀର୍ଘ, ଭାରୀ କଳାପତା ଆଡ଼କୁ ଚାହିଁ ଇଭେତି କେମିତି ଆଶ୍ୱସ୍ତି ବୋଧକଲା । ସେ ସହଳ କୁକୁରଟି ଆଡ଼କୁ ଚାହିଁବାର ଛଳନା କରି ନିଜକୁ ସମ୍ଭାଳି ନେଲା ।

‘‘ଆଚ୍ଛା, ସମସ୍ତଙ୍କ ହାତ ଦେଖିବାକୁ କେତେ ଲାଗିବ ?’’ ଲଟି ପଚାରିଲା । ‘‘ସମସ୍ତଙ୍କର-? ନାରୀ ପୁରୁଷ ସମସ୍ତଙ୍କର ?’’

‘‘ମୋର ଦେଖିବାକୁ ହେବ ନାହିଁ । ତୁମ୍ଭେମାନେ ଯାଇ ଦେଖାଅ ।’’ ଲିଓ କହିଲା–‘‘ମୁଁ ବି ଉତ୍ସୁକ ନୁହେଁ,’’ କହିଲା ବବ୍‌ ।

‘‘କେବଳ ତରୁଣୀମାନେ ? ବେଶ୍‌, ପ୍ରତ୍ୟେକେ ଗୋଟାଏ କରି ଶିଲିଂ ଦେବେ ।’’ କହୁ କହୁ ଲଟିର ହାତ ଧରି ଟାଣି ନେଇ ଯାଇ ତମ୍ୱୁ ଭିତରେ ରଖା ହୋଇଥିବା କାଠ ଟୁଲ୍‌ ଉପରେ ତା’କୁ ବସେଇଦେଲା । ଅନ୍ୟ ସମସ୍ତେ ଧୀରେ ଧୀରେ ସେଠି ଭିଡ଼ ଜମେଇ ଠିଆ ହେଲେ ।

‘‘ଅନ୍ୟମାନେ ଯଦି ଆପଣଙ୍କ କଥା ଶୁଣନ୍ତି ତେବେ କିଛି କ୍ଷତି ନାହିଁ ?’’ ଲଟି ଏଥର ବେଶ ଲଜ୍ଜିତା ହେଲା । ଜିପ୍‌ସୀ ରମଣୀ ତା’ର ହାତ ବେଶ ଶକ୍ତଭାବରେ ଧରି କଠୋର ଆଙ୍ଗୁଳିରେ ତାଳୁରେ ଆଘାତ କରିଚାଲିଲା । ବାଜ ଚକ୍ଷୁରେ ଦେଖିବାକୁ ଲାଗିଲା ହାତ ରେଖାଗୁଡ଼ିକ । ଅନେକ କଥା ଅନୁଚ୍ଚ କଣ୍ଠରେ କହିଯାଉଥାଏ । ସମସ୍ତେ ଶୁଣୁଥାଆନ୍ତି ଆଉ ମଝିରେ ମଝିରେ ବିସ୍ମୟାପ୍ଳୁତ କଣ୍ଠରେ କହୁଥାଆନ୍ତି, ‘ହେ ହରି ତାହା ହେଲେ ଜିମ୍‌ ? ଦୂର, ଏହା ବାଜେ କଥା । ତା’ହେଲେ ବିଲେଇ ଆଖି ବୁଜି ଦୁଧ ପିଉଛି । କ’ଣରେ ଲଟି ?’’

ଲଟି ଲଜ୍ଜ୍ୟାରେ ପ୍ରାୟ ମାଟିରେ ମିଶିଯାଇ ହାତ ଅପସାରଣ କରିନେଲା । ଏହାପରେ ଏଲାର ପାଳି । ଜିପ୍‌ସୀ ଯୁବକଟି ଗୋଟାଏ ନାତିଉଚ୍ଚ ଟିଲା ଉପରେ ବସି ତୀକ୍ଷ୍‌ଣ ଆଖିରେ ଇଭେତି ଆଡ଼କୁ ଚାହୁଁଥିଲା । ଇଭେତିର ମନେ ହେଲା ସେହି ଦୃଷ୍ଟି ପଡ଼ିଛି ତା’ର ନବନୀତ କୋମଳ କପୋଳ ଉପରେ । ଏ ଏକ ଅଦ୍‌ଭୁତ ଦୃଷ୍ଟି ଯାହା ସମାଜର ନିମ୍ନ ଶ୍ରେଣୀର ମଣିଷମାନଙ୍କର ପ୍ରାୟ ନ ଥାଏ କହିଲେ ଚଳେ ।

ସେତେବେଳକୁ ଲୁସିଲର ହାତଗଣା ଆରମ୍ଭ ହୋଇଯାଇଥାଏ । ‘‘ଆପଣ କଳାପାଣି ପାରି ହେବେ । ବିଦେଶରେ ବାଦାମୀ କେଶବାଲା ପୁରୁଷ ସହିତ ମନ ଦିଆ ନିଆ କରିବେ । ତେବେ ଭଦ୍ରଲୋକଙ୍କ ବୟସ ଟିକିଏ ବେଶୀ । କେତେବର୍ଷ ଭିତରେ ହିଁ ଆପଣଙ୍କ ବିବାହ ହେବ । ଆପଣଙ୍କ ହାତରେ ପଇସା ରହିବ ନାହିଁ । ଅନେକ ଦେଶ ବୁଲିବେ ।’’

‘‘ଏକାକୀ ନା ସ୍ୱାମୀଙ୍କ ସହିତ ?’’

‘‘ସ୍ୱାମୀଙ୍କ ସହ ।’’

ଇଭେତିର ପାଳି ଆସିବା ମାତ୍ରକେ ହିଁ ଜିପ୍‍ସୀ ରମଣୀ କିଛି ସମୟ ନିର୍ମମଭାବରେ ତା’ରି ମୁହଁକୁ ଚାହିଁ ରହିଲା । ଇଭେତି ବିହ୍ୱଳ କଣ୍ଠରେ କହି ଉଠିଲା, ‘‘ମୋର ହାତ ଦେଖିବାକୁ ହେବ ନାହିଁ । ଦରକାର ନାହିଁ, ସତ କହୁଛି ।

‘‘ଭୟ କରୁଛନ୍ତି ?’’

‘‘ଠିକ ସେୟା ନୁହେଁ । ମାନେ....

‘‘ଆପଣଙ୍କର କୌଣସି ଗୋପନ ଘଟଣା ରହିଛି ? ମୋ ସହିତ ସେହି ତମ୍ୱୁ ଭିତରକୁ ଆସନ୍ତୁ ।

ତେବେ ଚାଲ ।

ଜିପ୍‌ସୀ ଯୁବକ ଏଥର ହତବାକ୍‌ ହୋଇ ଚାହିଁଲା ଇଭେତିକୁ । ଚାହୁଁ ଚାହୁଁ ଚାଲିଗଲା ଆଉ ଗୋଟାଏ ତମ୍ୱୁ ଆଡ଼କୁ । ତା’ର ନମନୀୟ ନିତମ୍ୱ ଆଡ଼କୁ, ରଜ୍ଜୁ କଳୁଷ ବିହୀନ ନାକ ଆଡ଼କୁ ଚାହିଁ ଇଭେତିର ପୁନରାୟ ମନେହେଲା ଲୋକଟା ତା’ ଅପେକ୍ଷା ବି ବେଶୀ ପରାକ୍ରମଶାଳୀ । ଇଭେତିର କୋର୍ଟର କଲର୍‌ ମୁକ୍ତ ଥିବାରୁ ତା’ର କୋମଳ ଶୁଭ୍ର ଗ୍ରୀବା ଦେଖାଯାଉଥିଲା । ଜିପ୍‍ସୀ ରମଣୀ ତା’କୁ କ’ଣ କହିଲା ତାହା କେହି ବି ଜାଣିଲେ ନାହିଁ । ଅନେକ ସମୟ ଧରି ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଲା । ସେତେବେଳେ ଗୋଧୂଳିର ସ୍ୱର୍ଣ୍ଣାଭା ସମଗ୍ର ଆକାଶରେ ବିଛେଇ ହୋଇ ପଡ଼ିଛି । ଦୂରର ଗୋଟିଏ ଛାଉଣିରୁ ଧୂଆଁର କୁଣ୍ଡଳି ଦେଖାଯାଉଥିଲା । ଘୋଡ଼ାମାନଙ୍କୁ ଖାଇବା ଜିନିଷ ଦିଆହୋଇଥିଲା । ଅଦୂରରେ ଦୁଇଜଣ ଜିପ୍‍ସୀ ଯୁବକ ନିଜ ମଧ୍ୟରେ ନିମ୍ନ ସ୍ୱରରେ କଥାବାର୍ତ୍ତା କରୁଥିଲେ । ସେହି ବିଭକ୍ତ, ସଂଗୁପ୍ତ ସ୍ଥାନଟିରେ ନୈଶବ୍ଦ ଆଉ ଜୁଗୁପ୍‍ସା ଯେମିତି ଇଭେତି ନିକଟରେ ଦୁର୍ଗମ ମନେ ହେଉଥିଲା । ଇଭେତି ବାହାରି ଆସି ଯେତେବେଳେ ଠିଆହେଲା ସେତେବେଳେ ସେହି ଦିବା ରାତ୍ରିର ସନ୍ଧିକ୍ଷଣରେ ତା’କୁ ମନେହେଲା ଅଶରୀରୀ ବୈଦେହୀ ହଠାତ୍‌ ଯେମିତି ଭୂମି ତଳୁ ଉନ୍ନିତା ସେ ।

 

‘‘ଡେରି ହୋଇଗଲା କି ?’’ ଇଭେତି ଅଳ୍ପ ଚୁପି ଚୁପି; କାହାକୁ ଦୃଷ୍ଟି ନ ଦେଇ କହିଲା । ‘‘ଆଶା କରେ ତୁମେମାନେ ବିରକ୍ତ ହୋଇ ନାହିଁ ? ଗାଡ଼ିରେ ଉଠିପଡ଼ । ତା’କୁ ଦାମ ଦେଇ ଆସୁଛି,’’–କହିଲା ବବ୍‌ ।

 

ଜିପ୍‌ସୀ ତରୁଣୀଟି ଅର୍ଥର ଘ୍ରାଣ ପାଇବା ମାତ୍ରକେ ତା’ର ଗାଢ଼ ସବୁଜ ସ୍କାର୍ଟ ଦୋହଲାଇ ଛୁଟି ଆସିଲା । ମୁଣ୍ଡର ଗୋଲାପ ଫୁଲ ଅଙ୍କିତ ରୁମାଲ ଅଳ୍ପ ଖସିଯିବା ଫଳରେ କଳାକୁଞ୍ଚିତ କେଶରାଶି ଦେଖାଯାଉଥିଲା । ଆଦିମ ଔଦ୍ଧତ୍ୟ ନେଇ ସେ ସେମାନଙ୍କ ଆଡ଼କୁ ଚାହିଁଲା । ବବ୍‌ ତା’ ହାତରେ ଦୁଇଟି ଅଧ କ୍ରାଉନ ରଖିବା ମାତ୍ରକେ, ଝିଅଟି ଗଳାର ଶିରା ଫୁଲେଇ ଚିତ୍କାର କରି ଉଠିଲା !

 

‘‘ଆଉ କିଛିଦିନ ଆପଣମାନଙ୍କର ଭଲ ହେବ । ସୁନ୍ଦରୀମାନଙ୍କ ଭାଗ୍ୟ ଫେରିବ ।’’

 

‘‘ଯଥେଷ୍ଟ ଦିଆଯାଉଛି ।’’ ବବ୍‌ ସ୍ଥିର ଶାନ୍ତ କଣ୍ଠରେ କହିଲା ।

 

ଆଉ ଗୋଟା, ସିଲିଂ, ଗୋଟାଏ ସିଲିଂ ମାତ୍ର ।

 

ଇଭେତି ଗାଡ଼ିରେ ଉଠିବା ପୂର୍ବରୁ ଠିଆ ହୋଇପଡ଼ି ଜିପ୍‌ସୀ ଯୁବତୀଟିର ପ୍ରସାରିତ ରୁକ୍ଷ କରତଳରେ କିଛି ଗୋଟାଏ ଗୁଞ୍ଜିଦେଲା । ପରେ ମୁଣ୍ଡ ନୁଆଇଁ ଉଠି ପଡ଼ିଲା ।

 

ଇଭେତି, ତୋତେ କ’ଣ କହିଲା, ଆମ୍ଭମାନଙ୍କୁ କହ । ଲୁସିଲ ଆଗ୍ରହ ପ୍ରକାଶ କଲା ।

 

ଆରେ ରୋମହର୍ଷକ କିଛି ନୁହେଁ । ସେହି ପୁରାତନ, ଗତାନୁଗତିକ କଥା । ବେଶୀ ଗୋରା ଲୋକ ଦୁର୍ଭାଗ୍ୟର ପ୍ରତୀକ । କାଠ ବାଦାମ ଭଳି ଯେଉଁ ପୁରୁଷର ରଙ୍ଗ, ସେ ଭାଗ୍ୟବାନ । ଆମ ପରିବାରରେ କେହି ଜଣେ ମୃତ୍ୟୁବରଣ କରିବ । ନିଶ୍ଚୟ ଆଈ ମା’ । ଏଥିରେ ଦୁଃଖ କରିବାର ବିଶେଷ କିଛି ନାହିଁ । ତେଇଶ ବର୍ଷରେ ମୋର ବିବାହ ହେବ । ଅର୍ଥ ଆଉ ପ୍ରେମ ମୋ ଉପରେ ସ୍ତୂପାକାର ହେଉଥିବ । ଦୁଇଟି ପୁଅ କିମ୍ୱା ଝିଅ । ମୋଟାମୋଟି ଶୁଣିବାକୁ ମଧୁର ।

 

‘‘ତା’କୁ ପୁଣି ବେଶୀ ପଇସା ଦେବାକୁ ଗଲୁ କାହିଁକି ।’’

 

ଟିକିଏ ବେଶୀ ମଜାଜ ଦେଖାଇବା ପାଇଁ ଇଚ୍ଛା ହେଲା । ହସି ହସି କହିଲା ଇଭେତି । ଗାଡ଼ିର ଅନ୍ଧକାର ଭିତରେ ତା’ର ମୁହଁ ସ୍ପଷ୍ଟ ଦେଖାଯାଉ ନ ଥିଲା । କେବଳ ଆଖି ଦୁଇଟିର କ୍ଷୁରଧାରା ପାନ୍ନାର ସବୁଜତା । ଯେମିତି ଗଭୀର ଜଳାଶୟରେ ସନ୍ଧାନୀ ଆଲୋକ ।

 

ଗଛର ଫାଙ୍କ ଦେଇ ଜହ୍ନ ଦେଖାଯାଉଛି । ଜୋତ୍ସ୍ନାର ଧାରା ବୋହିଯାଉଛି ରାସ୍ତା ଉପରେ; ଷ୍ଟ୍ରବେରି, ଲୁପିନୁସ୍‌ ଗଛ ଉପରେ ।

 

ଚା’ ପାନର ସମୟ ହୋଇ ଆସିଛି । ତୁଷାରପାତର ବିରତି ନାହିଁ । କେମିତି ଅପାର୍ଥିବ ନୀରବତା ସହିତ ତୁଷାର ଝରି ପଡ଼ୁଛି ମାଟି ଉପରେ । ଉଦ୍ୟାନର ମାଳୀ ଆଜି ଆଉ ଚୋରି ବିଥିକା ତଳେ ଯାଉ ଯାଉ ଗୀତର ସ୍ୱର ଛୁଟାଉ ନାହିଁ । ନୂତନ ଦୁବଘାସ ତିନ୍ତି ଯାଇ ସପ୍‌ ସପ୍‌ କରୁଛି । ଗେଟ୍‍ ବାହାରର କର୍ଦ୍ଦମାକ୍ତ ସାଦାରାସ୍ତା ସୁଦୂର ପ୍ରସାରିତ । ଏହି ରାସ୍ତା ବେଷ୍ଟନ କରି ରହିଛି ପ୍ରାୟ ଗାଁଟି ଯାକ । ରେକ୍‌ଟରାର ପଛ ପାଖର ତୀଖ ପାହାଡ଼ର ଲତା ବୁଦା ତୁଷାରପାତରେ ମ୍ରିୟମାଣ । ଇଭେତି ଝରକା ପାଖରେ ବସି ବସି ରାସ୍ତା ଦେଖୁଥିଲା । ମଝିରେ ମଝିରେ ଘୋଡ଼ାଗାଡ଼ି, ମଟରଗାଡ଼ି ଯାଉଛି ଆସୁଛି । ପଥରବାହୀ ଲରୀ ଗର୍ଜ୍ଜନ କରି ଚାଲି ଯାଉଛି । କୌଣସି ଘରର ଚାକର ବାକର ଅଥବା ମିଲ୍‌ର ଶ୍ରମିକ ମଳିନ ଶରୀରରେ ସାଇକେଲର ଘଣ୍ଟି ବଜାଇ ବଜାଇ ଚାଲିଯାଉଛି; କିନ୍ତୁ କେହି ଟିରା ଲିରା ସ୍ୱରର ଗୁଞ୍ଜନ ଧ୍ୱନୀ ତୋଳି ପାପେଲ ନଦୀର ତୀର ଦେଇ ଯାଉ ନାହିଁ । ଏହି ସମୟରେ ସେହି ଧୂସର ରାସ୍ତା ବା ବିକ୍ଷିପ୍ତ ଶ୍ୟାମଳ ଘାସ ଆଉ ପଥର ଦେବାଲ ମଝିରେ ଯାଇଥିବା ରାସ୍ତାରେ ଘୋଡ଼ା ଟାପୁର ଆବାଜ ଶୁଣାଗଲା । ମନେହେଲା ଅଦମ୍ୟ ସାହସରେ ସେହି ଘୋଡ଼ା ପାଦ ପକେଇଛି । ଇଭେତି ବେକ ବଢ଼େଇ ରାସ୍ତାଟା ଦେଖିବାକୁ ଲାଗିଲା । ଏହି ସମୟରେ ଘୋଡ଼ାଗାଡ଼ିଟା ଦେଖାଗଲା । ଚାଳକର ସ୍ଥାନରେ ଗୋଟାଏ ଲୋକ ମୁଣ୍ଡରେ ଟୋପି ଦେଇ ବସି ରହିଛି । ପଥର ଭରା ବନ୍ଧୁର ରାସ୍ତାରେ ଗାଡ଼ିଟା ଅଳ୍ପ ଅଳ୍ପ ଥରି ଉଠିଥିଲା ଆଉ ତା’ ଫଳରେ ଲୋକଟା ବି ଏପଟ ସେପଟ ଝୁଲି ପଡ଼ୁଥିଲା । ଗାଡ଼ି ପଛରେ ପରଝାଡ଼ୁ ଓ ଅନ୍ୟାନ୍ୟ ପ୍ରକାର ଝାଡ଼ୁର କିୟଦଂଶ ଦେଖାଯାଉଥିଲା । ଇଭେତି ଝରକାକୁ ଲାଗି ଠିଆହେଲା; ଆଉ ଝରକାର ମୋଟା ପର୍ଦ୍ଦା ଆଡ଼େଇ ଦୁଇହାତର କହୁଣି ଉପରେ ଦେଇ ଆକାଶ ସଦୃଶ ସ୍ଥିର ହୋଇ ଦଣ୍ଡାୟମାନ ରହି ଲୋକଟିକୁ ଏବଂ ତା’ର ଘୋଡ଼ାଗାଡ଼ିକୁ ଦେଖିବାକୁ ଲାଗିଲା-। ରେକ୍‌ଟରିର ପାଚେରୀ ନିକଟ ଦେଇ ଯିବା ସମୟରେ ଚାଳକ ଥରେ ଘରଟି ଆଡ଼କୁ ମୁହଁଟେକି ଚାହିଁଲା । ଇଭେତିକୁ ଦେଖିପାରିଲା ଲୋକଟି । ତା’ର କଳା ଲୁଣ୍ଠନକାମୀ ଦୃଷ୍ଟି ଉଜ୍ଜ୍ୱଳ ହୋଇଉଠିଲା । ଗେଟ ପାଖରେ ୟୁକାଲାପଟାସ୍‌ ଆଉ ରୋଡେ ଡେନଡ୍ରାନ୍‌ କୁଞ୍ଜତଳେ ଘୋଡ଼ାଗାଡ଼ିଟି ଠିଆ କରେଇ ଦେଇ ଗାଡ଼ିଭିତରୁ ଲମ୍ୱା ଝାଡ଼ୁ ଏବଂ ଟିର୍କି ପକ୍ଷୀର ପରଲଗା ଝାଡ଼ୁ ହାତରେ ନେଇ ଗେଟ ଖୋଲି ଇଭେତି ଆଡ଼କୁ ଚାହିଁ ମୃଦୁ ବସିଲା । ଇଭେତି ବି ତା’କୁ ଦେଖି ହସିଲା । ତା’ ପରେ ଗୋଟାଏ ଦୌଡ଼ରେ ବାଥ୍‌ରୁମ ଭିତରେ ପଶି ସ୍କର୍ଟ ପାଲଟି ପକେଇଲା । ଆଚ୍ଛା ଲୋକଟା, ଲୋକଟା କ’ଣ ତା’ର ହସ ଦେଖିପାରିଛି ଅଥବା ମୁଣ୍ଡହଲା ? ବୈଠକଖାନା ନିକଟରୁ ପରିଚାରିକାର ଭଙ୍ଗା ଗଳା ଶୁଣାଗଲା । ଇଭେତି ବାଥରୁମ୍‌ରୁ ବାହାରି ସିଧା ଚାଲିଆସିଲା ବୈଠକଖାନାକୁ । ଗମ୍ଭୀର କଣ୍ଠରେ ପଚାରିଲା; ଲୋକଟା କ’ଣ ଝାଡ଼ୁ ବିକ୍ରି କରିବ, କହୁଛି ? ଠିକ୍‌ ଅଛି ତା’କୁ ବସିବା ପାଇଁ କୁହ । ପିଉସୀ ଗୋଟାଏ ଲୋକ ଝାଡ଼ୁ ବିକ୍ରି କରିବାକୁ ଆସିଛି । ତୁମେ କିଣିବ ? ମୁଁ ଦେଖୁଛି ।’’

 

ପିଉସୀ ଦୁଇ ଭାଇଙ୍କ ସହ ଚା’ ପାନରେ ବ୍ୟସ୍ତ ଥିଲେ । ସେହିଠାରୁ ହିଁ ଉଚ୍ଚକଣ୍ଠରେ ପ୍ରଶ୍ନ କଲେ ‘‘କେମିତି ଲୋକ ?’’

 

‘‘ଘୋଡ଼ାଗାଡ଼ି ଚଳେଇ ଆସିଛି ଜିପ୍‌ସୀ ।’’ ପରିଚାରିକା ଉତ୍ତର ଦେଲା । ଏଥର ପିଉସୀ ଚେୟାର ଛାଡ଼ି ଉଠିଲେ । ଲୋକଟା ଥରେ ଦେଖିବାକୁ ହେବ ତ । ଲୋକଟା ଦରଜା ପାଖରେ ଠିଆ ହୋଇଥିଲା । ତା’ର ଡାହାଣ ହାତରେ ଝାଡ଼ୁର ଲମ୍ୱା ଶୁଣ୍ଢଗୁଡ଼ିକ ବିଛେଇ ହୋଇ ପଡ଼ିଥିଲା ଆଉ ବାଁ ହାତରେ ଦେଖାଯାଉଥିଲା ପିତ୍ତଳ ଓ ତମ୍ୱାର ଚକ୍‌ ଚକ୍‌, ସସ୍‌ପ୍ୟାନ୍‌, ମହମବତୀଦାନ, ପ୍ଳେଟ୍‌ ଇତ୍ୟାଦି । ଆଜି ଲୋକଟି ବେଶ୍‌ ପ୍ରଫୁଲ୍ଲ ଦେଖାଯାଉଥିଲା । ତା’ର ଗାଢ଼ ସବୁଜ ଟୋପି କପାଳ ଉପରକୁ ସାମାନ୍ୟ ନଇଁ ଆସିଥିଲା ତେବେ ଚାଲିଚଳଣ ଦମିତ ଓ ଅଚଞ୍ଚଳ । ପୁନରାୟ ମୁହଁ ଆଖିରେ ଫୁଟି ଉଠିଥିଲା ଗର୍ବର ଭାବ ।

 

ସମସ୍ତ ଘଟଣାଟିକୁ ସେ କୃତ୍ରିମ ଦୃଢ଼ତା ସହିତ ମନରୁ ପୋଛି ପକେଇବାର ଚେଷ୍ଟା କଲା । ତଥାପି କେଉଁ ଏକ ଅଦ୍‌ଭୁତ ତାଡ଼ନାର ବଶବର୍ତ୍ତୀ ହୋଇ ସେ ଝରକା ପାଖକୁ ଦୌଡ଼ି ଯାଇ ଲୁଚି ଛପି ଲୋକଟାକୁ ଦେଖିବାକୁ ଲାଗିଲା । ଜିପ୍‌ସି ଯୁବକଟି ଅଭ୍ୟସ୍ତ କାୟଦାରେ ତା’ ହାତର ସସ୍‌ପ୍ୟାନ୍‌, ଝାଡ଼ୁ ଜାବୁଡ଼ି ଧରି ଗାଡ଼ିରେ ଯାଇ ଉଠିଲା ଓ ଘୋଡ଼ାର ଲଗାମ୍‌ ଆସ୍ତେ ଟାଣିଲା । ଘୋଡ଼ାଟା ଚାଲିବା ପାଇଁ ଆରମ୍ଭ କଲା । ବୁଲିବାକୁ ଲାଗିଲା ଗାଡ଼ିର ଚକ ।

 

ଥରେ ହେଲେ ଜିପ୍‌ସୀ ଫେରି ଚାହିଁଲା ନାହିଁ । ସ୍ୱଳ୍ପ ଆୟତ୍ତାତୀତ, ଅସ୍ପଷ୍ଟ ସ୍ୱପ୍ନ ଭଳି ମନହେଲା ଇଭେତିର । ଯଦିଓ ମନରୁ ମେଦ ମଜ୍ଜା ଅସ୍ଥିରୁ ତା’ର ପ୍ରଭାବକୁ ଅପସାରଣ କରି ପାରୁ ନ ଥିଲା । ଇଭେତି ତା’ର ମନର ଗଭୀର ଗୋପନରେ କେତେଗୁଡ଼ିଏ ଭାବନା ନେଇ ଅସ୍ଥିର ହୋଇ ଉଠିଥିଲା । କାହିଁକି ମଣିଷ, ଚେୟାର, ଟେବୁଲ, ସୋଫା ଭଳି ନଶ୍ୱର ଦ୍ରବ୍ୟମାତ୍ର ? କୌଣସି ବସ୍ତୁ କମ୍‌ ଅବିସ୍ମରଣୀୟ ନୁହେଁ ? ଜୀବନ ଭିତରେ କ’ଣ କୌଣସି ନିଟୋଳ ମୁକ୍ତା ନାହିଁ । ଭୋଜି, ସଭାରେ, ଗୀର୍ଜାରେ, ନୃତ୍ୟଶାଳାରେ, ବନ୍ଧୁ ମିଳନରେ, ତା’ର ମନରେ ସେହି ଅମୋଘ ପ୍ରଶ୍ନ ବୁଦ୍‌ବୁଦ୍‌ ଭଳି ଫୁଟି ଉଠିଛି । ତା’ର ଜୀବନରେ ୟେ ଏକ ନୂତନ ଅନୁଭୂତି । ତା’ର ରୂପର ଅଗ୍ନି ଶିଖାରେ ଦଗ୍‌ଧ ହେବା ପାଇଁ ଅନେକ ପୁରୁଷ ପତଙ୍ଗ ହିଁ ଉଡ଼ି ଆସିଥିଲେ । ସେ ବିରକ୍ତ ହୋଇ ସେମାନଙ୍କୁ ବିଦାୟ କରି ଦେଇଛି; ଅଥଚ ଜିପ୍‌ସୀଟାକୁ, ସେହି ଉଦ୍ଦାମ ବଣ୍ୟ ପ୍ରାୟ ବର୍ବର ଯୁବକଟିକୁ ସେ ଭୁଲିପାରୁ ନ ଥିଲେ । ଶୁକ୍ରବାର ଯେତେ ଆଗେଇ ଆସୁଥିଲା ସେତେ ତା’ର ପେଲବ ସତ୍ତା ଶିହରିତ ରୋମାଞ୍ଚିତ ହୋଇ ପଡ଼ୁଥିଲା । ଶୁକ୍ରବାର ଆସିଲା । ସାରାଦିନ ଇଭେତି ଶୋଇ ଶୋଇ ବନ୍‌ସାଲ୍‌ ହେଡ୍‍ର ପାହାଡ଼ ନିକଟରେ ଜିପ୍‌ସୀମାନଙ୍କ ଛାଉଣୀଗୁଡ଼ାକର କଥା ଭାବୁଥିଲା । ଇତସ୍ତତଃ ବିକ୍ଷିପ୍ତ ଛୋଟ ଛୋଟ ତମ୍ୱୁ, ବାସୀ ମାଂସ, ବଣ୍ୟଲତା, ଗୁଳ୍ମ, ଘୁମନ୍ତ କୁକୁର, କ୍ରୀଡ଼ାରତ ଜିପ୍‌ସୀ ବାଳକ ବାଳିକା ମୁହଁରେ ପାଇପ୍‌ ଦେଇଥିବା ଜିପ୍‌ସୀ, ସର୍ଦ୍ଦାର, ରଙ୍ଗୀନ୍, ରୁମାଲ୍‌, ଢିଲା ଝଲମଲ କୁର୍ତ୍ତା, ବେତର ଝୁଡ଼ି ଏକାଦିକ୍ରମେ ତା’ ମନରେ ଭାସି ଉଠୁଥିଲା । ସେଠିକି ଯିବା ପାଇଁ ତା’ର ପ୍ରବଳ ଇଚ୍ଛା ହେଉଥିଲା । ନିରବଚ୍ଛିନ୍ନ ତୁଷାରପାତରେ ଇଭେତିର ମନଟା ଭାରାକ୍ରାନ୍ତ । ଜାନୁ ଉପରେ ପରମପ୍ରିୟା ନୀଳ ଗାଉନ୍‌ଟା ରଖି ସିଲେଇ କରୁଥିଲା ଇଭେତି ।

 

ଗତକାଲି ପାର୍ଟିରେ ସୋଲିଓ ପ୍ରତି ଯଥେଷ୍ଟ ମନଯୋଗ ଦେଇପାରିନି ! ‘‘ଆଉ କେତେ ଦିନ ଅପେକ୍ଷା କରି ରହିବି ଇଭେତି ? ଏଥର ବିବାହ କରିବା ଦରକାର ।’’

 

ଲିଓ ଖୁବ୍‌ ସାଧାସିଧା ସରଳ ଆଉ ରୋଜଗାରିଆ ପିଲା; କିନ୍ତୁ ବିବାହ ! ପୁରୁଷ ତକ କି ବୋକା ! ଇଭେତିର ଇଚ୍ଛା ହେଲା ତା’ର ରେଶମୀ ସ୍ତନାବରଣ ଅଥବା ଦୃଢ଼ବନ୍ଦ ଇଡେର୍‌ଟି ଖୋଲି ଲିଓର ହାତରେ ଦେଇ କହନ୍ତା ‘‘ଏହାକୁ ବିବାହ କର ।’’

 

ମୁଁ ତ ଭାବିଥିଲି ତୁମେ ଏଲାକୁ ଭଲ ପାଅ ।’’ ଇଭେତି କହିଲା ପ୍ରଥମେ ସେୟା ଥିଲା; କିନ୍ତୁ ତୁମେ ମୋର ସୁପ୍ତ ବାସନାକୁ ଜାଗ୍ରତ କରି ଦେଇଛ ତୁମେ ଗାଡ଼ିରେ ଯେଉଁ ଦିନ ତୁମର ହାତ ଦେଖାଇବା କଥା କହିଲ ଜିପ୍‌ସୀ ତମର ଯେଉଁ ମନର ମଣିଷ କଥା କହିଥିଲି, ମୋର ତ ମନେ ହୁଏ ମୁହିଁ ସେହି ମଣିଷ ।

 

‘ସତରେ ।’ ଇଭେତିର ଗଳାରେ ଫୁଟିଉଠିଲା ବିସ୍ମୟ । ‘‘କାହିଁକି ତୁମର କ’ଣ ତାହା ମନ ହୁଏନା ?’’

 

‘‘କଣ ମନେ ହେବ କି ଘଟଣାରେ ?’’

 

‘‘କାହିଁକି ମୋ ସମ୍ୱନ୍ଧରେ ତୁମେ କିଛି ଭାବ ନାହିଁ ।’’

 

‘କାହିଁକି ତୁମକୁ ବିବାହ କରିବା କଥା ? ମୋ ଲୋ, ସେ କଥା ଭାବିବ କାହିଁକି ?’

 

‘କଣ ମନା ଅଛି କି ?’

 

ସେକଥା ତୁମକୁ କହିବାକୁ ଯିବି କାହିଁକି ? ଇଭେତି କହିଥିଲା ଅକପଟ ରୂଢ଼ତା ସହକାରେ ଯାହା ଏକାବେଳକେ ଅତ୍ୟନ୍ତ ପୀଡ଼ାଦାୟକ ଓ ଦୁର୍ବିସହ । ନୃତ୍ୟର ବାଦ୍ୟ ଆରମ୍ଭ ହୋଇଯାଇଥିଲା, ‘ନାଚିବ ନାହିଁ ? ପ୍ରଶ୍ନ କଲା ଲିଓ ।

 

‘ଦେହ ଭଲ ନାହିଁ ।’

 

କ୍ରୁଦ୍ଧ ଅସଂବୃତ, କାମତାଡ଼ିତ ଲିଓ ଚାଲିଯାଇଥିଲା । ସିଲେଇ କରୁ କରୁ ଜିପ୍‌ସୀ ଯୁବକଟିର ମୁହଁ ବାରମ୍ୱାର ଭାସି ଉଠୁଥିଲା ତା’ର ଆଖିରେ । ସେହି ଉନ୍ନତ ନାକ, ପ୍ରଶସ୍ତ, ଲଲାଟ, ଇଙ୍ଗିତ ବହନକାରୀ ଓଠ ଆଉ ରହସ୍ୟମୟ ଗାଢ଼ କଳା ଆଖି ।

 

ଇଭେତିର ବୁକୁ ଫୁଲି ଫୁଲି ଉଠିବାକୁ ଲାଗିଲା । ନରମ ବାଦାମୀ କେଶରାଶି ଆସି ପଡ଼ିଥିଲା ତା’ର କୁସୁମକୋମଳ ମୁହଁରେ, ଅକ୍ଷତଯୋନୀ କୁମାରୀ ସେ । ଲିଓ ଖୁବ୍‌ ରାଗ କରିଥିଲା-। ହାତରେ ସାଦା ଦସ୍ତାନା ଖୋଲି ଫିଙ୍ଗି ଦେଇ ଉଚ୍ଚ କଣ୍ଠରେ ଗାଳିଗୁଲଜ କଲା ଇଭେତିକୁ । କିନ୍ତୁ ଇଭେତି ଭାବାକୁଳା ଉନ୍ମାଦ ପ୍ରଣପ୍ରତିମାର କୁଞ୍ଜ-କୁଟୀର ଛାଡ଼ି ନୈଶ ନିର୍ଜନ ରାସ୍ତାରେ ସେ ପାଦ ବଢ଼େଇ ଥିଲା । ରଉସରେ ତା’ର ଶିରା–ପ୍ରଶିରା ବିବଶ ।

 

ଶୁକ୍ରବାରରରେ ସୂର୍ଯ୍ୟ ଦେଖାଦେଲା । ତେବେ କୁହୁଡ଼ି ସାଥିରେ ତା’କୁ ଲଢ଼ିବାକୁ ପଡ଼ିଲା କିଛି ସମୟ । ଇଭେତି ପିଉସୀକୁ କହିଲା, ମୁଁ ଟିକିଏ ପାହାଡ଼ ଆଡ଼କୁ ବୁଲିବାକୁ ଯାଉଛି । ସାଇକେଲ ନେଉଛି । ଦି’ପହର ପରେ ଫେରିବି । ମୋର ଲଞ୍ଚ୍‍ଟା କ୍ୟାରିୟରେ ଦେଇଦେବ । ସାଇକେଲ୍‌ ଆସ୍ତେ ଆସ୍ତେ ଚଳେଇ ଇଭେତି ଏପାଖ ଦେଖିଯିବାକୁ ଲାଗିଲା । ହରିଣ ଗୁଡ଼ିକ ଅନେକ କାଳ ପରେ ସୂର୍ଯ୍ୟାଲୋକ ଡିଆଁ ଡେଇଁ କରୁଛନ୍ତି । ପବନ ବିଶେଷ ନ ଥିଲା । ଅଳ୍ପ ସମୟ ପରେ ସେହି ତମ୍ୱୁଗୁଡ଼ିକ ତା’ର ଆଖିରେ ପଡ଼ିଲା । ତମ୍ୱୁର ଭିତରେ ଦେଇ ନିର୍ଗତ ହେଉଥିଲା ସେହି ଆଶ୍ଚର୍ଯ୍ୟ ଧୂଆଁ । ଜିପ୍‌ସୀ ଲୋକଟି ଗୋଟିଏ ତମ୍ୱାପାତିଆରେ ହାତୁଡ଼ି ପିଟୁଥିଲା । ସୂର୍ଯ୍ୟାଲୋକ ଆସି ପଡ଼ିଥିଲା ତା’ର ଖୋଲା ଶରୀରରେ । ଅସ୍ତାଚଳ ପାଖରେ ତିନୋଟି ଛୋଟ ପିଲା ମହା ଆନନ୍ଦରେ ଖେଳୁଥିଲେ । ବୁଢ଼ୀଟିଏ ଅଳ୍ପ ନଇଁପଡ଼ି ନିଆଁରେ କ’ଣ ରୋଷେଇ କରୁଥିଲା-। ସାଇକେଲର ଘଣ୍ଟାଧ୍ୱନିରେ ଯୁବକ ଚମକିପଡ଼ି ଫେରି ଚାହିଁଲା । ସେ ଘୁଞ୍ଚିଲା ନାହିଁ, ତେବେ ତା’ର ହାତୁଡ଼ି ପିଟା ବନ୍ଦ ହୋଇଗଲା । ସାରା ମୁହଁ ଭରିଗଲା ଏକ ରହସ୍ୟମୟ ହସରେ । ଲୋକଟା ବୁଢ଼ୀକୁ ଅସ୍ପଷ୍ଟ କଣ୍ଠରେ କ’ଣ ଗୋଟାଏ କହିବାରୁ ବୁଢ଼ୀଟି ସେଠୁ ଉଠି ଚାଲିଗଲା ଅପ୍ରସନ୍ନ ଭାବରେ ।

 

‘କେମିତି ଅଛ ? ଇଭେତି ଶାନ୍ତ କଣ୍ଠରେ ପଚାରିଲା ।

 

‘ଚମତ୍କାର । ଆପଣ ବସିବେ ତ ? ଟିକିଏ ବସନ୍ତୁ ! କହୁ କହୁ ଲୋକଟି ପାଖରେ ଥିବା କାଠର ଗୋଟାଏ ଟୁଲ ସାମନାରୁ ଟାଣିଆଣି ଦେଲା । ତା’ପରେ ପୁଣି ହାତୁଡ଼ି ପିଟିବାକୁ ଲାଗିଲା । ଇଭେତି ସାଇକେଲକୁ ଠିଆ କରି ଦେଇ ନିଆଁଧାସରେ ହାତ ଯୋଡ଼ିକ ସେକି ନେଉ ନେଉ ଲୋକଟାର ବଳିଷ୍ଠ ଦେହକୁ ଚାହିଁଲା । ପ୍ରଶସ୍ତ କାନ୍ଧ, ସରୁ ଅଣ୍ଟା, ଛାତି ଭର୍ତ୍ତି ଲୋମ ଜିପ୍‌ସୀଟାର ।

 

‘ଏ ଗୁଡ଼ିକ କ’ଣ ତୁମର ଛୁଆପିଲା; ଇଭେତି ପ୍ରଶ୍ନ କଲା ।

 

ଲୋକଟି ମୁଣ୍ଡ ହଲେଇଲା ।

 

‘ତୁମର ସ୍ତ୍ରୀ କେଉଁଠି ?

 

ଖେଳ ଦେଖାଇବା ପାଇଁ ଯାଇଛି । ତୁମେ ଶୁକ୍ରବାର ଦିନ ଆସିବା ପାଇଁ କହିଥିଲି । ଗତ ସପ୍ତାହରେ ଆସିପାରି ନାହିଁ । ଆଜି ଆସିଛି ।’

 

ଆଜିକାର ଦିନ ଭାରି ସୁନ୍ଦର । ଜିପ୍‌ସୀଟି କହିଲା; ଆଉ ବୋଧହୁଏ ବର୍ଷା ହେବ ନାହିଁ । ଇଭେତିର ଗୋଲାପୀ ଗାଲ ଉପରେ ତା’ର ଆଖି ଯୋଡ଼ିକ ଘୁରୁଥିଲା । ମଝିରେ ମଝିରେ ଇଭେତିର ପରାକ୍ରାନ୍ତ ଜଘନକୁ ବି ସେ ଚାହୁଁଥିଲା ।

 

‘ତୁମର ପୁତ୍ରକନ୍ୟା କେତୋଟି ? ହଠାତ୍‌ ଇଭେତି ପ୍ରଶ୍ନ କରି ସେହି ନିରବତା ଭାଙ୍ଗିଦେଲା ।

 

‘ପାଞ୍ଚୋଟି ?’

 

‘ପୁଣି ଯେମିତି ଇଭେତିର ବକ୍ଷ ପିଞ୍ଜରାର ପର ଖସିଗଲା, ଯେମିତି ତାହା ମରଣାହତ । ଅବ୍ୟବସ୍ଥିତ ଚିତ୍ତା ଇଭେତି ଯେମିତି ସ୍ୱପ୍ନ ଯେମିତି ସ୍ୱପ୍ନାହତ ସଦୃଶ ବୃଢ଼ୀ ହାତରୁ କଫିର କପ୍‌ଟା ନେଲା । କଫି ତକ ଚୁମ୍ୱନ ଦେବା ସମୟରେ ଇଭେତିର ବନ୍ୟ କେଶ-ଦାମ ଗାଲ ଉପରେ ଅଜାଡ଼ି ହୋଇପଡ଼ିଥିଲା । ତା’ର ସମସ୍ତ ମୁହଁ ଉପରେ କେମିତି ନିଦ୍ରାପଶୁତା ଛାଇ ଯାଇଥିଲା ସେ ଯେମିତି ବର୍ତ୍ତମାନ ଆଉଜି ପଡ଼ିବା ଠିକ୍‌ ବାତାସାହତ ପ୍ରସ୍ଫୁଟିତ ଫୁଲ ଭଳି ଅଥବା ରମଣ ସୁଖକାତରା ଷୋଡ଼ଶୀ ଭଳି । ଜିପ୍‌ସୀ ଯୁବକଟି ଏଥର ମୁହଁ ଖୋଳିଲା ।

 

‘ଆପଣ ତମ୍ୱୁ ଭିତରେ ବିଶ୍ରାମ କରିବେ ?’

 

ଇଭେତିର କିଶୋରୀ ପ୍ରତିମ ଅର୍ଦ୍ଧନିମିଳିତ ନୟନରେ ସେତେବେଳେ କୌଣସି ଭାଷା ନ ଥିଲା ।

 

ଥରେ ଯାଇପାରିଲେ ଖୁବ ଭଲ ହୁଅନ୍ତା ମନେହୁଏ ଇଭେତି କହିଲା ।’

 

‘ଆସନ୍ତୁ ।’

 

ଇଭେତି ତା’କୁ ସରଳ ଭାବରେ ଅନୁସରଣ କଲା; ଲୋକଟିର ନିଃଶବ୍ଦ ଗୋପନୀୟ, ଶରୀରପ୍ଳାଦୀ ପୌରୁଷକୁ ସେ ମନେ ମନେ ମାନିନେଲା । ତମ୍ୱୁ ଭିତରେ ବି ଗୋଟିଏ କାଠର ଛୋଟ ମୃତକଳ୍ପ ଚୌକି । ଗୋଟାଏ ପାଖରେ ଦଉଡ଼ି ଖଟଟିଏ । ତା’ପରେ ହିଁ ମନ ହେଉଛି କେଉଁଠି କ୍ଷୁଦ୍ରକାରୀ ମେସିନ୍‌ଗନ୍‌ ମୃତ୍ୟୁ ବର୍ଷଣ କରୁଛି । କିଛି ସମୟ ପରେ ପୁଣି ଲୋକଟି ତମ୍ୱୁ ଭିତରେ ପଶିଲା, ହାତରେ ହାତୁଡ଼ି ।

 

ମନ୍ଦାକ୍ରାନ୍ତା ମେଘମାଳ ଭଳି ଗୋଟାକ ପରେ ଗୋଟାଏ ଦିନ କଟିଯାଏ, ଦାୟବିହୀନ । ଇଭେତି ମଝିରେ ମଝିରେ ବଗିଚାକୁ ଆସେ ଲାଇଲାକ୍‌ ଅଥବା ଜେରା ନିୟମର ପରିଚର୍ଯ୍ୟ କରେ-। ଲୁସିଲ ସହିତ ବୁଲିବା ପାଇଁ ଯାଏ, ଗୀତ ଗାଏ । ତଥାପି ରହି ରହି ଗୋଟାଏ ନାମ–ଗୋତ୍ରହୀନ ବେଦନା ମନରେ ଏକ ଭାରି ପଥର ଚପେଇ ଦେଇଥିଲା । କେଉଁ କେଉଁ ସମୟରେ ଜିପ୍‌ସୀ ଯୁବକଟିର ଚିନ୍ତାରେ ସେ ଭାବାକୁଳ ପୁଣି କେତେବେଳେ ହତବୁଦ୍ଧି ତା’ର ବିସ୍ମୃତ ତୁହିନ ଚଦରରେ ସବୁ ଆଚ୍ଛାଦିତ ହୋଇ ପଡ଼ିଯାଉଥିଲା । ଯେଉଁ ଅନୁଭୂତି ସାରାକ୍ଷର ତା’ ମନ ମଧ୍ୟରେ ଉଲ୍ଲାସର ସ୍ପନ୍ଦନ ଜଗାଉ ଥିଲା ତାହା ଥିଲା ଜୀବନଯାପନର ଆନନ୍ଦ । ସେ ଯେମିତି ନିଥର ଜଳାଶୟ ଉପରେ ଦେଇ ନିୟମିତ ଭାସମାନ । ଲକ୍ଷ୍ୟ ନାହିଁ, ଦୁର୍ଭାବନା ନାହିଁ, ଉଦ୍‌ବେଗ ନାହିଁ, ଅସୁସ୍ଥତା ନାହିଁ, ନିଦ ନାହିଁ । ଏଠି ସେ କେବଳ ମାତ୍ର ଇନ୍ଦ୍ରିୟଘନତା, ସ୍ପର୍ଶ ତୁରତା ମଧ୍ୟରେ ବାଧାହୀନ ଭାବରେ ବୁଲା ଚଲା କରେ । ଏହାରି ଭିତରେ ଦୁଇଥର ଜୀପ୍‌ସୀଟା ସହିତ ତା’ର ଦେଖାହୋଇଛି । ପ୍ରଥମ ଥର ଲୋକଟି ଘରକୁ ଆସିଥିଲା ଜିନିଷପତ୍ର ବିକ୍ରି କରିବାକୁ । ସଙ୍ଗରେ ଥିଲା ଜଣେ କିଶୋର । ହୁଏତ ସେ ପକ୍‌କା ଖେଳୁୟାର୍ଡ । ବାଉଁଶରାଣୀ ଅଥବା ଏହି ଜାତୀୟ ଖେଳରେ ସିଦ୍ଧହସ୍ତ । ପିଉସୀ କୌଣସି ପଦାର୍ଥ ଖରିଦ୍‌ କରିବା ପାଇଁ ନ ଚାହିଁବାରୁ ଭଗ୍ନମନୋରଥ ଯୁବକ ପୁନରାୟ ଜିନିଷତକ ଗୋଛେଇ ଘୋଡ଼ାଗାଡ଼ିରେ ଥୋଇଲା । ଝରକା ପାଖରେ ଠିଆ ହୋଇ ଦେଖୁଥିଲା ଇଭେତି । ସେ ବି ଦେଖୁଥିଲା ଇଭେତିକୁ; ଅଥଚ ତା’ର ଦୃଷ୍ଟି ଇଙ୍ଗିତମୟ ନ ଥିଲା । ହାୟସିନ୍‌ଥ ଗଛୁଗୁଡ଼ିକର ଛାୟାରେ ଠିଆ ହୋଇ ସେ ଘୋଡ଼ାଟିର ଅଣ୍ଟାରେ ଜୋର ଥାପୁଡ଼ା ମାଇଲା । ତା’ର ଭାବଭଙ୍ଗୀରେ ଏମିତି ଗୋଟାଏ ଅନମନୀୟତା, ଅନାବ୍ୟ ବର୍ବରତା ଥିଲା ଯେଉଁଥି ପାଇଁ ତା’କୁ ଆହୁରି ଆଶ୍ଚର୍ଯ୍ୟ ଲାଗିଲା । ତେବେ କ’ଣ ସେ ଯୁବକଟିକୁ ଭଲପାଇ ବସିଛି-? ତା’ର ସ୍ତବ୍‌ଧ ଅଭିମାନୀ, ନୟନାଭିରାମ ସହଜ ଯୌବନାଦୀପ୍ତ ଆବିର୍ଭାବକୁ ପ୍ରକୃତରେ ସେ ପୂଜାକରେ ? ଲୁସିଲ ସେ ଦିନ କହୁଥିଲା ଛବିଶ ବର୍ଷ ପୂର୍ବରୂ ଝିଅପିଲାଙ୍କୁ ବିବାହ କରିବା ଉଚିତ ନୁହେଁ । ଲୁସିଲର ଦୃଷ୍ଟିଭଙ୍ଗୀ ଯେମିତି କେମିତି କେମିତି । ତା’ର ବୟସ ବର୍ତ୍ତମାନ ତ ପ୍ରାୟ କୋଡ଼ିଏ ହେବାକୁ ବସିଲା । ବର୍ତ୍ତମାନ ବି ପ୍ରାୟ ଦୁଇ ବର୍ଷ ଅପେକ୍ଷା କରିବା ପାଇଁ ପଡ଼ିବ ? ଯୁବକଟି ସହିତ ଦ୍ୱିତୀୟ ଥର ହଠାତ୍‌ ଦେଖା ହୋଇଯାଏ । ସେତେବେଳେ ମାର୍ଚ୍ଚ ମାସ । ସୂର୍ଯ୍ୟାଲୋକରେ ଚତୁଃର୍ଦ୍ଦିଗ ଝଲମଲ କରୁଛି । ବର୍ଷାର ଚିହ୍ନବର୍ଣ୍ଣ ନାହିଁ । ସେଲ୍ୟାଡାଇନ୍‌ର ହଳଦି କୁଞ୍ଜରେ ପକ୍ଷୀର କଳକୁଜନ । ପାହାଡ଼ ପାହାଡ଼ରେ ବଣ୍ୟଫୁଲର ସମ୍ଭାର । କଦନର ଗେଟ ପାଖ ଦେଇ ଇଭେତି ଶ୍ଳଥ ଗତିରେ ପ୍ୟାଡେଲ କରୁଥିଲା ସାଇକେଲରେ ।

 

ଚୂନପଥରର ଖଣିଗୁଡ଼ିକ ପାରେଇ ଯିବା ସମୟରେ ଗୋଟାଏ କୁଟୀରରୁ ବାହାରି ଆସୁଥିବାର ଦେଖିବାକୁ ପାଇଲା ଜିପ୍‌ସୀଟିକୁ । କୁଟୀର ପାଖରେ ଠିଆ ହୋଇଥିଲା ଘୋଡ଼ାଗାଡ଼ି । ଘୋଡ଼ା ଦୁଇଟି ଲାଞ୍ଜ ହଲେଇ ହୁଏତ ବା ମାଛି ଘଉଡ଼ାଇ ଥିଲେ । ସୁନେଲୀ ଲଭ ଭଳି କେଶର ବିଛେଇ ହୋଇ ପଡ଼ିଥିଲା ଶିଳାର ଉପରେ । ସାଇକେଲରୁ ଓହ୍ଲାଇ ପଡ଼ିଲା ଇଭେତି । ସବୁଜ ଜାର୍ସି ଭିତର ଦେଇ ଘନ କଳା ରୋମରାଜି ଦେଖା ଯାଉଥିଲା । ତା’ର ମନେ ହେଲା ଏହି ଚରାଚରର ସାମଗ୍ରୀ ଅପେକ୍ଷା ସେହି ପୁରୁଷଟିକୁ ହିଁ ସବୁଠାରୁ ବେଶୀ ଜାଣେ, ଚିହ୍ନେ–ଲୁସିଲ ଅପେକ୍ଷା ବି ।

 

‘ନୂଆ ବିଛି ତିୟାରି କରିଛି କି ?’

 

‘ମନେ ତ ହେଉନି ।’

 

ପୁରୁଷଟିର ଆଖିରେ କାମନାର ବୈଶ୍ୱନାର ଦୁର୍ମର ହୋଇ ଉଠିଥିଲା, ନଗ୍ନ କୌତୂହଳରେ ଭୁଲିଯାଇଥିଲା ଆଖି ଯୋଡ଼ିକ । ଇଭେତି ତା’ର ଜିନିଷପତ୍ର ନିରେଖି ଦେଖିବାକୁ ଲାଗିଲା । ଗୋଟାଏ ଡିମ୍ୱାକୃତି ପିତ୍ତଳର ରେକାବି ତାଳପତ୍ରର ହାତ ପଙ୍ଖା, ବେତର ଝୁଡ଼ି । ରେକାବିଟା ହାତରେ ତୋଳିନେଇ ସେ ପଚାରିଲା ।

 

‘ଏହାର ଦାମ୍‌ କେତେ ?’

 

‘ଯାହା ଇଚ୍ଛା ହେଉଛି ଦିଅନ୍ତୁ ।’

 

‘ନା, ଦାମ୍‌ ନ କହିଲେ ମୁଁ ନେବିନି ।

 

‘ଆଚ୍ଛା, ଆଚ୍ଛା ଦୁଇ ଶିଲିଂ ।’

 

ଦାମ୍‌ ଦେଇ ସାରିବା ପରେ ଜିପ୍‌ସୀଟି ଭାରିକଣ୍ଠରେ କହିଲା ‘ସେ ଦିନ ଯେଉଁ ବୁଢ଼ୀଟିଙ୍କୁ ରାନ୍ଧିବାର ଦେଖିଥିଲେ ସେ କ’ଣ କହିଛି ଜାଣନ୍ତି ?’

 

‘କ’ଣ ?’

 

‘ମନରେ ଆହୁରି ଜୋର ଆଣିବାକୁ ହେବ ।’ କହୁ କହୁ ସେ ଇଭେତିର ଚିନ୍ତାଚ୍ଛନ୍ନ ନରମ ମୁହଁକୁ ଚାହିଁରହିଲା । ଇଭେତିର ସ୍ତନଯୁଗଳରୁ ଉତ୍‌ଥିତ ଏକ ଅନୈସର୍ଗିକ ସୁଗନ୍ଧ ଯେମିତି ତା’କୁ ପାଗଳ କରିଦେଲା ।

 

‘ଏହାର ଅର୍ଥ ?’ ଇଭେତି କରୁଣ ଆଖିରେ ତା’ ଆଡ଼କୁ ଚାହିଁଲା । ପୁରୁଷ ଅଥବା ସ୍ତ୍ରୀ ଲୋକ ପ୍ରତ୍ୟେକ ହିଁ ଏକାଧିକ ସତ୍ତାର ଅଧିକାରୀ, ଶ୍ଳିଷ୍ଟମେଧା । ଗୋଟିଏ ସତ୍ତା ଚାହେଁ ଜିପ୍‌ସୀ ଯୁବକଟିକୁ । ପୁଣି ଅନ୍ୟ ଗୋଟିଏ ନୀତି ବାଗୀଶ ଭଳି ଚାବୁକ୍‌ ପ୍ରହାର କରେ ତା’ର ବିବେକରେ ।

 

‘ଆପଣ ଆଉ ଆମ ଛାଉଣିକୁ ବୁଲିବା ପାଇଁ ଯିବେନି ?’

 

‘ହୁଏତ ଦିନେ ଯିବି, ସମୟ ପାଉନି ।’

 

‘ବର୍ତ୍ତମନା ମଧୁର ବସନ୍ତ କାଳ । ଏଥର ଆମର ତମ୍ୱୁ ଉଠେଇବା ପାଇଁ ପଡ଼ିବ ।’

 

‘କେବେ ?’

 

‘ଆଗ ସପ୍ତାହରେ ।’

 

‘କେଉଁଠିକି ଯିବେ ?’

 

‘ଉତ୍ତର ଦିଗକୁ ।’

 

କଥାଟା କହିବା ସଙ୍ଗେ ସଙ୍ଗେ ହିଁ ଇଭେତିର ଆଖି ସାମନାରେ ଭାସି ଉଠିଲା ପ୍ରତିଧ୍ୱନୀ ମୁଖର ବନରାଜି, ତେଜୋମୟ ପତ୍ରର ବିସ୍ତାର ରୂପେଲି ଆଲୋକର ରେଖା, ପରିବର୍ତ୍ତମାନ ମେଘ ଶାନ୍ତ ପାଇନଗଛ, ଟାଇମ୍‌ଲତା ଉପରେ ଭ୍ରମର ଦଳ । ସେ ପୁଣି ଜିପ୍‌ସୀଟିର ମୁହଁକୁ ଚାହିଁଲା ।

 

ଆଚ୍ଛା ଠିକ୍‌ ଅଛି । ମୁଁ ତୁମର ଚାଲିଯିବା ପୂର୍ବରୁ ତୁମ ସହିତ ଦେଖା କରିଯିବି ।

 

ଇଭେତି ଅବଶ୍ୟ ଶପଥ ରକ୍ଷାରେ ଉତ୍ସକୁ ନ ଥିଲା । ମାର୍ଚ୍ଚର ଖୁବ୍‌ କମ୍‌ ଦିନ ଥିଲା ସୁନ୍ଦର ନିର୍ମଳ ଓ ବୃଦ୍ଧି ବିହୀନ । ଆଉ ଇଭେତି ଝରକା ନିକଟରେ ବସି ହିଁ ଦିନଗୁଡ଼ିକ କଟେଇ ଦେଲା ।

 

ତା’ର ଗୋଟାଏ ଅଦ୍‌ଭୂତ ନମ୍ର ଅନିହା ଥିଲା ଯାହା ଫଳରେ କ୍ରିୟାଶୀଳତାରେ ବୁଡ଼ି ଯାଇପାରିନି ସେ । ବହିରାଗତ କୌଣସି ଶକ୍ତିର ପ୍ରୟୋଜନ ଥିଲା ତାତ ଆଳସ୍ୟ ଦୂର କରିବା ପାଇଁ । ପୁନରାୟ ସେ ପାର୍ଟିକୁ ଯିବା ଆରମ୍ଭ କଲା, ବନ୍ଧୁମାନଙ୍କ ପାଖରେ ଲିଓ ସହିତ ହାତ ଧରାଧରି ହୋଇ ନାଚିଲା । ତା’ର ଇଚ୍ଛା ଥିଲା ଜିପ୍‌ସୀମାନଙ୍କ ଛାଉଣୀକୁ ଯାଇ ସେମାନଙ୍କୁ ବିଦାୟ ନିଅନ୍ତା । ତା’ର ଯିବାରେ କୌଣସି ବାଧା ନ ଥିଲା ।

 

ବିଶେଷ ଭାବରେ ଶୁକ୍ରବାରର ଅପରାହ୍‌ଣ ତା’ ନିକଟରେ ଅଗ୍ନିମୟ ଲାଗୁଥିଲା । ଗୋଟାଏ ଶୁକ୍ରବାରରେ ସେ ବଗିଚା ମଧ୍ୟରେ ଘୂରି ବୁଲୁଥିଲା । ନିର୍ମେଘ ଆକାଶ । କ୍ରୋକାଶ୍‌ ଲତା ଚାରିଆଡ଼େ ହସ୍ତ ପ୍ରସାରିତ କରିଛି । ଦ୍ରୁତଗାମୀ ମହୁମାଛିମାନେ ଘୁରି ବୁଲୁଛନ୍ତି । ପଥର ସେତୁ ତଳ ଦେଇ ପ୍ୟାପେଲ ବହିଯାଉଛି । ମନ୍ଦାକ୍ରାନ୍ତ ପ୍ୟାପେଲ ବିଭାମୟ । ପବନରେ ଭାସି ଆସୁଥିଲା ଲେମ୍ୱୁ ଫୁଲର ଗନ୍ଧ । ଇଭେତିକୁ ଅଳସ ଲାଗୁଥିଲା । ଘର ଭିତରେ ଚୁଲି ପାଖରେ ବସି ଆଈ ପାଦ ଯୋଡ଼ିକ ଗରମ କରୁଥିଲେ । କଳା ସିଲ୍‌କରେ ତାଙ୍କର ଶରୀର ଆବୃତ, ମୁଣ୍ଡରେ ସାଦା ଲୋମର ଟୋପି । ଇଭେତି ବଗିଚାର କାଠ ବେଞ୍ଚରେ ବସିପଡ଼ିଥିଲା । ଅନତିଦୂରରେ ସ୍ଫୀତ ପ୍ୟାସେଲ ନଦୀ ବହମାନ ।

 

‘ଆଚ୍ଛା ଜିପ୍‌ସୀ ଯୁବକଟି କ’ଣ ତା’କୁ ଦେଖିପାରୁଛି ? ସେ ଯେ ଟୁଲ ଉପରେ ଗୋଡ଼ ଝୁଲେଇ ବସିରହିଛି ତାହା କ’ଣ ସେ ଜାଣେ ? ଇଭେତି ସମାଧିସ୍ଥ ସଦୃଶ ଚାଲିପାଖରେ ଲାର୍ଚ୍ଚ ଗଛଗୁଡ଼ିକ ଆଡ଼କୁ ଚାହିଁଲା । ପୁନରାୟ ସେ ଦେଖିଲା ଘରର ଉତ୍ତର ଦିଗରେ ଯେଉଁ ରାସ୍ତା ତମ୍ୱୁ ଆଡ଼କୁ ପ୍ରସାରିତ ହୋଇ ଚାଲିଯାଇଛି । ନଦୀ କି ଆଶ୍ଚର୍ଯ୍ୟ ଭାବରେ ଫୁଲିଉଠିଛି । ଧୂସର ବର୍ଣ୍ଣର ଜଳର କି ପ୍ରଚଣ୍ଡ ଉଚ୍ଛ୍ୱାସ !

 

ଦୂରରୁ ପିଉସୀର ଗଳା ପୁନରାୟ ଶୁଣାଗଲା । ମାଳୀକୁ କୌଣସି ନିର୍ଦ୍ଦେଶ ଦେଉଛନ୍ତି ।

 

‘‘ଇଭେତି !’’ ପିଉସୀଙ୍କର ଉଚ୍ଚକଣ୍ଠ ଶୁଣାଗଲା । ଇଭେତି ପଛକୁ ଫେରି ଚାହିଁଲା ।

 

‘ମୁଁ ଟିକିଏ ନେଲି ଘରକୁ ଯାଉଛି । ଡେରି ହେବନି । ମା ଏକାକୀ ଘରେ ଅଛନ୍ତି, ଏ କଥା ଯେମିତି ଭୁଲି ନ ଯାଉ ।’

 

ଇଭେତି ବେଞ୍ଚ ଉପରେ ବସି ବସି ହିଁ ଲମ୍ୱା କୋଟ ପରିହିତ ପିଉସୀର ଅପସୃୟମାନ ଦେହ ଦେଖିବାକୁ ଲାଗିଲା । ସୂର୍ଯ୍ୟର ତେଜ ଆସ୍ତେ ଆସ୍ତେ ଅନେକଟା କମି ଆସିଛି । ହାୟ ! ଆହୁରି ଗୋଟାଏ ରୌଦ୍ରୋଜ୍ୱଳ ଦିବସର ମୃତ୍ୟୁ ହେଲା । ପୁନରାୟ ତା’କୁ ପଥର ପ୍ରାସାଦକୁ ଫେରିଯିବାକୁ ହେବ । ସେହି ଜଘନ୍ୟ ଘରଗୁଡ଼ିକୁ, ବାର୍ଦ୍ଧକ୍ୟ ପୀଡ଼ିତା ଆଈ ମା’ ପାଖକୁ ।

 

ଠିକ୍ ଏମିତି ସମୟରେ ଇଭେତିର କାନରେ ବାଜିଲା ଦୂରାଗତ ଘୋଡ଼ାଟାପୁର ଅସ୍ପଷ୍ଟ ଆବାଜ । ଆସୁଥିଲା ଲାର୍ଚ୍ଚ ଗଛ ମଧ୍ୟ ଦେଇ ଯେଉଁ ରାସ୍ତା ଚାଲିଯାଇଛି ସେଠାରୁ । ଇଭେତି ଏଥର ଚାଲି ଚାଲି ନଦୀର ପାଖାପାଖି ଆସି ଠିଆହେଲା । ତା’ର ଶରୀର ମଧ୍ୟରେ ପ୍ରଳୟଙ୍କାରୀ ଅଗ୍ନିୁତ୍ପାତ ଆରମ୍ଭ ହୋଇଯାଇଛି । ତା’ର ସମସ୍ତ ଶକ୍ତି ନିଃଶେଷ ହୋଇଯାଇଛି । ସେତେବେଳେ ସେ ଆନନ୍ଦମୋହିତା ଓ ବିସ୍ମୟଭିଭୂତା । ନଦୀର ଢେଉ ଆସି ଉନ୍ମତ୍ତ ଭଳି ତା’ର ଉଭୟ ଜାନୁଦେଶକୁ ବାରମ୍ୱାର ଆକ୍ରମଣ କରାଯାଉଛି । ତା’ର ମନେହେଲା ସେହି ଜଳୋଚ୍ଛ୍ୱାସ ପ୍ରକୃତରେ ତା’ର ସତ୍ତାର । ଇଭେତିର ହାତ ଧରି ଜିପ୍‌ସୀଟି ଉଦ୍ୟାନର ଛାୟାପଥ ପଥଦେଇ ନେଇ ଯିବାକୁ ଲାଗିଲା-। ପ୍ୟାପେଲ ନଦୀର ଶରୀରକାମୀ ଜଳଧାରା ପୁନରାୟ ଉଭୟଙ୍କୁ ପ୍ରାୟ ସିକ୍ତ କରିଦେଇ ଗଲା । ଇଭେତିର ମଣିବନ୍ଧରେ ଜିପ୍‌ସୀ ଯୁବକଟିର ଦୃଢ଼ ଆଙ୍ଗୁଳିଗୁଡ଼ିକ ଚାପି ହୋଇ ବସିଥିଲା । ଇଭେତି ଠିକ୍ ଭାବରେ ପାଦ ପକେଇ ପାରୁ ନ ଥିଲା । ଉନ୍ମାଦିନୀ ସଦୃଶ ସେ ପୁରୁଷଟିର ଅଣ୍ଟାକୁ ଜାବୁଡ଼ି ଧଇଲା । ଦୁହିଙ୍କର ସମସ୍ତ ଶରୀର ସିକ୍ତ । ଜିପ୍‌ସୀର ଆଖି ଯୋଡ଼ିକ ଶାର୍ଦ୍ଦୂଳର ଆଖି ଭଳି ଜଳୁଥିଲା । ନଦର ଜଳରାଶି କ’ଣ ବଢ଼ି ଚାଲିଛି ? ଘରର ପାଚେରୀରେ ଆସି ଆଉ ଗୋଟାଏ ଢେଉ ମୁଣ୍ଡ ପିଟିଲା । ହଲ ଘରର ଦରଜା ଖୋଲି ପୁରୁଷଟି ଇଭେତିକୁ ନେଇ ପଶିଗଲା । ଇଭେତିର ମୁହଁ ସେତେବେଳକୁ ରକ୍ତହୀନ ।

 

ଚୁଲ୍ଲି କେଉଁଠି ? ଚୁଲ୍ଲି ? ଆପଣଙ୍କୁ ଥଣ୍ଡା ଲାଗିଯିବ ।

 

ଇଭେତି ଭୟଙ୍କର ଭାବରେ ଥରୁଥିଲା । ତା’ର ହାତ ପାଦ ଥର ଥର ହୋଇ କମ୍ପୁଥିଲା-। ଜଳାଚ୍ଛ୍ୱାସରେ ଉଦ୍ୟାନର ଅନେକ ଗଛ ବୁଡ଼ିଯାଇଛି, ମାଳୀର ଚିତ୍କାର ଶୁଣାଯାଉଛି । ପ୍ରତ୍ୟେକ ବସନ୍ତରେ ହିଁ ଏମିତି ଆକସ୍ମିକ ଜୁଆର ଆସେ ନଦୀରେ । ପ୍ୟାପେଲ ଭାରି ଖାମଖେୟାଲି ।

 

‘‘ଆପଣ ଭିଜା ପୋଷାକ ଖୋଲି ଶୋଇପଡ଼ନ୍ତୁ । ଥଣ୍ଡା ଲାଗିଯିବ ।’’

 

‘ଠିକ୍‌ ଅଛି’ । ଇଭେତି କହିଲା । ତା’ର ନିଶ୍ଚଳ ପଥର ଭଳି ସାଦା ଉଦ୍‌ଭ୍ରାନ୍ତ ଆଖିରେ ଲୋକଟିକୁ ଦେଖୁ ଦେଖୁ ଭିଜା ମୁହଁର ଚାରିପାଖରେ ଚୂର୍ଣ୍ଣ କୁନ୍ତଳ ଲାଗି ରହିଥିଲା ।

 

ନା, ନା ପୋଷାକ ଖୋଲିବାର ଦରକାର ନାହିଁ । ମୁଁ ଟାଓ୍ୱେଲରେ ସାରା ଦେହ ପୋଛିଦେବି । ଘର ଯଦି ଭାସିଯିବ ତେବେ ଉଷ୍ମ ଶରୀରରେ ମରିବା ଭଲ । ଯଦି ଭାସି ନ ଯାଏ ତେବେ ନ୍ୟୁମୋନିୟାରେ ମରିବେ କାହିଁକି ? ତଉଲିଆ କାହିଁ ?

 

ଲୋକଟି ଦେହରୁ ସବୁଜ ଜାର୍‌ସୀ ଖୋଲି ପକେଇଲା । ନିଗାଡ଼ି ପାଣି ବାହାର କରିଦେଲା ।

 

ନିଅନ୍ତୁ ପୋଷାକ ଖୋଲି ନିଅନ୍ତୁ, ପୋଛି ପକାନ୍ତୁ । ତା’ର ଗଳାର ଆବାଜରେ ନିର୍ଦ୍ଦୟ ଆଦେଶର ଭଙ୍ଗୀ ଥିଲା । ଆଦିମ କାମନାରେ ସେ ଯେମିତି ହତ୍‌ବାକ୍‌; ମଥାରେ ଯେମିତି ତା’ର ପ୍ରଳୟ ଉପସ୍ଥିତ ହେଲା । ସମସ୍ତ ପୃଥିବୀ ଆକାଶ ବତାସ ସାଗର ଘରସଂସାର ଫୁଲି ଫୁଲି ଭଉଁରୀ ଖାଇ ଭୟଙ୍କର ହୋଇ ଉଠିବାକୁ ଲାଗିଲା । ସମ୍ମୋହିତ ସଦୃଶ ସେ ଟ୍ରାଉଜର ଖୋଲି ପକେଇଲା । ଥଣ୍ଡାରେ ତା’ର ନବନୀତ ଶରୀର ଅଲିଭା ପତ୍ର ଭଳି କମ୍ପି ଉଠୁଥିଲା । ଦାନ୍ତରେ ଦାନ୍ତ ବାଜି କାଚ ରେକାବିର ଠକାଠୁକିର ଆବାଜ ହେଉଥିଲା । ଇଭେତି ବି ନିବିବନ୍ଧ ଖୋଲି ଇଜେରଟି ଟାଣି ଖସେଇ ଦେବାର ଚେଷ୍ଟା କଲା । ଜିପ୍‌ସୀଟି ଟାଣି ଖୋଲିଦେଲା ଇଜେରଟି । ଭିଜା ସ୍କାର୍ଟ ଖୋଲି ପକେଇଲା ଇଭେତି । ଉଲଗ୍ନ ଶରୀରରେ ଯେମିତି ଅଗ୍ନିଶିଖା ପରି ଆତ୍ମଦହନକାମୀ । ଯାହାକୁ ସେ ଛୁଏଁ ସେ ହିଁ ଜଳିଉଠେ । ଯାହା କିଛି ପରିତ୍ୟାଗ କରେ ତାହା ହିଁ ହୋଇଯାଏ ଶ୍ମଶାନ ଅଙ୍ଗାର-

 

ଠିକ୍‌ ଅଛି ଆଉ ପାଣି ପଡ଼ିବ ନାହିଁ । କହି ସେ ସବୁଜ ଜିପ୍‌ସୀ ଦେଇ ଇଭେତିର ଖୋଲା କରତନୁ ଘଷି ଦେବାକୁ ଲାଗିଲା । କାନ୍ଧପାଖଟା ଲଘୁ ଭାବରେ ଧରି ସେ ପୋଛିଦେଲା ଜଳବିନ୍ଦୁ । ତା’ର କମ୍ପମାନ ହାତ ଇଭେତିର ପକ୍ଷୀର ପଲକ ଭଳି ନରମ ଶରୀର ପରିକ୍ରମା କରିବାକୁ ଲାଗିଲା ।

 

ହଠାତ୍‌ ସେ କହିଗଲା ।

 

ଏଇଥର ବିଛଣାରେ ଶୋଇପଡ଼ନ୍ତୁ । ଏଥର ମୁଁ ପୋଛି ଦିଏ । ତା’ର ଦାନ୍ତର ଠକ୍‌ ଠକ୍‌ ଶବ୍ଦ ଶୁଣାଗଲା । ଇଭେତି ବିଛଣା ଉପରେ ଟଳିପଡ଼ିଲା । ସୂର୍ଯ୍ୟ ଅସ୍ତମିତ । ଆକାଶରେ ନାଲି ଆଲୋକ ଭରିଯାଇଛି । ଜିପ୍‌ସୀ ଯୁବକଟି ମୁଣ୍ଡର ଓଦା ବାଳ ଖୁବ୍‌ ଜୋରରେ ରଗଡ଼ି ପକେଇଲା । ବୁକୁର ଶକ୍ତ ଲୋମରାଜି ପୋଛି ପକେଇଲା । ତଳପଟରୁ ଜଳର ଗମ୍ଭୀର ଅପ୍ରାକୃତ ଆବାଜ ଆସୁଥିଲା । ପଥର ଦେବାଲ ସହିତ ଲଢ଼େଇ କରୁଥିଲା ତରଙ୍ଗମାଳା । ଏଥର ପ୍ରବାହିତ ପବନ ମନେହେଲା ହିମଶୀତଳ, ନିର୍ମମ । ଇଭେତି ବିଛଣା ଚାଦର ତଳେ ପ୍ରାୟ ଲୁଚିପଡ଼ିଛି । କରୁଣ ଶରୀର ଭେଦି ଉଠିଥିବା ପୀନୋନ୍ନତ ସ୍ତନ କେବଳ ଉଠୁଛି ଆଉ ପଡ଼ୁଛି । ବୁକୁ ଉପରେ ଧୀରେ ହାତ ରଖିଲା ଯୁବକଟି । ଇଭେତି କମ୍ୱଳ ଅପସାରଣ କରି ତା’ ଆଡ଼କୁ ଚାହିଁଲା । ତା’ର ସାମାହିତ ସବୁଜାଭ ମୁହଁ ଆଡ଼କୁ ଚାହିଁଲା । କଳା କଳା ଆଖିରେ ଜୀବନର ଉତ୍ତାପ ଲାଗିରହିଛି ।

 

‘ମତେ ଉତ୍ତପ୍ତ କରିଦିଅ, ଆହୁରି ଉଷ୍ଣକର ।’ ସେ ବିଳାପ କଲା ।

 

ଜିପ୍‌ସୀଟି ତା’କୁ ଦୁଇ ହାତରେ ତୋଳିଧଇଲା । ସେ ନିଜେ ବି ତୁମୂଳ ଭାବରେ କମ୍ପୁଥିଲା । ଇଭେତିର ମନେହେଉଥିଲା । ତା’ର କଟୀଦେଶ ଜାନୁ ଓ ସ୍ତନ ବେଷ୍ଟନ କରି ଯେଉଁ ପୁରୁଷ ହାତଟି ରହିଛି ତାହା ବୋଧହୁଏ ତା’ର ଚେତନାର ଏକମାତ୍ର ସ୍ଥିତିବାନ୍‌ ବିନ୍ଦୁ ଭାରକେନ୍ଦ୍ର । କି ପରମ ସୁଖ ସେ ପାଉଥିଲା । ଏକ ଦୁର୍ବିନୀତ ଜୁଆର ଖେଳୁଥିଲା ତା’ର ସମଗ୍ର ଶରୀରରେ । ଏକ ଭୁବନମୋହିନୀ ମାୟା ମଧ୍ୟରେ ସେ ଇଭେତି ପରମସୁଖରେ ସନ୍ତରଣ କରି ବୁଲୁଥିଲେ । ଯୁବକଟିର ସ୍ଫୀତ ପେଶୀର ଉଷ୍ଣ ସ୍ପର୍ଶ ଲାଗୁଥିଲା । ସମଗ୍ର ଦେହରେ, ଆସ୍ତେ ଆସ୍ତେ ଇଭେତି ତା’ର ଲୁପ୍ତ ଉଷ୍ମତା ଫେରିପାଇଲା, ଆଚ୍ଛନ୍ନ ହୋଇପଡ଼ିଲା ତନ୍ଦ୍ରାରେ ।

 

ପର ଦିନ ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ଗ୍ରାମବାସୀଗଣ ଭଗ୍ନ ସେତୁଟାକୁ ଦେଖିବା ପାଇଁ ଭିଡ଼ କଲେ । ରାସ୍ତାରେ ପାଣି ଜମି ଜମି କର୍ଦ୍ଦମାକ୍ତ ହୋଇପଡ଼ିଛି । ଅନେକ କୁଟୀରର ସିଡ଼ି ଜଳମଗ୍ନ । ରେକ୍‌ଟରୀର ମାଳ ବୁଲି ବୁଲି ବଗିଚାର କ୍ଷୟକ୍ଷତିର ହିସାବ ନେଉଥିଲା । ଲାଇବ୍ରେରୀର ଝରକା ଦେଇ ଜଳର ଝାପଟା ଯାଇଛି, କେତୋଟି ବହି ତିନ୍ତିଯାଇଛି । ସମସ୍ତେ ଇଭେତିକୁ ଖୋଜୁଥିଲେ । ଗତ ରାତିରେ ପିଉସୀ ନାନୀ ଘରୁ ଫେରିପାରି ନ ଥିଲେ । ଲୁସିଲ ମଧ୍ୟ ଲଟି ଘରେ ଅଟକି ରହିଯାଇଥିଲା । ଉପାଧ୍ୟକ୍ଷ ଝିଅ ଦୁହିଁଙ୍କୁ ବା ଘରର ଅନ୍ୟାନ୍ୟ ଲୋକଙ୍କୁ ନେଇ ବ୍ୟସ୍ତ ନୁହେଁ । ପିଉସୀ ମା’ ଫେରିଆସିବା ମାତ୍ରକେ ଚିତ୍କାର ଆରମ୍ଭ କଲେ । ଇଭେତି ନଦୀ କୂଳରେ ବସିଥିଲା । କି ବୋକା ଝିଅ । ଜୁଆର ଆସୁଛି ଦେଖିବା ଉଚିତ ଥିଲା । ମାଳୀ ବଗିଚାରେ ଭଲଭାବରେ ଖୋଜାଖୋଜି କର । କେଉଁଠିକି ପୁଣି ଯିବ । ହୁଏତ ଘରେ ଅଛି ।

 

ଇଭେତିର ଶରୀର କମ୍ୱଳ ତଳେ ଥିଲା । ଘରେ ପଶି ପ୍ରଥମେ କେହି ଦେଖି ପାରି ନାହାନ୍ତି । ହଠାତ୍‌ ବବ୍‌ ଝରକା ଖୋଲି ଚିତ୍କାର କରିଉଠିଲା ଏଇ ତ ବିଛଣାରେ । ସୂର୍ଯ୍ୟାଲୋକରେ ଇଭେତିର ନିଦ ଭାଙ୍ଗିଯାଇଛି । ସହଳ କମ୍ୱଳରେ ନିଜର ନଗ୍ନତା ଆବୃତ କରିବା ପାଇଁ ସେ ଚେଷ୍ଟା କଲା । ଜିପ୍‌ସୀଟା ଗଲା କୁଆଡ଼େ ? ପ୍ରଥମେ ହିଁ ତା’ର କଥା ସେ ଚିନ୍ତା କଲା । ଚାଲିଯାଇଛି ? ସେ ଚାଲିଯାଇଛି । ବବ୍‍ , ଲିଓ ସେମାନେ ଆସିଲେ କାହୁଁ ?

 

ପୋଷାକ ପିନ୍ଧି ତଳକୁ ଓହ୍ଲେଇଆସ ।

 

ବବ୍‌ ଓ ଅନ୍ୟମାନେ ଘରୁ ବାହାରିଗଲେ ।

 

ଇଭେତିର ମୁଖାବୟଚ ସେତେବେଳେ ନିସ୍ପନ୍ଦ, ନୈରାଶ୍ୟଜଡ଼ିତ ଓ ଆତର । ସେ ଶୀଘ୍ର ବିଛଣା ପରିତ୍ୟାଗ କରି ଚଟଣାରେ ଠିଆହେଲା ଓ ଦର୍ପଣରେ ନିଜକୁ ଅବଲୋକନ କଲା । ତା’ପରେ ପୋଷାକ ପିନ୍ଧିନେଲା । ତଳେ ତୁମୁଳ ଚିତ୍କାର ଉଠିଲା । ଇଭେତି ଝରକା ପାଖକୁ ଦୌଡ଼ିଗଲା । ଦୁଇ ହାତ ସାମନାକୁ ପ୍ରସାରିତ କରି ବାପା ଠିଆ ହୋଇଥିଲେ, ଚକ୍ଷୁ ଅଶ୍ରୁ ସିକ୍ତ ।

 

ଭୟ ନାହିଁ ବାପା, ମୁଁ ଭଲ ଅଛି ।’ ଇଭେତି ଶୋକରେ ଭାଙ୍ଗିପଡ଼ି କହିଲା । ଆସ୍ତେ ଆସ୍ତେ ସିଡ଼ି ଦେଇ ଓହ୍ଲାଇ ଆସିଲା ଦଲାଣ ଉପରକୁ । ପିଉସୀ କାନ୍ଦ ଆରମ୍ଭ କରିଦେଇଥିଲା । ବର୍ତ୍ତମାନ ଟିକିଏ କ୍ଷାନ୍ତ । ଇଭେତି ସବୁକଥା ଖୋଲି କହିଲା । ସେ ହୁଏତ ଢେଉର ପ୍ରବଳ ଧକ୍‌କାରେ ସଲ୍ଲୀଳ ସମାଧିଲାଭ କରିଥାନ୍ତା । ଜଣେ ଜିପ୍‌ସୀ ତା’କୁ ରକ୍ଷା କରିଛି । ତା’କୁ ଗୋଟିଏ ସୁନାର ମେଡ଼ଲ ଦେବା ଉଚିତ, ବବ୍‍ କହିଲା । ତା’କୁ ମୋର ଧନ୍ୟବାଦ ଜଣାଇଦିଅ । ଲୁସିଲ କହି ଉଠିଲା ।

 

ସେହିଦିନ ହିଁ ବାପା, ଲୁସିଲ, ଓ, ବବ୍‌ ଗାଡ଼ିକରି ବାନସାଲ ହେଡ ଆଡ଼କୁ ଜିପ୍‍ସୀମାନଙ୍କ ଛାଉଣୀଗୁଡ଼ିକ ଖୋଜିବାକୁ ଯାଇଥିଲେ । ଭଙ୍ଗାଚୋରା ବାସନକୁସନ, ପିତଳ ପାତିଆ, ତମ୍ୱୁର ଭଗ୍ନାଂଶ ପୋଡ଼ା କାଠ ତମାଖୁର ଜ୍ୱଳନ୍ତା ମଶାଲ ଛିଣ୍ଡା କନା ପକ୍ଷୀର ହାଲକା ପର ପଡ଼ିଥିଲା ସେଠି ।

 

ଆଉ ଇଭେତି ବିଛଣାରେ ଶୋଇ ଶୋଇ ମନେ ମନେ ବିଳାପ କରୁଥିଲା ମୁଁ ତା’କୁ ଭଲପାଏ । ଭୀଷଣ ଭଲପାଏ ତା’କୁ ।

 

କେତେଦିନ ପରେ ସେ ଗୋଟାଏ ଛୋଟ ଚିଠି ପାଇଲା । ଆସିଛି ଅଜଣା ଜାଗାରୁ ତହିଁରେ ଅଙ୍କାବଙ୍କା ଅକ୍ଷରରେ ଲେଖାଥିଲା । ପ୍ରିୟତମା, ଆଶା କରେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ । ହୁଏତ ପୁଣି କେବେ ଆପଣଙ୍କ ସହ ଦେଖା ହୋଇପାରେ । ଟାଇଡସଉୟେଲର୍‌ ମେଳାରେ ଅଥବା ଇଷ୍ଟାର ସମୟରେ ଯେତେବେଳେ ଅଫିମ ଫୁଲର ରକ୍ତରେ ପ୍ରାନ୍ତର ଆର୍ଦ୍ର ହୋଇଉଠିଥିବ । ସେଦିନ ଆପଣଙ୍କୁ ବିଦାୟ ଜଣାଇବା ପାଇଁ ଆସିଥିଲି । ଆଶାରେ ଆଶାରେ ବଞ୍ଚି ରହିଲି ।

 

ଆପଣଙ୍କ ବିଶ୍ୱସ୍ତ ସେବକ

ଜୋ ବସଓୟେଲ

 

ଆଉ ଇଭେତି ସେତେବେଳେ ଜାଣିପାରିଲା ଯେ, ସେହି ଜିପ୍‌ସୀ ଯୁବକଟିର ବି ଗୋଟାଏ ନାମ ଅଛି ।

Image

 

Unknown

ଗଣିକା

 

ପ୍ରଥମେ ଯେତେବେଳେ କାହାଣୀଟି ଲେଖିବାକୁ ଆରମ୍ଭ କଲି ସେତେବେଳେ ଲେଖିଥିଲି ଯେ ମାମଜେଲ କ୍ଳଡ ଜଣେ ନିର୍ଲଜ ଓ ସାଧାରଣ ବେଶ୍ୟା । କ୍ଳଡ ନିଜର ଯୌବନ ନେଇ ବ୍ୟବସାୟ କରୁଥିଲା; ପ୍ରତିଟି ରାତ୍ରିରେ ବହୁ ପୁରୁଷଙ୍କ ଆଗମନରେ ତା’ର ଆସର ମୁଖର ହୋଇପଡ଼ୁଥିଲା ଏ କଥା ମୁଁ ଅସ୍ୱୀକାର କରିବା ପାଇଁ ଚେଷ୍ଟା କରୁନାହିଁ । କାରଣ ମୁଁ ଜାଣେ ସତ୍ୟକୁ ଅସ୍ୱୀକାର କରି କୌଣସି ଲାଭ ନାହିଁ । ତେବେ କ୍ଳଡକୁ ଯଦି କେବଳ ବେଶ୍ୟା ବୋଲି, କହିବି ତେବେ ଆଉ ଯେଉଁ ଝିଅମାନଙ୍କୁ ମୁଁ ଜାଣେ ସେମାନଙ୍କର ସଂଜ୍ଞା କ’ଣ ହେବ ? କ୍ଳଡକୁ କେବଳ ଜଣେ ସାଧାରଣ ଗଣିକା କହିଲେ ଯଥେଷ୍ଟ ହେବ ନାହିଁ; କାରଣ କ୍ଳଡ ଗଣିକାମାନଙ୍କ ଅପେକ୍ଷା ବି ସ୍ୱତନ୍ତ୍ର ଏକ ନାରୀ । ଯାହାକୁ ପ୍ରକାଶ କରିବାର ଭାଷା ମୋର ନାହିଁ ତେଣୁ କେବଳ କ୍ଳଡ ନାମଟା ହିଁ ବ୍ୟବହାର କରୁଛି ।

 

ଗଣିକା ଭାବରେ ସମଗ୍ର ସହରରେ କ୍ଳଡର ଥିଲା ପ୍ରଚୁର ଖ୍ୟାତି ଏବଂ ବହୁ ପ୍ରେମିକ–ପତଙ୍ଗ ତା’ର ରୂପର ବହ୍ନିଶିଖାରେ ଅକାତରରେ ଝାସ ଦେଇଥିଲେ । ପ୍ରତିଦିନ ଦଲାଲମାନେ ନୂତନ ଗ୍ରାହକ ଯୋଗାଡ଼ କରି ନେଇ ଆସୁଥିଲେ, କାମୁକ ପୁରୁଷ ବା ମଦ୍ୟପମାନେ ଗଣ୍ଡଗୋଳ ସୃଷ୍ଟି କଲେ ବା ଦେଣା ପାଉଣାରେ ବ୍ୟତିକ୍ରମ ହେଲେ ଗଳା ଧକ୍‌କା ଦେଇ ସେମାନଙ୍କୁ ବାହାର କରି ଦେଉଥିଲେ । ଏମିତି ଅନେକ ଘଟଣା ଘଟୁଥିଲା ଯାହାକୁ ନେଇ କ୍ଳଡ ବ୍ୟତୀତ ଆଉ କେହି ମୁଣ୍ଡ ଘୂରଉ ନ ଥିଲେ । କ୍ଳଡକୁ ପହରା ଦେବା ଭଳି ବସି ରହୁଥିଲା ତା’ର ମାଉସୀ । ଗ୍ରାହକମାନଙ୍କ ସହିତ ଦର କଷାକସି କରିବାର ସେ ଥିଲା ସିଦ୍ଧହସ୍ତା । ସିଏ ତ ନାରୀ ନ ଥିଲା ଥିଲା ଏକ ଡାଆଣୀ । ମୁଁ କିନ୍ତୁ ବିରକ୍ତି ହୋଇପଡ଼ୁଥିଲି, କାରଣ କ୍ଳଡ ଯେତେ ରୂପସୀ ହେଲେ ବି ତା’ର ସେ କୁତ୍ସିତ ନଗ୍ନଦେହଟି ମୋର ସମ୍ମୁଖରେ ଭାସି ଉଠୁଥିଲା । ସତରେ କେମିତି ଭାବରେ ପ୍ରେମ ଅଭିନୟ କରିବାକୁ ପଡ଼େ ତାହା ସେ ଜାଣିଥିଲା । ମୋର ମନେ ହେଉଥିଲା ଯେ ବ୍ୟଭିଚାରିଣୀ କ୍ଳଡ ମୋ ପ୍ରତି କାର୍ପଣ୍ୟ ପ୍ରକାଶ କରୁଛି ।

 

ସେ ଯାହାହେଉ କୌଣସି ଗଣିକାକୁ ନେଇ ଚପଳତା ପ୍ରକାଶ କରିବା ବୟସ ବା ପ୍ରୟୋଜନ ନାହିଁ । କାରଣ ଯଦି ସେମାନେ ଖୁବ୍‌ ଭଦ୍ର ଓ ବାଧ୍ୟ ହୁଅନ୍ତି, ଯଦି କେହି ସେମାନଙ୍କ ପାଇଁ ଅଜସ୍ର ଅର୍ଥ ବ୍ୟୟ କରେ ତେବେ ସେମାନେ ତା’ ପାଖରେ ସର୍ବସ୍ୱ ଅଜାଡ଼ି ଦିଅନ୍ତି । ସବୁବେଳେ ସବୁ କାଳରେ ହିଁ ଏହି ଚରିତ୍ରହୀନ ବିଭବଶାଳୀ ବ୍ୟକ୍ତିମାନେ ମଧୁ ଲୁଣ୍ଠନ କରି ଶୂନ୍ୟ ପାତ୍ରକୁ ଫୋପାଡ଼ି ଦେବାର ଦୃଷ୍ଟାନ୍ତ ବିରଳ ନୁହେଁ ।

 

ତେବେ ଏହି ସମସ୍ତ ଅପଚୟିତ ଭାବାବେଗ ପରେ ମୁଁ ଆବିଷ୍କାର କରିଛି ଯେ, କ୍ଳଡର ଜୀବନରେ ବହୁ ପୁରୁଷ ଥିଲେ ହେଁ ଅନ୍ୟ କୌଣସି ପ୍ରେମିକ ନ ଥିଲେ । ମୁଁ ନିଜେ ହିଁ ଥିଲି ତା’ର ପ୍ରଥମ ପ୍ରେମିକ । ନିଜକୁ ପ୍ରେମିକ ବୋଲି ବା କହିବି କେମିତି ? ମୁଁ ବି ଜଣେ ଦଲାଲ । ଯେଉଁ ସମୟର କଥା ମୁଁ କହୁଛି ସେ ସମୟରେ ମୁଁ କ୍ଳଡର ଦଲାଲ ଥିଲି ।

 

ପ୍ରଥମେ ଯେଉଁଦିନ ମୁଁ କ୍ଳଡକୁ ଘରକୁ ନେଇ ଆସିଥିଲି ସେଦିନ କଥା ମୋର ସ୍ପଷ୍ଟ ଭାବରେ ମନେଅଛି । ସେଦିନ ମୁଁ କି ମୂର୍ଖାମୀ କରି ନ ଥିଲି ! ସ୍ତ୍ରୀମାନଙ୍କର ଘଟଣାରେ ମୁଁ ଚିରଦିନ ଏମିତି ମୂର୍ଖାମୀ କରି ଆସିଛି । ମୋ ଆଖିରେ ସମସ୍ତ ନାରୀ ପୂଜ୍ୟ, ମୁଁ ସମସ୍ତଙ୍କୁ ପୂଜା କରେ କିନ୍ତୁ କୌଣସି ମହିଳା ପୂଜ୍ୟା ହେବାକୁ ଚାହାନ୍ତି ନାହିଁ । ସେମାନେ ଚାହାନ୍ତି....।

 

ବିଶ୍ୱାସ କରନ୍ତୁ ବା ନ କରନ୍ତୁ ମୁଁ ଆପଣମାନଙ୍କୁ ଆମ ମିଳନର ପ୍ରଥମ ରାତ୍ରିଟି କଥା କହୁଛି । ସେଦିନ ରାତ୍ରିରେ ମୁଁ ଏମିତି ଏକ କାଣ୍ଡ କରିବସିଲି ଯେମିତି କୌଣସି ନାରୀ ସହିତ କେବେହେଲେ ଗୋଟାଏ ଶେଯରେ ଶୋଇ ନାହିଁ । ଆଜି ମୁଁ ଚିନ୍ତା କରି ପାରୁ ନାହିଁ ମୋର ସେ ବିକୃତି ଘଟିଥିଲା କେମିତି । ନାରୀର ସେ ଅଶ୍ଳୀଳ ନଗ୍ନ ଦେହ ଦେଖି ସର୍ପାହତ ଭଳି ଚମକି ପଡ଼ିଥିଲି । ମୋ ବିଛଣା ପାଖରେ ଠିଆହୋଇ କ୍ଳଡ ତା’ ଦେହରୁ ଗୋଟାକ ପରେ ଗୋଟାଏ ପୋଷାକ ଖୋଲୁଥିଲା । ମୋର ଠିକ୍‌ ମନେଅଛି ସେ ଉଲଗ୍ନ ହେବା ପୂର୍ବରୁ ମୋର ଉତ୍ତେଜନାକୁ ଅସୀମ କୌତୂହଳ ସହକାରେ ନିରୀକ୍ଷଣ କରୁଥିଲା । ମୁଁ ଏକ ନିଃସଙ୍ଗ ଉତ୍ତେଜନାରେ ଥରୁଥିଲି । ମୋର ସମଗ୍ର ଶରୀର କଣ୍ଟକିତ ହୋଇପଡ଼ିଥିଲା । କାଫେରୁ ବାହାରିବାଯାଏ ମୋର ସେ କମ୍ପନ ବନ୍ଦ ହୋଇ ନ ଥିଲା । ମୁଁ ଉନ୍ମତ୍ତ ଭଳି ଦଂଶନ କଲି–ମନେହୁଏ ତା’ର ଓଠରେ ହିଁ ଦଂଶନ କରିଥିଲି-। ହୁଏତ ବା ତା’ର ଭ୍ରୂଯୁଗଳ, ଗ୍ରୀବା ଓ ସ୍ତନାଗ୍ର ବାରମ୍ୱାର ଚୁମ୍ୱନ କରିଥିଲି । କ୍ଳଡର ନିଟୋଳ ଶରୀର ମୋତେ ପ୍ରେମିକରୁ ପୁରୁଷରେ ରୂପାନ୍ତରିତ କରି ଦେଇଥିଲା । ମାଂସ ଲୋଭରେ କ୍ଷୁଧିତ ସିଂହ ଭଳି ମୁଁ ତା’କୁ ମୋର ସବଳ ବାହୁରେ ନିପୀଡ଼ନ କରୁଥିଲି । ମୁଁ ତା’କୁ ନିଃଶେଷ କରିଦେବାକୁ ଚାହୁଁଥିଲି । ଯେ କୌଣସି କାରଣରୁ ମୋର ମନେହୋଇଥିଲା ଯେ କ୍ଳଡ ମୋ ପ୍ରତି ଅହେତୁକ କରୁଣା ପ୍ରଦର୍ଶନ କରୁଛି । ସେହି ଭାବନା ହିଁ ଥିଲା ମୋର ପୁରୁଷାକାର ପ୍ରତି ପ୍ରଚଣ୍ଡ ଆଘାତ । ସାଧାରଣ ଗଣିକା ବି ଅନେକ ସମୟରେ ପୁରୁଷମାନଙ୍କ ମନରେ ଏମିତି ଏକ ଅନୁଭୂତିର ସଞ୍ଚାର କରିଥାଏ; କିନ୍ତୁ କ୍ଳଡ ଅନ୍ତତଃ ମୋ ଆଖିରେ ଅନ୍ୟାନ୍ୟ ରୂପାଜୀବାମାନଙ୍କ ଭଳି ଜଣେ ସାଧାରଣ ପ୍ରସାରିଣୀ ନଥିଲା ।

 

ମୁଣ୍ଡର ଟୋପିଟା ଖୋଲିବା ପୂର୍ବରୁ କ୍ଳଡ ଝରକା ପାଖକୁ ଆଗେଇ ଯାଇ ତା’କୁ ବନ୍ଦ କରିଦେଇ ପର୍ଦ୍ଦାଟା ଟାଣିଦେଲା । ତା’ପରେ କଟାକ୍ଷ ହାଣି, ଓଠରେ ମୃଦୁ ହସର ରେଖା ଫୁଟେଇ ସେ ପୋଷାକ ପତ୍ର ଖୋଲିବା ସମ୍ପର୍କରେ ଯେମିତି ଗୁଣୁ ଗୁଣୁ କରି କିଛି କହିଲା । କ୍ଳଡ ନିଜେ ଯେତେବେଳେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇପଡ଼ିଲା ମୁଁ ସେତେବେଳେ ମୋ ନିଜର ପୋଷାକ ଖୋଲିବାର ମନଦେଲି । ସତ କହିବାକୁ ଗଲେ ମୁଁ କେମିତି ନର୍ଭାସ ହୋଇ ପଡ଼ିଥିଲି । ତା’ର ସେ ଉଲଗ୍ନ ଶରୀରକୁ ଚାହିଁବାର ସାହସ ମୋର ନ ଥିଲା । ମନେ ହେଉଥିଲା ଯେମିତି ଏକ ପ୍ରାଗ୍‌ ଐତିହାସିକ ବିରାଟ ସରୀସୃପ ମୋତେ ଆକ୍ରମଣ କରିବା ପାଇଁ ଉଦ୍ୟତ ହୋଇ ରହିଛି । ମୁଁ ପ୍ରଥମେ ଭାବିଥିଲି ଯଦି ତା’ ଆଡ଼କୁ ଚାହିଁ ରହେ, ତାହାହେଲେ ସେ ହୁଏତ ଲଜ୍ଜିତ ତ ହେବ, ତେଣୁ ତା’କୁ ମୁଁ ସିଧାସଳଖ ନ ଚାହିଁ....କ୍ଳଡ ମୋର ଏ ଅର୍ଥହୀନ ଉଚ୍ଛ୍ୱାସ ଓ ଭାବପ୍ରବଣତାକୁ ମୋଟ ଗ୍ରାହ୍ୟ କରି ନ ଥିଲା । ଦେହ ସମ୍ଭୋଗର କ୍ଳାନ୍ତି ଓ କ୍ଳେଦାକ୍ତ ଶ୍ରାନ୍ତି ପରେ ସେ ଫେରିଯିବା ପାଇଁ ପ୍ରସ୍ତୁତ ହେବାକୁ ଲାଗିଲା । ମୁଁ ତା’କୁ ଖଣ୍ଡେ ବହି ଓ ହଳେ ସିଲ୍‌କର ମୋଜା ଉପହାର ଦେଇଥିଲି । କ୍ଳଡ କହିଲା ଯେ ସେ ବହି ଖଣ୍ଡକ ଏହା ପୂର୍ବରୁ କେବେ ପଢ଼ି ନାହିଁ । ମୋଜା ହଳକ ମୁଁ ମୋର ଆଉ ଜଣେ ବାନ୍ଧବୀଙ୍କ ପାଇଁ କିଣିଥିଲି । କ୍ଳଡ ଫେରିଗଲା, ମୁଁ ଅବଶ ଭାବରେ ବିଛଣାରେ ପଡ଼ିରହିଲି ।

 

ତା’ ସହିତ ପୁନରାୟ ଯେତେବେଳେ ଦେଖା ହେଲା ମୁଁ ହୋଟେଲ ବଦଳ କରି ନେଇ ସାରିଥିଲି । କ୍ଳଡ ତା’ର ଦ୍ରୁତ ସତର୍କ ଏବଂ ଆଗ୍ରହଭରା ଦୃଷ୍ଟିରେ ଚାରିପାଖ ନିରୀକ୍ଷଣ କରି ନିମିଷକରେ ବୁଝିନେଲା ଯେ ପରିବେଶଟା ମୋଟେ ଅନୁକୂଳ ନୁହେଁ । ଏଇ ଅଳ୍ପକାଳ ମଧ୍ୟରେ ମୋର ସ୍ୱାସ୍ଥ୍ୟରେ ମଧ୍ୟ ଏକ ଅଦ୍ଭୁତପୂର୍ବ ପରିବର୍ତ୍ତନ ହୋଇପଡ଼ିଥିଲା । ମୋତେ ଦେଖି ସେ ବିଷଣ୍ଣ ହୋଇଗଲା । କ୍ଳଡ ପରମୁହୂର୍ତ୍ତରେ ଏକ କରୁଣାମୟୀ ନାରୀରେ ରୂପାନ୍ତରିତ ହୋଇପଡ଼ିଲା । ଦୁଷ୍ଟ ପିଲାଙ୍କୁ ମା’ ଶାସନ କଲା ଭଳି ସେ ମୋତେ ସ୍ପଷ୍ଟ ଭାବରେ ପ୍ରଶ୍ନ କଲା ଯେ ମୋର ଖିଆ ପିଆ ଠିକ୍‌ ହେଉଛି କି ନାହିଁ । ମୁଁ ତା’ର କଥାର କୌଣସି ଉତ୍ତର ଦେଇ ନଥିଲି ।

 

କ୍ଳଡ ମୋତେ ସେଠି ଆଉ ବେଶୀଦିନ ରହିବା ପାଇଁ ବାରଣ କରି ଦେଇଗଲା । କହିଲା କବରଖାନାର ଶୀତଳତା ଆଉ ମୃତ୍ୟୁର ଭୟାବହତା ସେ ଏଠି ଅନୁଭବ କରୁଛି । ଏକ ଅଶୁଭ ଗ୍ରହର ଛାଇ ସମଗ୍ର ପରିବେଶକୁ ଯେମିତି କରୁଣ ଓ ଦୁଃଖମୟ କରି ତୋଳିଛି । କ୍ଳଡ ଦୁଃଖମୟ କଥାଟା କହିଥିଲା କି ନା ଠିକ୍‌ ମନେ ନାହିଁ । ତେବେ ଏହି ଭଳି ଗୋଟାଏ କଥା ଯେ ସେ କହିବାକୁ ଚାହୁଁଥିଲା ସେ ବିଷୟରେ ମୁଁ ନିଃସନ୍ଦେହ ।

ମୋର ସେ ସମୟର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା । ପ୍ରତ୍ୟେକଟି ବସ୍ତୁରେ ଲାଗିଥିଲା ଦୈନ୍ୟର ଛାପ । ଘରର ସମସ୍ତ ଆସବାସପତ୍ର ଭାଙ୍ଗିଯାଇଥିଲା । ଝରକାରେ ଗୋଟାଏ ବି ଅକ୍ଷତ କାଚ ନଥିଲା । କାର୍ପେଟଗୁଡ଼ିକ ହୋଇପଡ଼ିଥିଲା ଶତଛିନ୍ନ ଓ ମଳିନ । ଘରେ କଳାପାଣିର କୌଣସି ବନ୍ଦୋବସ୍ତ ନ ଥିଲା । ଆଲୋକମାନ ଦେଖାଯାଉଥିଲା ଅତିଶୟ ମ୍ଳାନ । ଧୂସର ମୃଦୁ ଆଲୋକ ବିଛଣା ଚାଦର ଉପରେ ପଡ଼ି କେମିତି ଝାପ୍‍ସା ଦେଖାଯାଉଥିଲା । ଏହି ରୁଗ୍‌ଣ ପରିବେଶ ପ୍ରକୃତରେ ଥିଲା ଅତୀବ ଦୁଃଖମୟ । ଦୀନତାଠାରୁ ବୋଧହୁଏ ପୃଥିବୀରେ ଆଉ କୌଣସି ବଡ଼ ଦୁଃଖ ନାହିଁ ।

ଅନ୍ୟକାମରେ ବ୍ୟସ୍ତ ଥିଲା ଭଳି ଛଳନା କରିବାକୁ ଲାଗିଲି । ଟେବୁଲ ଉପରେ ଜମା ହୋଇଥିବା କାଗଜପତ୍ରକୁ ସଜଡ଼ା ସଜଡ଼ି କରି ତା’ ଉପରେ କେତୋଟି ଅର୍ଥହୀନ କଥା ଲେଖିଲି–ଟାଇପ୍‌ ରାଇଟାରର ଢାଙ୍କୁଣିଟା ଠିକ୍‌ ଭାବରେ ଲଗେଇ ଦେଲି । ଯେତେବେଳେ କ୍ଳଡ ଆଡ଼କୁ ଫେରି ଚାହିଁଲି ଦେଖିଲି ପାଣି କୁଣ୍ଡ ପାଖରେ ସେ ଠିଆହୋଇ ପାଦଯୋଡ଼ିକ ଧୋଉଛି । ସେ ବୋଧହୁଏ ମୋର ମନୋଭାବ ବୁଝି ପାରିଥିଲା । ତେଣୁ ମୋତେ ମୋଟେ ନ ଚାହିଁ ସେ କହିଲା ଏଥର ସହଳ ବିଛଣାକୁ ଚାଲି ଆସ, ବାହାରେ ପ୍ରଚଣ୍ଡ ଶୀତ, ବେଶ୍‌ ଜମିବ ।’’ ଏତକ କହିସାରି ସେ ମୋ ଦେହରେ ମୃଦୁ ଆଘାତ କଲା । ତା’ର ସ୍ପର୍ଶରେ ମୋର ସମଗ୍ର ଦେହରେ ଏକ ଶିହରଣ ଖେଳିଗଲା । ସତରେ ନାରୀ ପୁରୁଷର ଦୈହିକ ମିଳନ ଘଟଣାଟା ଏମିତି କୁତ୍ସିତ ଭାବରେ ସ୍ୱାଭାବିକ ଯେ ମୋର ଅସ୍ୱଚ୍ଛନ୍ଦ ଭାବଟା କ୍ରମଶଃ କଟିଯିବାକୁ ଲାଗିଲା । ମୋର ନର୍ଭାସନେସ ଉଭେଇ ଯାଇ ମୁଁ ପୁନରାୟ ଏକ ସୁସ୍ଥ ପୁରୁଷରେ ରୂପାନ୍ତରିତ ହୋଇଗଲି । କ୍ଳଡ ଖୁବ୍‌ ସାବଧାନତା ସହକାରେ ତା’ର ମୋଜାହଳକ ଗୋଟେଇ ରଖିଲା । ଅଣ୍ଟାରେ ଯାହାସବୁ ପିନ୍ଧିଥିଲା ସେ ସବୁକୁ ଖୋଲି ଚେୟାରର ପଛପଟରେ ଝୁଲେଇ ଦେଲା ।

ବାହାରେ ଶିର୍‌ ଶିର୍‌ ଥଣ୍ଡା ପବନ ଝରକାର କାଚ ଉପରେ ଅଜାଡ଼ି ହୋଇପଡ଼ୁଥିଲା । ଘର ଭିତରେ ମହଣ ମହଣ ଶୀତ ଆଉ ଅନ୍ଧାର ଯେମିତି ଫେଣ୍ଟାଫେଣ୍ଟି ହୋଇ ବିସ୍ତୃତି ଲାଭ କରିଥିଲା । ଆମେ ସେହି ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ପରସ୍ପର ନିକଟରେ ଆତ୍ମସମର୍ପଣ କରିଥିଲୁ । କ୍ଳଡ ଓ ମୁଁ ଅନେକ ସମୟ ଯାଏ ଦେହକୁ ଦେହ ଲଗେଇ ନୀରବରେ ଶୋଇ ରହିଲୁ । ଦୁଇଟି ଉଲଗ୍ନ ଦେହର–ସମ୍ମିଶ୍ରଣରେ ଆମେ ଦୁହେଁ ବେଶ ଉତ୍ତାପ ଅନୁଭବ କରୁଥିଲୁ । ମୋର ଗୋଟାଏ ହାତ ଥିଲା କ୍ଳଡର ଗଳାରେ, ଅନ୍ୟ ହାତଟିରେ ମୁଁ ତା’କୁ ଆହୁରି ପାଖକୁ ଟାଣି ନେଇଥିଲି । (ସେ ମୋତେ ପ୍ରତ୍ୟାଶାଭରା ଦୃଷ୍ଟିରେ ଚାହିଁ ରହିଥିଲା । ଆମେ ଦୁହେଁ ଯେତେବେଳେ ଗୃହମଧ୍ୟରେ ପ୍ରବେଶ କଲୁ ସେତେବେଳେ ମୁଁ ତା’ର ଆଖିରେ ଏ ଦୃଷ୍ଟି ଲକ୍ଷ୍ୟ କରିଥିଲି । ତା’ର ଏ ଚାହାଣୀରେ ପୁନରାୟ ମୋ ଦେହରେ କମ୍ପନ ଆରମ୍ଭ ହେଲା; ମୋର ସମସ୍ତ କଥାବାର୍ତ୍ତା ଅସ୍ପଷ୍ଟ ହୋଇପଡ଼ିଲା ।

ଅବଶ୍ୟ ଆଜି ମନେ ନାହିଁ । ମୁଁ ସେତେବେଳେ, ସେହି ମୁହୂର୍ତ୍ତରେ କହିଥିଲି କି ନା ଯେ ‘‘ମୁଁ ତୁମକୁ ଭଲପାଏ ।’’ ହୁଏତ କହିଥିଲି । କିନ୍ତୁ କ୍ଳଡ ସେ ସବୁ ମୋଟେ ମନେରଖି ନାହିଁ । ପ୍ରେମ, ଭଲପାଇବା ପ୍ରଭୃତି ଜଣେ ଗଣିକା ପାଖରେ ନିଶ୍ଚୟ ଅର୍ଥହୀନ ।

ସେ ରାତିରେ (କେଉଁ କାରଣରୁ ଜାଣେନା) କ୍ଳଡ କୌଣସି ଏକ ବାହାନାରେ କିଞ୍ଚିତ ଈର୍ଷାର ଭାବ ପ୍ରଦର୍ଶନ କଲା । ନାରୀମାନଙ୍କର ଈର୍ଷା ପ୍ରକୃତରେ ଭୟଙ୍କର । କ୍ଳଡ ମୋତେ କହିଲା ‘‘ତୁମେ ନିଶ୍ଚୟ ଅନ୍ୟ କୌଣସି ତରୁଣୀର ପ୍ରେମରେ ପଡ଼ିଛ ନ ହେଲେ ମୋ ପ୍ରତି ଏମିତି ହତାଦର ପ୍ରଦର୍ଶନ କରନ୍ତ ନାହିଁ । ଆହତ ଅଭିମାନର କ୍ଳଡର ଗଳା ଥରି ଉଠୁଥିଲା । ଈର୍ଷା ଓ ଅଭିମାନର ସମ୍ମିଶ୍ରଣରେ ତା’ର ମୁଖମଣ୍ଡଳ ଆହୁରି ଉଜ୍ଜ୍ୱଳ, ଆହୁରି ସୁନ୍ଦର ଦେଖାଯାଉଥିଲା ।

 

ମୁଁ କ୍ଳଡର କଥାରେ ପ୍ରତିବାଦ କରି କହିଲି ‘‘ନା, ନା ମୋର ଅନ୍ୟ କୌଣସି ପ୍ରେମିକା ନାହାନ୍ତି । ତୁମ ବ୍ୟତୀତ ମୁଁ ଆଉ କାହାରିକି କଳ୍ପନା ସୁଦ୍ଧା କରେନା । ଯଦିଓ ସେ ଜାଣିଥିଲା ଯେ, ମୁଁ ତା’କୁ ମିଥ୍ୟା କଥା କହୁଛି; ତଥାପି ସେ ଆନନ୍ଦରେ ଅଧୀର ହୋଇପଡ଼ିଲା । ମୋ କୋଳରେ ବସି ଗଳାରେ ତା’ର ଦୁଇବାହୁ ଛନ୍ଦିହୋଇ କହିଲା, ତେବେ ମୋତେ ଚୁମ୍ୱନ କର । ଆଦର କରି ତା’ର ଓଠ, ଗ୍ରୀବା, ବୁକୁ ଓ ଚିବୁକରେ ମୁଁ ବାରମ୍ୱାର ଚୁମ୍ୱନ କରିବାକୁ ଲାଗିଲି । କାମନାର ପ୍ରଚଣ୍ଡ ଅଗ୍ନିଶିଖାରେ କ୍ଳଡର ଦେହ ଉତ୍ତପ୍ତ ହୋଇପଡ଼ିଥିଲା । ଆଉ ମୁଁ ତା’ର ଦେହର ଦାହରେ ଯେମିତି ସନ୍ତରଣ କରୁଥିଲି । ଠିକ୍ ସନ୍ତରଣ ନୁହେଁ; କ୍ରମଶଃ ନିମଜ୍ଜିତ ହୋଇପଡ଼ିଥିଲି । ଉଲ୍ଲାସ–ସମୁଦ୍ରରେ ଧୀରେ ଧୀରେ ମୋର ସମଗ୍ର ସତ୍ତା ବିଲୁପ୍ତ ହୋଇଯାଉଥିଲା । କ୍ଳଡ ଯେମିତି ତା’ର ଦେହଦାନରେ ମୋତେ ଉନ୍ମତ୍ତ କରି ତୋଳିଥିଲା; ଆଉ ମୁଁ ମଣିଷରୁ ପଶୁରେ ରୂପାନ୍ତରିତ ହୋଇପଡ଼ିଥିଲି । ଏହାପରେ ଆମେ ଦୁହେଁ ପିୟେରଲୋତି ଏବଂ ଇସ୍ତାନବୁଲ ସମ୍ପର୍କରେ ଆଲୋଚନା କଲୁ । ସେ ମୋତେ କହିଲା ଯେ ତା’ର ଇସ୍ତାନବୁଲ ଯିବାର ବାସନା ରହିଛି । ମୁଁ ଉତ୍ତରରେ କହିଥିଲି ଯେ ମୋର ମଧ୍ୟ ଯିବା ପାଇଁ ପ୍ରବଳ ଇଚ୍ଛା ରହିଛି । ତା’ପରେ ସେ କହିଲା ତୁମେ ଜଣେ ଆତ୍ମବାନ ପୁରୁଷ । ମୁଁ ତା’ କଥାରେ କୌଣସି ଆପତ୍ତି ବା ପ୍ରତିବାଦ କରିବାର ଚେଷ୍ଟା କଲିନାହିଁ; କାରଣ ସେତେବେଳେ ମୁଁ ଆନନ୍ଦରେ ଅଧୀର ହୋଇପଡ଼ିଥିଲି । ଯେତେବେଳେ କୌଣସି ଗଣିକା କୁହେ ଯେ, ତୁମେ ହୃଦୟବାନ ପୁରୁଷ ଯେତେବେଳ ତା’ର ଅର୍ଥ ଆହୁରି ଅନେକ କିଛି ବୁଝାଏ, କାରଣ ସେମାନେ ସାଧାରଣତଃ ହୃଦୟ, ମନ ଓ ଆତ୍ମା ନେଇ ମୁଣ୍ଡ ଘୂରାନ୍ତି ନାହିଁ । ତା’ପରେ ଏକ ଅଦ୍‌ଭୁତକାଣ୍ଡ ଘଟିଲା । ମୁଁ ତା’କୁ କିଛି ଅର୍ଥ ଦେବାପାଇଁ ଚାହିଲି; କିନ୍ତୁ ସେ କୌଣସି ପ୍ରକାରେ ଗ୍ରହଣ କରିବା ପାଇଁ ରାଜି ହେଲା ନାହିଁ । ମୋ ଠାରୁ ଅର୍ଥ ଗ୍ରହଣ କରିବାକୁ ବୋଧହୁଏ ତା’ର ବିବେକ ବାଧା ଦେଉଥିଲା । କ୍ଳଡ ମୋ ପାଖକୁ ଆହୁରି ଟିକିଏ ଘୁଞ୍ଚି ଆସି କହିଲା ‘ସୁନାଟା ପରା ସେ ବିଷୟରେ ଆଦୌ ଚିନ୍ତା କରନାହିଁ । ଅର୍ଥ ପ୍ରେମର ପବିତ୍ରତା ନଷ୍ଟ କରେ । ଆମେ ଦୁହେଁ ବର୍ତ୍ତମାନ ବନ୍ଧୁ....କମ୍ରେଡ ଏବଂ ତୁମେ ଅତିଶୟ ଦରିଦ୍ର’’ ।

 

ସେ ଯେତେବେଳେ ଯିବାପାଇଁ ବାହାରିଲା ମୁଁ ତା’କୁ ସିଡ଼ି ପର୍ଯ୍ୟନ୍ତ ଆଗେଇ ଦେବା ପାଇଁ ଚାହିଁଲି; କିନ୍ତୁ କୌଣସି ପ୍ରକାରେ ସେ ମୋତେ ବିଛଣାରୁ ଉଠିବା ପାଇଁ ଦେଲା ନାହିଁ । ନିଜ ବ୍ୟାଗରୁ କେତୋଟି ସିଗାରେଟ ବାହାର କରି ବିଛଣା ପାଖରେ ଥିବା ଟେବୁଲ ଉପରେ ରଖିଲା । ମୋର ମୁହଁରେ ଗୋଟିଏ ସିଗାରେଟ ଦେଇ ବ୍ରୋନ୍‌ଜ ଲାଇଟରଟାରେ ସେ ତହିଁରେ ଅଗ୍ନି ସଂଯୋଗ କଲା । ଲାଇଟରଟା ବୋଧହୁଏ କେହି ତା’କୁ ଉପହାର ଦେଇଥିଲା । ତା’ପରେ ମୋତେ ସେ ଶୁଭରାତ୍ରି ଜଣେଇ ଚୁମ୍ୱନ କରିବା ପାଇଁ ନଇଁ ପଡ଼ିଲା । ମୁଁ ତା’କୁ ଆଲିଙ୍ଗନ କରି କହିଲି ‘‘କ୍ଳଡ ସତରେ ତୁମେ ଗଣିକା ନୁହଁ; ସ୍ୱର୍ଗର ବାର୍ତ୍ତାବାହିନୀ ।’’ ସେ ଚମକି ପଡ଼ିଲା । ମୋ ପାଖରୁ ଘୁଞ୍ଚିଯାଇ ପ୍ରତିବାଦ କରି କହିଲା ‘‘ନା ନା, ମୋଟେ ନୁହେଁ । ତା’ର ମୁହଁ ଓ ଆଖିରେ ଫୁଟିଉଠିଲା ବେଦନାର ଛାପ ।’’

 

ମୋର ମନେହେଲା ଯେ, ମୁଁ କ୍ଳଡର ମନରେ ଗୁରୁତର ପୀଡ଼ା ଦେଇଛି । ମୁଁ ତା’ର ମନର ଅବସ୍ଥା ବେଶ୍‌ ଭଲଭାବରେ ବୁଝିପାରିଥିଲି । କାରଣ ଦେହକୁ ନେଇ ବ୍ୟବସାୟ କରୁଥିବା ଗଣିକାମାନେ ସମାଜରେ ସେମାନଙ୍କର ସ୍ଥାନ ସମ୍ପର୍କରେ ବିଶେଷ ସଚେତନ । ସାଧାରଣ ଆଖିରେ ବେଶ୍ୟାବୃତ୍ତି ଏକ ସାମାଜିକ ଅପରାଧ । କ୍ଳଡକୁ ମୁଁ ଯେଉଁ ପତ୍ରଖଣ୍ଡକ ଲେଖିଥିଲି ମୋର ବିଶ୍ୱାସ ସିଏ ହିଁ ଥିଲା ମୋର ଜୀବନର ଶେଷ ପତ୍ର । ଚିଠି ଖଣ୍ଡିକ ମୁଁ ଫରାସୀ ଭାଷାରେ ଲେଖିଥିଲି ଏବଂ ମୋର ଠିକ୍‌ ମନେ ଅଛି ପତ୍ରଟିରେ ଅସଂଖ୍ୟ ତ୍ରୁଟି ରହିଥିଲା । କାରଣ ଫରାସୀ ଭାଷାରେ ମୋର ବିଶେଷ ଜ୍ଞାନ ବା ଅଭିଜ୍ଞତା ନ ଥିଲା । ଆମେ ଦୁହେଁ ଯେଉଁ କାଫେରେ ସାଧାରଣତଃ ମିଳିତ ହେଉଥିଲୁ ସେଇଠି ପତ୍ରଖଣ୍ଡ ବସି ବସି ପଢ଼ିଲୁ । ତେବେ ଚିଠିଟିର ଗୋଟାଏ ଅଧେ ଅନୁଚ୍ଛେଦ ଖୁବ୍‌ ଚମତ୍କାର ହୋଇଥିଲା । କାରଣ ସେଗୁଡ଼ିକ ମୁଁ ପଲ ଭ୍ୟାଲେରୀଙ୍କ ଲେଖାରୁ ପୂରାପୂରି ଉଦ୍ଧାର କରିଥିଲି । ସେ ସେହି ଅଂଶଟିରେ ପହଞ୍ଚି ଟିକିଏ ରହି କହି ଉଠିଲା ‘‘ବେଶ୍‌ ଚମତ୍କାର ହୋଇଛି...ବେଶ୍‌ ସୁନ୍ଦର ଭାବରେ କୁହାଯାଇପାରିଛି । କ୍ଳଡ ମୋତେ କଣେଇ ଚାହିଁ ହସିଲା....ତା’ର ସେ ଆଖିରେ ଭରି ରହିଥିଲା ବିସ୍ମୟ । ପୁନରାୟ ଚିଠିଟିକୁ ପଢ଼ିବାକୁ ଆରମ୍ଭ କଲା ଏବଂ ଶେଷଯାଏ ପଢ଼ିଗଲା ।

 

ମୁଁ ଠିକ୍ ଭାବରେ ଜାଣେ ଯେ, ସେ ଭ୍ୟାଲେରୀର ଭାଷାରେ ମୋଟେ ଭୁଲି ନ ଥିଲା...ହୁଏତ ଭ୍ୟାଲେରୀର ସାହାଯ୍ୟ ନ ନେଇଥିଲେ ବି ଚଳିଥାନ୍ତା । ଜଣେ ସାଧାରଣ ରୂପାଜୀବା ପାଖରେ ଭ୍ୟାଲେରୀ ଅର୍ଥହୀନ । କିନ୍ତୁ ସେହି ପଦକ ମାତ୍ର କଥା ତା’ର ମୁଣ୍ଡରେ ଭୂତ ଭଳି ଚାପି ଧରିଥିଲା । ତେଣୁ ମୁଁ ପୁଣି ଯଥାସମ୍ଭବ ମଧୁର ଓ କୋମଳ କଣ୍ଠରେ ସେହି ସ୍ୱର୍ଗଦୂତୀ କଥାଟାର ଅବତାରଣା କଲି । ଆମେ ଯେତେବେଳେ ପତ୍ରଟିର ଶେଷାଂଶରେ ଆସି ପହଞ୍ଚିଲୁ ମୁଁ କେମିତି ଅସ୍ୱଚ୍ଛନ୍ଦ ଅନୁଭବ କଲି । ତା’ର ଅର୍ଥ ନୁହେଁ ଯେ, ମୁଁ କେବଳ ଛଳନାର ଆଶ୍ରୟ ନେଇଥିଲି ବା ପତ୍ରଟି ଲେଖିବାରେ ମୋର କୌଣସି ଆନ୍ତରିକତା ନ ଥିଲା । ପତ୍ରଟିରେ ମୋର ସେହି ସ୍ୱତୋତ୍‌ ସାରିତଭଙ୍ଗୀ ପରେ ମୁଁ ଯେ ଆଉ କ’ଣ ଲେଖିଥିଲି ଜାଣେନା । ତେବେ ସାହିତ୍ୟ ସୃଷ୍ଟି କରିଥିଲି ନିଶ୍ଚୟ । ତେବେ ସମସ୍ତ ଜିନିଷଟା ବେଶ୍‌ କୁତ୍ସିତ ଏବଂ ଅଶ୍ଳୀଳ । କ୍ଳଡ ମୋର ସେ ଚିଠିଟାକୁ ସାବଧାନତା ସହକାରେ ସାଇତି ରଖିଥିଲା । ତା’ ପାଖରେ ମୋର ଏ ପତ୍ର ଖଣ୍ଡିକ ଥିଲା ଅମୂଲ୍ୟ ରତ୍ନ । ସେଦିନ ବିଛଣାରେ ବସି ବସି ସେ ପୁଣି ଥରେ ଚିଠିଟା ପଢ଼ିଲା ଏବଂ ମୋର ବ୍ୟାକରଣଗତ ଭୁଲ ଗୁଡ଼ିକ ଦେଖେଇବାକୁ ଲାଗିଲା । ଚିଠିଟା ଶୁଣିବାରେ ମୋର ଆଦୌ ଆଗ୍ରହ ନ ଥିଲା କିନ୍ତୁ କ୍ଳଡ ମୋ ଇଚ୍ଛା ବିରୁଦ୍ଧରେ ପତ୍ରଟିକୁ ଜୋର କରି ପଢ଼ିବା ପାଇଁ ଚାହୁଁଥିଲା । ବୋଧହୁଏ ମୁଁ ଅଳ୍ପ ଅସହିଷ୍ଣୁ ହୋଇ ପଡ଼ିଥିଲି ଏବଂ ଏହା ଫଳରେ ସେ କ୍ଷୁଣ୍ଣ ହେଲା ।

 

କ୍ଳଡ ଆଗ୍ରହରେ କହିଲା ‘‘ତମେ ଜାଣ ଏହି ଚିଠି ଖଣ୍ଡକ ଚିରଦିନ ମୋ ପାଖରେ ରହିବ-।’’ ଆଖିରେ ତା’ର ଭରି ରହିଥିଲା ଖୁସିର ଆମେଜ । ମୁଁ ଆଘାତ କରି ତା’କୁ କଷ୍ଟ ଦେବା ପାଇଁ ମୋଟେ ଚାହୁଁ ନ ଥିଲି ।

 

ରାତ୍ରିର ଅନ୍ଧକାର କ୍ରମଶଃ ତରଳ ହେବାକୁ ଲାଗିଲା । ପାହାନ୍ତି ପହରରେ କ୍ଳଡ ବାହାରି ଗଲା । ସେହି ଡାଆଣୀର ଭୟ ନ ଥିଲେ ହୁଏତ କ୍ଳଡ ଯିବାପାଇଁ ମୋଟେ ଏମିତି ତରତର ହୋଇ ନଥାନ୍ତା । ଅବଶ୍ୟ ମାଉସୀର କଥାଟା ମୋର ଦେହସୁହା ହୋଇଯାଇଥିଲା । ତା’ ବ୍ୟତୀତ କ୍ଳଡକୁ ସନ୍ଦେହ କରିବାର କିଛି ନ ଥିଲା । ତା’ର କାରଣ ସେ ଯାହା ହେଉ ପଛକେ ମୋ ପାଖରେ କେବେ ହେଲେ ମିଛ କହୁ ନ ଥିଲା ।

 

କ୍ଳଡ ଚାଲିଯିବା ପରେ ମୁଁ ଶୋଇ ଶୋଇ କେବଳ ତା’ରି କଥା ଚିନ୍ତା କରିବାକୁ ଲାଗିଲି-। ସେ ଥିଲା ମୋ ନିକଟରେ ଏବଂ ବିସ୍ମୟ, ଏକାନ୍ତ ଗୋପନ କାମନା । ସତେ ଯେମିତି ଆମ ଦୁହିଁଙ୍କର ମିଳନ ଥିଲା ମଣିକାଞ୍ଚନ ସଂଯୋଗ । ଜଣେ ଅର୍ଥଲୋଭୀ ପତିତା ଆଉ ବିତ୍ତହୀନ ଦଲାଲ ତଥାପି ଦୁହିଁଙ୍କ ଭିତରେ ସାମ୍ୟ ଥିଲା ପ୍ରଚୁର । ଆମେ ଦୁହେଁ ନିଜ ନିଜର ବିବେକକୁ କବର ଦେଇସାରିଥିଲୁ । ବଞ୍ଚିବା ପାଇଁ ଆମେ ଅକାତରେ ଅନେକ ତଳକୁ ଓହ୍ଲେଇଯାଇ ସାରିଥିଲୁ ।

 

କ୍ଳଡ ଥିଲା ମୋର ପ୍ରେମିକା । ପୂର୍ବେ ମୁଁ ତା’ କଥା ମୋଟେ ଚିନ୍ତା କରି ନାହିଁ । ସୁଖ-ଦୁଃଖରେ କେବେହେଲେ ସମବେଦନା ପ୍ରକାଶ କରି ନାହିଁ । ତା’ର ଉପାର୍ଜନ ସମ୍ୱନ୍ଧରେ ମୋଟେ ମୁଣ୍ଡ ଖେଳେଇ ନାହିଁ । କିନ୍ତୁ ବର୍ତ୍ତମାନ କେବଳ ତା’ରି କଥା ଭାବୁଛି । ତା’କୁ କେମିତି ଭାବରେ ଖୁସି ରଖିବି ସେୟା ହିଁ ହେଲା ପ୍ରଧାନ ଚିନ୍ତା । ସ୍ପେନ, କାପ୍ରି, ଇସ୍ତାନବୁଲ । ଯେମିତି ସେହି ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ସିଏ ଅଳସ ଭଙ୍ଗୀରେ ବୁଲୁଛି କିମ୍ୱା ପରବତମାନଙ୍କୁ ବିତରଣ କରୁଛି ଖୁଦକଣା, ଦେଖୁଛି ସେମାନଙ୍କ ଜଳକ୍ରୀଡ଼ା ନ ହେଲେ ଦୋଳିରେ ଶୋଇଛି ହାତରେ ଖଣ୍ଡେ ବହି ନେଇ, ଯେଉଁ ବହିଟା ମୁଁ ତା’କୁ ପଢ଼ିବା ପାଇଁ କହିଛି । ଆହା ବିଚାରୀ । ଜୀବନରେ ହୁଏତ ଭାର୍ସାଇର ସୀମା କେବେ ପାରେଇ ନାହିଁ । ଟ୍ରେନରେ ଉଠିବା ସମୟରେ ଠିଆହୋଇ ରହିଛି ମାଦ୍ରିଦ୍‌ବା ସେଡାଇନ୍‌ରେ । ଅନୁଭବ କରୁଥିଲି ସେ ମୋର ଦେହକୁ ଦେହ ଲଗେଇ ଚାଲୁଛି । କାରଣ ସେ ଏକାକୀ କ’ଣ କରିବା, ନୀରବ ହେଲେ ବି ଏଇ ଆଇଡିଆଟି ମୋତେ ବେଶ୍‌ ଭଳି ଲାଗୁଥିଲା । ଗୋଟାଏ ସୁନ୍ଦର ଦୃଶ୍ୟ ଦେଖିବାର ଅନେକ ଅବସାଦହୀନ ତୃପ୍ତି, ଏକ ହତଭାଗ୍ୟ ସୈରିଣୀ ରମଣୀ ଠାରୁ ଅନେକ ଭଲ । ପାଖରେ ଶୋଇ ରହି ବି ସେମାନେ ଚିନ୍ତା କରନ୍ତି କେଉଁ ଉପାୟରେ ଅଧିକ ଅର୍ଥ ଉପାର୍ଜନ କରିବେ, ଗ୍ରାହକମାନଙ୍କଠାରୁ ଆଦାୟ କରିବେ । ତେବେ କ୍ଳଡ ଯେ ଏ ଦିଗରେ ଅନ୍ୟମାନଙ୍କ ଠାରୁ ଭିନ୍ନ ଏ ସମ୍ୱନ୍ଧରେ ମୁଁ ନିଶ୍ଚିନ୍ତ । ପରେ ହୁଏତ ତା’ର ସାହଚର୍ଯ୍ୟ ମୋ ପକ୍ଷରେ କ୍ଳାନ୍ତିକର ହୋଇପାରେ; କିନ୍ତୁ ଅଦୂର ଭବିଷ୍ୟତରେ ନୁହେଁ, ବହୁଦିନ ପରେ.....

 

ମୁଁ ତା’କୁ ଶିକାର କରି ଖୁସି ହୋଇଛି । ସିଏ ମୋର ଏକାନ୍ତ ବିଶ୍ୱସ୍ତ ଶଯ୍ୟା–ସଙ୍ଗିନୀ–ବେଶ୍ୟା । ବିଶ୍ୱସ୍ତ ସାଧ୍ୱୀ ବେଶ୍ୟା । ବେଶ୍ୟା ଯିଏ ସହସ୍ର ଶଯ୍ୟାର ନାୟିକା, ବହୁ ପୁରୁଷ ଭୋଗ୍ୟା ସିଏ ଯେ ସତୀ, ସାଧ୍ୱୀ ହୋଇପାରେ, ହେ ଯୀଶୁ ! ଲୋକେ ମୋ ମୁହଁରେ ଏକଥା ଶୁଣିଲେ ପରିହାସ କରିବେ ।

 

ମୁଁ ବେଶ୍‌ ବିସ୍ତାରିତ ଭାବରେ ପରିକଳ୍ପନା କଲି ଆମେ କେଉଁଠି କେଉଁଠି ରହିବୁ, ସେ କିଭଳି ପୋଷାକ ପିନ୍ଧିବ–ଆମେ କ’ଣ କଥାବାର୍ତ୍ତା କରିବୁ....ସବୁ ସବୁକିଛି । ମୋର ମନେହୁଏ ଝିଅଟି କ୍ୟାଥ୍‌ଲିକ । ତହିଁରେ ବା ମୋର କ’ଣ ଯାଏ ଆସେ । ସ୍ଥାପତ୍ୟ ସୌନ୍ଦର୍ଯ୍ୟ ଇତ୍ୟାଦି ନେଇ ମୁଣ୍ଡ ଖେଳାଇବା ଅପେକ୍ଷା ଗୀର୍ଜାକୁ ଯାଇ ସାର୍ବଜନୀନ ପ୍ରାର୍ଥନା ଶୁଣିବା ଅନେକ ଭଲ ।

 

ଯଦି ସେ ଚାହେ ମଧ୍ୟ କ୍ୟାଥଲିକ ହେବି । ସେ ଯାହା ଚାହିବ ମୁଁ ତାହା କରିବି । ଯହିଁରେ ତା’ର ଆନନ୍ଦ ସେୟା ହିଁ ହେବ ମୋର ଜୀବନର ଏକମାତ୍ର ଧ୍ୟେୟ । ମୋର ବର୍ତ୍ତମାନ ଚିନ୍ତା କୌଣସି ସ୍ଥାନରେ ତା’ର ସନ୍ତାନ-ସନ୍ତତି ନାହାନ୍ତି ତ ? ଅନେକଙ୍କର ଜାରଜ ସନ୍ତାନ ଥାଆନ୍ତି ଯେଉଁମାନେ ଅବାଞ୍ଛିତ ପିତୃ ପରିଚୟ ହୀନ । ଭାବି ଦେଖନ୍ତୁ କ୍ଳଡର ଯଦି ଅବୈଧ ସନ୍ତାନ ଥାଆନ୍ତି-! ସେହି ଶିଶୁ ହେବ ମୋର ପ୍ରାଣ ଠାରୁ ବଳି ଅଧିକ ଆଦରଣୀୟ । ମୁଁ ତା’କୁ ମୋର ନିଜର ସନ୍ତାନ ଅପେକ୍ଷା ବେଶୀ ଭଲପାଇବି । ନା, ନିଶ୍ଚୟ ତା’ର କୌଣସି ସନ୍ତାନ ଥିବା ଉଚିତ । ଆଉ ଗୋଟାଏ ବଡ଼ ଘର, ଚାରିପାଖରେ ଥିବ ବାରଣ୍ଡା–ଆଉ ଘରଟା ଏକାବେଳେକେ ଥିବ ନଦୀକୂଳରେ, ଯେମିତ ଝରକା ଦେଇ ନଦୀଟା ଦେଖାଯାଉଥିବ । ଝରକାରେ ଫୁଟିଥିବ ଫୁଲ; ଆଉ ପକ୍ଷୀମାନେ ଗୀତ ଗାଉଥିବେ । (ମୁଁ କଳ୍ପନା ଚକ୍ଷୁରେ ଦେଖିଲି ପଞ୍ଜୁରୀ ଭର୍ତ୍ତି ପକ୍ଷୀ ନେଇ ଘରକୁ ଫେରୁଛି । ଠିକ୍‌ ଅଛି । ଯେମିତି ସେ ଖୁସି ହେବ ସେମିତି କରିବା ପାଇଁ ପଡ଼ିବ ।)

 

ନଦୀ ! ହଁ ନଦୀଟିଏ ଥିବା ଦରକାର, କାରଣ ନଦୀ ମୋତେ ଖୁବ୍‌ ଭଲଲାଗେ । ମନେପଡ଼ୁଛି ରଟାରଡ଼ାମରେ ଥରେ ସକାଳୁ ନିଦ ଭାଙ୍ଗିଲା–ଝରକା ଭିତର ଦେଇ ଝରି ପଡ଼ୁଥିଲା ସୂର୍ଯ୍ୟାଲୋକ । ପାଖରେ ଶୋଇଥିଲା ଏକ ଗଣିକା...ସେ ମୋତେ ଭଲପାଏ । ପକ୍ଷୀଟିଏ ଗୀତ ଗାଉଥିଲା । ମୁଁ ତା’ର ବୁଦ୍ଧିବୃତ୍ତିକୁ ପସନ୍ଦ କରୁଥିଲି । ଟେବୁଲ ଉପରେ ଖାଦ୍ୟପର୍ଦାଥ ସଜ୍ଜିତ ହୋଇ ରହିଥିଲା । ଆର ପଟେ ଗାଧୁଆ ପାଧୁଆ ଶେଷ କରି କେଶବିନ୍ୟାସ କରୁଥିଲା ଝିଅଟିଏ, ଆଉ ଭାବୁଥିଲା ଅଜସ୍ର ପୁରୁଷମାନଙ୍କ କଥା ଯେଉଁମାନଙ୍କ ସହିତ ରାତ୍ରି ଯାପନ କରିଛି । ଆଉ ତୁମେ....ପକ୍ଷୀ ଗୀତ ଥାଏ, ପାଲ ଉଡ଼େଇ ଜଳରେ ଭାସେ ନୌକା । ତା’ର ନାବିକ...ଆହୁଲା । ଜୀବନର ସମସ୍ତ ତରଙ୍ଗ ପ୍ରବାହିତ ତୁମରି ଦେହରେ । ତୁମର ଦେହ ଦେଇ ସଞ୍ଚାରିତ ଅନେକ ଦେହରେ । ପକ୍ଷୀ ଫୁଲ, ସୂର୍ଯ୍ୟାଲୋକ ଏବଂ ସୁରଭିରେ ତମର ନିଃଶ୍ୱାସ ଯେମିତି ରୁଦ୍ଧ । ହେ ଭଗବାନ ! ମୋତେ ଯେମିତି ଏକ ବହୁଭୋଗ୍ୟା ପ୍ରସାରିଣୀ ଦିଅ । ସବୁକାଳ ପାଇଁ ମୋର ଏମିତି ଏକ ନାରୀ ଲୋଡ଼ା ।

 

ମୁଁ କ୍ଳଡକୁ ମୋ ସହିତ ରହିବା ପାଇଁ ଅନୁରୋଧ କରିଥିଲି । ସେ କିନ୍ତୁ ପ୍ରସ୍ତାବଟିକୁ ପ୍ରତ୍ୟାଖ୍ୟାନ କରିଥିଲା ଏବଂ ସେ ଆଘାତ ମୋ ନିକଟରେ ଥିଲା ଅତ୍ୟନ୍ତ ମର୍ମନ୍ତୁଦ । ମୁଁ ଜାଣେ ସେ ମୋତେ ଦରିଦ୍ର ବୋଲି ପ୍ରତ୍ୟାଖ୍ୟାନ କରି ନ ଥିଲା; କାରଣ କ୍ଳଡ ମୋର ସମ୍ୱଳ କଥା ଭଲଭାବରେ ଜାଣେ । ମୁଁ ଯେଉଁ ବହିଖଣ୍ଡିକ ଲେଖୁଛି ସେ କଥା ବି ସେ ଜାଣେ । ତା’ର ଏହି ପ୍ରତ୍ୟାଖ୍ୟାନ ପଛରେ ଅନ୍ୟ କାରଣ ବିଦ୍ୟମାନ, ତେବେ ସେ କଥା ସେ ପ୍ରକାଶ କରିବ ନାହିଁ ।

 

ତା’ପରେ ରହିଛି ଆଉ ଏକ ଘଟଣା । ମୁଁ ପୁନରାୟ ସାଧୁ ଭଳି ଆଚରଣ କରିବା ଆରମ୍ଭ କରିଛି ଇତ୍ୟବସରରେ । ମୁଁଏକାକୀ ଅତିକ୍ରମ କରୁଛି ବହୁ ତୀର୍ଥ ପଥ । ବର୍ତ୍ତମାନ ମୁଁ ଯାହା ଲେଖିଛି ତାହା ସହିତ ମୋର ନୂତନ ବହିଟିର କୌଣସି ସମ୍ପର୍କ ନାହିଁ । ଯେମିତି ଏହି ସମଗ୍ର ବିଶ୍ୱ ଚରାଚରରେ ମୁଁ ଏକାନ୍ତ ଭାବରେ ଏକା । ମୋର ଜୀବନଟା ସମ୍ପୂର୍ଣ୍ଣ । ମୋର ଜୀବନ ସ୍ୱତନ୍ତ୍ର, ଯେମିତି ଗୋଟାଏ ପଥର ମୂର୍ତ୍ତି । ମୁଁ ମୋର ସ୍ରଷ୍ଟାର ନାମ ଭୁଲିଯାଇଛି । ମୋର ମନେହୁଏ ମୁଁ ଯେମିତି ଏହି ପୃଥିବୀରେ କେବଳ ସତ୍‌କର୍ମ କରିବାପାଇଁ ଜନ୍ମଗ୍ରହଣ କରିଛି । ମୁଁ କାହାରି ଅନୁମତି ଅପେକ୍ଷା ରଖେ ନାହିଁ ।

 

କ୍ଳଡ ପାଖରୁ ଆଉ କୌଣସି ଦାନ ମୁଁ ଗ୍ରହଣ କରିବାକୁ ଚାହେନା । ତା’ର ଯାହା ପ୍ରାପ୍ୟ କାଣିକଉଡ଼ି ପର୍ଯ୍ୟନ୍ତ ହିସାବ କରି ରଖିଛି । ସେ ବର୍ତ୍ତମାନ ବିଷଣ୍ଣ ଦେଖାଯାଉଛି । ମଝିରେ ମଝିରେ ମୁଁ ଯେତେବେଳେ ତା’ ପାଖଦେଇ ଚାଲିଯାଏ, ଶପଥ କରି କହିପାରେ ତା’ର ଆଖିରେ ଝରେ ଅଶ୍ରୁର ଝରଣା । ଝିଅଟି ପ୍ରକୃତରେ ମୋତେ ଭଲପାଇ ବସିଥିଲା । ମୁଁ ବେଶ୍‌ ବୁଝିପାରିଲି ସିଏ ମୋର ପ୍ରେମରେ ନିମଜ୍ଜିତ ହୋଇ ପଡ଼ିଥିଲା । ଘଣ୍ଟା ଘଣ୍ଟା ଧରି ଶୂନ୍ୟ ଦୃଷ୍ଟିରେ ସେ ଛାତ ଉପରେ ବସି ରହୁଥିଲା । ମୁଁ ଅନେକ ସମୟରେ ତା’ ସହିତ ଯାଉଥିଲି, କାରଣ ସେ ମୋର ସାହଚର୍ଯ୍ୟରେ ଉତ୍‌ଫୁଲ୍ଲ ହୋଇପଡ଼ୁଥିଲା ଏବଂ ମୁଁ ତା’ର ବିଷଣ୍ଣ ମୁହଁ ଦେଖିବା ପାଇଁ ଚାହୁଁ ନ ଥିଲି । ଚାହୁଁ ନ ଥିଲି ସେ ଏମିତି ପ୍ରତୀକ୍ଷା କରି ବସି ରହୁ । ଏ ସମସ୍ତ ମୋ ନିକଟରେ ଥିଲା ଅସହ୍ୟ । ଏମିତି ଏକାକିନୀ କ’ଣ ସେ ଭାବୁଥାଏ କେଜାଣି ? ମନେ ମନେ ଭାବେ ଦିନେ ସିଧା ଯାଇ ଯଦି ତା’ ହାତରେ ହଜାର ଫାର ନୋଟ ଗେଞ୍ଜି ଦିଏ । ଯେତେବେଳେ ବିଷାଦାର ପ୍ରତିମୂର୍ତ୍ତି ପରି ସେ ବସି ରହିଥାଏ, ସେ ସମୟରେ ପହଞ୍ଚି କୁହେ, ଦେଖ–ତୁମେ ଏମିତି ଆଚ୍ଛନ୍ନ ହୋଇ ବସିଛ କାହିଁକି ?

 

ଅନେକ ସମୟ ଆମେ ଯେତେବେଳେ ଗୋଟାଏ ବିଛଣାରେ ଶୋଇ ରହୁ ସେହି ସୁଦୀର୍ଘ ନୀରବତାର ମୁହୂର୍ତ୍ତରେ ସେ ମୋତେ କହି ଉଠେ–‘ତମେ ଏତେ ଉଦ୍‌ବିଗ୍ନ ହୋଇପଡ଼ୁଛ କାହିଁକି ? ପ୍ରେମର ଇୟେ ଏକ ବିଚିତ୍ର ଗତି । ସେ ଯେତେବେଳେ ମୋ ପାଖରୁ ଚାଲିଯାଉଥିଲା ସେତେବେଳେ ଉତ୍ତାଳ ହୋଇ ଘଣ୍ଟା ବାଜୁଥିଲା । ମୁଁ ତକିଆରେ ମୁଣ୍ଡ ଦେଇ ଶୋଇ ରହି ସେ ଦେଇଯାଇଥିବା ମିଠା ସିଗାରେଟ୍‌ ଟାଣୁଥିଲି । ମୋର ଟିକିଏ ବି ହଲଚଲ ହେବାର ପ୍ରୟୋଜନ ନ ଥିଲା । ସମ୍ଭବ ହେଲେ ସେ ନିଶ୍ଚୟ ଖଟ ପାଖରେ ଗ୍ଳାସେ ଥଣ୍ଡା ପାଣି ଢାଳି ରଖିଦେଇ ଯାଆନ୍ତା, ଦିଆସିଲି, ଆଲାରାମ କ୍ଳକ ସବୁ କିଛି । ଯନ୍ତ୍ର ସହକାରେ ମୋର ଇସ୍ତ୍ରିକରା ଟ୍ରାଉଜର, ହ୍ୟାଟ୍‌, କୋଟ୍‌ ଇତ୍ୟାଦି ଦୁଆର ପାଖ ଆଲନାରେ ଟଙ୍ଗେଇ ଦେଇଯାଉଥିଲା । ସବୁ ପଦାର୍ଥ ଆପଣା ସ୍ଥାନରେ, ହାତ ପାହାନ୍ତାରେ । ଏମିତି ଏକ ନାରୀ ପାଇବା ଏବଂ ମୂଲ୍ୟବାନ ରତ୍ନ ପାଇବା ସମାନ–ଆଉ ସବୁଠାରୁ ତା’ର ମଧୁର ଅନୁଭୂତି ଦୀର୍ଘସ୍ଥାୟୀ ହୋଇ ରହୁଥିଲା । ସେ ଏକ ରହସ୍ୟମୟ ଅନୁଭୂତି–ଆଉ ମରମୀ ହେବାର ଅର୍ଥ ଜୀବନରେ ଐକ୍ୟ ଅନୁଭବ କରିବା । ମୁଁ ସାଧୁ କି ସାଧୁ ନୁହେଁ ସେ ସମ୍ପର୍କରେ ଆଉ ମୁଣ୍ଡ ଖେଳାଉ ନାହିଁ । ସାଧୁ ବ୍ୟକ୍ତିର ଲଢ଼େଇ ଅନେକ ବେଶୀ-। ମୋ ମଧ୍ୟରେ ଆଉ କୌଣସି ପ୍ରତିକୂଳ ଭାବନା ନାହିଁ । ବର୍ତ୍ତମାନ ମୁଁ ମରମୀ । ମୁଁ ଯାହା ସତ୍‌, ଶାନ୍ତିମୟ ଓ କଲ୍ୟାଣକର ତାହା ବିତରଣ କରୁଛି । ମୁଁ କ୍ଳଡ ପାଇଁ ବର୍ତ୍ତମାନ ଅନେକ ଗ୍ରାହକ ଯୋଗାଡ଼ କରିଆଣେ । ତା’ର ମୁହଁରେ ଆଉ ସେ ବିଷଣ୍ଣ ଭାବ ନାହିଁ । ଆମେ ଦୁହେଁ ପ୍ରତ୍ୟହ ପ୍ରାୟ ଏକତ୍ର ଖିଆପିଆ କରୁ । ସେ ମୋତେ ନେଇ ବ୍ୟୟବହୁଳ ସ୍ଥାନକୁ ଯିବା ପାଇଁ ଜିଦ୍‌ କରେ । ତହିଁରେ ଯଦି କ୍ଳଡ ଖୁସି ହୁଏ ହେଉ.... ।

 

ତୁମେ ଏତେ ବିଷଣ୍ଣ କାହିଁକି ? ପ୍ରଥମେ ମୁଁ କିଛି କହିଲି ନାହିଁ । କିଞ୍ଚିତ ସଙ୍କୋଚବୋଧ ହେଉଥିଲା । ଅନ୍ତତଃ ମୁଁ ସେୟା ଅନୁଭବ କରୁଥିଲି । ପ୍ରକୃତରେ ଚମତ୍କାର । ଦ୍ୱିତୀୟ ଥର ବେଳକୁ ବୋଧହୁଏ କିଛି ଇତସ୍ତତଃ ଭାବ ଆସିଥିଲା କିମ୍ୱା ଅସତର୍କତା ? ଯାହାହେଉ ସେ କିଛି ନୁହେଁ; କହିବାର କିଛି ନାହିଁ । ଦ୍ୱିତୀୟ ତୃତୀୟଥର ବେଳକୁ ମୁଁ ବୋଧହୁଏ କିଛି ବିଶ୍ୱାସଘାତକ କରିଛି ।

 

ମୁଁ ଦିନେ ରାତିରେ ମାତାଲ ଅବସ୍ଥାରେ ବୁଲଭାର୍ଦ ଉପରେ ଉଠିଥିଲି, ଗୋଟାଏ ମୋଟାସୋଟା ସ୍ତ୍ରୀ ଲୋକ ଯାହାକୁ ମୁଁ ଘୃଣା କରେ, ମୋତେ ଆସି ଧଇଲା । କୁତ୍ସିତ ଘଟଣା । ପ୍ରତି ମିନିଟରେ ଆମ କବାଟରେ ରାତିର ଅତିଥିମାନେ ସଙ୍କେତ ଦେଇ ଯାଉଛନ୍ତି । ଦେହ ବ୍ୟବସାୟିନୀ ସ୍ତ୍ରୀଲୋକ, ତିରିଶ ଫ୍ରାଁ ପାଇଲେ ହିଁ ସନ୍ତୁଷ୍ଟ । ୟେ ସେହି ସ୍ତ୍ରୀଲୋକ । ଭାରି ମଜାଦାର ସେ ରାତି । ଏହାପରେ ଦିନେ ଦି’ଦିନ ଯିବା ମାତ୍ରକେ ହିଁ ଆରମ୍ଭ ହେଲା ଅସହ୍ୟ ଜ୍ୱାଳା, ଉଦ୍‌ବେଗ, ଆମେରିକାନ୍‌ ହସପିଟାଲକୁ ବାରମ୍ୱାର ଦଉଡ଼ିବା । ଖୁବ୍‌ ଭୟ ହୋଇଥିଲା । ଯାହାହେଉ ଶେଷରେ ମନେହେଲା କିଛି ନୁହେଁ, ଏକ ଉଦ୍‌ବେଗ ମାତ୍ର ।

 

ଏ ଘଟଣାଟି ଯେତେବେଳେ କ୍ଳଡକୁ କହିଲି ସେ ବିସ୍ମିତ ହୋଇ ମୋତେ ଚାହିଁଲା । ମୁଁ କହିଥିଲି ‘ମୁଁ ଜାଣେ ତୁମେ ମୋତେ ବିଶ୍ୱାସ କର କ୍ଳଡ’ କିନ୍ତୁ–

 

ଏ ସବୁ ଘଟଣାରେ କ୍ଳଡ ମୁହୂର୍ତ୍ତ ସୁଦ୍ଧା ଅପଚୟ କରିବାକୁ ଚାହେନା । ଜାଣିଶୁଣି କୌଣସି ସ୍ତ୍ରୀ ଲୋକ ଅଙ୍ଗରେ ଯିଏ ବ୍ୟାଧିର ସଞ୍ଚାର କରିବ ସେ ଦୁବୃର୍ତ୍ତ । ଅନ୍ତତଃ କ୍ଳଡ ସେହି ଆଖିରେ ଘଟଣାଟିକୁ ଦେଖିଲା । ସେ କହିଲା ‘ସତ କହୁଛ ?’

 

ମୁଁ ଉତ୍ତର ଦେଲି ‘ସତକଥା ।’ ଯାହାହେଉ ଘଟଣାଟା ଚାପା ପଡ଼ିଗଲା । ଯେଉଁ ମଣିଷ ଏହି କାମ କରିଥାଉନା କାହିଁକି ସେ ନିଶ୍ଚୟ ଦୁବୃର୍ତ୍ତ । ପ୍ରତ୍ୟହ ସକାଳେ ମୁଁ ଯେତେବେଳେ ପାରାଫିନ୍‌ ତେଲ ବ୍ୟବହାର କରୁଥିଲି ସେତେବେଳେ ତା’ ସହିତ ଗୋଟାଏ କମଳାଲେମ୍ୱୁ ମିଶେଇ ନେଉଥିଲି–ଭାବୁଥିଲି ଜାଣିଶୁଣି ଯେଉଁମାନେ ସ୍ତ୍ରୀ ଅଙ୍ଗରେ ଏହି ବିଷ ସଞ୍ଚାରିତ କରନ୍ତି ସେମାନେ ଅପରାଧୀ । ପାରାଫିନ ତେଲରେ ଚାମଚଟା ବଡ଼ ଖସରା ହୋଇପଡ଼େ, ଭଲଭାବରେ ପରିଷ୍କାର କରିନେବା ଦରକାର । ମୁଁ ଛୁରୀ, କଣ୍ଟା, ଚାମୁଚ ପ୍ରଭୃତି ବେଶ୍‌ ଭଲଭାବରେ ଧୋଇ ନେଉଥିଲି ବେଶ୍‌ ସତର୍କତା ସହିତ–ଏହା ମୋର ପୁରାତନ ଅଭ୍ୟାସ । ମୁହଁ ପୋଛିସାଇଲେ ଟାଓ୍ୱାଲକୁ ନିରୀକ୍ଷଣ କରୁଥିଲି । ହୋଟେଲବାଲା ସପ୍ତାହକରେ ତିନିଖଣ୍ଡରୁ ବେଶୀ ଟାଓ୍ୱାଲ ଦେଉ ନ ଥିଲା । ମଙ୍ଗଳବାର ଭିତରେ ସବୁ ମଇଳା ହୋଇ ଯାଉଥିଲା । ମୁଁ କଣ୍ଟାଚାମୁଚ ତକ ଗୋଟିଏ ଟାଓ୍ୱାଲରେ ପୋଛି ବିଛଣା ଚାଦରରେ ମୁହଁ ପୋଛୁଥିଲି ।

 

ହିପ୍ଳେଲୟେଟ ମାନଡ୍ରନର ରାସ୍ତାଟା ମୋ ନିକଟରେ ଅତି କଦର୍ଯ୍ୟ ମନେହେଉଥିଲା । ଯେତେ ସବୁ ଅପରିଷ୍କାର, ଶୀର୍ଣ୍ଣ, ଅଙ୍କାବଙ୍କା ଗଳି ରାସ୍ତା ଥିଲା ମୋର ଦୁଇ ଆଖିରେ ବିଷ, ବିଶେଷ ଭାବରେ ତା’ର ନାମଟା ଯଦି ରୋମାଣ୍ଟିକ । ପ୍ୟାରିସ୍‌ ମୋ ପାଖରେ ମନେହେଉଥିଲା ଗୋଟାଏ ବିରାଟ କ୍ଷତ । ସମସ୍ତଙ୍କର କିଛି ନ ହେଲେ ବି ସିଫ୍‌ଲିସ ରହିଛି । ସମଗ୍ର ୟୁରୋପ ବ୍ୟାଧିରେ ଆକ୍ରାନ୍ତ ଆଉ ଏହି ଫ୍ରାନ୍‌ସ ୟୁରୋପକୁ ଦେଇଛି ଏହି ବ୍ୟାଧି । ଭଲଟାୟାର ର‍୍ୟାବେଲାକୁ ଶ୍ରଦ୍ଧା କରିବାର ଏହି ଫଳ । ମୋର ମସ୍କୋ ଯିବା ଉଚିତ ଥିଲା । ପୂର୍ବେ ସେହି ବାସନା ଥିଲା । ରୁଷିଆରେ ଯଦି ରବିବାର ନାହିଁ ତହିଁରେ କିଛି ଯାଏ ଆସେନା । ବର୍ତ୍ତମାନ ମୋ ପକ୍ଷରେ ରବିବାର ଯାହା ଅନ୍ୟବାର ବି ଠିକ୍‌ ସେୟା–କେବଳ ରାସ୍ତାର ଭିଡ଼ଟା ରବିବାରରେ ଟିକିଏ ବେଶୀ । ଅନେକ ବେଶୀ ବ୍ୟାଧିଗ୍ରସ୍ତ ମଣିଷ–ପରସ୍ପରକୁ ରୋଗଯୁକ୍ତ କରନ୍ତି । ମହା ସଂକ୍ରମଣ । ମନେରଖନ୍ତୁ ମୁଁ କ୍ଳଡର କୌଣସି କଥା କହୁ ନାହିଁ । କ୍ଳଡ ଗୋଟାଏ ଅମୂଲ୍ୟ ରତ୍ନ । ତା’ ଭିତରେ ବେଶ୍ୟାର ସତ୍ତା ଆଦୌ ନାହିଁ । ଝରକା ବାହାରେ ଗୋଟାଏ ପଞ୍ଜୁରୀ । ଫୁଲ ବି କିଛି ରହିଛି, ତଥାପି ମାଡ୍ରିଡ୍‍ ବା ସେଭାଇଲ ନୁହେଁ–ଝର ନାହିଁ.....ପାରାବତ ନାହାନ୍ତି ।

 

ନା, ପ୍ରତିଦିନି କ୍ଳିନିକକୁ ଯିବାକୁ ପଡ଼େ । ସେ ଗୋଟାଏ ରାସ୍ତାରେ ପଶେ, ମୁଁ ଆଉ ଗୋଟାଏ ରାସ୍ତାରେ । ଆଉ ସେ ବ୍ୟୟବହୁଳ ହୋଟେଲକୁ ଯାତାୟତ ନାହିଁ । ମନର ଜ୍ଜାଳା ମେଣ୍ଟାଇବା ପାଇଁ ଏକମାତ୍ର ଉପାୟ ସିନେମା । ଡୋମ୍‌ର ଦୃଶ୍ୟ ବି ଆଉ ଭଲ ଲାଗୁ ନାହିଁ ।

 

ଏହି ସବୁ ମଣିଷ କେମିତି ପରିଚ୍ଛନ୍ନ ଭାବରେ ଆଳିନ୍ଧମାନଙ୍କରେ ବସି ରହିଛନ୍ତି, କେମିତି ସ୍ୱାସ୍ଥ୍ୟବାନ୍‌ ଫିଟ୍‌ଫାଟ୍‌, ଦେହରେ ଓଡ଼ିକୋଲନର ଗନ୍ଧ । କ୍ଳଡର ସେମିତି କିଛି ଦୋଷ ନାହିଁ-। ମୁଁ ତା’କୁ ଏହି ଭଦ୍ର ମୁଖାଧାରୀ ମଣିଷମାନଙ୍କ ସମ୍ୱନ୍ଧରେ ସାବଧାନ ହେବାକୁ କହିଥିଲି । କିନ୍ତୁ ତା’ର ଆତ୍ମବିଶ୍ୱାସ ଥିଲା, ଇଞ୍ଜେକ୍‌ସନ ଇତ୍ୟାଦି ଆନୁସଙ୍ଗିକ ମାତ୍ର । ତା’ପରେ ଯେ କୌଣସି ବ୍ୟକ୍ତି କିଛି–

 

ଯାହା ହେଉ ଘଟଣାଟି ଘଟିଲା । ବେଶ୍ୟା ସହିତ ବସବାସ କରିବା ଅର୍ଥ ଗୋଲାପ ଶଯ୍ୟାରେ ଶୟନ କରିବା ନୁହେଁ । ଲୋକମାନଙ୍କ ସଂଖ୍ୟାଟା ଏଠି ଅବାନ୍ତର, ତା’କୁ ସହ୍ୟ କରିହୁଏ; କିନ୍ତୁ ସେହି ସ୍ୱାସ୍ଥ୍ୟ ସଂକ୍ରାନ୍ତ ଘଟଣା, ସତର୍କତାମୂଳକ ନିୟମ, ନିଷେଧ, ପ୍ରତିଷେଧକ ପରୀକ୍ଷା କରେଇବାର ଉଦ୍‌ବେଗ ଓ ଆତଙ୍କ ଅସହ୍ୟ । ମୁଁ କିନ୍ତୁ କ୍ଳଡକୁ କହିଥିଲି ଏହିସବୁ ବଡ଼ ଲୋକ କ୍ୟାପଟେନମାନଙ୍କ ସମ୍ୱନ୍ଧରେ ସାବଧାନ ।

 

ନା, ଯାହାସବୁ ଘଟିଗଲା ସେ ସମ୍ୱନ୍ଧରେ ମୁଁ ସମ୍ପୂର୍ଣ୍ଣ ଦୋଷୀ । କେବଳ ସାଧୁ ହୋଇ ସନ୍ତୋଷ ନ ହୋଇ ମୁଁ ପ୍ରମାଣ କରିବାକୁ ଚେଷ୍ଟା କରିଥିଲି ଯେ ମୁଁ ସାଧୁ ! ମଣିଷ ଯେଉଁ ମୁହୂର୍ତ୍ତରେ ବୁଝିପାରେ ଯେ, ସେ ସାଧୁ ହୋଇଯାଇଛି ତା’ର ଅନ୍ୟତ୍ର ରହିବା ଉଚିତ । ସାମାନ୍ୟ ଗଣିକା ପାଖରେ ସାଧୁତା ପ୍ରଦର୍ଶନ କରିବା ଅର୍ଥ ପଛପଟ ଦୁଆର ଦେଇ ସ୍ୱର୍ଗାରୋହଣର ଚେଷ୍ଟା କରିବା । ସେ ଯେତେବେଳେ ମୋତେ ଆଦର କରୁଥିଲା ସେତେବେଳେ ସେ ମୋତେ ପୂର୍ବାପେକ୍ଷା ବି ବେଶୀ ଭଲ ପାଉଥିଲା । ମୁଁ ଯେମିତି ଏକ ମାଇକ୍ରୋବ୍‌–ଜୀବାଣୁ ଭଳି ସଞ୍ଚାରିତ ତା’ର ଶରୀର ଆତ୍ମାରେ । ମୁଁ ଅବଶ୍ୟ ଭାବୁଥିଲି ଯେ, ଯଦିଓ ଜଣେ ଦେବଦୂତୀ ସହିତ ବାସ କରୁଛି ତଥାପି ଅନ୍ତତଃ ନିଜକୁ ମଣିଷ ଭାବରେ ଗଢ଼ିପାରେ । ଏହି ପଙ୍କିଳ କୂପରୁ ବାହାରି ସୂର୍ଯ୍ୟାଲୋକରେ ଯାଇ ଅଳ୍ପ ପ୍ରକାଶ କରିପାରେ । ଯେଉଁଠି ଆଲୋକ ରହିଛି, ଯେଉଁଠି ଘରର ଝରକା ଦେଇ ନଦୀ ଦେଖାଯାଏ, ଫୁଲ ଫୁଟେ, ଯେଉଁଠି ଜୀବନ ଚଳମାନ ଓ ଚଞ୍ଚଳ ଏବଂ କେବଳ ସେ ଆଉ ମୁଁ....ଆଉ କିଛି ନୁହେଁ, ଆଉ କେହି ନୁହେଁ । କେବଳ ଆମେ ଦୁହେଁ ଜୀବନ ତରଙ୍ଗରେ ପ୍ରବାହମାନ-

Image

 

ଉପପତିର ଉପକଥା

 

ସୁନ୍ଦରୀ ଯୁବତୀ ଥେରେସାର ବିବାହ ହୋଇଥିଲା ଜଣେ ଦୁର୍ବଳ ହୃତ୍‌ବୀର୍ଯ୍ୟ ଯୁବକ ସହିତ । ବିବାହ ଓ ବିବାହିତ ଜୀବନ କାହାକୁ କୁହାଯାଏ ତାହା ଥେରସା ଜାଣି ନ ଥିଲା । କିନ୍ତୁ ତା’ର ସେହି ନିସ୍ତରଙ୍ଗ ଯୌବନ ସାଗରରେ ଦେଖାଦେଲା ଅସ୍ଥିର ତରଙ୍ଗ । ଦିନେ ତା’ ଜୀବନ ଉପବନରେ ଗୁଞ୍ଜନ ତୋଳି ଆବିର୍ଭାବ ହେଲା ତା’ର ସ୍ୱାମୀର ବାଲ୍ୟବନ୍ଧୁ ଲରେଁରା । ଶରୀର ଉପବନରେ ସେଦିନ ମଞ୍ଜରୀ ଉଠିଥିଲା ବହୁ ସୁରଭିତ କୁସୁମ କଳିକା; ଥେରେସାର ସ୍ୱାମୀ ନେଇ ଆସିଥିଲେ ସେହି ବିରାଟ ଶକ୍ତିମାନ ପୁରୁଷକୁ । ତା’ପରେ ଆରମ୍ଭ ହେଲା ଅବୈଧ ପ୍ରେମଲୀଳାର ସୂତ୍ରପାତ । ପ୍ରେମିକ ଯୁଗଳ ଲମ୍ଫଦେଇ ଜୀବନ ଓ ପ୍ରେମର ଅତଳ ସାଗର ଗର୍ଭରେ ।

 

ସେଇ ଯେ ଅବିସ୍ମରଣୀୟ ସନ୍ଧ୍ୟା, କାମିଲସ ସହିତ ପ୍ରଥମେ ଲରେଁ ଆସିଥିଲେ ଥେରସାର ବାସଭବନକୁ । ତା’ପରଠାରୁ ସେ ର‍୍ୟାକୁଇମାନଙ୍କର ଏହି ପରିବାରକୁ ପ୍ରାୟ ପ୍ରତିଦିନ ଆସିବାକୁ ଲାଗିଲେ । ଲରେଁ ବସବାସ କରୁଥିଲେ ମଧ୍ୟ ବନ୍ଦର ନିକଟରେ ରୁଁ ସାଁ ଭିତରେ । ଛୋଟ ଘର । ଭଡ଼ା ମାସିକ ପ୍ରାୟ ଅଠର ଫ୍ରାଁ । ଛୋଟ ରୁମ୍‌ଟି ଏକାବେଳକେ ଛାତ ଉପରେ । ଛାତରେ ଗୋଟାଏ ମାତ୍ର ସ୍କାଇଲାଇଟ ! ତା’ରି ଭିତର ଦେଇ ଘରେ ଆଲୁଅ ଆସି ପଡ଼େ । ରୁମ୍‌ଟିର ଆୟତନ ଖୁବ୍‌ ବେଶି ହେଲେ ଅଠର ଫୁଟ ଲମ୍ୱା ଆଉ ଚଉଡ଼ା ଠିକ୍‌ ଘୁଷୁରି ଖୁଆଡ଼ ଭଳି । ଏଣୁ ଲରେଁ ଯେତେଦୂର ସମ୍ଭବ ବିଳମ୍ୱରେ ଫେରୁଥିଲେ । କ୍ୟାମିଲସ୍‌ ସହିତ ଦେଖାହେବା ପୂର୍ବରୁ କାଫେକୁ ଯିବାପାଇଁ ପର୍ଯ୍ୟାପ୍ତ ଅର୍ଥର ଅଭାବ ଥିବାରୁ ରାତିରେ ଗୋଟାଏ ଛୋଟ ରେସ୍ତୋରାଁରେ ନୈଶ ଭୋଜନ ଶେଷକରି ନେଉଥିଲେ ଆଉ କଫି କପ୍‌ଟି ସାମନାରେ ଥୋଇ କେବଳ ପାଇପ୍‌ ଟାଣିଯାଉଥିଲେ । କଫିର ଦାମଥିଲା ମାତ୍ର ତିନି ପଇସା । ତା’ପରେ ଧୀରେ ଧୀରେ ଫେରୁଥିଲେ ରୁଁ ସାଁ ଭିକ୍‌ତକୁ । ଗଳି ଉପଗଳିରେ ବୁଲାବୁଲି କରି, ପବନ ଗରମ ଥିଲେ ବେଳେ ବେଳେ ବେଞ୍ଚରେ ବସି ବିଶ୍ରାମ ନେଉଥିଲେ ।

 

ପ୍ୟାସେ ଦ୍ୟୁ ପା ନେଉଫ ତା’ ପାଖରେ ଥିଲା ଏକ ଚମତ୍କାର ଆଶ୍ରୟ । ଉଷ୍ଣ, ଶାନ୍ତ; ଏହାବ୍ୟତୀତ ଥିଲା ବନ୍ଧୁତ୍ୱପୂର୍ଣ୍ଣ ସହୃଦୟତା । ଯେଉଁ ତିନି ପଇସାର କଫି ପାନ କରାଯାଉଥିଲା ସେହି ପଇସାଟା ବଞ୍ଚେଇ ମାଦାମ ର‍୍ୟାଁକୁର ଚମତ୍କାର ଚା’ ପାନ କରିବା ଯଥେଷ୍ଟ ଭଲ । ଲରାଁ ରାତି ଦଶଟା ପର୍ଯ୍ୟନ୍ତ ବସିରହି ଆରାମରେ ଘୁମେଇ ନେଉଥିଲେ । ଦୋକାନ ବନ୍ଦ କରିବାରେ କ୍ୟାମିଲସକୁ ସାହାଯ୍ୟ କରି ଘରକୁ ଫେରୁଥିଲେ । ଦିନେ ଲରାଁ ଇଜେଲ ରଙ୍ଗ ବାକ୍‌ସ ପ୍ରଭୃତି ନେଇ ଆସି ରୀତିମତ ତୋଡ଼ ଯୋଡ଼ ଆରମ୍ଭ କରିଦେଲେ । ତା’ ପରଦିନଠାରୁ ଆରମ୍ଭ ହେଲା କ୍ୟାମିଲସର ପୋଟ୍ରେଟ ଅଙ୍କନ । ଶେଷ ପର୍ଯ୍ୟନ୍ତ, ସ୍ଥିର ହେଲା ଶିଳ୍ପୀ ସେମାନଙ୍କ ଶୟନ କକ୍ଷରେ ବସି ଛବି ଆଙ୍କିବେ । କହିଲେ ଏହି ଘରେ ହିଁ ପ୍ରଚୁର ଆଲୋକ ମିଳିବ ।

 

ମୁହଁର ସ୍କେଚ କରିବା ପାଇଁ ତିନୋଟି ସନ୍ଧ୍ୟା ଅତିବାହିତ ହୋଇଗଲା । କାନଭାସ୍‌ ଉପରେ ଅତିଶୟ ସତର୍କତା ସହକାରେ ସେ ଚାର୍‌କୋଲ ବ୍ୟବହାର କରିବାକୁ ଲାଗିଲେ । ଅତି ସୂକ୍ଷ୍ମ ଭାବରେ ମୁହଁର ବହିଃରେଖା ଅଙ୍କିତ ହେଲା । ଲରାଁର ଡ୍ରଇଁ ବେଶ୍‌ କଠିଣ ପଦ୍ଧତିର, ଆଦିମକାଳର ଶିଳ୍ପୀମାନଙ୍କର ପଦ୍ଧତି ସ୍ମରଣ କରେଇ ଦିଏ । ଏମିତି ଭାବରେ ସେ କ୍ୟାମିଲସର ମୁହଁଟି ଷ୍ଟଡି କରିବାକୁ ଲାଗିଲେ ଯେ ମନେହେଲା ଯେମିତି ବିଚଳିତ ଭଙ୍ଗୀରେ ନଗ୍ନିକାର ଦେହ ବିଭଙ୍ଗ ଅଙ୍କନ କରାଯାଉଛି । ଏକାବେଳକେ ନିଖୁଣ ପ୍ରତିମୂର୍ତ୍ତି କରିବାକୁ ଯାଇ ମୁହଁଟିରେ ଅତିରିକ୍ତ ଗାମ୍ଭୀର୍ଯ୍ୟ ଫୁଟି ଉଠିଲା । ଚତୁର୍ଥଦିନ ରଙ୍ଗ ପାତ୍ରରେ ଛୋଟ ଛୋଟ ରଙ୍ଗର କଣିକା ରଖି ବ୍ରସ୍‌ରେ ମୁଣ୍ଡ ପାଖରୁ ପେଣ୍ଟିଂ ଆରମ୍ଭ ହେଲା । କ୍ୟାନଭାସ୍‌ ଉପରେ ଦିଆହେଲା ଇତସ୍ତତଃ ରଙ୍ଗ । କୌଣସି କୌଣସି ସ୍ଥାନରେ ଛୋଟ ଓ ଘନ ଛାପ ରଖିଲେ, ଯେମିତି ପେନ୍‌ସିଲ ବ୍ୟବହାର କରାଯାଇଛି ।

 

ପ୍ରତିଟି ସିଟିଂ ପରେ ମାଦାମ ର‍୍ୟାଁକୁ ଓ କ୍ୟାମିଲସ ଆତ୍ମହରା ଉଚ୍ଛ୍ୱାସ ପ୍ରକାଶ କରୁଥିଲେ । ଲରାଁ କହୁଥିଲେ ଟିକିଏ ଅପେକ୍ଷା କରନ୍ତୁ, ଠିକ୍‌ ପ୍ରତିଲିପି ଫୁଟିଉଠିବ ।

 

ପୋଟ୍ରେଟ ଆରମ୍ଭ ହେବା ପରେ ଥେରେସା ସଦାସର୍ବଦା ଶୟନ କକ୍ଷରେ ରହୁଥିଲା । ସେହି ଘରଟା ଷ୍ଟୁଡିଓରେ ରୂପାନ୍ତରିତ ହୋଇ ପଡ଼ିଥିଲା । ମାଉସୀକୁ କାଉଣ୍ଟରରେ ଏକାକୀ ଛାଡ଼ି ଦେଇ ସାମାନ୍ୟତମ ଛଳନା କରି ସେ ଉପରକୁ ଉଠିଆସି ଲରାଁର ଛବି ଆଙ୍କିବା ଆତ୍ମହରା ହୋଇ ଦେଖୁଥିଲା ।

 

ଥେରସା ସଦାସର୍ବଦା ଗମ୍ଭୀର, ନିପୀଡ଼ିତ, ରକ୍ତହୀନ ଆଉ ପୂର୍ବାପେକ୍ଷା ବି ଅନେକ ଶାନ୍ତ । ସେ ନୀରବରେ ବସି ରହି ଲରାଁର ତୁଳୀର କାରୁକାର୍ଯ୍ୟ ଲକ୍ଷ୍ୟ କରୁଥିଲା । ଏହି ଦୃଶ୍ୟ ଯେ ତା’ର କୌଣସି ପ୍ରକାରର ଚିତ୍ତବିନୋଦନ କରୁଥିଲା ସେ କଥା ନୁହେଁ, ସେ ଯେମିତି କୌଣସି ଏକ ଅଦୃଶ୍ୟ ଶକ୍ତିଦ୍ୱାରା ଚାଳିତ ହୋଇ ଏଠିକି ଚାଲି ଆସୁଥିଲା । ତା’ପରେ ସ୍ଥାଣୁ ଭଳି ବସି ରହୁଥିଲା । ଲରାଁ ମଝିରେ ମଝିରେ ପଛକୁ ଚାହିଁ ଦେଖୁଥିଲେ । ଜାଣିବାକୁ ଚାହୁଁଥିଲେ ପୋଟ୍ରେଟ୍‌ କେମିତି ଲାଗୁଛି । କଦାଚିତ ଉତ୍ତର ଦେଇପାରୁଥିଲା ଥେରେସା । ତା’ ଶରୀରରେ ଦୃଷ୍ଟି ଦେଉଥିଲା କମ୍ପନ, ତା’ପରେ ସମାଧିସ୍ଥ ହୋଇପଡ଼ୁଥିଲା । ପ୍ରତି ରାତ୍ରରେ ରୁଁ ସାଁ ଭିକ୍‌ତର ଆଡ଼କୁ ଗଲାବେଳକୁ ରାସ୍ତାରେ ଲଁରା ଦୀର୍ଘ ସ୍ୱଗୋତୋକ୍ତି କରୁଥିଲେ । ମନେ ମନେ ସେ ତର୍କ କରୁଥିଲେ ଥେରେସାର ପ୍ରେମିକ ସେ ହେବେ କି ନା ।

 

ଲରାଁ ମନକୁ ଆଶ୍ୱାସନା ଦେଉଥିଲା–ମୋର ଯେତେବେଳେ ଇଚ୍ଛା ହେବ, ସେତେବେଳେ ଏହି କ୍ଷୀଣାଙ୍ଗୀ ନାରୀ ମୋର ରକ୍ଷିତାରେ ପରିଣତ ହୋଇଯିବ । ସଦାସର୍ବଦା ସେ ମୋ ପଛରେ ରହିଥାଏ, ମୋ ପ୍ରତି ଦୃଷ୍ଟିରଖେ, ହିସାବ ନିକାଶ କରେ । ଥରି ଥରି ଉଠେ । ତା’ ଆଖିରେ କେମିତି ଏକ ଆଶ୍ଚର୍ଯ୍ୟ ଦୃଷ୍ଟି, ବାଣୀହୀନ, ଅଥଚ ଆବେଗମୟ । ଝିଅଟିର ଜଣେ ପ୍ରେମିକର ପ୍ରୟୋଜନ । ଆଖି ଦେଖିଲେ ହିଁ ସ୍ପଷ୍ଟ ବୁଝାପଡ଼େ କ୍ୟାମିଲସଟା ତା’ ପାଖରେ କିଛି ନୁହେଁ ।

 

ଲରାଁ ନିଃଶବ୍ଦରେ ହସେ, ଝିଅଟିର ରକ୍ତହୀନ ଶୀର୍ଣ୍ଣ ମୁହଁ ମନେପଡ଼େ । ଲରାଁ ମନକୁମନ ଗୀତ ଗାଇଲେ ଝିଅଟି ଦୋକାନର ଅନ୍ଧକାର ମଧ୍ୟରେ ସଢ଼ି ମରୁଛି, ମୁଁ ସେଠିକି ଯାଏ କାରଣ ମୋର ଆଉ କେଉଁଠି ଯିବାର ନାହିଁ, ନହେଲେ ପ୍ୟାସେଜ୍‌ ଦ୍ୟୁନେଉଫ ଆସିପାରିବି ନାହିଁ । ଘରଟା ଥଣ୍ଡା, ସନ୍ତସନ୍ତିଆ–ଏଠି ଯେକୌଣସି ସ୍ତ୍ରୀଲୋକ ମରିଯିବ । ଝିଅଟିକି ମୋତେ ଖୁବ୍‌ ଭଲଲାଗେ । ମୁଁ ଏ ବିଷୟରେ ନିଶ୍ଚିତ । ତେବେ ତା’ ଜୀବନରେ ଅନ୍ୟ ଯେ କୌଣସି ପୁରୁଷ ଆସିବା ପୂର୍ବରୁ ମୁଁ କାହିଁକି ଆଗେଇ ନ ଯିବି । ଟିକିଏ ରହିଯାଇ ନିଜର ଶକ୍ତିମତ୍ତାର ମଧୁର ଚିନ୍ତାରେ ମତ୍ତ ହୋଇ ଲରାଁ କିଛି ସମୟ ଠିଆ ହୋଇ ପ୍ରବାହମାନ ସୀନ ନଦୀର ଇତସ୍ତତଃ ପବନକୁ ଲକ୍ଷ୍ୟ କଲେ ।

 

ସେ କହି ଉଠିଲେ...ବାଃରେ ମୁଁ କାହିଁକି ଆଗେଇ ନ ଯିବି ? ଦିନା ସୁଯୋଗ ଦେଖି ଆଲିଙ୍ଗନ କରି ଚୁମ୍ୱନ କରିବି । ବାଜିରଖି କହିପାରେ ଝିଅଟି ସହଜରେ ମୋ ପାଖରେ ଧରାଦେବ, ଆତ୍ମସମର୍ପଣ କରିବ । ପୁଣି ସେ ଚାଲିବା ଆରମ୍ଭ କରନ୍ତି । ବର୍ତ୍ତମାନ ତ ମୋ ମନରେ ଦ୍ୱିଧାର ଭାବ । ଯାହାହେଉ ଝିଅଟି ସତରେ କୁତ୍ସିତ । ଲମ୍ୱା ନାକ, ଗାଲଟା ବଡ଼, ତା’ ଛଡ଼ା....ଝିଅଟି ପ୍ରତି ମୋ ଟିକିଏ ବୋଲି ଆକର୍ଷଣ ନାହିଁ । ହୁଏତ କୌଣସି ପ୍ରକାର ବିପଦରେ ପଡ଼ିପାରେ । ଭଲ ଭାବରେ ବିବେଚନା କରାଯାଉ । ଲରାଁ ଅତିଶୟ ଚତୁର ମଣିଷ, ତେଣୁ ସେ ଏସବୁ ବିଷୟରେ ଚିନ୍ତାକରି ଗୋଟାଏ ସପ୍ତାହ ଅତିବାହିତ କରି ଦେଲେ ଥେରେସା ସହିତ ପ୍ରେମଲୀଳାର ସମସ୍ତ ପ୍ରକାର ସମ୍ୱାଦ ପ୍ରକାର ସମ୍ୱାଦ ବିପଦର କଥା ସେ ଚିନ୍ତାକରି ସ୍ଥିର କଲେ ଯେ ଯେତେବେଳେ ବିପଦର ଝୁଙ୍କି ନିଆଯିବ ସେତେବେଳେ ସ୍ପଷ୍ଟ ବୁଝାପଡ଼ିବ ଯେ, ଏହି ବ୍ୟାପାରରେ ତା’ ତରଫରୁ ପ୍ରକୃତରେ କିଛି ସୁବିଧା ହୋଇପାରିବ ।

 

ତା’ ନିଜ ପକ୍ଷରୁ କଥାଟା ଠିକ୍‌ । ଥେରସା ଦେଖିବାକୁ କୁତ୍ସିତ, ତା’ଛଡ଼ା ଲରାଁ ତାକୁ ମୋଟେ ଭଲପାଏନା, ଅବଶ୍ୟ ପଇସା ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ସାମାନ୍ୟ ଅର୍ଥ ବ୍ୟୟକରି ଯେଉଁସବୁ ନାରୀ କପାଳରେ ଜୁଟିଛନ୍ତି, ସେମାନେ ବା କେଉଁ ସୁନ୍ଦରୀ, ସେମାନେ କେହି ତ ତା’ର ପ୍ରିୟତମା ନୁହଁନ୍ତି । ଅର୍ଥ ଦିଗରୁ ବିଚାର କରି ଲରାଁ ସ୍ଥିର କଲା ବନ୍ଧୁ ପତ୍ନୀଟାକୁ ଗ୍ରହଣ କରାଯାଉ । ତା’ ବ୍ୟତୀତ ସେ ବହୁକାଳରୁ ଯୌନ ଭୁଭୁକ୍ଷୁ ହୋଇ ରହିଛି । ଅର୍ଥ ଅଭାବରେ ତା’କୁ ଉପବାସ କରିବାକୁ ପଡ଼ିଛି । ଯେତେବେଳେ ସୁଯୋଗ ଆସିଛି ସେତେବେଳେ ଇନ୍ଦ୍ରିୟ ସୁଖ ଚରିତାର୍ଥ କରିବା ଶ୍ରେୟ । ପରିଶେଷରେ ସେ ଗଭୀର ଚିନ୍ତାକରି ଦେଖିଲା ଯେ ଏଭଳି ଘଟଣାରେ ବିଶେଷ କୌଣସି କୁଫଳର ସମ୍ଭାବନା ନାହିଁ । ଥେରସା ନିଜର ପ୍ରୟୋଜନରେ ହିଁ ଘଟଣାଟି ଗୋପନ ରଖିବ ଆଉ ସମୟ ଦେଖି ଯେତେବେଳେ ଇଚ୍ଛା ତା’କୁ ଠେଲିଦିଆଯାଇପାରିବ । ଧରାଯାଉ କ୍ୟାମିଲସ ଯଦି ଘଟଣାଟି ଜାଣିପାରି ରଖାରଖି କରେ, ତେବେ ତା’କୁ ସହଜରେ ସାବାଡ କରାଯାଇପାରିବ । ସବୁଦିଗ ବିବେଚନା କରି ଲରାଁ ଦେଖିଲେ ପ୍ରସ୍ତାବଟି ବେଶ୍‌ ସହଜ ସାଧ୍ୟ ।

 

ସେଇ ସମୟରୁ ଲରାଁ ଗୋଟାଏ ସ୍ୱଚ୍ଛନ୍ଦ ଆରାମରେ ଉପଯୁକ୍ତ ମୁହୂର୍ତ୍ତର ଅପେକ୍ଷାରେ ବସି ରହିଲା । ପ୍ରଥମେ ସୁଯୋଗରେ ହିଁ ସେ ବେଶ୍‌ ସାହସର ସହିତ କାମ କରିବ । ଭବିଷ୍ୟତର ମନୋରମ ସନ୍ଧ୍ୟା କଥା ସେ ସ୍ମରଣ କଲା । ର‍୍ୟାଁକୁ ପରିବାର ସମସ୍ତେ ତା’ର ଆନନ୍ଦର ଖିଦ୍‌ମତରେ ବ୍ୟସ୍ତ ହୋଇ ରହିବେ....ଆଉ ମାଦାମର‍୍ୟାଁକୁ ମା’ ଭଳି ଆଦର କରି ସନ୍ଧ୍ୟାଟା ସେମିତି କ୍ଳାନ୍ତିକର ମନେହେବ ନାହିଁ ।

 

ପୋଟ୍ରେଟ୍‌ ଅଙ୍କନ ପ୍ରାୟ ଶେଷ ହୋଇ ଆସିଲା ତଥାପି ସେଭଳି କୌଣସି ସୁଯୋଗ ଆସିଲା ନାହିଁ । ଥେରସା ସଦାସର୍ବଦା ଉପସ୍ଥିତ, ନିପୀଡ଼ିତ ଏବଂ ଅସ୍ୱଚ୍ଛନ୍ଦ । କିନ୍ତୁ କ୍ୟାମିଲସଟା ମୁହୂର୍ତ୍ତକ ପାଇଁ ବି ଘରଛାଡ଼ି ଯାଉନାହିଁ । ଆଉ ଘଣ୍ଟାକ ପାଇଁ ମଧ୍ୟ ତା’କୁ ବାହାରେ ରଖିପାରୁ ନାହିଁ ବୋଲି ଲରାଁ ହତାଶ ହୋଇପଡ଼େ । ମାଦାମ ର‍୍ୟାଁକୁ କହିଲେ ସେମାନେ ଏକତ୍ର ନୈଶ ଭୋଜନ କରି ଶିଳ୍ପୀର ଛବି ପ୍ରତି ସମ୍ମାନ ଜ୍ଞାପନ କରିବେ ।

 

ପରଦିନ ଯେତେବେଳେ ଲରାଁ ଛବିଟିରେ ଶେଷ ସ୍ପର୍ଶ ଦେବାପାଇଁ କାନଭାସଟି ଉପରେ ଶେଷଥର ପାଇଁ ରଙ୍ଗଦେଲା ସେତେବେଳେ ପରିବାରର ଲୋକେ କ୍ୟାମିଲସର ମୁହଁ ଠିକ୍‌ଠିକ୍‌ ପ୍ରତିରୂପ ଛବିଟିରେ ଆସିଥିବାରୁ ଆନନ୍ଦ ପ୍ରକାଶ କରିବାକୁ ଲାଗିଲେ । ଛବିଟି କୁତ୍ସିତ, ଧୂସ୍‌ର ରଙ୍ଗ ଉପରେ ନାଳିଚିଆ ଛାପ । ଲରାଁ ଖୁବ୍‌ ଉଜ୍ଜ୍ୱଳ ରଙ୍ଗଟାକୁ ବି ମିଶାମିଶି ବ୍ୟବହାର କରିଛି । ନିଜର ଅନିଚ୍ଛାସତ୍ତ୍ୱେ ଓ ମଡ଼େଲର ଦେହର ରଙ୍ଗଟାକୁ ସେ ଅତିରଞ୍ଜିତ କରିଛି । କ୍ୟାମିଲସର ମୁହଁଟା ଯେମିତି ଜଳରେ ନିମଗ୍ନ ଗୋଟାଏ ମଣିଷର ମୁହଁଭଳି ସବୁଜ ସବୁଜ ଦେଖାଯାଉଛି । ସ୍କୁଲ ଡ୍ରଇଁ ଫଳରେ ମୁଖାକୃତି ବିକୃତ ହୋଇଛି । ଫଳରେ କ୍ୟାମିଲସ ମୁହଁର ନିଷ୍ଠୁରଭଙ୍ଗୀ ଆହୁରି ସ୍ପଷ୍ଟ ହୋଇଛି । କ୍ୟାମିଲସ କିନ୍ତୁ ଭାରି ଖୁସି । ସେ କହିବାକୁ ଲାଗିଲା ଯେ, ଛବିରେ ସେ ମର୍ଯ୍ୟାଦା ମଣ୍ଡିତ ଦେଖାଯାଉଛି । ନିଜ ମୁଖାକୃତିର ପ୍ରଶଂସା କରି ସେ ଘୋଷଣା କଲେ ଯେ ଦୁଇ ବୋତଲ ସାମ୍ପେନ ଆଣିବା ପାଇଁ ବାହାରକୁ ମାଦାମ ର‍୍ୟାଁକୁ ଦୋକାନକୁ ଚାଲିଗଲେ । ଘରେ ଥେରେସା ଏବଂ ଶିଳ୍ପୀ ଏକା ।

 

ତରୁଣୀ ଥେରେସା ଯେଉଁଠି ଥିଲା ସେଇଠି ଠିଆ ହୋଇ ଶୂନ୍ୟକୁ ଚାହିଁରହିଛି । ସେ ଯେମିତି କମ୍ପୁଛି । ଲରାଁ ଇତସ୍ତତଃ କଲା । ପୋଟ୍ରେଟ ଥେରସା ଚାହିଁଲା, ଲରାଁ ରଙ୍ଗ ଓ ତୁଳୀରେ ହାତ ବୁଲେଇଲା । ବେଶି ସମୟ ହାତରେ ନାହିଁ, କ୍ୟାମିଲସ ବର୍ତ୍ତମାନ ବି ଫେରି ଆସିପାରେ–ଏ ସୁଯୋଗ ଆଉ ଆସି ନପାରେ ।

 

ସହସା ଶିଳ୍ପୀ ବୁଲିପଡ଼ି ଥେରେସାର ସମ୍ମୁଖରେ ଠିଆହେଲେ । କେତୋଟି ମୁହୂର୍ତ୍ତ ଦୁହେଁ ଦୁହିଙ୍କୁ ଚାହିଁ ରହିଲେ ।

 

ତା’ପରେ ତୀବ୍ରବେଗରେ ନଇଁପଡ଼ି ଲରାଁ ତରୁଣୀକୁ ତା’ ବୁକୁ ଉପରକୁ ଟାଣିନେଲେ । ତା’ର ଓଠଟା ନିଜ ଓଠ ଉପରେ ଯେତେବେଳେ ଚାପିଧଇଲେ ସେତେବେଳେ ଥେରସାର ମୁଣ୍ଡ ତା’ କାନ୍ଧ ଉପରେ ଆଶ୍ରୟ ନେଲା । ଗୋଟାଏ ମୁହୂର୍ତ୍ତ ସେ ଉଦ୍ଦାମ, ଉତ୍ତାଳ ହୋଇ ନିଜକୁ ମୁକ୍ତି କରିବାର ଚେଷ୍ଟା କଲା । ତା’ପରେ ସେ ଚଟାଣରେ ଶୋଇପଡ଼ିଲା । ଦୁହିଙ୍କ ମୁହଁରେ ଭାଷା ନାହିଁ । ଘଟଣାଟି ନିଷିଦ୍ଧ ଆଉ ପାଶବିକ ।

 

ପ୍ରଥମରୁ ପ୍ରେମିକ ଯୁଗଳ ବୁଝିଥିଲେ ଯେ ସେମାନଙ୍କର ଯୋଗାଯୋଗର ପ୍ରୟୋଜନ ରହିଛି । ଏହା ଯେମିତି ନିୟତି ଓ ସମ୍ପୂର୍ଣ୍ଣ ସ୍ୱାଭାବିକ । ପ୍ରଥମ ଯେଉଁଥର ସେମାନଙ୍କର ମିଳନ ଘଟିଲା, ଦୁହେଁ ବେଶ ସ୍ୱାଭାବିକ ଭଙ୍ଗୀରେ କଥାବାର୍ତ୍ତା କଲେ, ଦୁହେଁ କୌଣସି ପ୍ରକାର ସଙ୍କୋଚ ନ ରଖି ଦୁହେଁ ଦୁହିଁଙ୍କି ଚୁମ୍ୱନ କଲେ । କୌଣସି ଲଜ୍ଜା ନାହିଁ, ଦୁହିଁଙ୍କର ଅନ୍ତରଙ୍ଗତା ଯେମିତି ଅନାଦି ଯୁଗର । ଏହି ନୂତନ ସମ୍ୱନ୍ଧ ନେଇ ସେମାନେ ବେଶ୍‌ ସ୍ୱଚ୍ଛନ୍ଦ ଚିତ୍ତରେ ଅଛନ୍ତି । ବେଶ ସ୍ୱସ୍ତିର ଭାବ-। ଟିକିଏ ବି ସଙ୍କୋଚର ପ୍ରଶ୍ନ ନାହିଁ ।

 

ସେମାନେ ଠିକ୍‌ କରିନେଲେ କେମିତି ଭାବରେ ମିଳାମିଶା କରିବେ ଏହାପରେ । ଥେରେସାର ଯେତେବେଳେ ବାହାରକୁ ଯିବାର ଉପାୟ ନାହିଁ ଲରାଁ ହିଁ ସେମାନଙ୍କର ଘରକୁ ଆସିବେ । ପରିଷ୍କାର, ଦ୍ୱିଧାହୀନ କଣ୍ଠରେ ଥେରେସା ଜଣେଇଲା ସେ ଚିନ୍ତାକରି ସ୍ଥିର କରିଛି ଯେ, ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ବାସ କରନ୍ତି, ସେଇଠି ସେମାନଙ୍କର ମିଳନ ହେବ । ପ୍ରେମିକ ବାରଣ୍ଡା ଦେଇ ଗଳିରେ ଆସିବ । ସିଡ଼ି ପାଖ ଦରଜା ତା’ ପାଇଁ ଖୋଲି ରଖିବ ଥେରେସା । ସେତେବେଳେ କ୍ୟାମିଲସ ଥିବ ଅଫିସରେ ଆଉ ମାଦାମର‍୍ୟାକୁଁ ତଳ ଦୋକାନରେ । ସମଗ୍ର ଘଟଣାଟି ଏମିତି ଦୁଃସାହସିକ ଯେ ସାଫଲ୍ୟ ଅନିବାର୍ଯ୍ୟ ।

 

ଲରାଁ ରାଜି ହୋଇଗଲା । ତା’ର ସମସ୍ତ ଚାଲାକି ସତ୍ତ୍ୱେ ଓ ଥିଲା ପାଶବିକ ସାହସ, ପ୍ରକାଣ୍ଡ; ପଞ୍ଜାବାଲା ମଣିଷର ନିର୍ଭୀକତା ପ୍ରେମିକାର ଶାନ୍ତ ଭୟ କୁଣ୍ଠାହୀନଭଙ୍ଗୀ ତା’ ମନରେ ସାହସିକତା ସହିତ ଉତ୍ସର୍ଗୀକୃତ ସେହି ସମ୍ଭୋଗର ଆକୁଳତା ଜଗାଏ । ଗୋଟାଏ କାମର ଛଳନା କରି ଅଫିସରଙ୍କୁ ଦୁଇଘଣ୍ଟା ଛୁଟି ପାଇଁ କହି ସେ ପ୍ୟାସେଜ–ଦ୍ୟୁପ୍ୟ ନେଟକେର ରାସ୍ତାରେ ଦୌଡ଼ୁଥିଲେ ।

 

ଏହି ଗଳିରେ ପହଞ୍ଚୁ ନ ପହଞ୍ଚୁଣୁ ତା’ ଅଙ୍ଗରେ ଉଷ୍ଣ ଉଦଗ୍ରତାର ସ୍ପର୍ଶ ଲାଗୁଥିଲା । ଯେଉଁ ସ୍ତ୍ରୀ ଲୋକଟି ନକଲି ଗହଣା ବିକ୍ରି କରେ ସେ ବାରଣ୍ଡାକୁ ବନ୍ଦ କରି ଏକାବେଳକେ ଦୁଆର ପାଖରେ ବସେ । ସ୍ତ୍ରୀ ଲୋକଟି ଅନ୍ୟମନସ୍କ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ ଯେତେବେଳେ ଯାଏ କୌଣସି ନା କୌଣସି ଝିଅ ହଳେ ତମ୍ୱାର ଦୁଲ କିମ୍ୱା ଆଙ୍ଗୁଠି କିଣିବା ପାଇଁ ନ ବସିଛି । ତା’ ପରେ ସେ ଦୃଢ଼ ବେଗରେ ବାରଣ୍ଡାରେ ପ୍ରବେଶ କରନ୍ତି । ଅନ୍ଧକାର ସଂକୀର୍ଣ୍ଣ ସିଡ଼ିରେ ଉଠିବାକୁ ଲାଗନ୍ତି । ସନ୍ତସନ୍ତିଆ ଦେବାଲରେ ଦେହ ଘଷି ହୁଏ । ପଥର ପାହାଚରେ ତା’ର ପାଦଶବ୍ଦ ଶୁଣାଯାଏ । ପ୍ରତିଟି ଶବ୍ଦ ବୁକୁରେ ହାତୁଡ଼ି ପାହାର ଭଳି ବାଜେ । ହଠାତ୍ ଗୋଟାଏ ଦରଜା ଖୋଲିଗଲା । ଦେଖିଲେ ଦୁଆର ମୁହଁରେ ଗୋଟାଏ ଜ୍ୟାକେଟ ଓ ପେଟିକୋର୍ଟ ପିନ୍ଧି ଥେରସା ଠିଆହୋଇ ରହିଛି । ତା’ ଚାରିପାଖରେ ପ୍ରଚଣ୍ଡ ଆଲୋକ ଉଦ୍‌ଭାସିତ । ମୁଣ୍ଡ ପଛପଟେ ବାଳତକ ଗୋଟାଏ ଶକ୍ତ ଗଣ୍ଠିରେ ବନ୍ଧା । ତହିଁରୁ ଭାସି ଆସୁଛି ଗୋଟାଏ ଗନ୍ଧ, ସେହି ଗନ୍ଧ ଧଳା ବିଛଣା ଚାଦର ଆଉ ସଦ୍ୟଧୌତ ତ୍ୱକର ଗନ୍ଧ ।

 

ଲରାଁ ବିସ୍ମୟରେ ହତବାକ୍‌ ହୋଇପଡ଼ିଲେ । ବର୍ତ୍ତମାନ ଏହି ପ୍ରେମିକା କେମିତି ସୁନ୍ଦରୀ ଦେଖାଯାଉଛି । ଏହି ରମଣୀକୁ ତ ସେ ଆଗରୁ କେବେ ଦେଖି ନାହିଁ, ଏକ ସୁହୃଦ ଏବଂ ନମନୀୟ ନାରୀ ଦେହ । ଥେରେସା ଲରାଁକୁ ଜଡ଼େଇ ଧଇଲା, ତା’ର ମୁହଁଟି ଲରାଁର ଛାତି ଉପରେ । ଥେରେସାର ମୁହଁରେ କେମିତି ଏକ ଆଲୋକ ଜ୍ୱାଳା ଆଉ ଓଠରେ କାମନାଭରା ହସ । ଏ ମୁହଁ ଉଦ୍ଦାତ୍ତ ପ୍ରେମରେ ପରିପୂର୍ଣ୍ଣ, ରମଣୀୟ ମୁହଁ । ଏଇ ଏକ ଆଶ୍ଚର୍ଯ୍ୟ ରୂପାନ୍ତର ଘଟିଛି–ଏହା ମଧ୍ୟରେ ଅଛି ଉଦ୍ଦାମତା, ଆଉ କୋମଳତା–ଓଠ ଯୋଡ଼ିକ ବେଶ୍‌ ସିକ୍ତ । ଆଖିରେ ବିଦ୍ୟୁତ୍‌ ଯେମିତି ଜ୍ୱଳନ୍ତ ବହ୍ନିଶିଖା । ଏହି ବେପଥୁମତୀ ଯୁବତୀ ତା’ର ଆଶ୍ଚର୍ଯ୍ୟ ସୌନ୍ଦର୍ଯ୍ୟ ନେଇ ଯେମିତି ପରମ ରମଣୀୟ ହୋଇ ଉଠିଛି । ତା’ ଦେହରେ ଲେଲିହାନ ବହ୍ନିଶିଖା ନୃତ୍ୟଚଞ୍ଚଳା । ତା’ ଚାରିପାଖରେ ଉଷ୍ଣ ଆବେଶ, ତା’ର ଉଦ୍‌ଭ୍ରାନ୍ତ ଉତ୍ତପ୍ତ ରକ୍ତର ପ୍ରବାହ, ତା’ର ଆକୁଳଭରା ସ୍ନାୟୁଶିରା ଆଉ ମର୍ମଭେଦୀ ପରିବେଶ ।

 

ପ୍ରଥମ ଚୁମ୍ୱନରେ ହିଁ ଥେରେସା ପ୍ରମାଣ କରିଦେଲା ଯେ, ସେ ଏକ ରଙ୍ଗିଣୀ ନାରୀ । ତା’ ଦେହ ଅତୃପ୍ତ କାମନାର ଆନନ୍ଦ ଉପଭୋଗର ଦୁଃସାହସିକ ଲୀଳାରେ ଉତ୍ସର୍ଗୀକୃତ । ସେ ଯେମିତି ସ୍ୱପ୍ନ ଭାଙ୍ଗି ଜାଗି ଉଠିଛି । କାମନାର ଉତ୍ତାଳ ସାଗରରେ ତା’ର ଆବିର୍ଭାବ । କ୍ୟାମିଲସର ଦୁର୍ବଳ ବାହୁବେଷ୍ଟନର ଗଣ୍ଡିରୁ ଆପଣାକୁ ମୁକ୍ତ କରି ଧରାଦେଇଛି ଲରାଁର ପୁରୁଷୋଚିତ ସବଳ ବାହୁର ଆଶ୍ରୟରେ । ବଳିଷ୍ଠ ପୁରୁଷର ଆଲିଙ୍ଗନ କାମନାର ବନ୍ଦୀଶାଳାର ଅନ୍ଧକାରରେ ଆଚ୍ଛନ୍ନ ବନ୍ଦିନୀ ଥେରେସାର ମନରେ ଆଣିଦେଇଛି ବିଦ୍ୟୁତ୍‌ର ଚମକ । ଭାବାବେଗ କୁଳ ରମଣୀର ସୁଗଭୀର ଅନୁଭୂତି ଅବିଶ୍ୱାସ୍ୟ ତୀବ୍ରତାର ସହିତ ତା’ର ଶରୀରରେ ପ୍ରବାହମାନ । ତା’ ଶରୀରରେ ଥିଲା ତା’ ମାଆର ଆଫ୍ରିକୀୟ ରକ୍ତ । ସେହି ଶୋଣିତ ତା’ର ସାରା ଅଙ୍ଗରେ ପ୍ରବାହିତ । ତା’ର ସେହି କ୍ଷୀଣ; ଅଥଚ ପ୍ରାୟ ଅକ୍ଷତ କୌମାର୍ଯ୍ୟର ଦେହଟି ଭୀଷଣ ଗତିରେ ଆନ୍ଦୋଳିତ ହେଉଥାଏ । ନିଜକୁ ଉନ୍ମୁକ୍ତ କରି ଦିଏ, ଉତ୍ସର୍ଗ କରିଦିଏ ଥେରେସା ଲଜ୍ଜାହୀନ ଭଙ୍ଗୀରେ । ତା’ର ଆପାଦମସ୍ତିକ କମ୍ପିତ ।

 

ଏଭଳି ରମଣୀ ଲରାଁ କେବେହେଲେ ଦେଖି ନାହିଁ । ସେ ଅସୁସ୍ଥ ଏବଂ କୁତ୍ସିତ ବୋଧ କରୁଥିଲା । ସ୍ୱଭାବତଃ ତା’ର ରକ୍ଷିତାଗଣ ତା’କୁ କେବେହେଲେ ଏମିତି ଭାବରେ ଗ୍ରହଣ କରି ନାହାନ୍ତି । ଶୀତଳ ନିରୁତ୍ତାପ ଚୁମ୍ୱନ ଆଉ ଉପରଠାଉରିଆ ପ୍ରେମର ଅଭିନୟରେ ସେ ଅଭ୍ୟସ୍ତ । ଥେରେସାର ଚପା କ୍ରନ୍ଦନ, ଆଉ ତା’ର କମ୍ପିତ ଅଙ୍ଗ ଟିକିଏ ସଙ୍କିତ କରି ତୋଳିଥିଲା ଲରାଁଙ୍କୁ । ପୁଣି ତା’ ସହିତ ଜାଗ୍ରତ କରୁଥିଲା ତା’ କୌତୂହଳକୁ ଯେତେବେଳେ ତରୁଣୀର ସଙ୍ଗ ପରିତ୍ୟାଗ କରି ସେ ବାହାରି ପଡ଼ିଲା ସେତେବେଳ ମାତାଲ ଭଳି ତାଙ୍କର ପାଦ ଟଳୁଥିଲା ।

 

ପରଦିନ ପ୍ରଭାତରେ ଯେତେବେଳେ ତା’ ମନରେ ହିସା ବି ଚତୁର ଶାନ୍ତଭାବ ଫେରିଆସିଲା ସେତେବେଳେ ତାଙ୍କ ମନରେ ପ୍ରଶ୍ନ ଜାଗିଲା ପୁଣି କ’ଣ ସେହି ପ୍ରେମିକାଟି ପାଖକୁ ସେ ଯିବ । ତା’ର ଚୁମ୍ୱନ ଯେମିତି ଚୁନାଚୁନା କରି ଦେଇଛି ଲରାଁକୁ । ପ୍ରଥମଟା ସେ ଦୃଢ଼ ଭାବରେ ସ୍ଥିର କଲା ଯେ, ଘରେ ହିଁ ରହିବ । ତା’ପରେ ଧୀରେ ଧୀରେ ଦୁର୍ବଳତା ବଢ଼ିବାକୁ ଲାଗିଲା । ଥେରେସାକୁ ଭୁଲିଯିବା ପାଇଁ ଚେଷ୍ଟା କଲା ଲରାଁ । ଆଉ ତା’ର ନଗ୍ନଦେହ ଦେଖିବନି । ତା’ର ମଧୁର ଅଥଚ ତୀକ୍ଷ୍‌ଣ ଆଦର ଉପଭୋଗ କରିବ ନାହିଁ । ତଥାପି ଥେରସା ପରମା ମୂର୍ତ୍ତିରେ ଆଗରେ ଠିଆ ହୋଇ ତା’ର ଦୁଇ ହାତର ଉଦାର ଆଲିଙ୍ଗନରେ ପ୍ରସାରିତ କରିଛି । ଥେରେସାର ଏହି ସ୍ୱପ୍ନବିଳାସ ତା’ ଦେହରେ ଯେତେ ଯନ୍ତ୍ରଣା ସୃଷ୍ଟି କରୁଥିଲା ତାହା କ୍ରମଶଃ ଅସହନୀୟ ହୋଇଉଠୁଥିଲା ।

 

ହାର ମାନିଲା ଲରାଁ । ଆଉ ଥରେ ଗଲେ କ୍ଷତି କ’ଣ ? ପ୍ୟାସେଜ ଦ୍ୟୁପ ନିଉଫକୁ ଫେରିଗଲା ଲରାଁ । ସେହିଦିନ ଠାରୁ ଥେରେସା ତା’ର ଜୀବନର ଗୋଟାଏ ଅଙ୍ଗ ହୋଇପଡ଼ିଲା । ବର୍ତ୍ତମାନ ବି ତା’କୁ ଲରାଁକୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରି ନ ଥିଲେ; କିନ୍ତୁ ଲରାଁକୁ ଥେରସା ଘେରି ରଖିଥିଲା, ଆଚ୍ଛନ୍ନ କରି ରଖିଥିଲା । ଅନେକ ଆତଙ୍କିତ ମୁହୂର୍ତ୍ତ, ଅନେକ ଚତୁରତାର କ୍ଷଣ, ଏ ସମସ୍ତ ମିଶି ଏହି ଯୋଗାଯୋଗ ତାଙ୍କ ମନରେ ଗୋଟିଏ ଅସ୍ୱଚ୍ଛଳ ଭାବ ଆଣି ଦେଇଥିଲା । କିନ୍ତୁ ଭୟ, ଅଶ୍ୱସ୍ତି ସବୁକିଛି କାମନା ପାଖରେ ପରାଜୟ ସ୍ୱୀକାର କଲା । ସେମାନଙ୍କର ମିଳାମିଶା ଅବ୍ୟାହତ ରହିଲା; ବରଂ ସେମାନଙ୍କ ମିଳନ ଆହୁରି ଘନ ଘନ ହେବାକୁ ଲାଗିଲା ।

 

ଥେରେସାର ମନରେ କିନ୍ତୁ ବିନ୍ଦୁମାତ୍ରେ ସନ୍ଦେହ ନ ଥିଲା । ସେ ପ୍ରାୟ ଅସୀମ ଦୁଃସାହସିକତା ଭିତରେ ନିଜକୁ ବିଲୀନ କରି ଦେଇଥିଲା । କାମର ତାଡ଼ନାରେ ଯେତେଦୂର ଯାଇ ହେବ ସେପର୍ଯ୍ୟନ୍ତ ସେ ପହଞ୍ଚିଯାଇଥିଲେ । ଏହି ସ୍ତ୍ରୀଲୋକଟି ଏତେଦିନ ପର୍ଯ୍ୟନ୍ତ ଘଟଣା ଚକ୍ରରେ ନିପୀଡ଼ିତ ଓ ନିଗୃହୀତ ଥିଲା । ତା’ର କାମନା ବାସନା ଥିଲା ରୁଦ୍ଧ । ଏତେଦିନ ପରେ ସେ ପୁନରାୟ ନିଜକୁ ନୂତନ ଭାବରେ ଖୋଜି ପାଇଛି–ତା’ର ବାସନା କାମନା ଉନ୍ମୁକ୍ତ କରି ଦେଇଛି । ନିଜସ୍ୱ ସତ୍ତାର ପୂର୍ଣ୍ଣତା ପଥରେ ସେ ଆଗେଇ ଚାଲିଛି ।

 

ବେଳେ ବେଳେ ସେ ଲରାଁର ଗାଲରେ ବାହୁବେଷ୍ଟନ କରି ତା’ର ବୁକୁ ଉପରେ ଶୋଇ କମ୍ପିତ କଣ୍ଠରେ କହୁଥିଲା, ଯଦି ଜାଣନ୍ତି–କେତେ ଯେ ଜ୍ୱାଳା ସହ୍ୟ କରିଛି । ରୋଗୀର ଗୃହରେ ସନ୍ତସନ୍ତିଆ ପରିବେଶରେ ମୋତେ ପାଳନ କରାଯାଇଛି । ମୋତେ କ୍ୟାମିଲସ ସହ ଏକତ୍ର ଶୟନ କରିବା ପାଇଁ ପଡ଼ିଛି । ତା’ ପାଖରୁ ଯେତେ ଟିକିଏ ପାଇବା ସମ୍ଭବ ରାତ୍ରିର ଅନ୍ଧକାର ମଧ୍ୟରେ ସେତକ ପାଇଛି । ତା’ର ଶରୀରର ରୁଗ୍‌ଣ ଦୁର୍ଗନ୍ଧରେ ମୁଁ ଅଣନିଃଶ୍ୱାସୀ ହୋଇପଡ଼ିଛି । ଲୋକଟି ଈର୍ଷାପରାୟଣ ଆଉ ଜିଦ୍‌ଖୋର । କୌଣସି ଉପାୟରେ ସେ ଔଷଧ ଖାଇବ ନାହିଁ, ମୋତେ ମଧ୍ୟ ଭାଗ ନେବାକୁ ପଡ଼ିବ । ମୋର ମନକୁ ସନ୍ତୁଷ୍ଟ ରଖିବା ପାଇଁ ସବୁପ୍ରକାର ପ୍ରେସକ୍ରିପ୍‌ସନ ମୋତେ ରଖିବାକୁ ପଡ଼ୁଥିଲା । କାହିଁକି ଯେ ମୋର ମରଣ ହୋଇନି ଜାଣେନା । ସେମାନେ ମୋତେ କୁତ୍ସିତ କରିଛନ୍ତି । ମୋର ଯାହା କିଛି ଥିଲା ସବୁ ଅପହରଣ କରି ନେଇଛନ୍ତି । ଆଉ ମୁଁ ତୁମକୁ ଯେମିତି ଭଲପାଏ; ତା’ର ପ୍ରତିଦାନ ତୁମେ ମୋତେ ଦେଇ ପାରି ନାହିଁ ।

 

ଆଖିରୁ ଲୁହ ଗଡ଼େଇ ଥେରେସା ମୋତେ ଚୁମ୍ୱନ କରୁଥିଲା । ତା’ପରେ ଗଭୀର ଉତ୍ତପ୍ତ କଣ୍ଠରେ କହୁଥିଲା, ମୁଁ ସେମାନଙ୍କର ଅକଲ୍ୟାଣ କାମନା କରେନା । ସେମାନେ ମୋତେ ମଣିଷ କରଛନ୍ତି, ମୋତେ ଆଶ୍ରୟ ଦେଇଛନ୍ତି, ଅଭାବରୁ ମୁକ୍ତି କରିଛନ୍ତି । ତେବେ ଏମାନଙ୍କର ଆତିଥ୍ୟ ଲାଭ ଅପେକ୍ଷା ବରଂ ରାସ୍ତା ଉପରେ ଫିଙ୍ଗା ହେବା ଥିଲା ଶତଗୁଣରେ ଶ୍ରେୟସ୍କର । ଆଲୋକ ଏବଂ ମୁକ୍ତବାୟୁର ପ୍ରୟୋଜନ ମୋର ଥିଲା । ଯେତେବେଳେ ଛୋଟ ଥିଲି, ସ୍ୱପ୍ନ ଦେଖିଛି, ଖାଲି ପାଦରେ ଧୂଳି ବାଲି ମଧ୍ୟରେ ଭିକ୍ଷା ଚାହିଁଛି, ଚାହିଁଛି ଯାଯାବର ଭଳି ରହିବାକୁ । ଶୁଣିଛି–ମୋର ମା’ କୁଆଡ଼େ କୌଣସି ଆଫ୍ରିକାନ୍‌ ସର୍ଦ୍ଦାରର ଝିଅ ଥିଲେ । ମଝିରେ ମଝିରେ ତାଙ୍କ କଥା ଭାବିଛି । ମୋର ରକ୍ତ, ମୋର ସହଜାତ ପ୍ରବୃତ୍ତିରୁ ଅନୁଭବ କରିଛି, ଚିନ୍ତା କରିଛି–ତା’କୁ ଯଦି ଛାଡ଼ିବାକୁ ପଡ଼ି ନ ଥାନ୍ତା । ମନେ ହେଉଥିଲା–ତା’ର ପିଠିରେ ଚଢ଼ି ମରୁଭୂମିର ବିସ୍ତୀର୍ଣ୍ଣ ବାଲୁକା ଅତିକ୍ରମ କରିଛି । ସେ ଶୈଶବ କେତେ ସୁନ୍ଦର ମୋତେ ଏବେ ବି ବିରକ୍ତ ଲାଗେ, କ୍ୟାମିଲସ ପଡ଼ି ପଡ଼ି କାନ୍ଦୁଛି ଆଉ ସେହି ଘରେ ମୋତେ ଦୀର୍ଘଦିନ କଟେଇବାକୁ ପଡ଼ିଛି । ନିଆଁ ଆଗରେ ଚୁପ୍‌ଚାପ୍‌ ବସି ରହି ଚାହାର ପାଣି ଫୁଟିବାର ଦେଖୁଛି, ମନେ ହେଉଛି ହସ୍ତ ପଦ ଶକ୍ତ ହୋଇଯିବ । ମୋର ତିଳେ ହେଲେ ଘୁଞ୍ଚିବାର କ୍ଷମତା ନାହିଁ । ଟିକିଏ ଚଞ୍ଚଳ ହେଲେ ମାଇଁ ଧମକ ଦେଇ ଉଠିବେ । ପରେ ନଦୀ କୂଳର ଛୋଟ ଘରଟିରେ ମୁଁ ଭାରି ଖୁସିରେ ଥିଲି; କିନ୍ତୁ ସେତେବେଳେ ପ୍ରହାରରେ ଜର୍ଜରିତ ହୋଇ ମୁଁ ଚାଲି ବି ପାରିଲି ନାହିଁ । ଦୌଡ଼ିବାକୁ ଗଲେ ପଡ଼ିଯାଉଥିଲି । ତା’ପରେ ସେମାନେ ମୋତେ କୁତ୍ସିତ ଦୋକାନଘରେ ଜୀବନ୍ତ କବର ଦେଇଛନ୍ତି ।

 

ଥେରେସାର ନିଶ୍ୱାସ ଦ୍ରୁତଗତିରେ ପଡ଼ୁଥିଲା । ଲରାଁକୁ ସେ ଦୃଢ଼ ବାହୁବନ୍ଧନରେ ଜଡ଼େଇ ଧରି ବର୍ତ୍ତମାନ ପ୍ରତିଶୋଧ ନେଉଛି । ତା’ର ସୂକ୍ଷ୍ମ ନାସିକାଗ୍ର ଯେମିତି ଜଳୁଛି । ସେ କହୁଥାଏ–ବିଶ୍ୱାସ କରିପାରିବ ନାହିଁ ସେମାନେ ମୋତେ କେତେ ଦୁଷ୍ଟ କରିଛନ୍ତି, ପରିଣତ କରିଛନ୍ତି ଭଣ୍ଡ ମିଥ୍ୟାବାଦିନୀରେ । ସେମାନଙ୍କର ମଧ୍ୟବିତ୍ତ ମଧୁରତା ମଧ୍ୟରେ ମୋତେ ବୁଡ଼େଇ କଠିଣ କରିଛନ୍ତି । ମୁଁ ତ ଭାବିପାରେନା ବର୍ତ୍ତମାନ ବି ମୋ ଦେହରେ ଏତେ ରକ୍ତ ରହିଛି କେମିତି । ମୁଁ ମୋର ଆଖି ନୁଆଁଇ ସେମାନଙ୍କ ଭଳି ନିର୍ବୋଧ ମୁହଁ କରି ରୁହେ । ତୁମେ ଯେତେବେଳେ ଦେଖିଛ ମୁଁ ନିଶ୍ଚୟ ନିର୍ବୋଧ ଭଳି ଦେଖାଯାଉଥିଲି ନୁହେଁ ? ମୁଁ ନିପୀଡ଼ିତ, ଦଳିତ, ମଥିତ । ମୋର ଟିକିଏ ବି ଆଶା ଭରସା ନଥିଲା । ଭାବିଥିଲି ଦିନେ ଯାଇ ସୀନ ନଦୀର ବୁକୁରେ ଡେଇଁ ପଡ଼ି ଆତ୍ମହତ୍ୟା କରିବି; କିନ୍ତୁ ତା’ ପୂର୍ବରୁ ବହୁ ରାତି ଯନ୍ତ୍ରଣାରେ ଛଟପଟ ହୋଇ କଟେଇଛି । ଭେରନ୍‍ନରେ ଥିବା ମୋର ଶୀତଳ ପ୍ରକୋଷ୍ଠକୁ ଫେରିଆସି ବହୁବାର ଉପାଧାନ ଶିକ୍ତ କରିଛି । ନିଜକୁ ଆଘାତ କରିଛି ବାରବାର । ମୁଁ ଏକ ଭୀରୁ ପ୍ରାଣୀ । ମୋର ଶିରା ପ୍ରଶିରାର ରକ୍ତ ମୋତେ ଜାଳିଛି । ସେହି ଦହନର ଜ୍ୱାଳାରେ ମୁଁ ଅସ୍ଥିର ହୋଇଛି । ଦୁଇଥର ପଳାୟନ ଚେଷ୍ଟା କରିଛି, ଦୁଇଥର ଯାକ ସାହସ ପାଇ ନାହିଁ । ସେମାନେ ମୋତେ ପୋଷା ଜନ୍ତୁରେ ପରିଣତ କରିଛନ୍ତି, ଭଲପାଇବାର ଅଜସ୍ର ପୀଡ଼ନରେ-। ତା’ପରେ । ମୁଁ ମିଛ କହିବାକୁ ଆରମ୍ଭ କଲି । ଅନର୍ଗଳ ମିଥ୍ୟା, ନିପଟ ମିଥ୍ୟା । ମୋର ସମସ୍ତ ସ୍ୱପ୍ନ ଭାଙ୍ଗି ଚୁନାଚୁନା ହୋଇଯିବାର ନିର୍ମମ ବୀଭତ୍ସ ଦୃଶ୍ୟ ମୁଁ ନୀରବ ନିଶବ୍ଦରେ ଦେଖୁଥିଲି ।

 

ଲରାଁର ଗଳାରେ ସିକ୍ତ ଜିଭ ଘଷି ଚୁମ୍ୱନ କରି କିଛି ସମୟ ନୀରବ ରହି ଝିଅଟି କହିଲା, କାହିଁକି ଯେ କ୍ୟାମିଲସକୁ ବିବାହ କରିବାକୁ ଚାହିଁଥିଲି ଜାଣେନା । ଗୋଟାଏ ଘୃଣା ସୂଚକ ଔଦାସିନ୍ୟ ଫଳରେ ମୁଁ ପ୍ରତିବାଦ କରି ନାହିଁ । ବିଚରା ଏତେ ଆଶ୍ଚର୍ଯ୍ୟ ମଣିଷ ଯେ ମୋର କରୁଣା ଉଦ୍ରେକ ହୋଇଥିଲା । ଯେତେବେଳେ ତା’ ସହିତ ଖେଳୁଥିଲି ମନେହେଉଥିଲା ମୋର ଅଙ୍ଗୁଳିଗୁଡ଼ିକ ତା’ ଦେହରେ ଫୋଡ଼ି ହୋଇଯିବ, ଯେମିତି କଞ୍ଚାମାଟିରେ ତିଆରି ଦେହ । ମୁଁ ତା’କୁ ଗ୍ରହଣ କରିଥିଲି କେବଳ ମାଇଁ ମୋ ପାଖରେ ଦେଇଥିଲେ ବୋଲି । ତା’ ବ୍ୟତୀତ ତା’କୁ ନେଇ ମୋର ଯେ ଅସୁବିଧା ହେବ ଯେ ଏକଥା ଭାବି ନାହିଁ । ଆଉ ମୋର ସ୍ୱାମୀ ଠିକ୍‌ ଗୋଟାଏ ରୁଗ୍‌ଣ ବାଳକ ଭଳି । ତା’ ସହିତ ମୁଁ ଅନେକ ଆଗରୁ ଶୋଇଛି । ସେତେବେଳ ମୋ ବୟସ ହୁଏତ ଛ’ବର୍ଷ-। ସେ ବୟସରେ ବି ସେ ଏହିଭଳି ଶୀର୍ଣ୍ଣ ଆଉ କଦର୍ଯ୍ୟ ଥିଲା ତା’ର ରୂପ । ଏଇମିତି ଗୋଟାଏ ଗଳିତ କୁତ୍ସିତ ଗନ୍ଧ ଥିଲା ତା’ର ଶରୀରରେ ମୁଁ ରୁଦ୍ଧଶ୍ୱାସ ହୋଇ ପଡ଼ୁଥିଲି–ତୁମକୁ ଏସବୁ କହୁଛି କାରଣ ତମରି ମନରେ ପୁଣି ଯେମିତି ଈର୍ଷାର ଉଦ୍ରେକ ନ ହୁଏ । ମୋ ମନରେ ଯେମିତି ଜମାଟ ବାନ୍ଧୁଥାଏ ସେଇମିତି ଏକ ଅସହ୍ୟ ବିରକ୍ତି । ମନରେ ଯେମିତି ଜମାଟ ବାନ୍ଧୁଥାଏ ସେଇମିତି ଏକ ଅସହ୍ୟ ବିରକ୍ତି । ଯେଉଁସବୁ ଔଷଧ ମୁଁ ପାନ କରିଛି ତା’ କଥା ଭାବୁଥିଲି । ଆଉ କି ଭୀଷଣ ଭୟଙ୍କର ରାତ୍ରିଟି ମଧ୍ୟ କଟିନାହିଁ । କିନ୍ତୁ ତୁମେ...ତୁମେ... ।

 

ଥେରସା ଉଠି ବସିଲା । ସେ ଲରାଁର ପ୍ରଶସ୍ତ ବୁକୁ ଓ କାନ୍ଧକୁ ଚାହିଁଲା । ତୁମେ.... ତୁମକୁ ମୁଁ ଭଲପାଏ । ଯେଉଁଦିନ ପ୍ରଥମେ କ୍ୟାମିଲସ ତୁମକୁ ଦୋକାନକୁ ଆଣିଥିଲା ସେଦିନ ଠାରୁ ମୋ ଉପରେ ହୁଏତ ତୁମର ଘୃଣା ହେଉଛି; କାରଣ ମୁଁ ସହଜରେ ଏତେ ଅଳ୍ପ ସମୟ ମଧ୍ୟରେ ଆତ୍ମଦାନ କରିଛି । ସତରେ ମୁଁ ନିଜେ ହିଁ ଜାଣେନା କେମିତି ଭାବରେ କ’ଣ ହୋଇଛି । ମୁଁ ଦାମ୍ଭିକା, ଅହଙ୍କାରରେ, ମୋର ମିଜାଜ ଚଢ଼ା । ଯେଉଁଦିନ ତୁମେ ମୋତେ ପ୍ରଥମେ ଚୁମ୍ୱନ କଲ ସେଦିନ ତୁମକୁ ମୋର ଆଘାତ କରିବାର ଇଚ୍ଛାଥିଲା । ଏଇ ଘରେ ମୁଁ ଲୋଟିପଡ଼ିଲି....ତୁମକୁ ମୋର ଦେହ ଦାନ କଲି । ଜାଣେନା କାହିଁକି ମୁଁ ତୁମକୁ ଭଲପାଇଛି । ତୁମ ପ୍ରତି ମୋର ଅସୀମ ଘୃଣା । ତୁମକୁ ଦେଖିଲେ ମୁଁ ବିରକ୍ତ ହୋଇଛି, କଷ୍ଟ ପାଇଛି । ତୁମେ ଯେତେବେଳେ ଏଇଠି ରହୁଥିଲ ମୋର ସ୍ନାୟୁ ଶିରା ଛିନ୍ନଭିନ୍ନ ହୋଇ ଯାଉଥିଲା । କିନ୍ତୁ ମୁଁ ମୋର ଦୁର୍ବଳତା ନିକଟରେ ହାରମାନିଛି–ମୁଁ ଖଣ୍ଡାରେ ଠିଆହୋଇ କମ୍ପିଛି । ତୁମର ବଳିଷ୍ଠ ବାହୁରେ ନିପୀଡ଼ିତ ହେବା ଆଶାରେ ମୁଁ ଅପେକ୍ଷା କରି ରହିଛି-

 

ତା’ପରେ ଥେରେସା ନୀରବ ରହିଲା । ତା’ର ଶରୀର ଥର ଥର ହୋଇ କମ୍ପୁଥିଲା । ସେ ଯେମିତି ଦାରୁଣ ପ୍ରତିଶୋଧ ନେଇ ସଦମ୍ଭରେ ଉଦ୍ଧତ ହୋଇ ଉଠିଲା । ଲରାଁକୁ ନିଜ ବୁକୁ ମଧ୍ୟରେ ଟାଣିନେଲା ଥେରେସା ମାତାଲ ଭଙ୍ଗୀରେ । ତା’ପରେ ସେହି ହିମଶୀତଳ ଘରଟିରେ ଉଦଗ୍ର କାମନାର ଲେଲିହାନ ଶିଖା ପ୍ରଜ୍ଜ୍ୱଳିତ ହେଲା । ମଦନଯଜ୍ଞର ସେହି ଅନୁଷ୍ଠାନର ତୀବ୍ରତା ଏବଂ ତୀକ୍ଷ୍‌ଣତାର ତୁଳନା ମିଳିବା କଠିଣ ।

 

ପ୍ରତିଟି ନୂତନ ମିଳନରେ ମନ ବାଧା ବନ୍ଧନହୀନ ଆନନ୍ଦ ଧାରା ପ୍ରବାହିତ କରେ । ତରୁଣୀ ଥେରେସା ଯେମିତି ନିର୍ଲଜତା ଓ ଦୁଃସାହସର ଆନନ୍ଦରେ ବିକଶିତ ହୋଇ ଉଠେ । ତା’ର ଟିକିଏ ବି ଶଙ୍କା ନାହିଁ, ଦ୍ୱିଧା ନାହିଁ । ସେ ଅତିଶୟ ସରଳତା ସହିତ ବ୍ୟଭିଚାରରେ ଲିପ୍ତ ହେଲା । ଯେଉଁ ଶଙ୍କାର ଆଶଙ୍କା ଥିଲା ସେହି ଦୁର୍ଘଟଣାର ମୁହାଁମୁହିଁ ଠିଆ ହେବାର ଦୁଃସାହସ ଯେମିତି ତା’ର ମନରେ ଅହଙ୍କାର ଆଣି ଦେଇଥିଲା । ଯେତେବେଳେ ଲରାଁ ଆସି ପହଞ୍ଚିଥିଲା ସେତେବେଳେ ବିଶ୍ରାମ ବାହାନା କରି ସେ ଉପରକୁ ଚାଲିଯାଉଥିଲା । ପ୍ରଥମେ ପ୍ରଥମେ ଲରାଁ ଭୟ କରୁଥିଲା, କିନ୍ତୁ ଥେରସା ତା’ ସହିତ ବେଶ୍‌ ସହଜ ଭଙ୍ଗୀରେ କଥାବାର୍ତ୍ତା, ବୁଲାଚଲା କୌଣସି ପ୍ରକାଶ ଶବ୍ଦ ବା ଗୋପନ କରିବା ପାଇଁ ଚେଷ୍ଟା କରୁ ନଥିଲା । ଭୟରେ ଲରାଁ ଧୀରେ ଧୀରେ କହୁଥିଲା–ମାଦାମ ଶେଷରେ ହୁଏତ ପହଞ୍ଚି ଯାଇପାରନ୍ତି, ଏମିତି ହଇଚଇ କରୁଛ କାହିଁକି ? ଥେରସା ହସି ହସି କହୁଥିଲା ନନ୍‌ସେନ୍‌ସ । ତୁମେ ଦେଖୁଛ ଭୀରୁ ଭୟାଳୁ, ପ୍ରେମିକ ହେବାର ଅଯୋଗ୍ୟ । ପ୍ରେମରେ ପୁଣି ଭୟ ଗୋଟାଏ କ’ଣ ? ତା’ଛଡ଼ା ମାଇଁ କାଉଣ୍ଟରରେ । ସେ ଏଠିକି ଆସିବେ କାହିଁକି ? ଚୋରି ଯିବାର ଭୟ ଯାର ସବୁଠାରୁ ବେଶି । ଆଉ ଯଦି ଆସେ, ତୁମେ ଲୁଚି ପଡ଼ିବ । ମୋର ଭୟଭ୍ରାନ୍ତି ନାହିଁ ମୁଁ ତୁମକୁ ଭଲପାଏ । ମୋର କାହାକୁ ଭୟ ନାହିଁ । ଏକି ସବୁ ବକ୍ତୃତାରେ ଲରାଁ ମୋଟେ ଆଶ୍ୱସ୍ତ ହେଉ ନ ଥିଲା । ଦିନ ଦି’ ପହରେ ଏ ଧରଣର ପ୍ରେମଲୀଳା ସିଏ ପୁଣି କ୍ୟାମିଲସର ଘରେ–ମାଦାମ ରାକୁଁର ଆଖିରେ ବାରମ୍ୱାର ଥେରେସା କହୁଥିଲା ଯେଉଁମାନେ ଭୟର ମୁହାଁମୁହିଁ ହୋଇ ମୁକାବିଲା କରିବା ପାଇଁ ଚାହାନ୍ତି ସେମାନଙ୍କୁ ଭୟ ପରିହାସ କରେ । ଥେରସାର କଥା ହିଁ ଠିକ୍‌ ଏମିତି ଗୋଟାଏ ଘର ଆଉ କେଉଁଠି ମିଳିଥାନ୍ତା ? ଦୁହିଁଙ୍କର ପ୍ରେମଲୀଳା ଅବିଶ୍ୱାସ୍ୟ ଭାବରେ ଉଚ୍ଛ୍ୱଳତାରେ ଅବ୍ୟାହତ ରହିଲା ।

 

ଦିନେ କିନ୍ତୁ ମାଦାମ ରାକୁଁ ଉପରକୁ ଉଠିଆସିଥିଲେ । ଭାବିଥିଲେ ଥେରେସାର ବୋଧହୁଏ ଦେହ ଖରାପ, ଫେରିବାର ନାମ ଗନ୍ଧ ନାହିଁ । ସେଦିନ ପୁନରାୟ ଦୁଃସାହସ କରି ଥେରେସା ଦରଜାର ଶିକୁଳୀ ପର୍ଯ୍ୟନ୍ତ ଦେଇ ନାହିଁ । ଏ ଘର ଦେଇ ଡାଇନିଂ ହଲକୁ ଯିବାର ରାସ୍ତା-

 

କାଠ ସିଡ଼ିରେ ବୁଢ଼ୀର ପାଦଶବ୍ଦ ଶୁଣି ଲରାଁ ଭୟରେ ପଥର ପାଲଟିଗଲା । ସହଳ ନିଜର ପୋଷାକପତ୍ର ଖୋଜି ବାହାର କରିବାର ଉଦ୍ୟମ କଲା । ତା’ ମୁହଁରେ ଭୟର ଚିହ୍ନ ଦେଖି ଥେରେସା ହସି ହସି ଗଡ଼ିଗଲା । ସେ ତା’କୁ ହାତଧରି ଟାଣି ନେଇ ବିଛଣାର ଏକ ପାଖରେ ଶୁଆଇଦେଇ ଶାନ୍ତ ଗଳାରେ କହିଲା–ଏଇଠି ରୁହ, ଟିକିଏ ବି ହଲଚଲ ହୁଅନା ।

 

ତା’ପରେ ତା’ ଦେହରେ ପୁରୁଷର ପୋଷାକତକ ଯାହା ଇତସ୍ତତଃ ପଡ଼ିଥିଲା ଥୋଇଦେଇ ତା’ ଉପରେ ନିଜର ପେଟିକୋର୍ଟ ଢାଙ୍କିଦେଲା । ଏ ସମସ୍ତ କାମ ଯେତେ ଶୀଘ୍ର ସମ୍ଭବ ଶାନ୍ତ ଭାବରେ ଶେଷ କରିନେଇ ସେ ଶୋଇପଡ଼ିଲା । କେଶପାଶ ବିପର୍ଯ୍ୟସ୍ତ, ବିବସ୍ତ୍ର, ନଗ୍ନଦେହ, ମୁହଁଟା ଫୁଲାଫୁଲା, ଶରୀର କମ୍ପୁଛି । ମାଦାମ କବାଟ ଖୋଲି ବିଛଣା ପର୍ଯ୍ୟନ୍ତ ଆସିଲେ ଯଥାସମ୍ଭବ ଧୀର ପାଦରେ । ତରୁଣୀ ଥେରେସା ନିଦର ଛଳନା କରି ପଡ଼ି ରହିଲା, ଆଉ ସାଦା ପେଟିକୋର୍ଟ ତଳେ ଲରାଁ ଘର୍ମାକ୍ତ ହୋଇପଡ଼ିଲା । ମାଦାମ ସଙ୍କିତ ଗଳାରେ କହିଲା, ଥେରେସା ! ମା’, ତୁମର କ’ଣ ଦେହ ଅସୁସ୍ଥ ହେଲା ?

 

ଥେରେସା ଟିକିଏ ଆଖି ଖୋଲି, ହାଇମାରି ଉତ୍ତର ଦେଲା, ଭୀଷଣ ମୁଣ୍ଡ ଧରିଛି । ଟିକିଏ ଶୋଇବାକୁ ଦିଅ । ବୁଢ଼ୀ ଯେମିତି ଆସିଥିଲା ସେମିତି ଚାଲିଗଲା । ନୀରବରେ ବସି ଯୁଗଳପ୍ରେମିକ ଉଦ୍‌ଗ୍ର ଉଦ୍ଦାମତାରେ ଚୁମ୍ୱନରେ ଆକୁଳ ହୋଇ ଉଠିଲେ । ଆଉ ଦିନେ ତରୁଣୀ ଥେରେସା ଘର ଭିତରେ ପୋଷା ବିଲେଇ ଫ୍ରାସୋଁୟାକୁ ଦେଖେଇ କହିଲା–‘‘ଦେଖ ଫ୍ରାସୋଁୟା କିନ୍ତୁ ସବୁ ବୁଝିପାରେ । କେମିତି ଦେଖୁଛି ଦେଖ । ସେ ଆଜି ରାତିରେ କ୍ୟାମିଲସକୁ ସବୁ କହିଦେବ । ଯଦି କୌଣସି ଦିନ ଦୋକାନରେ କଥା କହିବା ଆରମ୍ଭ କରେ ତେବେ କି ମଜା ହେବ-। ସିଏ ଆମର ଅନେକ କାଣ୍ଡ ସ୍ୱଚକ୍ଷୁରେ ଦେଖିଛି ।

ଫ୍ରସୋୟା କଥା କହିପାରେ ଏ ଭାବନାରେ ଥେରେସା ହସ ହସି ଗଡ଼ିଗଲା, ଆଉ ଲରାଁ ବିଲେଇଟିର ନୀଳ ଚକ୍ଷୁତାରକା ଦୁଇଟିକୁ ଭୟ ବିହ୍ୱଳିତ ହୋଇ ଚାହିଁଲା । ତା’ର ସର୍ବାଙ୍ଗରେ ଜାଗିଉଠିଲା ଶିହରଣ ।

ଥେରେସା କହିଲା, ଠିକ୍‌ ସେ ସେୟା କରିବ । ଗୋଟାଏ ଗାଡ଼ି ତୁମ ଆଡ଼କୁ ଓ ଗୋଟାଏ ମୋ ଆଡ଼କୁ ଟେକି କହିବ–‘‘ଭଦ୍ର ମହୋଦୟଗଣ ଏହି ଉଭୟ ନରନାରୀ ପ୍ରତ୍ୟହ କ୍ୟାମିଲସର ଶୟନ କକ୍ଷରେ ପରସ୍ପରକୁ ଗଭୀର ଭାବରେ ଚୁମ୍ୱନ କରି ମିଥୁନରେ ରତ ହୁଅନ୍ତି । ମୋତେ ଚାହାନ୍ତି ନାହିଁ, ଭୟ କରନ୍ତି ନାହିଁ । ସେମାନଙ୍କ ଏହି ନାରକୀୟ ପ୍ରେମଲୀଳାରେ ମୁଁ ବିରକ୍ତ-। ମୁଁ ଚାହେଁ ସେମାନଙ୍କ ବିଚାର ଓ ଶାସ୍ତି ହେଉ । ମୁଁ ଟିକିଏ ନିର୍ଜନରେ ଶୁଏ ।’’

ଥେରେସା ନିଶ୍ଚୟ ମଦମତ୍ତ ଭଙ୍ଗୀରେ ବିଲେଇକି ଅନୁକରଣ କରି ତା’ର ଅଙ୍ଗୁଳିଗୁଡ଼ିକ ବିଲେଇର ନଖ ଭଳି ବଙ୍କେଇ ଲରାଁର ବାଳଗୁଡ଼ିକ ଅଭଦ୍ର ଭାବରେ ହଲେଇବାକୁ ଲାଗିଲା । ତା’ର ଆଖି ଯୋଡ଼ିକ ଅସମ୍ଭବ ଭାବରେ ଉଜ୍ଜଳ–ମନହେଲା ସେ ଯେମିତି ଏହିକ୍ଷଣି ହସି ହସି ଗଡ଼ିଯିବ !

ଲରାଁର ହାଡ଼ପର୍ଯ୍ୟନ୍ତ କ୍ରୋଧରେ ଥରିଗଲା । ଥେରେସାର ଏହି ରସିକତା ମନେହେଲା ଅତି କୁତ୍ସିତ ବୋକାମି । ସେ ଉଠିପଡ଼ି ବିଲେଇଟିକୁ ଘର ତଡ଼ିଦେଲା । ସେ ପ୍ରକୃତରେ ଭୟଭୀତ ହୋଇଥିଲା । ତା’ର ଏହି ପ୍ରେମିକ ଠିକ୍‌ ପରିପୂର୍ଣ୍ଣ ଭାବରେ ତା’କୁ ଅଧିକାର କରି ନାହିଁ । ଏହି ତରୁଣୀର ପ୍ରଣୟ ଚୁମ୍ୱନ ମଧ୍ୟରେ ଯେମିତି ବର୍ତ୍ତମାନ ବି କେଉଁଠି ଟିକିଏ ଅଶ୍ୱସ୍ତି ରହିଯାଇଛି ।

Image

 

Unknown

ନିଶିମୃଗୟା

 

ଏମିଲ ଜୋଲା ଫରାସୀ ସାହିତ୍ୟର ଅନ୍ୟତମ ପ୍ରଖ୍ୟାତ ଔପନ୍ୟାସିକ । ତାଙ୍କର ଜନ୍ମ ହୋଇଥିଲା ୧୮୪୦ ମସିହାରେ ପ୍ୟାରୀ ସହରରେ । ଅବଶ୍ୟ ସେ ଖାଣ୍ଟି ଫରାସୀ ନ ଥିଲେ । ସେ ଥିଲେ ଅଧାଅଧି ଇଟାଲୀୟ । ପିତା ଥିଲେ ଜଣେ ଇଞ୍ଜିନିୟର ଏବଂ ଉଚ୍ଚଶିକ୍ଷାର ସମସ୍ତ ସୁଯୋଗ ସେ ତାଙ୍କୁ ଦେଇଥିଲେ; କିନ୍ତୁ ସେ ସୁଯୋଗର ସଦ୍‌ବ୍ୟବହାର ଜୋଲା କରିପାରିଲେ ନାହିଁ-। ବିଶ୍ୱବିଦ୍ୟାଳୟରେ ଅଶାଳୀନ ଆଚରଣ ଫଳରେ ତାଙ୍କୁ ବିତାଡ଼ିତ ହେବାକୁ ପଡ଼ିଲା । ଜୋଲାଙ୍କ ଭାଗ୍ୟରେ ଶେଷରେ ଜୁଟିଲା କିରାନୀଗିରି–ଗୋଟାଏ ପୁସ୍ତକ ପ୍ରକାଶନ ପ୍ରତିଷ୍ଠାନରେ । ସେହି ପରିବେଶର ପ୍ରଭାବରେ ଏମିଲ ମନ ଦେଲେ ସାହିତ୍ୟ–ସାଧନାରେ । ‘କନ୍ତେ ଦ୍ୟ ଦାଇଟ୍‌’ ଗଳ୍ପଚୟନ ପ୍ରକାଶ ପାଇବା ପରେ ସାହିତ୍ୟ ରସିକ ସମାଜରେ ସେ ସମାଦୃତ ହେଲେ । ଏହି ଉତ୍ସାହ ତାଙ୍କୁ ଉପନ୍ୟାସ ରଚନାରେ ପ୍ରେରଣା ଦାନ କଲା । ତାଙ୍କର ପ୍ରଥମ ଉପନ୍ୟାସ ‘ଥେରିସ ର‍୍ୟାକୁଇନ୍‌’ ତାଙ୍କୁ ରାତାରାତି ଏକ ବହୁ ବିତର୍କିତ ଚରିତ୍ରରେ ପରିଣତ ହେଲା । ଗୋଟାଏ ପାଖରେ କଠୋର ନୀତିବାଦୀଗଣ ଯେମିତି ତାଙ୍କ ନିନ୍ଦାରେ ହୋଇଉଠିଲେ ପଞ୍ଚମୁଖ, ପ୍ରଗତିବାଦୀମାନେ ବାସ୍ତବାନୁଗ ଲେଖକ ବୋଲି ଶତ ମୁଖରେ ପ୍ରଶଂସା କରିବାକୁ ଲାଗିଲେ ।

 

ନାନା ହ୍ୟୁମାନ୍‌ବିଷ୍ଟ ଓ ରୌଖନ ସିରିଜ୍‌ ପ୍ରଭୃତି ଶତାଧିକ ଉପନ୍ୟାସର ଲେଖକ ଶେଷରେ ଜନପ୍ରିୟତାର ଶିଖର ଦେଶରେ ନିଜର ସାଧନା ବଳରେ ପହଞ୍ଚି ପାରିଥିଲେ ।

 

ବ୍ୟାଲଜାକଙ୍କୁ ବାଦ୍‌ ଦେଲେ ତାଙ୍କୁ ପୂର୍ବରୁ ଏତେ ଜନପ୍ରିୟତା କୌଣସି ଲେଖକର ଭାଗ୍ୟରେ ଘଟି ନାହିଁ ।

 

ରୌଗନ ବଂଶର ସମସ୍ତେ ଦୁଃସାହସୀ । ଯେଉଁଠି କିଛି ନାହିଁ ସେହି ଶୂନ୍ୟତାର ଭିତ୍ତିରେ ହିଁ ବଡ଼ ଗୋଟାଏ କିଛି ଗଢ଼ି ତୋଳିବାରେ ସେମାନେ ପ୍ରାଣପାତ ଉଦ୍ୟମ କରନ୍ତି । ଆଉ ସେ ନିଶାର ଯେମିତି ଶେଷ ନାହିଁ । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ କେବେହେଲେ ସେମାନଙ୍କର ସେ ଚେଷ୍ଟା ନିଷ୍ଫଳ ବା ବ୍ୟର୍ଥ ହୁଏନା ।

 

ଦୁଇ ଭାଇ–ଇଉଜିନ ଓ ଆରିଷ୍ଟାଇଡ । ଦୁଇଟି ପତ୍ର ମଝିରେ ଏକ ସୁକୁମାରୀ କଳିକା ଭଳି ଦୁଇଙ୍କର ସୁନାନାକୀ ଆଦରର ଭଉଣୀ ସିଡୋନୀ । ବହୁ ଦିନ ପୂର୍ବରୁ ଇଉଜିନ ଓ ସିଡୋନୀ ଚାଲି ଆସିଛନ୍ତି ବିଳାସନଗରୀ ପ୍ୟାରିସକୁ । ବାପର ମୁହଁ ଚାହିଁ ସେହି ନିପଟ ମଫସଲ ପ୍ଳାସାଁରେ ଆରିଷ୍ଟାଇଡ କେବଳ ଏକାକୀ ପଡ଼ି ରହିଥିଲା । ସିଏ ବି ବିରକ୍ତ ହୋଇ ଚାଲିଆସିଲା ।

 

ବିରକ୍ତିର ଅବଶ୍ୟ ବହୁ କାରଣ ଥିଲା । ପ୍ୟାରିସ ତୁଳନାରେ ପ୍ଳାସାଁକୁ ନିପଟ ମଫସଲ ବ୍ୟତୀତ ଆଉ କିଛି କୁହାଯାଇ ନ ପାରେ । କିନ୍ତୁ ଆରିଷ୍ଟାଇଡ ଆଶା କରିଥିଲା ସେଠି ବି ସେ ସୁବିଧା ସୁଯୋଗ ପାଇବ । ତା’ର ବାବା ତା’କୁ ସେହି ଆଶା ହିଁ ଦେଇଥିଲେ । ପ୍ଳାସାଁ ଥିଲା ଏକ ସରକାରୀ ତହସିଲର ସଦର ମହକୁମା ଆଉ ସ୍ୱୟଂ ବୃଦ୍ଧ ରୌଗନ ହିଁ ଥିଲେ ତହସିଲଦାର । ଗୋଟାଏ ବିରାଟ ଶୂନ୍ୟତାର ପୁନାଦି ଉପରେ ହିଁ ସେ ଗଢ଼ି ତୋଳିଥିଲେ ତହସିଲଦାରୀଟା । ତାହା ହିଁ ଥିଲା ତାଙ୍କର ଅସୀମ ବାହାଦୂରୀ । ଅବଶ୍ୟ ଏଥିରେ ଆରିଷ୍ଟାଇଡର କିଛିଟା ଅବଦାନ ଥିଲା । ସେଥିପାଇଁ ତା’ର ପ୍ରାପ୍ୟରୁ ବୃଦ୍ଧ ତା’କୁ ବଞ୍ଚିତ କରି ନାହାନ୍ତି ।

 

ହଁ, ନିଶ୍ଚିତ ଭାବରେ ସେ ଆରିଷ୍ଟାଇଡକୁ ତା’ର ବାହାଦୁରୀର ଅଂଶ ପ୍ରଦାନ କରିଛନ୍ତି । କିନ୍ତୁ ଆଉ ଅଧିକ କିଛି ଦେଇ ନାହାନ୍ତି । ଭାଗ ଦେବା ଭଳି ବେଶୀ କିଛି ତାଙ୍କ ହାତକୁ ଏ ଯାବତ୍‌ ଆସି ନାହିଁ । ବାଧ୍ୟ ହୋଇ ସେ ପୁତ୍ରକୁ ଅପେକ୍ଷା କରିବା ପାଇଁ କହିଛନ୍ତି । ତହିଁରେ କିନ୍ତୁ ଆରିଷ୍ଟାଇଡ ମୋଟେ ସୁଖୀ ନୁହେଁ । ପ୍ଳାସାଁରେ ସେ କ’ଣ ବା ଅଧିକ ପ୍ରତ୍ୟାଶା କରିପାରେ ? ବାବାଙ୍କ ପରେ ତହସିଲଦାରୀଟା ! ସେ ବି ମିଳିବ ନା ସନ୍ଦେହଜନକ । ତା’ ଛଡ଼ା ସେ ଅନିଶ୍ଚିତ ଭବିଷ୍ୟତର କଥା । ସେହି ଭରସାରେ ଜନକ । ତା ଛଡ଼ା ସେ ଅନିଶ୍ଚିତ ଭବିଷ୍ୟତର କଥା । ସେହି ଭରସାରେ କ’ଣ ଆରିଷ୍ଟାଇଡ ଭଳି ଜଣେ କରିତ୍‌କର୍ମା ବ୍ୟକ୍ତି ହାତଗୋଡ଼ ବାନ୍ଧି ବସିରହିବ ? ସିଏ କ’ଣ ପୁରୁଷୋଚିତ କାମ ହେବ ?

 

ଇଉଜିନ ! ବଡ଼ ଭାଇ ଇଉଜିନର ଦୃଷ୍ଟାନ୍ତ ଯେପରି ଦୃଢ଼ କଣ୍ଠରେ ଘୋଷଣା କରୁଛି–ନା, ନା, ତାହା କେବହେଲେ ପୁରୁଷୋଚିତ ହେବ ନାହିଁ । ବିଦ୍ୟା, ବୁଦ୍ଧି, ଶକ୍ତି-ସାମର୍ଥ୍ୟ ଏପରି କି ଚେହେରାରେ ଇଉଜିନ କେବେହେଲେ ଆରିଷ୍ଟାଇଡ ଅପେକ୍ଷା ଉଚ୍ଚରେ ନ ଥିଲା । ପ୍ଳାସାଁରେ ରହିଥିଲେ ଛୋଟ ଭାଇ ଅପେକ୍ଷା ତା’ର କଡ଼ାକର ବି ମୂଲ୍ୟ ନ ଥାନ୍ତା । କିନ୍ତୁ ଭାଗ୍ୟ, ରାତାରାତି ସେ ପ୍ଳାସାଁ ପରିତ୍ୟାଗ କରି ପ୍ୟାରିସକୁ ରମାନା ହୋଇଗଲା ଏବଂ ରାତାରାତି ନ ହେଲେ ବି ଦଶଟି ବର୍ଷର ଚେଷ୍ଟାରେ ସେ ଆଜି ଜଣେ ଗଣ୍ୟମାନ୍ୟ ଲୋକ ହୋଇ ବସିଛି । ରୀତିମତ କାଉଁନ୍‌ସିଲର । ବଡ଼ ବଡ଼ ସଭାମାନଙ୍କରେ ସମ୍ରାଟଙ୍କ ଗୁଣକୀର୍ତ୍ତନ କରି ଓଜସ୍ୱିନୀ ଭାଷାରେ ଭାଷଣ ଦିଏ । ଆଉ ଦିନ ପରେ ଦିନ ବ୍ୟାଙ୍କର ବାଲାନ୍‌ସଟା ବଢ଼ି ବଢ଼ି ଚାଲେ । ଠିକ୍ କେମିତି ଭାବରେ, ତାହା କେହି ବୁଝିପାରନ୍ତି ନାହିଁ ।

 

ଇଉଜିନ ଯାହା କରିପାରିଛି ଆରିଷ୍ଟାଇଡ ତାହା ପାରିବ ନାହିଁ କାହିଁକି ? ସେହି ରକ୍ତ କ’ଣ ତା’ର ଶିରାପ୍ରଶିରାରେ ପ୍ରବାହିତ ହେଉ ନାହିଁ ? ସେ ନିଶ୍ଚୟ ପାରିବ । ଇଉଜିନ ଅପେକ୍ଷା ବରଂ ସେ ସହଳ ପାରିବ । ନ ହେଲେ ଚଳିବ କେମିତି ? ବୟସ ପଇଁତ୍ରିଶ ପାରେଇ ଗଲାଣି । ରୋଜଗାର କରିବା ପାଇଁ ଯଦି ଆଉ ଦଶ ବର୍ଷ ବିତିଯାଏ ତେବେ ଭୋଗ କରିବ କେବେ ? ବୃଦ୍ଧ ବୟସରେ ଯୌବନରେ ସେ ଉଦ୍ଦାମତା ବା ଆସିବ କାହୁଁ !

 

ବିବାହଟା ଆଜି ତା’ର ଜୀବନର ଏକମାତ୍ର ପ୍ରତିବନ୍ଧକ । ହଁ, ବୁଦ୍ଧିମାନ୍‌ ଆରିଷ୍ଟାଇଡ ତା’ର ପଇଁତ୍ରିଶ ବର୍ଷ ଜୀବନକାଳ ମଧ୍ୟରେ ଏହି ଏକମାତ୍ର ଭୁଲ କରିଛି, ଆଉ ସେହି ଏକମାତ୍ର ଭୁଲ ହିଁ ତା’ର ଅଗ୍ରଗତିରେ ଦୁର୍ଲଙ୍ଘ୍ୟ ପ୍ରାଚୀର ପରି ଠିଆହୋଇଛି । ବିବାହ ! ପ୍ରଥମ ଯୌବନର ରଙ୍ଗୀନ୍‌ ଆଖିରେ ଲବଣର ପିତୁଳା ଏଞ୍ଜେଲାକୁ ଦେଖି ତା’ର କି ଯେ ନିଶା ଲାଗିଥିଲା କେଜାଣି, ହଠାତ୍‌ ବିବାହ ପ୍ରସ୍ତାବ ବାଢ଼ି ବସିଲା ଆଉ ଆଶ୍ଚର୍ଯ୍ୟ, ତତ୍‌କ୍ଷଣାତ୍‌ ମୁଣ୍ଡ ହଲାଇ ସମ୍ମତି ପ୍ରକାଶ କଲା ଲବଣୀ ପିତୁଳାଟି । ଫଳରେ ଆରିଷ୍ଟାଇଡ ଆଜି ଦଶ ବର୍ଷ ବୟସ୍କ ଏକ ପୁତ୍ରର ଜନକ ।

 

ଅଥଚ ପ୍ରଥମ ଧନୁଗୁଣ ଭକ୍ଷଣ କରିଥିବା ଶୃଗାଳର ଅବସ୍ଥା ଆଜି ବିଚରାର । ନା, ଆଉ ଡେରି କଲେ ଚଳିବନି । ବାପା ଯେତେ ବାରଣ କଲେ ବି ସେ ନିଶ୍ଚେ ପ୍ୟାରିସକୁ ଯିବ । ରାଜଧାନୀର ଡାକ ସେ ଅହରହ ଶୁଣିପାରୁଛି । ଆରିଷ୍ଟାଇଡର କୋଳରେ ନିଃଶେଷ କରି ଅଜାଡ଼ିଦେବା ପାଇଁ ସେ ଯେମିତି ସୁନା ମୋହରର ଥଳି ନେଇ ବସିରହିଛି । ସେ ଆହ୍ୱାନ୍‌ ପ୍ରତ୍ୟାଖାନ କରି ବାବର ମୃତ୍ୟୁ ପରେ ତହସିଲଦାରୀର ଆଶାରେ ସେ ବସି ରହିବ ନାହିଁ । ବାପା ବର୍ତ୍ତମାନ ବି ତିରିଶ ବର୍ଷ ବଞ୍ଚିପାରନ୍ତି । ତାଙ୍କ ଦେହାନ୍ତ ପରେ ସରକାର ଅନ୍ୟ କାହାକୁ ଯୋଗ୍ୟତାର ମନେ କରିପାରେ । ଆଉ କୌଣସି ପ୍ରତିକୂଳ ଘଟଣା ନ ଘଟିଲେ ବି ଏ ତହସିଲଦାରୀର ମୂଲ୍ୟ କ’ଣ ପ୍ୟାରିସର ଗଦା ଗଦା ମୋହର ତୁଳନାରେ ?

 

ଶ୍ୱଶୁର ସିକାର୍ଦୋତ୍‌ ମୋଟାମୋଟି ସଜ୍ଜଳ ଅବସ୍ଥାର ବ୍ୟକ୍ତି । ତାଙ୍କ ପାଖରୁ ପାଞ୍ଚଶହ ଫ୍ରାଙ୍କ କରଜ କରି ସସ୍ତ୍ରୀକ ଆରିଷ୍ଟାଇଡ ପ୍ୟାରିସକୁ ଚାଲି ଆସିଲା । ପୁଅ ମ୍ୟାକିସ୍‌ମ ପ୍ଳାସାରା କଲେଜରେ ହିଁ ରହିଗଲା । ତା’ର ପଢ଼ା ଖର୍ଚ୍ଚଟା ବୃଦ୍ଧ ରୌଗନ ହିଁ ବହନ କରିଥାନ୍ତି । ସେ ଦିଗରୁ ଆରିଷ୍ଟାଇଡ ନିଶ୍ଚିନ୍ତ । ଏହି କାରଣରୁ ଆହୁରି ନିଶ୍ଚିନ୍ତ ଯେ ସ୍ତ୍ରୀ ଟି ଚିରରୁଗ୍‌ଣା, ବିବାହ ପରଠାରୁ ସେ କ୍ଷୟରୋଗରେ ଆକ୍ରାନ୍ତ । ରକ୍ଷା, ଏ ରୋଗ ହୋଇ ନ ଥିଲେ ଏଯାଏ ତା’ର ସଂସାର ସନ୍ତାନ–ସନ୍ତତିର ଭରିଯାଇଥାନ୍ତା । ବାପାଙ୍କ ଉପରେ ଆଉ କେତେଟାଙ୍କୁ ବା ଲଦି ଦିଆଯାଇ ପାରିଥାନ୍ତା ।

 

ନଭେମ୍ୱର ମାସରେ ଆରିଷ୍ଟାଇଡ ଓ ଏଞ୍ଜେଲା ପ୍ୟାରିସରେ ଆସି ପହଞ୍ଚିଲେ । ଆସିବା ମାତ୍ରକେ ଏକ ଅଖ୍ୟାତ ବସ୍ତିରେ ଘରଭଡ଼ା ନେଇ ବସବାସ କରିବାକୁ ଲାଗିଲେ । ସମ୍ୱଳ ତ ମାତ୍ର ପାଞ୍ଚଶହ ଫ୍ରାଙ୍କ । ଏତକ ସମ୍ଭବ ଖର୍ଚ୍ଚବାର୍ଚ୍ଚ କମ କରିବା ଦରକାର । ଏଞ୍ଜେଲା ଏ ଦିଗରୁ ଖୁବ୍‌ ଭଲ-। ନିଜର କୌଣସି ବ୍ୟକ୍ତିଗତ ସଉକ ବା ସୌକିନତା ତା’ର ନାହିଁ । ଘର ଚଳେଇବା ପାଇଁ ସ୍ୱାମୀ ତା’ ହାତରେ ଯେତେ କମ୍‌ ପଇସା ଦେଉନା କାହିଁକି ସେଥିରେ ସେ ଚଳେଇନେବ । ତହିଁରେ ତା’କୁ ଓଳିଏ ଖାଇବା ପାଇଁ ହେଲେ ବି ପ୍ରତିବାଦ କରିବ ନାହିଁ ।

 

ନୂତନ ଘରକୁ ଆସି ସଂସାର ଗୁଛେଇ ନେବାରେ ଏଞ୍ଜେଲା ବ୍ୟସ୍ତ ହୋଇପଡ଼ିଲା । ଆରିଷ୍ଟାଇଡ ବାହାରି ପଡ଼ିଲା ସହର ଦେଖିବା ପାଇଁ । ଦେଖା ତ ନୁହେଁ, ଏହାକୁ କୁହାଯିବ ପର୍ଯ୍ୟବେକ୍ଷଣ । ଧରନ୍ତୁ, ସକାଳୁ ଯୁଦ୍ଧ ଆରମ୍ଭ ହେବ, ପୂର୍ବ ରାତିରେ ସେନାପତି ଯୁଦ୍ଧକ୍ଷେତ୍ରର ପାରିପାର୍ଶ୍ୱିକ ଅବସ୍ଥାଟା ନିରୀକ୍ଷଣ କରି ଦେଖୁଛନ୍ତି । ସେ ଦେଖାକୁ କ’ଣ ସାଧାରଣ ଦେଖା କୁହାଯାଇପାରେ ? କହିବାକୁ ହେବ ସାମରିକ ପର୍ଯ୍ୟବେକ୍ଷଣ । ଆରିଷ୍ଟାଇଡ ରୌଗନ ବି ଆଜି କେବଳ ସାମରିକ ପର୍ଯ୍ୟବେକ୍ଷଣ ହିଁ କରି ବୁଲୁଛି, ଯଦିଓ ତା’ର ସମରସଜ୍ଜାର ଅସ୍ତ୍ର କହିଲେ ଯାହା ରହିଛି ତାହା କେବଳ ସାମାନ୍ୟ ଶାଣିତ ବୁଦ୍ଧି ।

 

ଏହି ପ୍ୟାରିସ ରାଜଧାନୀରେ ସମରକ୍ଷେତ୍ରରେ ହିଁ ତା’ର ବୁଦ୍ଧିର ଅସ୍ତ୍ର ଦେଇ ସେ ଆଘାତ କରିବ ପ୍ରତିମୂଳ ଭାଗ୍ୟକୁ, ଲୁଟି ଆଣିବ ତା’ର ବଦ୍ଧମୂଷ୍ଟିରୁ କୁବେରର ଐଶ୍ୱର୍ଯ୍ୟ । ନିଶ୍ଚୟ ଆଣିବ, ଆଣି ନ ପାରିଲେ ତା’ର ରୌଗନ ନାମ ହିଁ ମିଥ୍ୟା ।

 

ରାସ୍ତାକୁ ବାହାରି ଆସିଲା ରୌଗନ, ଦରିଦ୍ର ପଲ୍ଲୀର କଦର୍ଯ୍ୟ ରାସ୍ତା । ତେବେ ତା’ ଜୋତାର ତଳପଟ ବେଶ ମଜବୁତ ରହିଛି । ପଥର ଉପରେ ସେ ବେଶ ଅନାୟାସରେ ଚାଲିଯାଇପାରୁଛି । ଏହିସବୁ ପଥର ନିଗାଡ଼ି ତ ଦିନେ ସେ ସୁନା ବାହାର କରିବ । ରାଜଧାନୀ ପ୍ୟାରିସକୁ ସେ ସେଇ ଆଖିରେ ଦେଖୁଛି, ଯେଉଁ ଆଖିରେ ବିଜୟୀ ସେନାପତି ଦେଖେ ବିଜିତ, ପଦାନତ ଶତ୍ରୁପୁରୀକୁ । ଲୁଣ୍ଠନ କରିବାକୁ ହେବ, ପକେଟରେ ପୂରେଇବାକୁ ହେବ । ଏଇ ଯେ ଚାରିପାଖେ ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟ ଏହାର ଗୋଟାଏ ଅଂଶ କ’ଣ ତା’ର ପ୍ରାପ୍ୟ ନୁହେଁ ? ଯଦି ତାହା ନୁହେଁ, ତେବେ ସାମ୍ୟ, ମୈତ୍ରୀ ଆଉ ସ୍ୱାଧୀନତାର ଅର୍ଥ କ’ଣ ?

 

ହଁ, ଗୋଟାଏ ଭାଗ ତା’ର ନିଶ୍ଚୟ ରହିଛି । ନ୍ୟାୟତଃ, ଧର୍ମତଃ । ତହିଁରୁ ଅନ୍ୟାୟ ଭାବରେ ତା’କୁ ଏତେଦିନ ବଞ୍ଚିତ କରାହୋଇଛି, ଏହି ଦୀର୍ଘ ପଇଁତ୍ରିଶ ବର୍ଷ । ଆଜି ସେ ଆସିଛି ସେହି ବେଦଖଲ ଉତ୍ତରାଧିକାର ନିଜର ଭୋଗଦଖଲକୁ ଆଣିବା ପାଇଁ । ଅନ୍ୟାୟର ପ୍ରତିକାର ଲୋଡ଼ା । ସେଥିପାଇଁ ତା’କୁ କି କିଛି ଅନ୍ୟାୟ କରିବାକୁ ହେବ । ତହିଁରେ ପଶ୍ଚାଦ୍‌ପଦ ହେବାର ବ୍ୟକ୍ତି ଆରିଷ୍ଟାଇଡ ରୌଗନ ନୁହେଁ । ନିଃସ୍ୱ, ରିକ୍ତ ବଞ୍ଚିତ, ବୁଭୁକ୍ଷୁଗଣ ଧନୀକର ସିନ୍ଦୁକର ତାଲା ଭାଙ୍ଗନ୍ତି ‘ମା’ । ଦରକାର ହେଲେ ତା’ଠାରୁ ବି ଅଧିକ ଅନ୍ୟାୟ କରିବ ଆରିଷ୍ଟାଇଡ । ଅବଶ୍ୟ ଆଇନ୍‌ ଆଖିରେ ଧୂଳି ଦେଇ ।

 

ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ବଜାର ଝଲମଲ ଆଲୋକମାଳାର ସମୁଜ୍ଜ୍ୱଳ । ରାସ୍ତାଟା କ’ଣ ? ଆବିଷ୍କାର କରିବା ପାଇଁ ଡେରି ଲାଗିଲା ନାହିଁ । ଫବୋର୍ସ ସେଣ୍ଟ–ଅନୋର । ନିଜ ଅଜାଣତରେ ହିଁ ସେ ଠିକ୍‌ ଜାଗାରେ ଆସି ପହଞ୍ଚିଯାଇଛି । ଏହି ରାସ୍ତାରୁ ହିଁ ବାହାରିଛି ର‍୍ୟୁ ପେନ୍‌ଥିୟେକ୍‌ । ସେ ରାସ୍ତାଟି ବି ଛୋଟ ବା ନଗଣ୍ୟ ନୁହେଁ । ନଗଣ୍ୟ ହୋଇଥିଲେ ଇଉଜିନ ସେଠାରେ ବାସ କରୁ ନ ଥାନ୍ତା । ହଁ, ଇଉଜିନର ବାସସ୍ଥାନ ରହିଛି ଖୁବ୍‌ ନିକଟରେ । ଖୁବ୍‌ ପାଖରେ ହେଲେ ବି ଆଜି ରାତିରେ ସେ ଇଉଜିନ ପାଖକୁ ଯାଉ ନାହିଁ । ଦେଖା ସାକ୍ଷାତର ପ୍ରକୃଷ୍ଟ ସମୟ ଏହା ନୁହେଁ । ଇଉଜିନ ଯେମିତି ନ ଭାବେ ସେ ସହରକୁ ଆସିବା ମାତ୍ରକେ ସବୁ କାମଦାମ ଛାଡ଼ି ଭାଇଟା ତା’ ପାଖକୁ ଦୌଡ଼ି ଆସିଛି । ବଡ଼ଭାଇ ପାଖରେ ବି ନିଜକୁ ଛୋଟ କରିବା ପାଇଁ ଚାହେଁ ନା ଆରିଷ୍ଟାଇଡ । ଯେ ଛୋଟ ସେ ଅନ୍ୟ କାହାରି ପାଖରୁ ବି ବୃହତ୍‌ କିଛି ଆଶା କରି ନ ପାରେ । ଦାଦା କାହିଁକି, ବାପାଙ୍କ ପାଖରେ ବି ନୁହେଁ । ନା, ଆଜି ସେ ଯିବ ନାହିଁ ।

 

ଅନେକ ଦିନରୁ ହିଁ ଇଉଜିନ ପ୍ୟାରିସରେ ଅଛି । ଓକିଲାତି କରିବା ପାଇଁ ଆସିଥିଲା, କିନ୍ତୁ ମନ ଦେଲା ରାଜନୀତିରେ । ତୃତୀୟ ନେପୋଲିୟନ ଯେତେବେଳେ କ୍ଷମତା ଅଧିକାର କଲେ, ତାଙ୍କ ପାଇଁ ଯେଉଁ ଯେଉଁମାନେ ଜୀବନପଣ କରିଥିଲେ, ସେମାନଙ୍କ ମଧ୍ୟରେ ଇଉଜିନ ଅନ୍ୟତମ । ଅବଶ୍ୟ ହୁସିଆର ଲୋକ ଇଉଜିନ । ନେତାକୁ କ୍ଷମତା ଅଧିକାର କରିବାକୁ କଠିନ ହେବ ନାହିଁ । ତାହା ଭଲଭାବରେ ଜାଣି ହିଁ ସେ ଏଥିରେ ମୁଣ୍ଡ ପୂରେଇଥିଲା । ସେ ଯାହାହେଉ, ସେହି ନାମକେ ଓୟାସ୍ତେ ନାକ ଗଳାଇବା ଫଳରେ ଇଉଜିନ୍‌ର ଭାଗ୍ୟ ଖୋଲିଗଲା । ପ୍ରକାଶ୍ୟରେ ନ ହେଲେ ବି ଇଉଜିନ ବର୍ତ୍ତମାନ ଶକ୍ତିଶାଳୀ ବ୍ୟକ୍ତି । ରାଜନୀତିରେ ଅନେକ ପଶାକାଠି କୁଆଡ଼େ ଆଜି ତା’ ହାତରେ । ଓକିଲାତିରେ ତା’ର ପ୍ରସାର ଘଟି ନାହିଁ । ତଥାପି ସମାଜରେ ସେ ଜଣେ କୃତୀ ବ୍ୟକ୍ତି ଭାବରେ ସ୍ୱୀକୃତ୍ୟ । ଗତ ନିର୍ବାଚନରେ ତା’ କପାଳରେ କାଉନ୍‌ସିଲର ଏକ ସଦସ୍ୟପଦ ବି ଜୁଟିଛି ।

 

ହଁ, ଆରିଷ୍ଟାଇଡର ଆଶା ତା’ଠାରୁ ଆହୁରି ଉପରେ । ରାଜଧାନୀର ପିଚ୍ଛିଳ ପଥରେ ଚାଲିବା ପାଇଁ ହାତରେ ଖଣ୍ଡେ ମଜଭୁତ ଲାଠି ଦରକାର । ସେ ଲାଠିର କାମ ଆପାତତଃ ଇଉଜିନ୍‌ ହିଁ କରୁ । ତା’ ସେ କରିବ ନାହିଁ । ଯଦି ସେ ବୁଝିପାରେ ଯେ ଏକାନ୍ତ ଭାବରେ ତା’ ଉପରେ ଭରସା କରି ସେ ପ୍ୟାରିସ୍‌ ଅଭିମୁଖେ ଆସିଛି । ନୀଚ୍ଚ ଲୋକ ଆଦର ପାଏନା, ନିଜର ଗୁରୁତ୍ୱ ବଜାୟ ରଖି ଦାଦା ସହିତ କାରବାର କରିବାକୁ ହେବ । ସୁତରାଂ ସେ ଇଉଜିନର ଦୁଆର ସେଦିନ ମାଡ଼ିଲା ନାହିଁ, ଯଦିଓ ଘରଟାର ଅବସ୍ଥିତି ଠିକ୍‌ କେଉଁଠି ତାହା ସ୍ୱଚକ୍ଷୁରେ ଥରେ ଦେଖିନେଲା, ଯେମିତି କାଲି ସକାଳୁ ବୁଲିବାକୁ ନ ପଡ଼େ । ଘରଟାର ସମ୍ମୁଖରେ ହିଁ ରାସ୍ତାର ଆଖାପାଖି ଦୁଇଟି ଦୋକାନ ବନ୍ଦ । ଦୋକାନର ଆଲୋକ ଆସୁନି । ଫଳରେ ସେଠି ରାସ୍ତା ଅଳ୍ପ ଅନ୍ଧକାର । ସେହି ଅନ୍ଧକାରରେ ଠିଆ ହୋଇ ଇଉଜିନର ଘରଟା ପର୍ଯ୍ୟବେକ୍ଷଣ କରୁଛି ଆରିଷ୍ଟାଇଡ । ହଠାତ୍‌ ରାସ୍ତାକୁ ଗୋଟିଏ ନାରୀମୂର୍ତ୍ତି ବାହାରି ଆସିଲା । ମୂର୍ତ୍ତିଟି ଯେପରି ଚିହ୍ନା ଚିହ୍ନା । ଅନେକ ଦିନ ପରେ ଦେଖା, ତଥାପି ଭୁଲ ହେବାର ଆଶଙ୍କା ନାହିଁ । ସିଡୋନୀ ! ଭଉଣୀ ସିଡୋନୀ ନୁହେଁ ତ ?

 

ହଁ, ନିଶ୍ଚୟ ସିଡୋନୀ । ଏପଟ ସେପଟ ଚାହିଁ ଚାହିଁ କ୍ରସ୍ତ ପଦରେ ରାସ୍ତା ପାରେଇ ଚାଲିଗଲା ସିଡୋନୀ । ଇଉଜିନ ଘରୁ ସେ ବାହାରିବା ଯେମିତି କେହି ନ ଜାଣନ୍ତୁ, ଏମିତି ଭାବ । ଏମିତି କାହିଁକି ହେବ ? ନିଜ ବସାକୁ ଫେରିବା ରାସ୍ତାରେ ଏହି ସମସ୍ୟାର ସମାଧାନ ଖୁବ୍‌ ଚିନ୍ତା କରିବାକୁ ଲାଗିଲା ଆରିଷ୍ଟାଇଡ । ଏମିତି କାହିଁକି ହେବ ? ସିଡୋନୀ କ’ଣ ଇଉଜିନ ଆଖିରେ ଖୁବ୍‌ ତଳକୁ ଖସିଯାଇଛି ? ଏତେ ତଳକୁ ଯେ ଭଉଣୀକୁ ଭାଇ ଆଉ ଭଉଣୀ ବୋଲି ସ୍ୱୀକାର କରିବାକୁ ନାରାଜ ? ନା, ତାହା ଅବିଶ୍ୱାସ । ଅବଶ୍ୟ ସେ ସିଡୋନୀକୁ ବହୁଦିନ ଧରି ଦେଖି ନାହିଁ; କିନ୍ତୁ ତା’ର ଚରିତ୍ର ଯଦି ସମ୍ପୂର୍ଣ୍ଣ ବଦଳି ଯାଇ ନ ଥାଏ, ତେବେ ନିଜକୁ ଏତେ ତଳକୁ ଖସେଇଦେଇ ପାରିବନି ସିଡୋନୀ । ସେ ଲୁହା ପରି କଠିଣ ମଣିଷ । ନିଜ ସ୍ୱାର୍ଥହାସଲ କରିବା ପାଇଁ ଏମିତି କିଛି ନାହିଁ ଯାହା ସେ କରି ନ ପାରେ । ନୀତିଜ୍ଞାନର ପ୍ରଶ୍ନ ହିଁ ନାହିଁ । ରୌଗନବଂଶର ଯୋଗ୍ୟତମ ମହିଳା । ଇଉଜିନ ସହିତ ତା’ର ତ ପୂରାପୂରି ସଦ୍‌ଭାବ ରହିବା କଥା ।

 

ମନକୁ ମନ ହସି ଉଠିଲା ଆରିଷ୍ଟାଇଡ । କେବଳ ଇଉଜିନ କାହିଁକି, ମନ ଓ ମତର ମିଳନ ତା’ ନିଜ ସହିତ ବା ସିଡୋନୀର ହେବ ନାହିଁ କାହିଁକି ? ସ୍ୱାର୍ଥହାସଲ ପାଇଁ ସିଏ ବି ତ ସମସ୍ତ ନୀତିଜ୍ଞାନକୁ ବିସର୍ଜନ ହେବା ପାଇଁ ପ୍ରସ୍ତୁତ । ତା’ ପରଦିନ ସକାଳେ ହିଁ ଇଉଜିନ ସହିତ ସାକ୍ଷାତ କଲା ଆରିଷ୍ଟାଇଡ । ଦୁଇଟି ଘର, ବେଶ୍‍ ବଡ଼ ହେଲେ ବି ଖୁବ୍‌ ଥଣ୍ଡା, ଆଉ ଆସବାବପତ୍ର ଖୁବ୍‌ ସାମାନ୍ୟ ! ଇଉଜିନର ବାସସ୍ଥାନରେ ଏଭଳି ଦୈନ୍ୟର ପ୍ରତ୍ୟାଶା କରି ନ ଥିଲା ଆରିଷ୍ଟାଇଡ । ସେ ବେଶ ଟିକିଏ ଚମକି ପଡ଼ିଲା । ଗୋଟାଏ ଛୋଟ କଳାରଙ୍ଗର ଟେବୁଲ ସାମନାରେ ବସି ଇଉଜିନ ଲେଖାପଢ଼ା କରୁଛି । ମୁହଁ ଉଠେଇ ଥରେ ସେ ଭାଇଙ୍କୁ ଦେଖିନେଲା, କ୍ଷୀଣ ଏକ ହସର ରେଖା ସ୍ୱଳ୍ପ ସମୟ ପାଇଁ ଫୁଟି ଉଠିଲା ତା’ର ଓଠ କୋଣରେ । ତା’ ପରେ ବେଶ୍‌ ଗମ୍ଭୀର ଅଥଚ ଧୀର କଣ୍ଠରେ କହିଲା–ଆରେ ତୁ ଆସିଛୁ, ଭାବିଥିଲି ତୁ ନିଶ୍ଚୟ ଆସିବୁ ।

 

ଆରିଷ୍ଟାଇଡ ନିଜ କଥା ଆରମ୍ଭ କଲା । କଥା କ୍ରମେ ତିକ୍ତ ହୋଇଆସିଲା । ସମୟାନୁସାରେ ସମ୍ରାଟଙ୍କ ଦଳରେ ଯୋଗ ଦେଇ ଇଉଜିନ ନିଜର କାମ ହାସଲ କରି ନେଇଛି । ସହରରେ ରହି ରାଜନୀତି କେଉଁ ଆଡ଼କୁ ଗତି କରୁଛି ପ୍ରଥମରୁ ହିଁ ତା’ର ଟେର ପାଇଯାଏ ଆଉ ତା’ର ସମ୍ପୂର୍ଣ୍ଣ ସୁଯୋଗ ନେଇଛି ଇଉଜିନ । ଗ୍ରାମ୍ୟ ଭାଇଟିକୁ ତା’ର ସାମାନ୍ୟତମ ସୁଯୋଗ ଦେଲେ କ୍ଷତି ବା କ’ଣ ଥିଲା ? ଡିସେମ୍ୱର ୨ ତାରିଖରେ ସାଧାରଣତନ୍ତ୍ର ଯେତେବେଳେ ସାମ୍ରାଜ୍ୟର ରୂପ ନେଉଛି, ସେତେବେଳେ ଗାଉଁଲି ଆରିଷ୍ଟାଇଡ ସାଧାରଣତନ୍ତ୍ର ଧ୍ୱଜା ଉଡ଼େଇ ବସିଛି ପ୍ଳାସାଁରେ । ସାମାନ୍ୟତମ ସୂଚନା ସେ ଯଦି ଦାଦା ପାଖରୁ ପାଇଥାନ୍ତା !

 

ନିଃଶବ୍ଦରେ ବସି ବସି ଭାଇର ଅଭିଯୋଗ ଶୁଣିଲା ଇଉଜିନ । ତା’ପରେ ପୂର୍ବପରି ନିର୍ଲିପ୍ତ କଣ୍ଠରେ କହିଲା ‘‘ଆରେ, ତହିଁରେ କ’ଣ ବା କ୍ଷତି ହୋଇଯାଇଛି ?

 

ଭୁଲଟା ଏଥର ସୁଧାରି ନିଆଯାଉ । ଆସିଯାଇଛ ସେତେବେଳେ, ଏଥର ଆଉ କିଏ ତମକୁ ରୋକିବ ? ତମର ଭବିଷ୍ୟତ ଯେ ଖୁବ୍‌ ସମୁଜ୍ଜ୍ୱଳ ଏଥିରେ ମୁଁ ବିଶ୍ୱାସ କରେ । ଇଉଜିନ୍‌ ଏତେ ନିଃସନ୍ଦେହ ହୋଇପାରିଲା କେମିତି ? ଆର୍ଥିକ ଉନ୍ନତି ପାଇଁ ଆରିଷ୍ଟାଇଡ ଯେ କୌଣସି କାମ କରିବାକୁ ପ୍ରସ୍ତୁତ, ସେ ବିଷୟରେ କ’ଣ ୟାରି ଭିତରେ ଏ ଧୂର୍ତ୍ତଶିରୋମଣି ଜାଣିଯାଇଛି ? କେମିତି ଜାଣିଲା ? ସେ କ’ଣ ଚେହେରା ଦେଖି ମନର କଥା ଜାଣିପାରେ । ମନରେ ସନ୍ଦେହ ହେବା ମାତ୍ରକେ ସେ ଆଖି ନୁଆଁଇଲା ।

 

ଏପଟେ ଆରିଷ୍ଟାଇଡ କହି ଚାଲିଛି–‘‘ତୁମକୁ ଗୋଟିଏ ଚାକିରି ଯୋଗାଡ଼ କରିଦେବା ପାଇଁ ପଡ଼ିବ, ଏଇ କଥା ତ ? ତମେ ନିଶ୍ଚୟ ଆସିବ, ଏକଥା ଜାଣି ମୁଁ ଖୋଜଖବର ଆରମ୍ଭ କରିଛି । ଏଯାଏ କୌଣସି ଖବର ଯଦିଓ ପାଇ ନାହିଁ ତେବେ କିଛି ଦିନ ଭିତରେ ନିଶ୍ଚୟ ପାଇଯିବ-। ଯାହା ତାହା ଗୋଟିଏ ଚାକିରି କଲେ ତ ହେବନି, ଏମିତି ଏକ ଜାଗା ଦରକାର, ଯେଉଁଠି ମୋର ଭାଇକୁ ମୁଁ ନିଃସଙ୍କୋଚରେ ବସେଇ ପାରିବି । ଏମିତି ଏକ ସ୍ଥାନ ଲୋଡ଼ା, ଯେଉଁଠୁ ଦୁଇ ପଇସା ହାତେଇ ପକେଟରେ ପୂରେଇଲେ ବି ବିପଦର ସମ୍ଭାବନା ନ ଥିବା ତୁମର ବା ମୋର । ମୋ ପାଖରେ ଆଉ ସାଧୁଗିରି କାହିଁକି ? ତୁମେ ଯାହା ଚାହଁ, ଠିକ୍‌ ଠିକ୍‌ ଧରିପାରିଛି କି ନା ? ତୁମର ଓ ମୋ ବ୍ୟତୀତ ଏଠି ତ ଆଉ କେହି ନାହାନ୍ତି, ମନକଥା ଖୋଲି କହିବାରେ ବାଧା ନାହିଁ ।

 

ଆରିଷ୍ଟାଇଡ ମନ ଖୋଲି ଅଳ୍ପ ହସିଲା । କଥା କହିବାର ବିପଦ ଅନେକ । ହସରୁ ମନ ଯାହା ଚାହେଁ, ଇଉଜିନ ସେୟା ବୁଝିନେଉ । ଇଉଜିନ ମନଯୋଗ ସହକାରେ ଶୁଣିଲା ହସଟା, ତା’ପରେ କହିଲା, ତମେ ଯେ ନିର୍ବୋଧ ନୁହେଁ, ଏଥିରେ ମୁଁ ନିଃସନ୍ଦେହ । ଅକାରଣରେ ବିପଦର ବୋଝ ଯେ ତୁମେ ନେବ ନାହିଁ, ଏକଥା ମୁଁ ଜାଣେ । ସୁଯୋଗ ପାଇବା ମାତ୍ରକେ ହିଁ ତୁମକୁ ମୁଁ ଚାକିରି ଯୋଗାଡ଼ କରିଦେଉଛି । ଯେତେ ଦିନ ଚାକିରି ଦେଇପାରୁନି, ଦରକାର ହେଲେ ଦଶ ପନ୍ଦର ମୋ ପାଖରୁ ନେଇଯିବ ।

 

ତା’ପରେ ଅପେକ୍ଷାକୃତ, ଗୁରୁତ୍ତ୍ୱହୀନ ଗୋଟାଏ ଦୁଇଟି ବିଷୟରେ ଆଲୋଚନା, ଯଥା ଦକ୍ଷିଣାଞ୍ଚଳରେ ବିଦ୍ରୋହ, ଯାହାର ସୁଯୋଗ ନେଇ କିଛିଦିନ ପୂର୍ବରୁ ଇଉଜିନର ବାପା ତହସିଲଦାରଟା ହାତେଇ ନେଇଛନ୍ତି । ଇଉଜିନ୍‌ ଏପଟେ କଥାବାର୍ତ୍ତା କରୁଛି, ସେପଟ ବାହାରକୁ ଯିବା ପାଇଁ ପୋଷାକ ପିନ୍ଧି ପ୍ରସ୍ତୁତ ହେଉଛି । ଦୁହେଁ ଯେତେବେଳେ ରାସ୍ତା ଉପରକୁ ଚାଲିଆସିଲେ, ଛଡ଼ାଛଡ଼ି ହେବା ପୂର୍ବରୁ ଇଉଜିନ୍‌ ଭାଇର କାନେ କାନେ କହିଲା, ଗୋଟାଏ କାମ କରିବ, ନିଜେ କେଉଁଠିକି କୌଣସି ଚାକିରି ପାଇଁ ଚେଷ୍ଟା କରିବାକୁ ଯିବ ନାହିଁ । ଘରକୁ ଯାଇ ଚୁପ୍‌ଚାପ୍‌ ବସିଥାଅ-। ନିଯୁକ୍ତିପତ୍ର ଯଥା ସମୟରେ ତୁମ ପାଖରେ ଯାଇ ପହଞ୍ଚିବ । ମୋ ନିଜର ଭାଇ ହୋଇ ଚାକିରି ପାଇଁ ଯଦି ତୁମେ ୟା, ତା’ ପାଖରେ ଘୁରିବୁଲ ତେବେ ମୋର ସମ୍ମାନରେ ଆଞ୍ଚ ଆସିବ । ଇଉଜିନର କ୍ଷମତା ଉପରେ ଆରିଷ୍ଟାଇଡର ଶ୍ରଦ୍ଧା ରହିଛି । ଖୁବ୍‌ ବେଶୀ ଶ୍ରଦ୍ଧା ହିଁ ରହିଛି । ତା’ ନହେଲେ ସେ କ’ଣ ଭାଇର କଥା ଉପରେ ନିର୍ଭର କରି ନିଶ୍ଚିନ୍ତରେ ବସି ରହିପାରେ ? ତେଣୁ ଚୁପ୍‌ଚାପ ବସି ରହିଛି । ନିଶ୍ଚିନ୍ତ ଏବଂ ନିଶ୍ଚେଷ୍ଟ । ପାଞ୍ଚଶ ଫ୍ରାଁ ସମ୍ୱଳ ନେଇ ପ୍ଳାସାଁରୁ ବାହାରିଥିଲା । ରାସ୍ତାରେ କିଛିଟା ଖର୍ଚ୍ଚ ହୋଇଛି, ଆଉ କିଛିଟା ଖର୍ଚ୍ଚ ହୋଇଛି ଘରଭଡ଼ା ବାବଦରେ । ତା’ ପରେ ଘରେ ବସି ବସି ସ୍ୱାମୀ ସ୍ତ୍ରୀ କେବଳ ଖାଉଛନ୍ତି । ଏଞ୍ଜେଲାଟି ରୋଗୀ ମଣିଷ, ଗାଁର ସ୍ୱଳ୍ପାହାରୀ ଝିଅଟି ସହରକୁ ଆସିବାଠାରୁ ପ୍ରଚୁର ଖାଉଛି । ତା’ପରେ ରାଜଧାନୀକୁ ଆସିବା ପରେ ସେ ବିବେଚନା କଲା ଯେ, ରବିବାସରୀୟ ପୋଷାକରେ ନୂତନ ଭାବରେ ରିବନ ଲଗେଇବା ଅତ୍ୟାବଶ୍ୟକ ହୋଇପଡ଼ିଛି । ଫଳରେ ତହସିଲର ଅବସ୍ଥା ବର୍ତ୍ତମାନ ଅତି ଶୋଚନୀୟ । ହଠାତ୍‌ କିଛି ଗୋଟାଏ ନ ହେଲେ....

 

ହଠାତ୍‌ ନ ହେଲେ ବି ଦିନେ ଅବଶ୍ୟ ହୋଇଗଲା । ଦାଦା ତା’କୁ ଡକେଇ ପଠେଇଲା ଏବଂ ସେଠି ପହଞ୍ଚିବା ମାତ୍ରକେ ଇଉଜିନ୍‌ ତା’ ହାତରେ ନିଯୁକ୍ତି ପତ୍ରଟିଏ ବଢ଼େଇ ଦେଲା । ହୋଟେଲ ଦ୍ୟ ଭିଲରେ ସର୍ଭେ ଅଫିସ । ସେଇଠି ହି ଆସିଷ୍ଟାଣ୍ଟ ସର୍ଭେ କ୍ଳର୍କ ପଦରେ ତା’ର ନିଯୁକ୍ତି-। ବେତନ ବର୍ଷରେ ଦୁଇ ହଜାର ଚାରିଶ ଫ୍ରାଁ; ଅର୍ଥାତ୍‌ ମାସକରେ ମାତ୍ର ଦୁଇ ଶହ । ମୁହଁ ମୋଡ଼ିଲା ଆରିଷ୍ଟାଇଡ । ଚାହିଁଲା ଇଉଜିନକୁ, ସେ ଚାହାଁଣିରେ ତୀବ୍ର ଭର୍ତ୍ସନା । ମାତ୍ର ଦୁଇ ଶହ ? ଏଥିପାଇଁ ତା’କୁ ପ୍ୟାରିସ୍‌ ଆସିବା ପାଇଁ ପଡ଼ିଲା । ପ୍ଳାସାଁରେ ତା’ର ବାବାଙ୍କ ଅଫିସରେ କେହି କେହି କିରାନୀ ବି ଦୁଇ ଶହ ପାଇଥାନ୍ତି !

 

ଭାଇର ବଙ୍କା ମୁହଁ ଭର୍ତ୍ସନାଭରା ଦୃଷ୍ଟି ଦେଖିଲା ଇଉଜିନ୍‌ । ଦେଖିବା ମାତ୍ରକେ କ୍ରୋଧରେ ଜଳିଉଠିଲା । ତୁମେ, ଦେଖୁଛି, ଏକ ନିପଟ ବୋକା, କେଉଁ ପାଣି କେଉଁ ଶିରାରେ ବୋହୁଛି ତମେ ଜାଣନା ? ତୁମେ କ’ଣ ଭାବିଥିଲ ? ଆସିବା ମାତ୍ରକେ କ’ଣ ମନେକରିଛ ମନ୍ତ୍ରୀ ଗାଦି ମିଳିଯିବ ? ଏପଟେ ଓକିଲାତିଟା ବି ପାଶ କରିପାରିନା । ଆରିଷ୍ଟାଇଡ କ୍ରୋଧରେ ଲାଲ ପଡ଼ିଗଲା । ବୋଧହୁଏ ଗୋଟାଏ ଗରମାଗରମ ଉତ୍ତର ଦେବା ପାଇଁ ଯାଉଥିଲା । କିନ୍ତୁ ସମ୍ଭାଳି ନେଲା ନିଜକୁ । ଇଉଜିନ ବି ଅନ୍ୟ ପକ୍ଷରେ ନିଜକୁ ସଂଯତ କରନେଇଛି । ‘‘ସୁନା ଭାଇଟା ପରା, ଅବୁଝା ହୁଅନା । ମୁଁ ତୁମକୁ ଖରାପ ଚାକିରି ଦେଇ ନାହିଁ । ଦି’ଦିନ ପରେ ବୁଝିପାରିବ ଏଠି କି ମଧୁ ରହିଛି । କେବଳ ଆଖିକାନ ଖୋଲା ରଖ । କହି ରଖୁଛି, ଏହି ଚାକିରି ପାଇଁ ଦିନେ ମୋତେ ତୁମେ ଧନ୍ୟବାଦ ଦେବ ।’’

 

ଆରିଷ୍ଟାଇଡ ଯେତେବେଳେ ନିଯୁକ୍ତିପତ୍ର ପକେଟରେ ପୂରେଇ ବାହାରି ଆସୁଛି, ଇଉଜିନ ସଙ୍ଗେ ସଙ୍ଗେ ଆସିଲା । କାନ ପାଖରେ ଫିସ୍‌ ଫିସ୍‌ କରି କହିଲା, କି ଦୁଃସମୟ ଯେ ଆସିଛି ଏ ଦେଶରେ କ’ଣ କହିବି ? ଯେଉଁ ଲୋକ ଟିକିଏ ଚାଲାକ ଚତୁର ତା’ର କଚେ ପୁଅ ବାର-। ପାଥେୟ ସଂଗ୍ରହ କରିନେବା ତା’ପକ୍ଷରେ ପାଣିପରି ସହଜ । ଦୁଇ ଚାରି ମିଲିଅନ ତ ଅନେକ କରିଛନ୍ତି । ଅନେକ କରିବେ । ତୁମେ ବୋକା ନୁହେଁ, ତୁମେ ବା ବାଦ୍‌ ଯିବ କାହିଁକି ? କିନ୍ତୁ ଖବରଦାର, ଯେମିତି କୌଣସି ସିନ୍‌କ୍ରିଏଟ୍‌ କରି ନ ବସ । ଯଦି କେବେ ସେୟା ହୁଏ ଦେଖିବ, ମୁହିଁ ତୁମର ପହିଲା ନମ୍ୱର ଶତ୍ରୁ । ମୋତେ ନିଜକୁ ବି ବଞ୍ଚେଇବା ପାଇଁ ପଡ଼ିବ ?

 

ଧନ୍ୟବାଦ ଦେବାର ମନୋବୃତ୍ତି ନେଇ ଆରିଷ୍ଟାଇଡ କୌଣସି ପ୍ରକାରେ ଘରକୁ ଫେରିପାରିଲା ନାହିଁ । ତେବେ ଠିକ୍‌ ତା’ ଉପରେ ରାଗିବା ପାଇଁ ସାହସ କରପାରିଲା ନାହିଁ । ରହସ୍ୟମୟ ଇଉଜିନ । ତା’ ଅନ୍ତର ଭିତରେ ଯେ ଭ୍ରାତୃସ୍ନେହ ରହିଛି, ଏମିତି ମନେକରିବାର କୌଣସି କାରଣ ଆରିଷ୍ଟାଇଡ ଏଯାଏ ଦେଖିପାରି ନାହିଁ । କିନ୍ତୁ ଯଦି ତା’ର ନାହିଁ, ତେତେ ସେ କେଉଁଥିପାଇଁ ସାମାନ୍ୟ ହେଲେ ବି ଚାକିରି ତା’ ପାଇଁ ଯୋଗାଡ଼ କଲା । ଏକମାତ୍ର କାରଣ ହୋଇପାରେ ସ୍ୱାର୍ଥ; କିନ୍ତୁ ତା’ ଜରିଆରେ ଇଉଜିନର କେଉଁ ସ୍ୱାର୍ଥ ବା ସିଦ୍ଧ ହୋଇପାରେ ? ବୁଝି ହେଉନି । ସତରେ ରହସ୍ୟମୟ ଏହି ମଣିଷଟି ।

 

ହୋଟେଲ ଦ୍ୟ ଭିଲରେ କାମ ଆରମ୍ଭ କଲା ଆରିଷ୍ଟାଇଡ । ମୋ ସାହେବି କରୁ କରୁ କେତେମାସ କଟିଗଲା । ଉପରିସ୍ଥ କର୍ମଚାରୀଙ୍କୁ ତ ନିଶ୍ଚୟ, ସମପଦସ୍ଥ କର୍ମଚାରୀମାନଙ୍କୁ ବି, ଏମିତି କି ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସେ କ୍ଷୁଣ୍ଣ କରିବାକୁ ନାରାଜ । କାହା ଅନ୍ତରରେ କ’ଣ ଅଛି କିଏ ଜାଣେ ? ଇଷ୍ଟ ବା ଅନିଷ୍ଟ, କିଛି ନା କିଛି ସମସ୍ତେ କରିପାରନ୍ତି । ଇଉଜିନ୍‌ ଠିକ୍‌ ଧରିଛି ବୋକା ନୁହେଁ ଆରିଷ୍ଟାଇଡ । ବୋକା ନୁହେଁ ବୋଲି ହିଁ ସମସ୍ତଙ୍କୁ ତୋୟାଜ କରି ଚାଲିଛି । ବିଶେଷ ଭାବରେ ସେହି ସବୁ କିରାନୀମାନଙ୍କୁ, ଯେଉଁମାନଙ୍କ ହାତରେ ଗୋପନୀୟ ଖାତାପତ୍ର । ତା’ର କେମିତି ଏକ ଧାରଣା ମିଲିୟନ୍‌ ତିଆରି କରିବା କାୟଦା ଏହିସବୁ ଖାତା ଭିତରେ ରହିଛି ।

 

ଆରିଷ୍ଟାଇଡର ଧାରଣା ମିଥ୍ୟା ନୁହେଁ । ତୃତୀୟ ନେପୋଲିଅନ ଥିଲେ କନ୍‌ସଲ, ହୋଇଛି ସମ୍ରାଟ । ଦେଶରେ ଲୋକେ ଯେମିତି ଏ ପରିବର୍ତ୍ତନ ସମ୍ପର୍କରେ ବିଶେଷ କିଛି ଚିନ୍ତା କରିବାକୁ ସୁଯୋଗ ନ ପାନ୍ତି, ଗୋଟାଏ ପରେ ଗୋଟାଏ ତା’ର ହିଁ ଫିକର ସେ କରି ଚାଲିଛନ୍ତି । ଘୋଷଣା କରିଛନ୍ତି ପ୍ୟାରିସକୁ ସେ ୟୁରୋପର ସୁରମ୍ୟତମ, ମହାନଗରୀ କରି ତୋଳିବେ । ଗଳିକନ୍ଦି ଆଉ ରହିବ ନାହିଁ । ସମସ୍ତ ରାଜପଥ ହିଁ ହେବ ପଥର ରାଜା, ଅଙ୍କାବଙ୍କା ଯେଉଁଠି ରହିଛି ପାଖ ଘରଦ୍ୱାର ଭାଙ୍ଗି ରାସ୍ତା ସେଠି ସଳଖ କରି ଦିଆଯିବ । ଯେଉଁଠି ସଂକୀର୍ଣ୍ଣ ରହିଛି ସେଠି ପ୍ରଶସ୍ତ ହେବ । ରାତିରେ ଯେତେବେଳେ ଦୋକାନମାନଙ୍କରେ ଆଲୋକ ଜଳି ଉଠିବ, ପ୍ରତ୍ୟେକଟି ଏଭିନ୍ୟୁ ଇନ୍ଦ୍ରପୁରୀ ସଦୃଶ ଦେଖାଯିବ ।

 

ସମ୍ରାଟ ତାଙ୍କ ସଙ୍କଳ୍ପ ଘୋଷଣା କରି ଦେଇଛନ୍ତି । ଦୈନିକ ନୂତନ ନୂତନ ପରିକଳ୍ପନା କରି ଯାଉଛନ୍ତି ତାଙ୍କର ମନ୍ତ୍ରୀ କାଉନ୍‌ସିଲର ଓ ଇଞ୍ଜିନିୟରମାନେ । ଗୋଟାଏ ଗୋଟାଏ ନୂତନ ରାସ୍ତାରେ ଚର୍ଚ୍ଚ ହେବ ଶହ ଶହ ମିଲିୟମ ଫ୍ରାଁ । ଡଜନ ପୁରୁଣା ଘର ଭାଙ୍ଗିବା ପାଇଁ ପଡ଼ିବ । ଏମିତି । ଅନେକ ଘର ରହିଛି, ଯା’ର କ୍ଷତିପୂରଣ ଦେବାକୁ ହେବ ଦୁଇ ଚାରି ମିଲିୟନ । ଗୋଟାଏ ଗୋଟାଏ ପରିକଳ୍ପନା ତିଆରି ହୋଇ, କେତେ ମାସ ଧରି ବହୁ ହାତ ଘୂରିବୁଲେ । ସେ ପର୍ଯ୍ୟନ୍ତ ବାହାର ଲୋକ ସେ ସମ୍ପର୍କରେ କିଛି ଜାଣିପାରନ୍ତି ନାହିଁ, ଜାଣନ୍ତି କେବଳ ପରିକଳ୍ପନାର ରଚୟିତା ଏବଂ ସେମାନଙ୍କର କିରାନୀମାନେ । ସେହିସବୁ କିରାନୀମାନଙ୍କ ସହିତ ହିଁ ବନ୍ଧୁତ୍ୱ କରିଛି ଆରିଷ୍ଟାଇଡ । କେଉଁଠାରୁ କେଉଁ ରାସ୍ତା ବାହାରିବ, କେବେ କାମ ଆରମ୍ଭ ହେବ ଠିକ୍‌ ନ ହେଉଣୁ ତା’ର ଖବର ଆରିଷ୍ଟାଇଡର ନଖଦର୍ପଣରେ । ଏହାକୁ ଭିତ୍ତିକରି ନିଜର ବ୍ୟକ୍ତିଗତ ପରିକଳ୍ପନା ସେ ଗଢ଼ି ତୋଳିଲା ଏବଂ ତା’କୁ ନେଇ ସେ ଇଉଜିନ୍‌ ନିକଟରେ ସବିସ୍ତାରେ ବିଶ୍ଳେଷଣ କଲା । ଇଉଜିନ ମନଯୋଗ ଦେଇ ଶୁଣିଲା, ତା’ପରେ ମତ ପ୍ରକାଶ କଲା–ଚମତ୍କାର ଲାଗୁଛି । ବେଶ ନିଖୁଁତ ବୋଲଇ ମନେହେଉଛି ।

 

ଆରିଷ୍ଟାଇଡ ସାହସ ପାଇ ଏଥର ଅସଲ କଥା ପକେଇଲା । ଏ କାମ ପାଇଁ କିନ୍ତୁ କିଛି ମୂଳଧନ ଆବଶ୍ୟକ । ଏଇ ହାରାହାରି ପଚାଶ ହଜାର ।

 

ଇଉଜିନ୍‌ ଅମ୍ଳାନ ବଦନରେ କହିଲା, ‘ଖୋଜିଲେ ହିଁ ପାଇବ ।’

 

ଦୁଇ

 

ଖୋଜିଲେ ହିଁ ପାଇବ ? ପିଲାଙ୍କ ହାତର ଖେଳଣା ଯେମିତି । ଖୋଜିଲେ ହିଁ ପଚାଶ ହଜାର ଫ୍ରାଁ ମିଳିଯିବ ! ତା’ ପୁଣି ଖାଲି ହାତରେ ! ହଁ ଯଦି ଘରବନ୍ଧକ ଦିଆଯିବ ଏହିକ୍ଷଣି ମିଳିବ । ପଚାଶ ହଜାର କାହିଁକି, ପଚାଶ ମିଲିୟନ ବି ମିଳିପାରେ । ଦେବା ପାଇଁ ଅନେକ ଲୋକ ବସି ରହିଛନ୍ତି, ଦେବାର ହିଁ ସେମାନଙ୍କର ବ୍ୟବସାୟ । କିନ୍ତୁ ତା’ ବୋଲି ଖାଲି ହାତରେ ? ପାଞ୍ଚ ଫ୍ରାଁ ବି କେହି ଦେବେ ନାହିଁ । ଗୋଟାଏ ସାଉ ବି ନୁହେଁ ।

 

ସବୁ ଜାଣିଶୁଣି ବି ଦାଦାଟି ଅମ୍ଳାନ ବଦନରେ କହିଦେଲେ–ଖୋଜିଲେ ମିଳିବ । ପରିହାସ ଛଡ଼ା ଆଉ କ’ଣ ହୋଇପାରେ ? ପ୍ରକାରାନ୍ତରେ କହିଦେବା କଥା ଯେ, ଏ ବ୍ୟାପାରରେ ଦାଦାଦ୍ୱାରା କୌଣସି ଉପକାର ହୋଇପାରିବ ନାହିଁ । ଅବଶ୍ୟ ନିଜ ପାଖରେ ନ ଥିଲେ ବି ଅନ୍ୟ ପାଖରୁ ଆଣି ସେ ତା’କୁ ଅନାୟାସରେ ଦେଇପାରେ । ହୋଟେଲ ଦ୍ୟ ଭିଲରେ ମାସ କେତୋଟି ଚଲାଫେରା କରି ଆରିଷ୍ଟାଇଡ ବୁଝିପାରିଛି ଯେ, ଉଭୟ ସରକାରୀ ଓ ବେସରକାରୀ ମହଲରେ ଇଉଜିନର ଅଖଣ୍ଡ ପ୍ରତିପତ୍ତି ରହିଛି । ସମସ୍ତେ ଜାଣନ୍ତି–ଆଗାମୀ ଦିନର ଉଦୟମାନ୍‍ ସୂର୍ଯ୍ୟ ଏହ ଇଉଜିନ ରୌଗନ । ମୁହଁ ଖୋଲିବା ମାତ୍ରକେ ଭାଇର ଏ ସାମାନ୍ୟ ଚାହିଦା ସେ ତତ୍‌କ୍ଷଣାତ୍‌ ମେଣ୍ଟାଇପାରେ । କିନ୍ତୁ ସେ ମୁହଁ ଖୋଲିବ ନାହିଁ । ଖୁବ୍‌ ହୁସିଆର । କେବଳ ଅର୍ଥକ୍ଷତି ଭୟରେ ହୁସିଆର ନୁହେଁ । ସେ ଚାହେଁନା ଯେ, ଆରିଷ୍ଟାଇଡ ସହିତ ତା’ର ଯୋଗାଯୋଗ ସାଧାରଣରେ ପ୍ରକାଶ ପାଉ । ସେ ଯାହାହେଉ, ଦାଦା କହୁ ବା ନ କହୁ, ଆରିଷ୍ଟାଇଡକୁ ଖୋଜିବାକୁ ହିଁ ପଡ଼ିବ ।

 

ଖୋଜିବାକୁ ତ ହେବ, କିନ୍ତୁ କେମିତି ଭାବରେ ? ବିନା ସମ୍ୱଳରେ ବିନା ମୁରବୀରେ । ମୁରବୀ ଥିଲା ଏକମାତ୍ର ଇଉଜିନ୍‌ । ବର୍ତ୍ତମାନ ବି ରହିଛି । ତେବେ ବ୍ୟାପାରରେ ନୁହେଁ । ତେବେ ଆଉ କିଏ ଅଛି ? ଭଉଣୀ ସିଡୋନୀର କଥା ମନେପଡ଼ିଗଲା । ମୁରବୀ ହେବା ଭଳି ତା’ର ଯୋଗ୍ୟତା କେତେ, ତାହା ଅବଶ୍ୟ ଆରିଷ୍ଟାଇଡ ଜାଣେନା । କହିବାକୁ ଗଲେ ପ୍ୟାରିସ ଆସିବା ଦିନଠାରୁ ସେ ଭଉଣୀର କୌଣସି ଖୋଜଖବର ନେଇ ନାହିଁ । ସେହି ଗୋଟାଏ ଦିନ ଯା’ ଇଉଜିନର ଘର ଆଗରେ ରାତିରେ କ୍ରସ୍ତପଦରେ ଅପସୃୟମାନ ଅବସ୍ଥାରେ ଆଢ଼ୁଆଳରୁ କ୍ଷଣକ ପାଇଁ ଥରେ ମାତ୍ର ଦେଖାଯାଇଥିଲା । ତା’ପରେ ତା’ କଥା ଆରିଷ୍ଟାଇଡ ଥରେହେଲେ ଭାବି ନାହିଁ । ଭାବିବାର କୌଣସି ଦରକାର ନ ଥିଲା । ଆଉ ବିନା ସ୍ୱାର୍ଥରେ କାହା କଥା ଭାବିବା ବା କିଛି କରିବାର ପାତ୍ର ରୌଗନ ପରିବାରର କେହି ନୁହନ୍ତି ।

 

ଆଜି ଦରକାର ପଡ଼ିଛି । ସିଡୋନୀର ଅର୍ଥ ସାମର୍ଥ୍ୟ କେମିତି ତାହା ଅବଶ୍ୟ ଜାଣେନା ଆରିଷ୍ଟାଇଡ । କିନ୍ତୁ ପ୍ୟାରିସରେ ତ ସେ ବହୁ ବର୍ଷ ରହିଛି । ଗୋଟାଏ ହେଲେ ଜାଗାରେ କ’ଣ ଚେର ମଡ଼େଇପାରିନି ? ଯଦି କରିଥାଏ ଏବଂ ସାହାଯ୍ୟ କରିବା ପ୍ରବୃତ୍ତି ତା’ର ଥାଏ, ତେବେ ନିଶ୍ଚୟ ସେ ଅଳ୍ପ ବହୁତ ସାହାଯ୍ୟ କରିବ । ଚେଷ୍ଟା କଲେ ଦୋଷ କ’ଣ ?

 

ଠିକଣା ? ଠିକଣା ଆରିଷ୍ଟାଇଡ ଜାଣେ । କାହାକୁ ପଚାରି ତା’କୁ ଜାଣିବା ପାଇଁ ପଡ଼ିନି-। ଦୈବାତ୍‌ ଜାଣିପାରିଛି । ପ୍ୟାରିସ୍‌କୁ ଆସିବା ପରେ ରାସ୍ତାରେ ଘୁରିବୁଲିବା ତା’ର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଏମିତି ଏକ ଭୟଙ୍କର ନିଶା । ଏମିତି ବୁଲୁ ବୁଲୁ ଦିନେ ତା’ ଆଖିରେ ପଡ଼ିଲା ଗୋଟାଏ ନାମଫଳକ–‘ମ୍ୟାଡମ୍‌ ସିଡୋନୀ, ଜନସେବିକା’ । ଜନତାର ସେ କିଭଳି ସେବା କରେ ? ତା’ର ପାରିବାରିକ ନାମ ନ ଦେଇ କେବଳ ଡାକନାମଟା କାହିଁକି ବା ନାମଫଳକରେ ଲିଖିତ ? ଏମିତି ତ କେହି କରନ୍ତିନି । ତା’ର ସ୍ୱାମୀର ନାମ–କେତେ ଭଲ ? ଟ୍ୟୁଟେ, ମସିଆର ଟ୍ୟୁଟେ । ସ୍ୱାମୀଟା ନାହିଁ କ’ଣ ? ନ ଥିଲେ ବିଧବାମାନେ ବି ତ ସ୍ୱାମୀ ନାମରେ ପରିଚିତ ହେବା ପାଇଁ ସଚରାଚର ଆପତ୍ତି କରନ୍ତି ନାହିଁ । ସିଡୋନୀ ବେଳକୁ ବ୍ୟତିକ୍ରମ କାହିଁକି ? କେବଳ ଇଉଜିନ୍‌ ଯେ ରହସ୍ୟମୟ ସେ କଥା ନୁହେଁ, ସିଡୋନୀ ବି ରହସ୍ୟମୟୀ ।

 

ଯାହାହେଉ, ଏତେ ଦିନ ଦରକାର ପଡ଼ି ନାହିଁ, ଏସବୁ ବିଷୟରେ ମୁଣ୍ଡ ଘୂରେଇନି ଆରିଷ୍ଟାଇଡ । ଆଜି କିନ୍ତୁ ଦରକାର ପଡ଼ିଛି । ପ୍ରଥମେ ସେ ଯାଇ ପହଞ୍ଚିଲା ସିଡୋନୀର ଘରେ । ବାହାରେ କେବଳ ଗୋଟାଏ ମାତ୍ର ଦରଜା–ଭିତରେ କିନ୍ତୁ ପୂରା ଗୋଟାଏ ଘର । ଅବଶ୍ୟ ଛୋଟ ଘର । ତେବେ ଫ୍ଲାଟ ନୁହେଁ କି କେମେରା ବି ନୁହେଁ, ସ୍ୱୟଂସମ୍ପୂର୍ଣ୍ଣ ଗୋଟାଏ ଘର । ଦୁଇଟି ଦରଜା, ଗୋଟାଏ ବାହାରେ ଦ୍ୱିତୀୟଟି ପଛପଟରେ । ରାଜଧାନୀ ଭଳି ସହରରେ ଏଭଳି ଘର ଭାଗ୍ୟରେ ଥିଲେ ମିଳେ । ଦୋତାଲାରେ ଯେ କେତେଗୁଡ଼ିଏ କୋଠରୀ, ତାହା ବୁଝିପାରିଲାନି । ଆରିଷ୍ଟାଇଡ ନିଜେ ଯେଉଁଠି ଯାଇ ବସିଲା, ତାହା ଗୋଟାଏ ବୈଠକଖାନା । ଚେୟାର ଟେୟାର ଯାହା ଅଛି ହାତା ନିହାତି ମାମୁଲି ।

 

ଭଉଣୀ ସିଡୋନୀ ଭାଇ ଆରିଷ୍ଟାଇଡକୁ ଦେଖି ଟିକିଏ ବି ଅବାକ୍‍ ହେଲା ନାହିଁ । ଏମିତି ଭାବରେ କଥାବାର୍ତ୍ତା ଆରମ୍ଭ କଲା ଯେମିତି ଏଇ ଦୁଇ-ଚାରି ଦିନ ତଳେ ସେମାନଙ୍କର ଦେଖାସାକ୍ଷାତ ହୋଇଛି । ସେ କହିଲା, ଶୁଣିଛି ଏଞ୍ଜଲାର ଦେହ ଖୁବ୍ ଅସୁସ୍ଥ । ତା’କୁ ଗାଁରେ ରଖିଦେଇ ଆସିଥିଲେ ଭଲ କରିଥାନ୍ତ ! କା’ ପାଖରୁ ଏଞ୍ଜେଲାର ଅସୁସ୍ଥତାର ଖବର ସିଡୋନୀ ପାଇଛି ସେ କଥା ଆରିଷ୍ଟାଇଡ ଆଉ ପଚାରିଲା ନାହିଁ । ନିଶ୍ଚୟ ଇଉଜିନ୍ ପାଖରୁ ପାଇଥିବ; କିନ୍ତୁ ଉଭୟେ ଯେତେବେଳେ, ସେମାନଙ୍କର ଘନିଷ୍ଠତା ଲୋକ ଚକ୍ଷୁରୁ ଗୋପନ ରଖିବା ପାଇଁ ଚାହାନ୍ତି । ସେତେବେଳେ ଆରିଷ୍ଟାଇଡ ଏମିତି ଭାବ କେବେହେଲେ ପ୍ରକାଶ କରିପାରିବିନି ଯା ଫଳରେ ସେ ଜାଣିନେବ ଯେ, କଥାଟା ତା’ ପାଖରେ ଗୋପନ ନୁହେଁ । ଏଞ୍ଜେଲାକୁ ଛାଡ଼ିଦେଇ ଆସିବାର ସମ୍ଭବ ହୋଇଥିଲେ ସେ କ’ଣ ଛାଡ଼ିଦେଇ ଆସି ନ ଥାନ୍ତା । ପଥ ନାରୀ ବିବର୍ଜିତା ଏ ଉକ୍ତି ବିଜ୍ଞାନନୋଚିତ ଉକ୍ତି ବୋଲି ସେ ବିବେଚନା କଲେ । ନାରୀମାନେ ହିଁ ଖର୍ଚ୍ଚ, ନାରୀମାନେ ହିଁ ଝାମେଲା, ନାରୀମାନେ ହିଁ ପୁରୁଷ ପାଦରେ ଶିକୁଳି । ରଖିଦେଇ ଆସିବାର ଉପାୟ ଥିଲେ ସେ ନିଶ୍ଚୟ ରଖିଦେଇ ଆସିଥାନ୍ତା ଏଞ୍ଜେଲାକୁ । କିନ୍ତୁ ଏଞ୍ଜେଲା ରହିବାକୁ ନାରାଜ । ରାଜଧାନୀରେ ବସବାସ କରିବାର ଗୌରବ ସ୍ୱାମୀକୁ ଏକା ଏକା ଭୋଗ କରିବାକୁ ଦେବ ବା କାହିଁକି ? ଗୌରବ ଏବଂ ଆନୁସଙ୍ଗିକ ବିଳାସବୈଭବ । ଏ ସବୁର ଅଂଶୀଦାର ଦେବାକୁ ହେଲେ ସଙ୍ଗରେ ଆସିବା ଦରକାର-

 

ଆପତ୍ତି ! ସେ କେଉଁ ସାହସରେ ବା ଆପତ୍ତି କରିବ । ଏଞ୍ଜେଲରା ବାପାଙ୍କ ପାଖରୁ ଯେ ପାଥେୟଟା ଧାର କରିବା ପାଇଁ ପଡ଼ିଛି । ଝିଅର ସୁପାରିଶ ବ୍ୟତୀତ କାଣିକଉଡ଼ିଟାଏ ବି ମିଳିବା ସମ୍ଭବ ନ ଥିଲା । ନା ନିରୂପାୟ ହୋଇ ହିଁ ସଙ୍ଗରେ ଏଞ୍ଜେଲାକୁ ଆଣିଛି ଆରିଷ୍ଟାଇଡ ଏ କଥା ଚତୁରୀ ସିଡୋନୀ ବୁଝିବା ଉଚିତ । ଚତୁରୀ, ହଜାରେବାର ଚତୁରୀ, ଲକ୍ଷେବାର ଚତୁରୀ । ଏଇ ଘର, ଏଇ ସାଇନବୋର୍ଡ, ଏଇ ଅଚଞ୍ଚଳ ଆତ୍ମସ୍ଥ ଭାବ, ମୁହଁ ଓ ଆଖିର ଚାହାଣି ସବୁକିଛି ଆରିଷ୍ଟାଇଡର ଆଖିରେ ଅଙ୍ଗୁଳି ଦେଇ ଦେଖେଇ ଦେଉଛି ଯେ ସିଡୋନୀ ଧୂର୍ତ୍ତା, ଓ ଚତୁରୀ, ରୌଗନ ବଂଶର ଯୋଗ୍ୟତମ କନ୍ୟା । ନ ହେଲେ ମିଛଟାରେ କ’ଣ ତା’ ସହିତ ସମ୍ପର୍କ ରଖିଛି ଇଉଜିନ୍‌ । ପ୍ରକାଶ୍ୟରେ ରଖିଥିଲେ ପ୍ରଶ୍ନ ଉଠାନ୍ତା ନାହିଁ । ସେ ସମ୍ପର୍କ ଭାଇ ଭଉଣୀର ସହଜ ସଂପ୍ରୀତି ବ୍ୟତୀତ ଅନ୍ୟ କିଛି ଆବିଷ୍କାର କଥା କାହାରି ମନରେ ଜାଗ୍ରତ ହୁଅନ୍ତା ନାହିଁ । କିନ୍ତୁ ସମ୍ପର୍କଟା ଯେ ଅତୀବ ଗୋପନୀୟ, ଅର୍ଥାତ୍‌ ସମ୍ପର୍କ ନ ରଖି ଉପାୟ ନାହିଁ । ଅବାଞ୍ଛିତ ହେଲେ ମଧ୍ୟ ପ୍ରୟୋଜନୀୟ ଏହି ସିଡୋନୀ । ଇଉଜିନ ପକ୍ଷରେ ତ ନିଶ୍ଚୟ, ସମ୍ଭବତଃ ଆରିଷ୍ଟାଇଡ ବି ଏହି ସିଡୋନୀକୁ ପ୍ରୟୋଜନୀୟ ବୋଲି ମାନିନେବାକୁ ବାଧ୍ୟ ହେବ ।

 

ଆହା, ସେୟା ସତ୍ୟ ହେଉ । ବର୍ତ୍ତମାନ ଆରିଷ୍ଟାଇଡର ପଚାଶ ହଜାର ଫ୍ରାଁକ୍ ଏକାନ୍ତ ପ୍ରୟୋଜନ । ଏହା ଯୋଗାଇ ଦେଇ ନିଜକୁ ଯେମିତି ଆରିଷ୍ଟାଇଡ ପକ୍ଷରେ ଅପରିହାର୍ଯ୍ୟ ବୋଲି ହିଁ ପ୍ରମାଣ କରିଦେଇପାରେ ସିଡୋନୀ । କଥାବାର୍ତ୍ତା ମଝିରେ ଶେଷ ପର୍ଯ୍ୟନ୍ତ ସିଡୋନୀ ପାଖରେ ଉକ୍ତ ପଚାଶ ହଜାର ଫ୍ରାଁକ୍ କଥା କହି ପକେଇଲ‌ା ଆରିଷ୍ଟାଇଡ । ଅବାକ୍‌ ହେଲା ନାହିଁ ସିଡୋନୀ, ବରଂ ଏମିତି ଗୋଟାଏ ଭାବ ପରିସ୍ଫୁଟ ହୋଇ ଉଠିଲା ତା’ର କଥାବାର୍ତ୍ତାରେ ଯେମିତି ପଚାଶ ହଜାର ବା ଲକ୍ଷେ ଦୁଇଲକ୍ଷ ଫ୍ରାଁକ୍‌ ତା’ ଜରିଆରେ ସଦାସର୍ବଦା ଲେନ୍‌ଦେନ୍‌ ହୋଇଥାଏ । ଇଉଜିନ କହିଥିଲା ‘ଖୋଜି ଦେଖା’ ସିଡୋନୀ କହିଲା । ଖୋଜି ଖୋଜି କଲେ ପଚାଶ ହଜାର ମିଳିଯାଇପାରେ ।

 

ପାରେ ! ମିଳିପାରେ ! ଖାଲି ହାତରେ ! ମୋର ତ ବନ୍ଦକ ବା ଜାମିନ ଦେବାଭଳି କିଛି ନାହିଁ । କି ଆକୁଳତା ଆରିଷ୍ଟାଇଡର ଭାଷାରେ ।

 

ସେୟା ଥିଲେ ବି ତୁମେ କୌଣସି ବ୍ୟାଙ୍କକୁ ଯାଇପାରିଥାନ୍ତ ! ‘କହିଲା ସିଡୋନୀ’ ତୁମକୁ କିନ୍ତୁ ଭଲଭାବରେ ଖିଆପିଆ କରିବାପାଇଁ ହେବ ! ପୋଷାକ ତିଆରି ପାଇଁକି କେଇଘଣ୍ଟା ମାତ୍ର ସମୟ ଲାଗେ । କିନ୍ତୁ ଚେହେରାରେ ଜୌଲୁଷ ଫୁଟେଇବା ପାଇଁ ହେଲେ ଦୀର୍ଘଦିନର ସାଧନା ଦରକାର ! ଆରିଷ୍ଟାଇଡ ଆଶ୍ଚର୍ଯ୍ୟ ହୋଇଗଲା । ବିଚରା ଆସିଛି ଅର୍ଥର ସନ୍ଧାନରେ ତା’ ସହିତ ହଠାତ୍‌ ଚେହେରାରେ ଜୌଲୁଷ ଫୁଟେଇବାର ପରାମର୍ଶ ସେ ଯେମିତି ଖାପଖୁଆଇପାରିଲା ନାହିଁ । ପ୍ରଥମେ ତା’ର ମନେହେଲା ଯେ, ଆଜେବାଜେ କଥାରେ ସେ ଅସଲ କଥାଟିକୁ ଚପେଇ ଦେବାପାଇଁ ଚାହୁଁଛି । କିନ୍ତୁ ତା’ର ସେ ଧାରଣା ଭୁଲ, ତାହା ବି ସଙ୍ଗେ ସଙ୍ଗେ ହିଁ ବୁଝିପାରିଲା । ସିଡୋନୀ କହୁଛି ‘ହୋଇଯିବ ଚିନ୍ତା କାହିଁକି ।’ ତେବେ ବୁଝିପାରୁଥିବ ନିଶ୍ଚୟ, ବ୍ୟସ୍ତ ହୋଇ ଲାଭ ନାହିଁ । ‘କ’ଣ କରାଯାଇପାରେ ମୁଁ ଦେଖୁଛି ।’ ତା’ପରେ ହିଁ ଅନୁଚ୍ଚ କଣ୍ଠରେ ମନକୁ ମନ କହିଲା ସ୍ତ୍ରୀଟି ଯଦି ନ ଥାନ୍ତା ।

 

ସ୍ତ୍ରୀ ! ସ୍ତ୍ରୀ କଥା କାହିଁକି । ଏତେଦିନ ଯାଏ ଆରିଷ୍ଟାଇଡ ନିଜକୁ ଧୂର୍ତ୍ତବୋଲି ହିଁ ମନେକରିଛି । କିନ୍ତୁ ସିଡୋନୀ ସହିତ କଥାବାର୍ତ୍ତା କରିବାକୁ ଯାଇ ସେ ପଦେପଦେ ବୁଝିପାରୁଛି ଯେ, କଳାଘାଗରା ପିନ୍ଧା ଏହି ଅନୁଜ୍ଞଚାଳିଶ ମହିଳାଟି ତୁଳନାରେ ବହୁଘଟଣାର ପାଣି ପିଇବା ପୁରୁଷ ଆରିଷ୍ଟାଇଡ ରୋଗନ ଏକାନ୍ତ ନାବାଳକ, ନିତାନ୍ତ ଶିଶୁ । ଏହାପରେ, ହଠାତ୍‌ ଦିନେ ଆରିଷ୍ଟାଇଡ ଘରେ ଦେଖାଗଲା ସିଡୋନୀ...ଡିନାରର ସାମାନ୍ୟ ପୂର୍ବରୁ । ‘ଫେରି କରିବାକୁ ବାହାରିଛି । ‘ସବୁ ସାଇକୁ ଯାଏ, ଏ ସାଇରେ ବି ମୋର ଗ୍ରାହକ ଅଛନ୍ତି । ଭାବିଲି, ଏଞ୍ଜେଲା ସହିତ ଦେଖା କରିଯାଏ । ସେଇ ଯା ବିବାହ ପରେ ଥରେ ମାତ୍ର ଦେଖା ହୋଇଥିଲା । ଆରେ ସତରେ ତ ଶରୀରଟା ଏକାବେଳକେ ଦୁର୍ବଳ ହୋଇପଡ଼ିଛି । ତେବେ ଚିନ୍ତାର କାରଣ କିଛି ନାହିଁ । ରାଜଧାନୀର ଚିକିତ୍ସା ବ୍ୟବସ୍ଥା ବେଶ୍ ଚମତ୍କାର । ମୋର ପରିଚିତ ଭଲ ଡାକ୍ତର ବି ଅଛନ୍ତି ଏଇନେ ପଠାଇ ଦେଉଛି । ଦେଖିବ କି ? ନିକେଲର ଏହି ମହମଦାନୀ ଗୁଡ଼ିକ ଖୁବ୍‌ ହାଲ ଫେସନର । ଦେଖ, କେଡ଼େ ବଢ଼ିଆ ଜିନିଷ ! ଏମିତି ସୌଖୀନ ମହିଳା ଆଜିକାଲି ନାହାନ୍ତି, ଯାହାଙ୍କ ଶୟନ କକ୍ଷରେ ଏହାଛଡ଼ା ଅନ୍ୟ ଧରଣର ମହମଦାନୀ ତମେ ଦେଖିପାରିବ । ତା’ପରେ ଦେଖ ଏହି ମସଲିନ୍‌ଟା ଖାସ୍‌ ଇସ୍ତାବୁଲରୁ ଆମଦାନୀ କରି ମୋର ମହାଜନ, ଶସ୍ତା ଦାମରେ ସରସ ଜିନିଷ... ।

 

ମସଲିନ୍‌ ଓ ମହମଦାନୀଟା ଟେବୁଲ ଉପରେ ଥୋଇଦେଇ ଥରେ ଆରିଷ୍ଟାଇଡକୁ କଣେଇ ଚାହିଁନେଲା ସିଡୋନୀ–ସେ ଚାହାଁଣୀର ଭଙ୍ଗୀରେ ଅନେକ ଆଶାରେ କମ୍ପି ଉଠିଥିଲା ଆରିଷ୍ଟାଇଡର ବୁକୁ, ତା’ର ମନେହେଲା ଏହି ଦୃଷ୍ଟିରେ ପ୍ରଚ୍ଛନ୍ନ ହୋଇରହିଛି ପଚାଶ ହଜାର ଫ୍ରାଁକ୍‌ର ଗୋଟାଏ ସୁସ୍ପଷ୍ଟ ଆଶ୍ୱାସ ।

 

ସେ ଆଭାସ ପାଇବା ପରେ ବାଧ୍ୟ ହୋଇ ଆରିଷ୍ଟାଇଡକୁ କହିବା ପାଇଁ ପଡ଼ିଲା । ଅଧଘଣ୍ଟା ମାତ୍ର ବାକି ରହିଲା ଡିନାର ପାଇଁ, ଯାହା କିଛି ଅଛି....କ’ଣ କହୁଛ....ଏଞ୍ଜେଲା ଆଜି ଗୋଟାଏ ଚିକେନ ଫ୍ରାଇ ହେବାର କଥା ଥିଲା ନା ?’ ଏଞ୍ଜେଲା ଉତ୍ତର ଦେଲା ହେଉଛି ତ....କିଛି ଫୁଡିଂ ବି ଦେଇ ପାରିବି...ହଁ ଦିଦି ବେଶ୍‌ ଖୁସି ହେବି । ଆମ ସହିତ ଖାଇ ବସିଲେ.....

 

ସିଡୋନୀ ବି ଖୁସି ହୋଇ ଖାଇଲା, ରନ୍ଧାବଢ଼ାର ପ୍ରଶଂସା କଲା, କିନ୍ତୁ ଏଞ୍ଜେଲାକୁ ତିରସ୍କାର ବି କଲା.... ‘ପୁରୁଷ ଜରିଆରେ ରୋଜଗାର କରାଇବା ପାଇଁ ହେଲେ ତା’କୁ ଭଲଭାବରେ ଖୁଆଇବା ଦରକାର । ମାଂସଟା ଆଉ ଟିକେ ବେଶୀ ଦରକାର, ମଦଟା ବି ବେଶ୍ ଦାମୀ ହେବା ଆବଶ୍ୟକ ।’ କହୁଛି ଏଞ୍ଜେଲାକୁ ଲକ୍ଷ୍ୟକରି, କିନ୍ତୁ ତୀର୍ଯ୍ୟକ ଦୃଷ୍ଟିରେ ନିରୀକ୍ଷଣ କରୁଛି ଆରିଷ୍ଟାଇଡକୁ । ସେ ଦୃଷ୍ଟିର ଅର୍ଥ–‘ସେ ଦିନ କହିନି ? ଦେଖୁଛି ମୋ କଥାକୁ ମୋଟେ ଗ୍ରାହ୍ୟ କରିନା ।’

 

ଭୋଜନ ପର୍ବ ଶେଷହେବା ମାତ୍ରକେ ସିଡୋନୀ ଉଠିପଡ଼ିଲା–‘ଏ ସାଇରେ ଅନେକ କ୍ୟାମ୍ପ ଅଛି । ଆଜି ଯାଉଛି । ଏ ମହମଦାନୀଟା ତିନି ଫ୍ରାକ୍‌ ମସଲିନ୍‌ ବି ଆଣିଦେବି । ଏ ତିନି ଫ୍ରାଁକ୍‌ ଥାଉ ପରେ ନେବି । ହଁ, ଏଞ୍ଜେଲା ପାଇଁ କାଲି ହିଁ ମୁଁ ଡାକ୍ତର ପଠେଇ ଦେଉଛି । ମୋ ହାତର ଲୋକ, ବିଲ ପରେ ପରିଶୋଧ କଲେ ବି ଚଳିବ । ଏଞ୍ଜେଲାର ଯାହା ଚେହେରା ହୋଇଛି, ଚିକିତ୍ସାରେ ବିଳମ୍ୱ କରିବା ଆଦୌ ଠିକ୍‌ ନୁହେଁ ।’ କୌଣସି ବ୍ୟାପାରରେ ଅନ୍ୟ କାହାକୁ କଥା କହିବା ସୁଯୋଗ ଦେଲା ନାହିଁ ସିଡୋନୀ । ମହମଦାନୀ ବା ମସଲିନ୍‌ କୌଣସି ଜିନିଷ ଯେ ଗୃହସ୍ଥର ବର୍ତ୍ତମାନ କିଣିବା ଦରକାର ନାହିଁ । ସେ କଥା ବି ନୁହେଁ, ପୁଣି ଏଞ୍ଜେଲା ପାଇଁ ପୂର୍ବରୁ ଯେ ଜଣେ ଡାକ୍ତର ଡକା ଯାଇଛି ସେ କଥା ବି ନୁହେଁ । ଏଞ୍ଜେଲା ପକ୍ଷରୁ ଆପତ୍ତି ଆସିବା କଥା ନୁହେଁ, କାରଣ ଦୁଇଟି ସୌଖୀନ ମହମଦାନୀ ବା ଗୋଟାଏ ନୂତନ ମସିଲିନ୍‌ ପୋଷାକରେ ତା’ର ଯେମିତି ବିତୃଷ୍ଣା ନାହିଁ, ସେମିତି ନିତ୍ୟ–ନୂତନ ଡାକ୍ତର ଦେଖେଇବାରେ ତା’ର ଆପତ୍ତି ନାହିଁ । ରୋଜ ଡାକ୍ତର ପରିବର୍ତ୍ତନ ହେଉଛି, ଏହା ତ ଆଭିଜାତ୍ୟର ହିଁ ଲକ୍ଷଣ । ପାଖ ପଡ଼ୋଶୀମାନେ ବେଶ୍‌ ବିସ୍ମୟରେ ଚାହାଁନ୍ତୁ ନା !

 

ଆପତ୍ତି କରିବାର କଥା ଥିଲା ଆରିଷ୍ଟାଇଡର, କାରଣ ପଇସାଟା ତା’କୁ ହିଁ ଗଣିବା ପାଇଁ ପଡ଼ିବ । କିନ୍ତୁ ଦୁଇଟା କାରଣରୁ ତା’କୁ ନୀରବ ରହିବାକୁ ହେଲା । ଏକ–ବିଲଟା ବର୍ତ୍ତମାନ ଦେବାକୁ ପଡ଼ୁନାହିଁ । ଦ୍ୱିତୀୟତଃ କୌଣସି କାରଣରୁ ସିଡୋନୀକୁ ରଗେଇବା ଅନୁଚିତ । ଖାଲି ହାତରେ ଯେଉଁ ଭଉଣୀ ପଚାଶ ହଜାର ଫ୍ରାଁକ୍‌ର ଧାର ବନ୍ଦୋବସ୍ତ କରିଦେଉଛି, ସିଏ ଯଦି ଝାଡ଼ୁ ବି ମାରେ ମୁହଁ ଉପରେ ତାହା ବି ହସ ହସ ମୁହଁରେ ସହିବାକୁ ପଡ଼ିବ ।

 

ତା’ର ପରଦିନ ଡାକ୍ତର ଆସିଲା, ଏବଂ ଏଞ୍ଜେଲାକୁ ପରୀକ୍ଷା କରିବା ପରେ ମୁହଁଟା ମାତ୍ରା ତିରକ୍ତ ଗମ୍ଭୀର କରି ପକେଇଲା । ବ୍ୟବସ୍ଥାପତ୍ର ଲେଖି ପକେଇଲା ଲମ୍ୱା ଗୋଟାଏ ଫାଳ, ନିଜ ଡାକ୍ତରଖାନାରେ ଠିକଣା ଦେଇ କହିଲା ସେଇଠାରୁ ହିଁ ଔଷଧ ଆଣିବ । ମୋତେ ସିଡୋନୀ ପୂର୍ବରୁ କହିଛନ୍ତି ।

 

ରୋଗୀ କେମିତି ଅଛି ? ଡାକ୍ତରଙ୍କ ଗମ୍ଭୀର ମୁହଁକୁ ଚାହିଁ ଆରିଷ୍ଟାଇଡ ଶଙ୍କିତ ଚିତ୍ତରେ ପଚାରିଲା । ‘ଆଉ କ’ଣ ଦେଖିବ ? ଦୀପ ନିଭିବା ଉପରେ’ କହୁ କହୁ ଡାକ୍ତର ବାହାରିଗଲେ । ନିମ୍ନ କଣ୍ଠରେ ଯେ କହିବ ସେୟା ନୁହେଁ । ପାଖ ଘରୁ ଏଞ୍ଜେଲା ଠିକ୍‌ ଶୁଣିପାରିଲା ଏବଂ ଶୁଣିବା ମାତ୍ରକେ ମୁହଁଟା ତା’ର କଳା ପଡ଼ିଗଲା । ସେକଥା ସେ କହିଲା କାହିଁକି ? –ଆସି ଆରିଷ୍ଟାଇଡକୁ ପଚାରିଲା । –ଆଗରେ ଡାକ୍ତର ତ ବେଶ୍‌ ସାହସ ଦେଇଥିଲେ ଯେ ରୋଗ ବିଶେଷ କିଛି ନୁହେଁ, ଦି’ଦିନରେ ଛାଡ଼ିଯିବ ।’

 

‘ସେୟା ତ !’ ମୁହଁ ଶୁଖେଇ କହିଲା ଆରିଷ୍ଟାଇଡ ।–ସିଡୋନୀର ଚିହ୍ନା ଡାକ୍ତର, ସିଡୋନୀକୁ ନ ଜଣେଇ ତା’ ତା’କୁ ବିଦାୟ କରି ଦିଆଯାଇପାରେନା, ତହିଁରେ ତା’ର ଅପମାନ ହେବ । ଏହାର ଔଷଧ ଦି’ଦିନ ଖାଇ ଦେଖନା–ଉପକାର ନ ହେଲେ ପୁଣି ପୂର୍ବ ଡାକ୍ତରକୁ ସେତେବେଳେ ଡାକିବା ।’

 

ଉପକାର ତ ହେଲା ନାହିଁ, ଦି’ଦିନ ଔଷଧ ଖାଇବା ପରେ ବରଂ ଅପକାର ଦେଲା । ପୂର୍ବେ ଏଞ୍ଜେଲା କେତେ କେତେ ବେଳେ କାଶୁଥିଲା, ବର୍ତ୍ତମାନ କ୍ରମାଗତ କାଶି ଚାଲିଛି । ଆଗେ ମଝିରେ ମଝିରେ କ୍ଳାନ୍ତିବୋଧ କଲେ ବି ଚଲାବୁଲା, ଘରକାମ ସବୁ କରୁଥିଲା, ବର୍ତ୍ତମାନ ଆଉ ପାରୁନାହିଁ । ସାମାନ୍ୟ ପରିଶ୍ରମରେ ଧକେଇ ପଡ଼ୁଛି । ରକ୍ତ ବି ଥରେ ଦି’ଥର କାଶରେ ପଡ଼ୁଛି । ପରିଶେଷରେ ସିଡୋନୀ ଆଉଥରେ ଆସିଲା ଏବଂ ଆସିବା ମାତ୍ରକେ କଡ଼ା ନିର୍ଦ୍ଦେଶ ଦେଲା–‘ବିଛଣାରୁ ମୋଟେ ଉଠିବାକୁ ହେବନି, ପୂର୍ଣ୍ଣ ବିଶ୍ରାମ ନେବାକୁ ହେବ । ଏକରକମ ଜୋରକରି ସେ ଏଞ୍ଜେଲାକୁ ଶୁଆଇ ଦେଲା ଏବଂ ଭାଇର ସଂସାରରେ ନିଜର ଆସନକୁ ସୁଦୃଢ଼ କରିନେଲା । ବିଶେଷଭାବରେ ଏଞ୍ଜେଲର ଔଷଧ ଓ ପଥ୍ୟ ସେ ନିଜ ହାତରେ ପ୍ରସ୍ତୁତ କରିବ, ନିଜ ହାତରେ ଖୁଆଇବ ।

 

ଦିନେ ସନ୍ଧ୍ୟା ପରେ ଏଞ୍ଜେଲାକୁ ପଥ୍ୟ ଖୁଆଇଛି ସିଡୋନୀ, ସେ ପ୍ରାୟ ଚେତନାହୀନ ଅବସ୍ଥାରେ ବିଛଣାରେ ପଡ଼ିରହିଛି । ଦରଜା ଆଉଜେଇ ପାଖ କୋଠରୀରେ ଖାଇ ବସିଛନ୍ତି ସିଡୋନୀ ଓ ଆରିଷ୍ଟାଇଡ । ବେଶ ଉଚ୍ଚ କଣ୍ଠରେ ସୁଡୋନୀ କହୁଛି–‘ଡାକ୍ତରଙ୍କ ମତରେ ଆଉ ମାତ୍ର ଦିନେ ଦି’ ଦିନ । ଆରିଷ୍ଟାଇଡ ବ୍ୟସ୍ତ ହୋଇ ତା’କୁ ନୀରବ ରହିବା ପାଇଁ କହୁଛି । ଧୀରେ...ଖୁବ୍‌ ଧୀରେ, ସେ ହୁଏତ ଶୁଣିପାରେ, ଚେଇଁ ଥାଇପାରେ; ନଚେତ୍‌ ନିଦ ବି ଭାଙ୍ଗିଯାଇପାରେ...

 

ଏପଟେ ନିଦ ତ ନୁହେଁ, ସାମାନ୍ୟ ତନ୍ଦ୍ରା ମାତ୍ର । ସିଡୋନୀର କାଂସ୍ୟକଣ୍ଠର ଝଙ୍କାରରେ ତାହା ଭାଙ୍ଗିବା ପାଇଁ ଟିକିଏ ବି ଡେରି ହୋଇନି । କାନଡ଼େରି ଏଞ୍ଜେଲା ଶୁଣିଛି–

 

ମୁଁ ବି କହୁଛି ଯେଉଁ ପକ୍ଷୀ ନିଶ୍ଚୟ ଉଡ଼ିବ ତା’କୁ ପିଞ୍ଜରାରେ ଧରି ରଖିବାର ଚେଷ୍ଟା ଆଉ କାହିଁକି ? ଏପଟେ ମୁଁ ସବୁ ଠିକ୍‌ଠାକ୍‌ କରି ବସି ରହିଛି । ଆରିଷ୍ଟାଇଡର ମନରେ ପିଞ୍ଜରା କଥା କୌଣସି ଦାଗ ପକେଇ ପାରିଲା ନାହିଁ, ସେ ଭଉଣୀର ମୁହଁରୁ ଏହି ଶେଷକଥା ପଦକ ହିଁ ଲୁଟିନେଲା । ଠିକଠାକ୍‌ ? କେଉଁଥିପାଇଁ ?

 

କେଉଁଥିପାଇଁ ? ବୋକା ? ଯାହା ଚାହିଁଥିଲି, ତା’ରି । ପଚାଶ ହଜାରର । ଯାହା ଘଟୁଛି, ମାନେ ପ୍ୟାରିସର ସୌଖୀନ ସମାଜରେ ଯାହା ନିତ୍ୟନୈମିତ୍ତିକ ଘଟୁଛି । ଘଟୁଛି, ଜାଣୁଛନ୍ତି ମାତ୍ର ଜଣେ ଦି’ଜଣ ଲୋକ । ଚପେଇଦେବାର ବ୍ୟବସ୍ଥା ରହିଛି । କଳଙ୍କର ନାଗରା ବାଜିବା ପୂର୍ବରୁ ତା’କୁ ବନ୍ଦ କରିବାର ଅନେକ ପ୍ରକାର କୌଶଳ ରହିଛି । ଏ ଝିଅଟି ବଡ଼ଘରର, ବେଶ୍‌ ବୁନିୟାଦି ପରିବାରର ଅସାମାନ୍ୟା ରୂପସୀ ଝିଅ । ସେ କ’ଣ ସହଜରେ ମିଳେ, ନିହାତି ତୁମର ଭାଗ୍ୟ ବୋଲି ତୁମ କପାଳରେ ଶିକା ଛିଣ୍ଡୁଚି । କିନ୍ତୁ ଏପଟେ କିଛି ଗୋଟାଏ ଘଟି ନଗଲେ ତ ସେପଟେ କଥା ଦେଇପାରୁନି...।

 

ଏଞ୍ଜେଲା ଆଉ ସହ୍ୟକରି ପାରିଲାନି । ଫୁଲିଫୁଲି କାନ୍ଦି ଉଠିଲା, ତା’ପରେ ମୂର୍ଚ୍ଛା ହୋଇଗଲା । ଆରିଷ୍ଟାଇଡ ଟେବୁଲରୁ ଠିଆ ହୋଇପଡ଼ିଲା, ତା’କୁ ବସିପଡ଼ିବା ପାଇଁ, ଇସାରା କଲା ସିଡୋନୀ ଏବଂ ନିଜେ ଧୀରେ ଧୀରେ ମଝି ଦରଜା ପାଖକୁ ଆଗେଇଗଲା । ସେହିଠାରୁ ହିଁ ଚାହିଁ ଦେଖିଲା ଏଞ୍ଜେଲାର ନିସ୍ପନ୍ଦ ଦେହକୁ, ତା’ପରେ ତା’ର ମୂର୍ଚ୍ଛା ଭାଙ୍ଗିବାର କୌଣସି ଚେଷ୍ଟା ନ କରି କବାଟ ପୁଣି ବନ୍ଦ କରିଦେଲା । ଟେବୁଲ ପାଖରେ ଯାଇ ଆଉ ବସିଲା ନାହିଁ, ଚୌକି ପଛରେ ଠିଆ ହୋଇ କହିବାକୁ ଲାଗିଲା–ଏ ମୂର୍ଚ୍ଛା ବର୍ତ୍ତମାନ ଭାଙ୍ଗିଯିବ, ତେବେ ଶେଷ ହେବାପାଇଁ ଆଉ ଡେରିନାହିଁ, ମୋତେ ଡାକ୍ତର କହିଛି । କ୍ଷୟରୋଗର ଶେଷ ଅବସ୍ଥା । କିନ୍ତୁ ଯାହା କହୁଥିଲି ଝିଅଟିକୁ ବାଗେଇପାରିଲେ ତୁମ ଯୌତୁକ ସ୍ୱରୂପ ପାଉଛ ଦୁଇ ମିଲିୟନ୍‌ ମୂଲ୍ୟର ସମ୍ପତ୍ତି ଏକ ଆଭିଜାତ୍ୟପୂର୍ଣ୍ଣ ଅଞ୍ଚଳରେ । କିନ୍ତୁ, ଆପାତତଃ ତାହା ତ ବର୍ତ୍ତମାନ କାମରେ ଲାଗୁନାହିଁ, କାରଣ ଯୌତୁକଟା ହେବ ତମ ସ୍ତ୍ରୀର, ତା’ ହାତରୁ ନିଜ ହାତକୁ ଆଣିବାପାଇଁ ସମୟ ଲାଗିବ ନିଶ୍ଚୟ । ତେଣୁ ମୁଁ ତୁମପାଇଁ ଦାବି କରିଛି ପଚାଶ ହଜାର । ସେଇଥିପାଇଁ ସେଦିନ ଆକ୍ଷେପ କରି କହୁଥିଲି ପୂର୍ବରୁ ବିବାହ କରି ନଥିଲେ.....ଯେତେ କହ ବା କର ବୁଢ଼ା ବର ଆଉ ଦୋଜବରର ତଫାତ୍‌ ଅନେକ । ତା’ ପୁଣି ଚେହେରାଟା ଦେଖିବା ଭଳି ନୁହେଁ, ଏତେକରି କହି ବି ତୁମକୁ ବୁଝେଇପାରିଲି ନାହିଁ ଯେ, ଚେହେରାରେ ଜୌଲୁଷ ଫୁଟେଇବା ପାଇଁ ହେଲେ ମାଂସଟା ବେଶୀ ବେଶୀ ଖାଇବା ପାଇଁ ହେବ, ଶସ୍ତା ଜଲିଂ ମଦ ବଦଳରେ ପରିମାଣ ଅନୁସାରେ ସ୍ୟାମ୍ପେନ ଗିଳିବାକୁ ହେବ । ତେବେ, ମୁଁ ଯାଉଛି ଅନ୍ୟ ପଡ଼ାର ଜଣେ ଖରିଦ୍‌ଦାର ପାଖରେ ଗୋଟାଏ ନକଲି ହୀରାର ନେକଲେସ୍‌ ଦେଇଆସିଛି, ଏଯାଏ ଦାମ୍‌ ଆଣି ନାହିଁ । ହୀରାଗୁଡ଼ିକ ଦେଖିଲେ ଆଖି ଝଲସି ଯିବ, କିଏ କହିବ ଅସଲ ନୁହେଁ ।

 

ବାହାରି ଯାଉ ଯାଉ ପୁଣି ଫେରିଆସିଲା ସିଡୋନୀ....ମୁଁ ପୁଣି ଫେରି ଆସିବି ତେବେ ଟିକିଏ ରାତିରେ ଯେତେବେଳଯାଏ ଶେଷ ହୋଇ ନ ଯାଇଛି ମୋତେ ଏଠି ଜଗି ରହିବାକୁ ପଡ଼ିବ-। ଡାକ୍ତର ପାଖରୁ ସାର୍ଟିଫିକେଟ ଆଣିବାର ଝାମେଲା ରହିଛି, ହାତର ଲୋକ ଅବଶ୍ୟ, ତେବେ ତୁମକୁ ଏକାକୀ ଦେଖିଲେ ନାନା ପ୍ରକାର ଢଙ୍ଗ କାଢ଼ିବ । ବାହାରିଗଲା ସିଡୋନୀ, ଆରିଷ୍ଟାଇଡ ଠିଆହୋଇଥିଲା ବସିପଡ଼ିଲା । ଭାବୁଛି, ଆକାଶପାତାଳ ଭାବୁଛି । ବଡ଼ଘରର ବୁନୟାଦି ପରିବାରର ପଇସାବାଲା ରୂପସୀ ଝିଅ । ସେ ଆସି ବରଣମାଳା ଦେବାପାଇଁ ଚାହୁଁଛି ପଇଁତ୍ରିଶ ବର୍ଷ ବୟସ୍କ କୁତ୍ସିତ, ନିଃସ୍ୱ ବାସହୀନ କିରାନୀ ଦୋଜବର ଆରିଷ୍ଟାଇଡକୁ, ତା’ ବି ତା’ର ପ୍ରଥମା ସ୍ତ୍ରୀ କବରସ୍ଥ ହେବା ପୂର୍ବରୁ । ସିଡୋନୀ ନିଶ୍ଚୟ କୁହୁକ ଜାଣେ । ନ ହେଲେ....

 

ନହେଲେ ଏହା କେମିତି ଭାବରେ ସମ୍ଭବ ହେଉଛି । କ’ଣ ଯେପରି ଘଟି ଯାଉଛି ! ସିଡୋନୀ ଅପବାଦର କଥା କହୁଥିଲା । ଅପବାଦ ସମ୍ଭବତଃ ଏହି ଝିଅଟିକି ନେଇ । ବଡ଼ଘରେ କେଉଁଠି ଝିଅମାନଙ୍କୁ ନେଇ ଅପବାଦ ନାହିଁ । ଆଉ ଅପବାଦ ନଥିଲେ ତା’ଭଳି ବରକୁ ପଚାଶ ହଜାର ଫ୍ରାଁକ୍‌ ଘୁଷ ଦେବାକୁ ରାଜିହେବ କେଉଁ ମୂର୍ଖ ? ତା’କୁ ଆଚ୍ଛନ୍ନ କରି ଧରିଛି ଚିନ୍ତାର ଜାଲ । ବାହ୍ୟକାଳ ହରେଇ ସେ କେବଳ ଭବିଷ୍ୟତର ଗୋଟାଏ ମନୋରମ ଚିତ୍ର ଆଙ୍କୁଛି ମନେ ମନେ । ଠିକ୍‌ ଏହି ସମୟରେ କିଏ ଯେମିତି ତା’ର ହାତ ଦୁଇଟିକୁ ଜାବୁଡ଼ିଧରି କାନ୍ଦିଲା ଗଳାରେ କହିଉଠିଲା–ଆଗୋ ଏସବୁ କ’ଣ, ୟାରି ମୁଁ କ’ଣ ଶୁଣୁଛି ମୁଁ ନ ମରୁଣୁ ଧନୀ ଘରର ରୂପସୀ କନ୍ୟା...ସେଥିପାଇଁ ନୂତନ ଡାକ୍ତର ଡାକିଆଣି ମୋତେ ମାରିପକେଇବାର ଫନ୍ଦି କରିଛ ଭାଇଭଉଣୀ ? କେତେବେଳେ ମୂର୍ଚ୍ଛାହତା ଏଞ୍ଜେଲା ବିଛଣାରୁ ଉଠି ଧକେଇ ଧକେଇ ଦରଜା ଖୋଲି ପକେଇଛି ନିଃଶବ୍ଦରେ, ଆରିଷ୍ଟାଇଡ ମୋଟେ ଜାଣି ପାରିନାହିଁ । ହଠାତ୍‌ ଏକାବେଳକକେ ସାମନାସାମନି ଏଞ୍ଜେଲାକୁ ଦେଖି ଏବଂ ତା’ ମୁହଁରୁ ସୁସ୍ପଷ୍ଟ–ସାଂଘାତିକ ଅଭିଯୋଗ ଶୁଣି ଆତଙ୍କରେ ଶିହରୀ ଉଠିଲା ଆରିଷ୍ଟାଇଡ । କ’ଣ ! ଏସବୁ ବାଜେକଥା କହୁଛ କାହିଁକି ? କିଏ ତୁମକୁ ମାରିପକେଇବା ପାଇଁ ଚାହୁଁଛି ? କ୍ଷୟ ରୋଗ–ତହିଁରେ ଯଦି ତମର ମୃତ୍ୟୁ ହୁଏ–ତେବେ ଆମକୁ ଦୋଷ ଦେଉଛ କାହିଁକି ? ଆଉ କ’ଣ କେହି ଯକ୍ଷ୍ମାରେ ମରୁନାହାନ୍ତି ! ଉଠିପଡ଼ି ସେ ନିଜର ହାତଯୋଡ଼ିକ ଏଞ୍ଜେଲାର ହତାରୁ ଛଡ଼େଇ ଦେଲା ଜୋରକରି । ଆଉ ତା’ ହାତର ଆଶ୍ରୟ ଟିକକ ହରାଇବା ମାତ୍ରକେ ଏଞ୍ଜେଲା ଟଳିପଡ଼ିଲା ଚଟାଣରେ । ଆରିଷ୍ଟାଇଡକୁ ସେ ଘର ଯାଏ ତା’ ଦେହଟାକୁ ବୋହି ନେବାପାଇଁ ପଡ଼ିଲା ।

 

ସେଦିନ ନୁହେଁ ତା’ ପରଦିନ ଆରିଷ୍ଟାଇଡର ରାସ୍ତା ପରିଷ୍କାର ହୋଇଗଲା । ଡାକ୍ତର ସାର୍ଟିଫିକେଟ ଲେଖି ଦେଇଗଲେ...କ୍ଷୟ ରୋଗରେ ମୃତ୍ୟୁ । ଯିବା ସମୟରେ ସିଡୋନୀକୁ ଅନୁଚ୍ଚ କଣ୍ଠରେ କ’ଣ କହିଲେ ଆରିଷ୍ଟାଇଡ ଶୁଣିପାରିଲା ନାହିଁ । ନ ପାରିଲେ ବି ସିଡୋନୀ ଆସି ତିକ୍ତ କଣ୍ଠରେ କହିଲା, ‘ଡାକ୍ତରଟା ନିମକହରାମ । ପାଞ୍ଚହଜାର ଫ୍ରାଁକ୍ ଫିସ୍‌ ଚାହୁଁଛି ।’’

 

ଦେବାକୁ ପଡ଼ିବ, ନ ଦେଇ ଉପାୟ ନାହିଁ । ୟେ ହୋଇନଥିଲେ କାମଟା ହାସଲ ହୋଇନଥାଆନ୍ତା । ପୂରୁଣା ଡାକ୍ତର ହାତରେ ଥିଲେ ଏଞ୍ଜେଲା ଆଉ ବର୍ଷେ ଛ’ମାସ ବଞ୍ଚିଯାଇପାରିଥାନ୍ତା, ଆଉ ସେତେଦିନ ଭିତରେ ସୁଯୋଗଟା ହାତରୁ ଖସିଯାଇଥାନ୍ତା ।

 

ଆରିଷ୍ଟାଇଡ ନୀରବରେ ମନେ ମନେ ଶୁଣିଗଲା, ସେ କେବଳ ଭାବିବାକୁ ଲାଗିଲା ଏହି ପାଞ୍ଚହଜାର ଭିତରୁ ସିଡୋନୀର କମିଶନ କେତେ । ଯାହାହେଉ ବର୍ତ୍ତମାନ ପଞ୍ଚ ନିଷ୍କଣ୍ଟକ । ଏଥର ଆରିଷ୍ଟାଇଡର ବିଜୟରଥ ସେ ପଥରେ ଗଡ଼ିଚାଲିଲା ସଶବ୍ଦରେ । ଏଞ୍ଜେଲାକୁ କବର ଦେଇ ଆସିବା ମାତ୍ରକେ ସେ ଘରମାଲିକକୁ ଜଣେଇ ଦେଲା ଯେ; ପ୍ଳାଟରେ ତା’ର ଆଉ ତିଳାର୍ବ୍ଦେ ରହିବା ପାଇଁ ଇଚ୍ଛା ନାହିଁ, ଆଗାମୀ ସପ୍ତାହରେ ସେ ଅନ୍ୟତ୍ର ଉଠିଯିବ । ଘରମାଲିକ ଭାବିଲା ଲୋକଟା ସତରେ ଥିଲା ପତ୍ନୀଗତପ୍ରାଣ, ସ୍ତ୍ରୀ ବିୟୋଗରେ ଆଜିକାଲି ଅନେକ ପ୍ରାୟ ଉତ୍‌ଫୁଲ୍ଲିତ ହୋଇଉଠନ୍ତି, ଏ ସେ ରକମ ନୁହେଁ । ଲୋକଟାକୁ ପତ୍ନୀଶୋକ ବେଶ୍‌ ବାଧିଛି ।

 

ସିଡୋନୀ ହିଁ ଯୋଗାଡ଼ କରିଦେଲା ନୂତନ ପ୍ଳାଟ । ମାସକ ପାଇଁ ସୁସଜିତ ଚାରିପାଞ୍ଚଟି କୋଠରୀ । ମାଲିକ ଯାଇଛନ୍ତି ଦେଶଭ୍ରମଣରେ ଇଟାଲିକୁ । ସେହି ଫ୍ଳାଟରେ ଯେତେବେଳେ ଆରିଷ୍ଟାଇଡ ଆସି ଅଧିଷ୍ଠିତ ହେଲା ସେତେବେଳେ ତାରା ବାକ ନୂତନ ଫେସନରେ କଟା, ଦେହରେ ଓୟାମ ନୂତନ ନୂତନ ସୁଟ । ସାରା ଫ୍ରାନ୍‌ସର ଫେସନ ସମ୍ରାଟ ଓୟାମସ । ପୋଷାକର ଦାମ୍‌ ପ୍ରାୟ ସାତଶ’–ଆଠଶ’ ।

 

ଦାମ୍‌ଟା କିଏ ଦେଇଛି ? ସିଡୋନୀ କହିଲା କେହି ଦେଇ ନାହାନ୍ତି । ତେବେ ଦେବାକୁ ପଡ଼ିବ । କାମଟା ଆଗ ହାସଲ ହେଉ । ସେହି ଫ୍ଳାଟକୁ ଆସି ସାତଶହ ଫ୍ରାଁର ପୋଷାକ ପରିହିତ ଆରିଷ୍ଟାଇଡ ସହିତ ଆସି ସାକ୍ଷାତ କଲେ ଏକ ପ୍ରୌଢ଼ ମହିଳା ନାମ ଏଲିଜାବେଥ୍‌ ବେରୁଡ । ସିଡୋନୀ ପୂର୍ବରୁ ଜଣେଇ ଦେଇଛି–ବେରୁଡ ଫରାସୀ ଦେଶର ଅନ୍ୟତମ ପ୍ରାଚୀନ ଆଭିଜାତ୍ୟ ବଂଶ ବୋବୋ ରାଜାମାନଙ୍କ ଅମଳରେ ଏମାନଙ୍କର ସମ୍ପତ୍ତି ଓ ପ୍ରତିପତ୍ତିର ସୀମା ନ ଥିଲା । ଫରାସୀ ବିପ୍ଳବ ପରେ ଏବଂ ନେପୋଲିୟାମାନଙ୍କ ଅମଳରେ ପ୍ରତିପତ୍ତି ଅବଶ୍ୟ କ୍ଷୁଣ୍ଣ ହୋଇଛି, କିନ୍ତୁ ବର୍ତ୍ତମାନ ବି ଅଚଳାଚଳ ସମ୍ପତ୍ତି ରହିଛି । ବର୍ତ୍ତମାନ ବେରୁଡ କର୍ତ୍ତାର ବିପତ୍ନୀକ ସଂସାରରେ କେବଳ ଦୁଇଟି କନ୍ୟା ଆଉ ଏଇ ଚିରକୁମାରୀ । ଭଉଣୀ ଏଲିଜାବେଥ୍‌ ।

 

ମାଡାମ ଏଲିଜାବେଥ୍‍ ଆସି ଆରିଷ୍ଟାଇଡକୁ ସମ୍ଭାଷଣ କଲେ ବିଗତ ଶତାବ୍ଦୀର ଦରକାରୀ କାୟଦାରେ–ଆଶା କରେ ମୁଁ ମସିୟେଁ ସାକାତର୍କ ସହିତ ବାକ୍ୟାଳାପର ସୌଭାଗ୍ୟ ଲାଭ କରିବାପାଇଁ ଯାଉଛି ? ଆରିଷ୍ଟାଇଡର ହଠାତ୍‍ ମନେପଡ଼ିଗଲା ସିଡୋନୀ ଅବଶ୍ୟ ତା’କୁ କହିଥିଲା, ରୂପ ପରିବର୍ତ୍ତନ କେବଳ କେଶବିନ୍ୟାସ ଓ ପୋଷାକ ପରିବର୍ତ୍ତନରେ ସୀମାବଦ୍ଧ ରଖିଲେ ଚଳିବ ନାହିଁ, ତା’କୁ ବଂଶ ପରିଚୟ ଉପରେ ବି ଛଡ଼େଇ ଦେବାପାଇଁ ପଡ଼ିବ । ରୌଗନ ଆଖ୍ୟା ବାତିଲ କରିଦେଇ ସାକାର୍ଡ ପଦବୀ ଗ୍ରହଣ କରିବାକୁ ପଡ଼ିବ ।

 

କାହିଁକି ? ସାକାର୍ଡ କାହିଁକି ? ଏତେ ନାଁ ଥାଉଣୁ ସାକାର୍ଡ କାହିଁକି ?...ପ୍ରଶ୍ନ କରିଥିଲା ସେ-। ଏଇ ନାଁଟା ହଠାତ୍‌ ମୁହଁରେ ଆସି ଯାଇଥିଲା, କଥାବାର୍ତ୍ତାରେ ପ୍ରାରମ୍ଭରେ । ଲୋକେ ବାପ ନାଁରେ ପରିଚୟ ଦେବାକୁ ନ ଚାହିଁଲେ ଅନେକ ସମୟରେ ଶ୍ୱଶୁରଙ୍କ ନାମ ଦେଇଥାଏ । ଧର ତୁମର ଶ୍ୱଶୁରର ନାଁ ହେଲା ସିକାଦେତ୍‌ । ଏଇ ନାଁଟା କିଞ୍ଚିତ ଅଭବ୍ୟ ବୋଲି ଈଷିତ୍‌ ଇସ୍ତ୍ରୀ କରି ନେଇଥିଲି-। ସାକାର୍ଡ ନାଁ ଟାରେ ଆଭିଜାତ୍ୟର ସଂସ୍ପର୍ଶ ରହିଛି । ବର୍ତ୍ତମାନଠାରୁ ତୁମେ ଆରିଷ୍ଟାଇଡ ସାକାର୍ଡ-

 

ସେ କଥା ଥାଉ, ମାଡାମ ଏଲିଜାବେଥ୍‌ ଯେଉଁ କାହାଣୀ ଶୁଣେଇଲେ, ତାହା ତାହାର ନିଜସ୍ୱ ବିବେଚନାରେ ଖୁବ୍‌ କରୁଣ । ତାଙ୍କର ବଡ଼ ଭାଇର ଝିଅର ନାମ ରେନୀ ବେରୁଡ । ବୟସ ମାତ୍ର ଅଠର । କନଭେଣ୍ଟରେ ପଢ଼ାଶୁଣା କରୁଥିଲା । ଶିକ୍ଷା ସମାପ୍ତି ପରେ ଏଇ ଚାରିମାସ ପରେ ଘରକୁ ଫେରିଛି ଏବଂ ଆସିବା ମାତ୍ରେ ମଫସଲବାସିନୀ ଏକ ସହପାଠିନୀର ଆମନ୍ତ୍ରଣକ୍ରମେ ତା’ ଘରକୁ ଚାଲିଗଲା ଗୋଟାଏ ପାରିବାରିକ ଉତ୍ସବ ଉପଲକ୍ଷେ । ସେଠି ଗୋଟାଏ ବିପଦ ଘଟିଗଲା ।

 

ବିପଦଟା କ’ଣ ? ମଦିଲାଟି ବିପଦଟାର ସ୍ୱରୂପ ବିଶ୍ଳେଷଣରେ ଦ୍ୱିଧା କରୁଥିବାର ଦେଖି ସାକାର୍ଡ ନୂତନ ନାଁରେ ବର୍ତ୍ତମାନଠାରୁ ଡକାଯାଉ ଏହି ଆଖ୍ୟାୟିକାର ନାୟକକୁ । ହଁ ମାଡାମ ହିଁ ତା’ ମୁହଁରେ କଥା ଯୋଗେଇଦେଲା–ବିପଦଟି କୌଣସି ପୁରୁଷ ଘଟିତ ବୋଧହୁଏ ? କଥାରେ ତା’ର ଫୁଟିଉଠିଲା ଅପରିସୀମ ଦରଦ ।

 

ଠିକ୍‌ ଅନୁମାନ କରିଛନ୍ତି ପୁରୁଷଟିର ବୟସ ଅନ୍ତତଃ ଚାଳିଶ ବର୍ଷ; ହୁଏତ ଘରେ ତା’ର ରେନୀ ବୟସର ଝିଅ ରହିଛି । ସିଏ ବି ସେ ଉତ୍ସବରେ ଥିଲା ନିମନ୍ତ୍ରିତ ଅତିଥି । ଦିନେ ଏକାନ୍ତରେ ରେନୀକୁ ପାଇ ସେ...। ଏଥର ଭଦ୍ରମହିଳାଙ୍କର କଣ୍ଠ ରୋଧ ହୋଇଗଲା । ମୁହଁ ତଳକୁ ପୋତି ସେ ରୁମାଲରେ ଆଖି ପୋଛିବାକୁ ଲାଗିଲେ । ମାଡାମ ଯେମିତି ମନକୁମନ ଅସ୍ପଷ୍ଟ କଣ୍ଠରେ କହିଯାଉଛି–ପଶୁ ! କେମିତି ଭାବରେ ଏମାନେ ଯେ ଶିଲୋଟିନକୁ ଫାଙ୍କି ଦିଅନ୍ତି, ବୁଝି ହୁଏନା ।

 

ମାଡ଼ାମ ଏଲିଜାବେଥ ଧୀରେ ଧୀରେ ଆତ୍ମସ୍ଥ ହେଲେ । ସାକାର୍ଡକୁ ଯେଉଁ କାହାଣୀକୁ ଶୁଣେଇଲେ ମୋଟାମୋଟି ତାହା ଏହି ପ୍ରକାର–ରେନୀ ବର୍ତ୍ତମାନ ଅନ୍ତଃସତ୍ତ୍ୱା ପ୍ରାୟ ଚାରିମାସ ହେବ । ଦୁର୍ଘଟଣା ପରେ ହିଁ ବାନ୍ଧବୀର ଘରଲୋକେ ତା’କୁ ପ୍ୟାରିସକୁ ବାପଘରକୁ ପଠେଇ ଦିଅନ୍ତି-। କିନ୍ତୁ ତା’ର ପିତା, ଗସିୟାର ବେରୁଡ–ତା’ର ଆତ୍ମମର୍ଯ୍ୟାଦାର ଧାରଣା, ମାନେ ଶାର୍ଳମେନ ଯୁଗର ସଂସ୍କାର ନେଇ ହିଁ ସେ ଜୀବନଯାପନ କରିଚାଲିଛନ୍ତି ଏହି ଊନବିଂଶ ଶତାବ୍ଦୀର । ସେ ଭଉଣୀକୁ କଠୋର ଆଦେଶ ଦେଇ ଦେଇଥିଲେ–ରେନୀକୁ ବିଷ ଦିଅ । କହିବା ବାହୁଲ୍ୟ, ସେ ଆଦେଶ ପାଳନ କରି ନାହିଁ । ଏଲିଜାବେଥ୍‌ ।

 

ମାନି ନାହାନ୍ତି ଏବଂ ଭାଇକୁ ଏହି କଥା ବୁଝେଇଛନ୍ତି ଯେ, ସଂଶ୍ଳିଷ୍ଟ ଲମ୍ପଟ ପୁରୁଷଟି କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଏହି ଅନ୍ୟାୟ କାମଟି କରିଥିଲେ ବି ପ୍ରକୃତରେ ମନ୍ଦ ନୁହେଁ । ଭଦ୍ରବଂଶୀୟ ମାନୀ ଲୋକ ଏବଂ ବିପତ୍ନୀକ । ସେ ବର୍ତ୍ତମାନ ରେନୀକୁ ବିବାହ କରି ତାକୁ ତା’ର ପ୍ରାୟଶ୍ଚିତ କରିବାକୁ ଚାହେ । ସାକାର୍ଡ ଏହିଠାରେ ନିରୀହ ଭଳି ଗୋଟାଏ ପ୍ରଶ୍ନ କଲା । ସତେ ଚାହେଁ ନା କ’ଣ ? ତାହାହେଲେ ତ ସବୁ ଝାମେଲା ତୁଟିଯିବ ।

 

ଏଲିଜାବେଥ୍‌ ସାମାନ୍ୟ କ୍ରୋଧାନ୍ୱିତ ହୋଇପଡ଼ିଲେ–ଆପଣ କ’ଣ କହୁଛନ୍ତି ମସିୟାର-? ସେ ନର-ପଶୁ ମନରେ ଏମିତି ଧର୍ମଜ୍ଞାନ ଉଦୟ ହେବ ? ତା’ ଛଡ଼ା ସେ ଭଦ୍ରବଂଶଜ ହେଲେ ହେଁ ନିଜେ କେବେହେଲେ ଭଦ୍ର ନୁହେଁ । ଅତି ହୀନ ଚରିତ୍ର, ଅସତ୍‌ ଲୋକ । ସେ ନିଜେ ତ ବିବାହ କରିବାକୁ ରାଜି ନୁହେଁ; ଆଉ ରାଜି ହେଲେ ବି ରେନୀକୁ ତା’ ହାତରେ ଟେକିଦେବା ଅପେକ୍ଷା ବିଷ ଦେଇ ମାରିଦେବା ଭଲ । ଏହି ଘଟଣାରୁ ହୁଏତ ଝିଅଟିକୁ ରକ୍ଷା କରାଯାଇପାରେ, କିନ୍ତୁ ବିବାହ ହୋଇଗଲେ–ଡଃ ତା’ କଥା ମୁଁ ଯାହା ଶୁଣିଛି ତା’ ହାତରେ ଏହାକୁ ତୋଳିଦେବା ଯାହା ତା’କୁ ହାତଗୋଡ଼ ବାନ୍ଧି ନରକରେ ଠେଲିଦେବା ସେୟା ।

 

ମାଡାମ କେବଳ ଗଭୀର ସମବେଦନାର ମୁଣ୍ଡ ହଲେଇଯାଉଛି । ଶେଷରେ ମାଡାମଙ୍କ ବକ୍ତବ୍ୟଟା ପରିଷ୍କାର ହୋଇଗଲା । ସେ ବେରୁଡଙ୍କ ଆଗରେ ମିଥ୍ୟା ପରିଚୟ ଦେଇ ଠିଆ କରିବାକୁ ଚାହାନ୍ତି ସାକାର୍ଡକୁ । ବେରୁଡ ଜାଣିବେ ଯେ, ଏହି ବ୍ୟକ୍ତି ହିଁ ବଳତ୍କାର ପାଶବିକ ଅତ୍ୟାଚାର କରିଥିଲା । ଯା’ ଫଳରେ ରେନୀର ଏ ଅବସ୍ଥା । ଆହୁରି ଜାଣିବେ ଯେ, ପାପର ପ୍ରାୟଶ୍ଚିତ କରିବା ପାଇଁ ପ୍ରସ୍ତୁତ ।

 

କିନ୍ତୁ ମିଥ୍ୟା ପରିଚୟଟା କାହିଁକି ? ମାଡାମ ପଚାରିଲା, ଅବଶ୍ୟ ଖୁବ୍‌ ନମ୍ର ଓ ମଧୁର ସ୍ୱରରେ । ଧରନ୍ତୁ ଯେଉଁ ଲୋକ ଏହି କାଣ୍ଡ କରିଛି ସେ ତ ନିଶ୍ଚିତ ପଶୁ । ମୁଁ କାହିଁକି ମୋତେ ସେ ପଶୁ ବୋଲି ଜାହିର କରିବା ପାଇଁ ଯିବି ? ତା’ ଅପେକ୍ଷା ଯଦି କୁହେ ଯେ ନିଜେ କୌଣସି ଦୋଷରେ ଦୋଷୀ ନ ହୋଇବି ଭାଗ୍ୟ ବିଡ଼ମ୍ୱିତା ଝିଅଟିକୁ ସାମାଜିକ ଲାଞ୍ଛନାରୁ ଉଦ୍ଧାର କରିବା ପାଇଁ କେବଳ ସ୍ୱଭାବିକ ଔଦାର୍ଯ୍ୟବଶତଃ ମୁଁ ରେନୀକୁ ବିବାହ କରିବାକୁ ଚାହେ, ତହିଁରେ ତା’ର କ’ଣ ଆପତ୍ତି ଥାଇପାରେ ?

 

ଓଃ ମସିୟର, ସେ କେବେହେଲେ ରାଜି ହେବେ ନାହିଁ । ଯାହାଦ୍ୱାରା ଝିଅଟି ଥରେ କଳୁଷିତା ହୋଇଛି, ସେ ଯଦି ବିବାହ କରିବ ତ କରୁ, ତା’ ନହେଲେ ବିଷ ଖାଇବା ଛଡ଼ା ରେନୀର ଅନ୍ୟ ଉପାୟ ନାହିଁ । ଏହା ହେଲା ବୃଦ୍ଧ ବେରୁଡଙ୍କର ଅଲଙ୍ଘ୍ୟ ଆଦେଶ । ବର୍ତ୍ତମାନ ଆପଣଙ୍କର ଔଦାର୍ଯ୍ୟ ଉପରେ ଝିଅଟିର ଜୀବନ ନିର୍ଭର କରେ । ନିଜ ମୁଣ୍ଡ ଉପରକୁ ସେ କଳଙ୍କର ବୋଝ ଟାଣିଆଣି ସେ ଔଦାର୍ଯ୍ୟର ପରିଚୟ ଦେବାକୁ ପଡ଼ିବ ।

 

କହିବା ବାହୁଲ୍ୟ ଯେ, ଏ ସବୁ ଯୁକ୍ତିତର୍କ କେବଳ ସାକାର୍ଡର ମୂଲ୍ୟ ବୃଦ୍ଧି ପାଇଁ । ମାଡାମଙ୍କର ସବୁ କଥାରେ ତା’କୁ ରାଜିହେବା ପାଇଁ ପଡ଼ିବ । ଏ କଥା ତା’କୁ ସିଡୋନୀ ପୂର୍ବରୁ ଶିଖେଇ ଦେଇଯାଇଛି । ସୁତରାଂ କଥା ପକ୍‌କା ହେବା ପାଇଁ ଡେରି ହେଲା ନାହିଁ । ଶ୍ୟାନେରର ପଚାଶ ଫ୍ରାଁ ମୂଲ୍ୟର ସମ୍ପତ୍ତିଟା ତା’ ଛଡ଼ା ପିତାଙ୍କ ମୃତ୍ୟୁ ପରେ ତାଙ୍କର ଅଗାଧ ସମ୍ପତ୍ତିର ଅର୍ଦ୍ଧେକ ତ ସେ ଉତ୍ତରାଧିକାର ସୂତ୍ରରେ ନିଶ୍ଚୟ ପାଇବ ।

 

କଥା ଠିକ୍‌ ହୋଇଗଲା । ତା’ର ପରଦିନ ସାକାର୍ଡ ଯାଇ ମସିୟାର ବେରୁଡଙ୍କ ସହ ଦେଖାକରି ଆସିଲା ଏବଂ ଭାବିପତ୍ନୀ ରେନୀ ସହିତ ବି ଆଳାପ କରି ଆସିଲା । ସତରେ, ଝିଅଟିର କି ରୂପ ! କିନ୍ତୁ ଏ କଥା ନ୍ୟାୟତଃ ଧର୍ମତଃ ଆମେ ପ୍ରକାଶ କରିବାର ବାଧ୍ୟ ଯେ ରେନୀର ରୂପ ଅପେକ୍ଷା ସାକାର୍ଡ ନିକଟରେ ଯାହା ବୃହତ୍ତର ଆକର୍ଷଣର ବସ୍ତୁ ବୋଲି ମନେହେଲା ତାହା ବେରୁଡ ପରିବାରର ସୁସ୍ପଷ୍ଟ ସଂବୃଦ୍ଧି । ବିବାହ । ଏଇ ସେଦିନ ଏଞ୍ଜେଲାର ମୃତ୍ୟୁ ହେଲା । ଏହାରି ମଧ୍ୟରେ-? ଇଉଜନ ଗୁପ୍ତ ରହସ୍ୟଟି ଧରି ପକାଇଲା–ମନେହୁଏ ଅନେକ ଅର୍ଥ ?

 

ପ୍ରଥମ କିସ୍ତିରେ ପଚାଶ ହଜାର । ସଗର୍ବେ କହିଲା ସାକାର୍ଡ–ଯାହା ମୋର ଦରକାର ଥିଲା । ତୁମେ କହିଥିଲ ଖୋଜିଲେ ହିଁ ପାଇବ । ମୁଁ ଖୋଜୁଛି ଓ ପାଇଛି ।

 

ସାକାର୍ଡ ଉଠିଲା । ଦରଜା ଦେଇ ଗଲାବେଳକୁ ଇଉଜିନ ଉଠିଆସି ତା’ କାନ୍ଧରେ ହାତରଖି କାନେ କାନେ କହିଲା–ମହିଳାଟିର ଅବସ୍ଥା ବୋଧହୁଏ ଏବେ କି ତେବେ ?

 

ସାକାର୍ଡ ଥରେ ଇଉଜିନକୁ କଠୋର ଦୃଷ୍ଟିରେ ଚାହିଁଲା । ତା’ପରେ ତଡ଼ିତ ବେଗରେ ଚାଲିଗଲା ।

 

ବିବାହ ଶେଷ ହୋଇଗଲା ଏବଂ ପ୍ରାୟ ଦୁଇ ମାସ ପରେ ଗୋଟାଏ ମୃତଶିଶୁ ପ୍ରସବ କରି ଅନେକ ଝାମେଲାରୁ ରକ୍ଷା ପାଇଗଲା ରେନୀ ସାକାର୍ଡ ।

 

ପରବର୍ତ୍ତୀ ଆଠବର୍ଷର ସାକାର୍ଡ ପକ୍ଷରେ ଧାରାବାହିକ କ୍ରମୋନ୍ନତିର ହିଁ ଇତିହାସ । ହୋଟେଲ ବାଭିଲେର ଅଫିସରେ ବର୍ତ୍ତମାନ ବି କିରାନୀ ହିସାବରେ ତା’ର ନାଁ ରହିଛି । କିନ୍ତୁ ସେ କିରାନୀ କାମ କରେନା । କ’ଣ ଯେ କାମକରେ ତା’ ଜଣା ନାହିଁ ।

 

ଉପର ମହଲରେ ନୁହେଁ କି ତଳ ମହଲରେ ବି ନୁହେଁ । ତେବେ ଘଟଣାଟି ଆମେ ଜାଣୁ ଏବଂ ଖୋଲି କହିବାରେ ଆମର ମୋଟେ ଆପତ୍ତି ନାହିଁ । ସମ୍ରାଟ ନେପୋଲିଅନଙ୍କ ଆଦେଶ ବଳବତ୍ତର ରହିଛି । ମହାନଗରୀ ପ୍ୟାରିସ୍‌କୁ ଭାଙ୍ଗିରୁଜି ନୂତନ ଭାବରେ ଗଢ଼ିବାକୁ ହେବ । ତେବେ ବର୍ତ୍ତମାନ ଭାଙ୍ଗିବାର ପର୍ବ ହିଁ ଚାଲିଛି । ଏଇ ଦଶବର୍ଷ ଧରି ଗଢ଼ି ତୋଳିବା ? ସେ ପର୍ବ ଆରମ୍ଭ ହେବାକୁ ବହୁତ ଡେରି ଅଛି । ତା’ର କେବଳ ତୋଡ଼ଜୋଡ଼ ହିଁ ଚାଲିଛି । ଏମିତି ବ୍ୟାପକ ସମାରୋହ ସହକାରେ ତୋଡ଼ଜୋଡ଼ ଚାଲିଛି ଯେ, ୟୁରୋପର ସବୁ ଦେଶରେ ଗୋଟାଏ ଆଲୋଡ଼ନ ସୃଷ୍ଟି ହୋଇଛି ।

 

ତୋଡ଼ଯୋଡ଼ଟା ଏଭଳି । ଗୋଟାଏ ନୂତନ ରାଜପଥ ପରିକଳ୍ପନା କରନ୍ତି ନଗର ସ୍ଥପତିଗଣ, କାଉନ୍‌ସିଲ ତା’କୁ ପାଶ କରନ୍ତି । ନକ୍‌ସା ଅନୁସାରେ ପ୍ରସ୍ତାବିତ ରାଜପଥ ଆଖପାଖରେ ଥିବା କୋଠାବାଡ଼ିକୁ ଓ ସରକାର ନିଜର ଖାସ୍‌ ଦଖଲକୁ ନେଇଆସନ୍ତି ଏବଂ ତା’ର କ୍ଷତିପୂରଣ ଦିଅନ୍ତି ବେଶ୍‌ ମୁକ୍ତହସ୍ତରେ–ନ ଦେଇ ଉପାୟ ନାହିଁ । ଏ ବିଷୟରେ କାର୍ପଣ୍ୟ କଲେ ଜନସମାଜରେ ସମ୍ରାଟଙ୍କର ବଦନାମ ହୋଇଯାଇପାରେ । ସେ ବଦନାମ ହଜମ କରିବା ଭଳି ନୈତିକ ସାହସ ସମ୍ରାଟଙ୍କର କାହିଁ । ଏହି କ୍ଷତିପୂରଣର ଜଳାବାଟରେ ସାକାର୍ଡ ଆରମ୍ଭ କରିଛି ତା’ର ମୁନାଫାର ସ୍ୱର୍ଣ୍ଣ ଶିକାର । ପରିକଳ୍ପନା ପ୍ରସ୍ତୁତ ହୋଇ ସିରସ୍ତାଲା ଆସିଲା ସେ ଯାଏଁ କାଉନ୍‌ସିଲରେ ପାଶ ହୋଇ ନାହିଁ । ଅତଏବ ତାହା ସେତେବେଳେ ଏକାନ୍ତ ଗୋପନୀୟ । ସେହି ଅବସ୍ଥାରେ ନଥିପତ୍ର ଖୋଲି ସାକାର୍ଡ ନକ୍‌ସଟା ଦେଖିନେଲା, ରାସ୍ତାକଡ଼ରେ ଯେଉଁସବୁ ଘର ରହିଛି ତା’ର ନମ୍ୱର ଟିପି ନେଲା । ତା’ପରେ ସରଜମିନ୍‌ରେ ପର୍ଯ୍ୟବେକ୍ଷଣ, ଗୋଟାଏ ଦୁଇଟି ଭଙ୍ଗା କୋଠା ନିର୍ବାଚନ ଏବଂ ମାଲିକ ପାଖରୁ ତାହା ଖରିଦ କରିନେବା ପାଇଁ ଦଲାଲ ପ୍ରେରଣ ଶତକଡ଼ା ନବେ ମାଲିକ ଏଭଳି ଘର ବେଶ୍‌ ଶସ୍ତାଦାମରେ ହିଁ ବିକ୍ରି କରିଦିଅନ୍ତି, ଅଦୂର ଭବିଷ୍ୟତରେ ଯେ ସେ ବାଟଦେଇ ନୂତନ ରାସ୍ତା ବାହାରିବ ତାହା ତ ସେମାନେ ଜାଣନ୍ତି ନାହିଁ ।

 

ଘର କିଣାହେଲା, ଏଥର ସରକାରଙ୍କ ପାଖରେ ତାହା ବିକ୍ରି କରିବାର ପାଳି । କୋଡ଼ିଏ ହଜାରରେ ଯାହା ସଂଗ୍ରହ କରାଯାଇଛି । ତା’ର ଦାମ୍‌ ଏଥର ସାକାର୍ଡ ହାଙ୍କିବ କୋଡ଼ିଏ ଲକ୍ଷ । ଦର ଧାର୍ଯ୍ୟ କରିଦେବା ପାଇଁ ଗୋଟାଏ ବୋର୍ଡ ରହିଛି, ତା’ର ସଦସ୍ୟଗଣ ସମସ୍ତେ କମ୍‌–ବେଶୀ ଘୁଷ ପ୍ରତ୍ୟାଶା କରନ୍ତି । ସାକାର୍ଡ ମଧ୍ୟ ସେମାନଙ୍କ ପ୍ରତ୍ୟାଶା ପୂରଣ କରିବାରେ ଅରାଜି ନୁହେଁ । ପାଞ୍ଚଜଣ ସଦସ୍ୟ ପାଞ୍ଚଲକ୍ଷ ନେଇଯାଆନ୍ତୁନା, ତଥାପି ତ ସାକାର୍ଡ ହାତକୁ ପନ୍ଦର ଲକ୍ଷ ଆସିବ । କୋଡ଼ିଏ ହଜାର ଖଟେଇ ଛ’ମାସ ମଧ୍ୟରେ ପନ୍ଦର ଲକ୍ଷ ଲାଭ କରିବା । ସାକାର୍ଡ ଗତ ଆଠବର୍ଷ ଧରି ଏୟା କରି ଚାଲିଛି । ମୂଳଧନ ଥିଲା ସେହି ପଚାଶ ହଜାର, ଦ୍ୱିତୀୟ ପକ୍ଷ ବିବାହରେ ଯାହା ସଂଗ୍ରହ କରିଥିଲା ସାକାର୍ଡ । ତା’ପରେ କ୍ରମାଗତ ମାଛତେଲରେ ମାଛ ଭାଜିଚାଲିଛି । ଗୋଟାଏ ଗୋଟାଏ କୋଠାର ଦୁଇ–ତିନି ମିଲିୟନ ଲାଭ ନିଶ୍ଚୟ । ତେବେ ଏ କଥା ବି ଠିକ୍ ଯେ ତା’ର ଖର୍ଚ୍ଚ ବି ରହିଛି । ବିରାଟ ଖର୍ଚ୍ଚ, ନିଶ୍ଚିତ ଖର୍ଚ୍ଚ । ଏହା ସେ ଠିକ୍ ଭାବରେ ଜାଣେ ଯେ, ଭେକ ନ ଥିଲେ ଭିକ ମିଳେ ନାହିଁ । ତେଣୁ ଭେକଧାରଣରେ ସେ କୌଣସି ତ୍ରୁଟି କରି ନାହିଁ । ପାର୍କ ମ୍ୟାନସନରେ କୋଠାଟିଏ କରିଛି ଯେଉଁ କୋଠାଟି ଟୁଇଲାରୀ ପ୍ରାସାଦ ତୁଳନାରେ ସାମାନ୍ୟ ନିଷ୍ପ୍ରଭ ମନେହେବ । ଅନ୍ତତଃ କୋଡ଼ିଏ ଏକର ଜମି ଠିକ୍‌ ପାର୍କ ପାଖକୁ ଲାଗି । ଚାରିପାଖ ଉଚ୍ଚ ପାଚେରୀ ପରିବେଷ୍ଟିତ । ଏହି ପାଚେରୀ ଭିତରେ କ’ଣ ନାହିଁ ! ଚାରିତାଲା କୋଠାଟା ତ ନିଶ୍ଚୟ ରହିଛି । ତା’ ସହିତ ଗୋଟାଏ ପାଖରେ ରହିଛି ଉଦ୍ୟାନ କୃତ୍ରିମ ପାହାଡ଼, ଫୋଆରା, ଅନ୍ୟ ପାଖରେ ଅସ୍ତାବଳ, ଗୋଶାଳା, ପକ୍ଷିଶାଳା ଆହୁରି କେତେ କ’ଣ ? ଏହି ଘର ତିଆରିରେ କେତେ ମିଲିୟନ ଖର୍ଚ୍ଚ ହୋଇଛି ସାକାର୍ଡ ବି ହଠାତ୍‌ କହିପାରିବ ନାହିଁ । ସବୁ ହିସାବ ହୋଇ ନାହିଁ । ବିସ୍ତର ବିଲ ଜମି ରହିଛି । ଯିଏ ମାର୍ବଲ ପଥର ଯୋଗେଇଛି ଯେଉଁମାନେ କାରପେଟ ସରବରାହ କରିଛନ୍ତି ପଚାଶଟି ଘର, ପଚାଶ ପ୍ରକାର ଆସବାବପତ୍ର ଦେଇ ସଜେଇ ଦେଇଛନ୍ତି, ବିଲ ସବୁ ସେମାନଙ୍କର-। ସବୁ ମିଶେଇ ଦଶ ମିଲିଅନ ହେବ ? ତା’ଠୁ ବେଶୀ ବି ହୋଇପାରେ । ଦେବାକୁ ହୁଏ । ସମସ୍ତ ବିଲ ବାବଦରେ ମଝିରେ ମଝିରେ କିଛି କିଛି ଦେବାକୁ ହୁଏ । ସାକାର୍ଡର ଶୟନକକ୍ଷର ଦେବାଲରେ ଗୋଟାଏ ଲୁହା ଆଲମିରା ରହିଛି । ରୋଜ ସକାଳେ ଦେଖାଯାଏ ଏହି ଆଲମିରା ଲୁଇ ଫ୍ରାଁ ଧାତୁ ଓ କାଗଜ ମୁଦ୍ରାରେ ଭରପୂର । ସନ୍ଧ୍ୟା ପୂର୍ବରୁ ହିଁ ସେ ଆଲମିରା ବିଲକୁଲ ଖାଲି ହୋଇଯାଏ । ଯାଉ, ପରଦିନ ସକାଳେ ପୁଣି ଦେଖିବାକୁ ପାଇବେ ତାହା ଯଥାପୂର୍ବ ପୁନରାୟ ଭର୍ତ୍ତି ହୋଇ ରହିଛି । କେଉଁଠୁ ରୋଜ ରୋଜ ଆସେ ? ଜାଣେ, ସାକାର୍ଡ ଆଉ ଜାଣେ, ଲାର୍ସୋନୋ । ଲାର୍ସୋନୋ ଏକାଧାରରେ ସାକାର୍ଡର ଦଲାଲ ଓ ସୁହୃତ୍‌ । ସାକାର୍ଡର ଯାହାକିଛି କାମ କରିବା କଥା ତାହା ଲାର୍ସୋନୋ ନାଁରେ ଚାଲିଛି । ଅବଶ୍ୟ ପନ୍ଦିବାଜୀରେ ସାକାର୍ଡ ତୁଳନାରେ ଲାର୍ସୋନୋ ବି ନାବାଳକ, ଧୂରନ୍ଧର, କାରବାରୀ ବ୍ୟକ୍ତି ହେଲେ ହେଁ ଲାର୍ସୋନୋ ସହ ସମୟରେ ସାକାର୍ଡ ନିକଟରେ ନତମସ୍ତକ ହୋଇଥାଏ । ଏହା ସାକାର୍ଡ ଜୀବନର ଗୋଟାଏ ପାଖର ଛବି । ଏଥର ଅନ୍ୟପାଖଟା ଦେଖାଯାଉ । ଏ ଯେଉଁ ବିରାଟ ପ୍ରାସାଦ ତହିଁରେ ସାକାର୍ଡ ଏବଂ ତା’ର ସ୍ତ୍ରୀ ରେନୀ ବ୍ୟତୀତ ଅନ୍ୟ କେହି ଆପଣାର ଲୋକ ବାସ କରନ୍ତି ନାହିଁ । ପ୍ରଥମପକ୍ଷର ପୁତ୍ର ପ୍ୟାରିସରେ ହିଁ ବାସ କରେ ପିତୃଭବନ ପାଖାପାଖି, ତଥାପି ସେ ବାପା ମା’ଙ୍କ ପାଖରେ ରହେନା । ମା’ ଅର୍ଥରେ ବର୍ତ୍ତମାନ ଅବଶ୍ୟ ସାବତ ମା’ ବୁଝିବାକୁ ପଡ଼ିବ । ହଁ ସେ ମନେକରେ ପ୍ରାପ୍ତବୟସ୍କ ପୁତ୍ରର ଏକ ସ୍ୱତନ୍ତ୍ର ବାସସ୍ଥାନ ନ ରହିଲେ ତା’ର ସ୍ୱାଧୀନତାର ସମ୍ୟକ ବିକାଶ ଅସମ୍ଭବ । ତେଣୁ ତା’ ପାଇଁ ସାକାର୍ଡ ଗୋଟାଏ ଫ୍ଳାଟ୍‌ ଭଡ଼ା ନେଇଛି, ସେଠି ବହୁବିଧ ଆଡ୍‍ଡା ମଧ୍ୟରେ ତା’ର ସ୍ୱାଧୀନତାର ବିକାଶ ଘଟେ ।

 

ହଁ, ମ୍ୟାକ୍‌ସିକ ବର୍ତ୍ତମାନ ପ୍ରାପ୍ତବୟସ୍କ । ଅବଶ୍ୟ ଆଇନତଃ ନୁହେଁ । ବର୍ତ୍ତମାପ ବି ତା’କୁ ଏକୋଇଶ ବର୍ଷ ହୋଇନାହିଁ ଏଇମାତ୍ର ଅଠର ଚାଲିଛି । ଆରିଷ୍ଟାଇଡ ରୌଗନ ପ୍ଳାସାଁ ପରିତ୍ୟାଗ କରି ଯେତେବେଳେ ପ୍ୟାରିସକୁ ଚାଲିଆସିଲା ସେ ସେତେବେଳେ ଦଶବର୍ଷ ବୟସର ବାଳକ ମାତ୍ର-। ଅଜାଙ୍କ ଖର୍ଚ୍ଚରେ ସ୍କୁଲରେ ତା’ର ପାଠପଢ଼ା । ମ୍ୟାକ୍‌ସିମର ମା’ କୁ କବରରେ ଶୁଆଇ ଦେଇ ଆସି ଆରିଷ୍ଟାଇଡ ରୌଗନ ଯେତେବେଳେ ଆରିଷ୍ଟାଇଡ ସାକାର୍ଡ ହୋଇପଡ଼ିଲା ଏବଂ ପ୍ରଥମାପତ୍ନୀର କବରରେ ଘାସ ଉଠିବା ପୂର୍ବରୁ ହିଁ ଘରକୁ ନେଇ ଆସିଲା ରେନୀ ନାମ୍ନୀ ନୂତନ ଘରଣୀକୁ ସେତେବେଳଯାଏ ମ୍ୟାକ୍‌ସିମକୁ ପ୍ୟାରିସ୍‌କୁ ନେଇ ଆସିବାର କୌଣସି କଳ୍ପନା ସାକାର୍ଡର ନାହିଁ । ତିନୋଟି ବର୍ଷ ଏଇଭାବରେ ହିଁ କଟିଗଲା । ଚିରଦିନ ଏହିପରି ଭାବରେ କଟିଯାଇଥିଲେ ବି ସାକାର୍ଡର କୌଣସି ଆପତ୍ତି ନ ଥିଲା । କାରଣ ଜୀବନଯାପନର ଯେଉଁ ଛକ ସେ ନିଜପାଇଁ ଅଙ୍କନ କରିନେଇଛି ତା’ ମଧ୍ୟରେ ଉପାର୍ଜନର ସହାୟକ ଭାବରେ ଯେଉଁମାନେ ମୂଲ୍ୟବାନ ସେମାନଙ୍କ ବ୍ୟତୀତ ଅନ୍ୟ କାହାରି କୌଣସି ସ୍ଥାନ ନାହିଁ । ଏମିତି ରେନୀ ସମ୍ପର୍କରେ ବି ସେ ନିୟମ ଅପରିବର୍ତ୍ତିତ । ରେନୀ, ତା’ ପାଖରେ ମୂଲ୍ୟବାନ ଏଇଥିପାଇଁ ଯେ ଡିନର ଟେବୁଲରେ ତା’କୁ ଅଧିଷ୍ଠିତ କରି ଆମନ୍ତ୍ରିତ ବଡ଼ ବଡ଼ ବ୍ୟବସାୟୀ ଓ କୋଟିପତିମାନଙ୍କୁ ଆକୃଷ୍ଟ ଓ ମୁଗ୍‌ଧ କରି ରଖିବା ଭଳି ରୂପ ଓ ଯୌବନ ତା’ର ଯଥେଷ୍ଟ ଅଛି, ତେଣୁ ରେନୀ ସହିତ ତା’ର ଅନ୍ତରଙ୍ଗ ସଂପର୍କ ନଥିଲେ ବି ସ୍ୱାର୍ଥପାଇଁ ଏବଂ ସାମାଜିକ ବାଧ୍ୟବାଧକତାବଶତଃ ତା’କୁ ଏଇ ପାର୍କ ସାନାସ୍ୟାନରେ ଗୃହକର୍ତ୍ତୀ ହିସାବରେ ପ୍ରତିଷ୍ଠିତ କରି ରଖିବା ଛଡ଼ା ସାକାର୍ଡର ଗତ୍ୟନ୍ତର ନଥିଲା । କିନ୍ତୁ ତା’ ବୋଲି ଗୋଟାଏ ପୁତ୍ର ? ତା’ ବି ଏମିତି ପୁତ୍ର ଯିଏ ମାତୃହରା ସେ କଥା ହିଁ ଉଠେନା ।

 

କିନ୍ତୁ ଯେଉଁ କଥା ଉଠିବାର କଥା ନୁହେଁ, ଦିନେ ସେହିକଥା ହିଁ ଉଠିପଡ଼ିଲା । ଉଠେଇଲା ନିଜେ ରେନୀ । ପରିସ୍ଥିତିଟା ନିଶ୍ଚିନ୍ତ ଭାବରେ ଜଟିଳ, ହେବାକୁ ଗଲେ ଅନେକ ପରିଶ୍ରମ କରିବାକୁ ହେବ । ଗଳ୍ପଟି ଯେତେବେଳେ କହିବା ପାଇଁ ବସିଛି ନ କହି ଉପାୟ ନାହିଁ ।

 

ଯେଉଁଠି ସ୍ୱାମୀ–ସ୍ତ୍ରୀ ମଧ୍ୟରେ ପ୍ରକୃତ ପ୍ରେମ ବିଦ୍ୟମାନ ସେଠି ତୃତୀୟ ବ୍ୟକ୍ତିର ଅସ୍ତିତ୍ୱ ବିଷବତ ଲାଗଇ, ଏ କଥା ଠିକ୍‌ । ଏଭଳି ପ୍ରାପ୍ତବୟସ୍କ ପୁତ୍ର ସମ୍ପର୍କରେ କି ସେହି ଏକାକଥା ପ୍ରଯୁଜ୍ୟ-! କିନ୍ତୁ ପ୍ରେମ ଯେଉଁଠି ଅନୁପସ୍ଥିତ ସେଠି ନକଲ ସଂପ୍ରୀତିର ଏକ ପରିବେଶ ସଯତ୍ନରେ ଗଢ଼ି ତୋଳିବାକୁ ହୁଏ ଦାସ ଦାସୀ, ଅତିଥି ଅଭ୍ୟାଗତମାନଙ୍କୁ ଧୋକା ଦେବାପାଇଁ । ଯା ଫଳରେ ଲୋକେ ଠଉରେଇ ପାରିବେ ନାହିଁ ଯେ, ଏହି ଦମ୍ପତି ଭିତରେ ଦାମ୍ପତ୍ୟ ଜୀବନ ଖୁବ୍‌ ଶିଥିଳ । ନକଲି ସଂପ୍ରୀତିର ଗୋଟାଏ ଠାଟ୍‌ । ତାହାରି ଉପକରଣ ହିସାବରେ ଅପରିହାର୍ଯ୍ୟ ହୋଇ ପଡ଼ିଛି ତୃତୀୟ ବ୍ୟକ୍ତିର ଉପସ୍ଥିତି । ତୃତୀୟ ଏମିତି କି ଚତୁର୍ଥ କିମ୍ୱା ପଞ୍ଚମର ବି । ସ୍ତ୍ରୀ ଯେତେବେଳେ ସ୍ୱାମୀର ସାନିଧ୍ୟ ଏଡ଼େଇ ଚଳିବା ପାଇଁ ଚାହୁଁଛି ସେତେବେଳେ ସେମାନଙ୍କ ସହ ଗଳ୍ପରାଜବତେ ମାତି ରହିପାରେ । ସ୍ୱାମୀର ମନ ଯେତେବେଳେ ସ୍ତ୍ରୀ ନରମ ଗାଲରେ ଚେପେଟାଘାତ କରିବାର ଅଦମ୍ୟ ଆକାଂଙ୍‍କ୍ଷା ଜାଗିଉଠିଛି ସେତେବେଳେ ତା’ ଆଡ଼କୁ ପଛକରି ପୁଅ ବା ପୁତୁରାକୁ ଲକ୍ଷ୍ୟ କରି ଅନାୟାସରେ କହିପାରେ ଅମିତ ବ୍ୟୟ ସର୍ବଥା ବର୍ଜନୀୟ, ତା’ ଭଳି ସର୍ବନାଶ ପଦାର୍ଥ ଆଉ ନାହିଁ ।

 

ହଁ ସେହି କାରଣରୁ ରେନୀର ତୃତୀୟ ବ୍ୟକ୍ତି ଦରକାର ହୋଇ ପଡ଼ିଥିଲା ବିବାହର ଠିକ୍‍ ପରେ । ସ୍ୱାମୀ ? ସେତେବେଳେ ସାକାର୍ଡକୁ ଦେଖିବା ମାତ୍ରେ ଘୃଣାରେ ରେନୀର ସର୍ବଶରୀର କଣ୍ଟକିତ ହୋଇ ପଡ଼ୁଥିଲା । ଏତେ କଦର୍ଯ୍ୟ ! ତା’ ଦେହରେ ଏ ସବୁ ଦାମି ପୋଷାକ ଏମିତି ଭାବରେ ଅସୁନ୍ଦର ! ଯେଉଁ ଲୋକ ଜନ୍ମଗ୍ରହଣ କରିଥିଲା ଏକ ଗ୍ରାମ୍ୟ ଜୀବନଯାପନ କରିବା ପାଇଁ ପରିହାସ–ରସିକ ଭାଗ୍ୟ ତା’କୁ ଆଣି ବସେଇଛି କୋଟିପତିର ଆସନରେ । କିଛି କ୍ଷତି ନାହିଁ । ଭାଗ୍ୟର ଭଣ୍ଡାରେ ଯେତେ କିଛି ଆଶୀର୍ବାଦ ଥିଲା ସମସ୍ତ ସେ ଅଜାଡ଼ି ଦେଇଛି ଏ ବର୍ବରଟା ଉପରେ । କିନ୍ତୁ ସୁନ୍ଦରୀ ସ୍ତ୍ରୀର ପ୍ରୀତି ଲାଭ କେବଳ ଭାଗ୍ୟର ଆଶୀର୍ବାଦରେ ହୁଏନା, ତହିଁରେ ନିଜସ୍ୱ କିଛି ଅବଦାନ ରହିବା ଆବଶ୍ୟକ–ଦୈହିକ, ମାନସିକ, ବ୍ୟବହାରିକ । କଥାବାର୍ତ୍ତା ଭଦ୍ରହେବା ଦରକାର, ଚେହେରାଟି ସରସ ସୁନ୍ଦର କୋମଳ ହେବା ପ୍ରୟୋଜନ ଶେୟାର ମାର୍କେଟ ଲୁହା ଲକ୍‌କଡ ଓ ସିମେଣ୍ଟର ଦରଦାମ୍‌ ବ୍ୟତୀତ ବି ଆଲୋଚନାର ଅନ୍ୟ ବସ୍ତୁ ପୃଥିବୀରେ ରହିଛି ଓ ଜ୍ଞାନଟା ବି ରହିବା ଦରକାର । ସାକାର୍ଡ ଯେମିତି ଜନ୍ମମୁହୂର୍ତ୍ତରୁ ହିଁ ଏସବୁ ଜିନିଷକୁ ଅଦରକାରୀ, ହାରାମ ବୋଲି ବିସର୍ଜନ ଦେଇଛି । ତେଣୁ ରେନୀ ସାକାର୍ଡକୁ ଭଲପାଇସାରିନି, ତା’ ପାଖରେ କେବେହେଲେ ନିଜକୁ ସମର୍ପଣ କରି ପାରିନାହିଁ । ସାକାର୍ଡ ବି ଯେ ତା’କୁ ଉପଭୋଗ କରିବା ପାଇଁ ବ୍ୟଗ୍ର ଥିଲା, ଏକଥା ତା’ର ପରମଶତ୍ରୁ ବି କହିପାରିବ ନାହିଁ । ଏଭଳି ତୁଚ୍ଛ ବିଷୟରେ ବ୍ୟଗ୍ର ହେବା ବା ସମୟ ଅପବ୍ୟୟ କରିବା ଭଳି ଲୋକ ସାକାର୍ଡ ନୁହେଁ । ତା’ର ସମୟର ମୂଲ୍ୟ ରହିଛି । ବିରୂପା ନାରୀ ପାଇଁ ସେ ଅବା ଅମୂଲ୍ୟ ସମୟର ଅପରିଚୟ କରିବ କାହିଁକି ? ତେବେ ଅନ୍ୟ କୌଣସି ପୁରୁଷ ତୁଳନାରେ ତା’ର ନାରୀ ସଙ୍ଗ ଲାଳସା ଯେ କମ ଏକଥା କେହି କହୁନାହିଁ । କିନ୍ତୁ ସେ ଲାଳସାର ତୃପ୍ତିପାଇଁ ଯେ ଏକାନ୍ତ ଭାବରେ ବିବାହିତା ପତ୍ନୀଟିଏ ଲୋଡ଼ା, ଏହାର କୌଣସି ଅର୍ଥ ନାହିଁ । ପଇସା ଫିଙ୍ଗିଲେ ସୁନ୍ଦରୀ ଅନାୟାସରେ କିଣାଯାଇପାରେ ଯେମିତି କିଣାଯାଇପାରେ ପୃଥିବୀର ଅନ୍ୟାୟ ସବୁ ଜିନିଷ । ଅର୍ଥର ତ କୌଣସି ଅପ୍ରାଚୁର୍ଯ୍ୟ ସାକାର୍ଡର ନାହିଁ । ଆଜିକାଲି ଗୋଟାଏ ରାତ୍ରିର ବିଳାସ ପର୍ବରେ ହଜାରେ ଦୁଇହଜାର ଫ୍ରାଁ ସେ ପ୍ରାୟ ବ୍ୟୟ କରେ । ବିଳାସ ସଙ୍ଗିନୀ ଭାବରେ ଯେଉଁମାନଙ୍କୁ ସେ ଲାଭ କରେ ରୂପ ଗୁଣରେ କେହି ରେନୀ ତୁଳନାରେ କମ୍‌ ନୁହନ୍ତି । ଯୌବନର ପ୍ରାଚୁର୍ଯ୍ୟରେ ବି ସେମାନଙ୍କ ଯୋଡ଼ି ନାହିଁ । ତେବେ ସାକାର୍ଡ କାହିଁକି ତୋଷାମୋଦ କରିବ ରେନୀକୁ ? ସେ ତା’ ରାସ୍ତାରେ ଯାଉ, ସାକାର୍ଡ ବି ନିଜର ଚଲାପଥ ଠିକ୍‌ ଚିହ୍ନେ ସେ ପଥକୁ ହୁଏତ କେହି ବିପଥ କହିପାରନ୍ତି; କିନ୍ତୁ ସେ କେବଳ ରୁଚିର ପ୍ରଶ୍ନ । ପାରିବାରିକ ପ୍ରୀତିର ଠାଟ୍‌ ବଜାୟ ରଖିବା ପାଇଁ ହିଁ ରେନୀର ବିବାହର ତିନିବର୍ଷ ପରେ ମ୍ୟାକ୍‌ସିମ ଏହି ପ୍ରାସାଦରେ ପ୍ରବେଶାଧିକାରୀ ଲାଭ କରିଥିଲା । ପ୍ରସ୍ତାବଟା ଉଠେଇଥିଲା ନିଜେ ରେନୀ । ତମର ଗୋଟାଏ ପୁଅ ଅଛି ନା ? ତା’କୁ କେଉଁ ଅରମା ଭିତରେ ପକେଇ ରଖି ଲାଭ କ’ଣ ? ତା’କୁ ନେଇ ଆସ, ତମର ଏତେ ବଡ଼ ଘର, ଏଠି କ’ଣ ଆଉ ଜଣକର ସ୍ଥାନ ହେବନି !

 

ସାକାର୍ଡ କ’ଣ ଚିନ୍ତା କଲା ? ସେ କ’ଣ ଏହି କଥା ଭାବିଲା ଯେ ନିଜର ସନ୍ତାନ–ସନ୍ତତି ନାହିଁ ବୋଲି କ’ଣ ସଉତୁଣୀର କଣ୍ଟାଟାକୁ ଆଣ୍ଠୁକୁଡ଼ିଟା କୋଳରେ ତୋଳିନେବା ପାଇଁ ଚାହେଁ ? ଯେ ଯଦି ସେୟା ଭାବିଥାଏ, ତେବେ ତାହା ତାରି ବିରାଟ ଭୁଲ । ସନ୍ତାନ ? ସୁସଭ୍ୟା ସର୍ବଥାପରିଚ୍ଛନ୍ନା ବିଳାସିନୀ ମହିଳାଗଣ ସନ୍ତାନ ନେଇ କ’ଣ କରିବେ ? ସେ ତ ଗୋଟାଏ ଚିରନ୍ତନ ଆପଦ । ଗୋଟାଏ ପିଲାକୁ ମଣିଷ କରିବା ଅପେକ୍ଷା ପଲେ ମେଷ ଚରେଇବା ସହଜ । ଓୟାର୍ମସ ଦୋକାନର ପୋଷାକରେ ଓୟାଲ୍‌କ ନାଚରେ ଯେଉଁମାନଙ୍କର ରାତି ସରେ ସେମାନଙ୍କ ଅନ୍ତରରେ ସନ୍ତାନ କାମନା ପ୍ରବେଶ କରିବ କେଉଁ ଛିଦ୍ର ଦେଇ ? ୟେ ତ ଗଲା ନଗରବାସିନୀ ସର୍ବସାଧାରଣ ମହିଳା ସମାଜର କଥା । ଏ ଦିଗରୁ ରେନୀର ଦୃଷ୍ଟିକୋଣ ଆହୁରି ହିଂସ୍ର । ଏକଦା ଗର୍ଭରେ ଗୋଟାଏ ସନ୍ତାନର ଆର୍ବିଭାବ ଘଟିଥିଲା ତା’ର ଏକାନ୍ତ ଅନିଚ୍ଛାରେ ତା’ର ତରଫରୁ ସହଯୋଗିତା ବ୍ୟତିରେକେ, ବିବାହ ପୂର୍ବରୁ ସେହି ଅବିସ୍ମରଣୀୟ ବୀଭତ୍ସକାଣ୍ଡର ଫଳସ୍ୱରୂପ; ଯା ଫଳରେ ହଜାର ହଜାର ବର୍ଷର ଅବିଚ୍ଛିନ୍ନ ଧାରାରେ ପ୍ରବାହିତ ନୀଳରକ୍ତର ଅଧିକାରିଣୀ ରେନୀ ବେରୁଡକୁ ସାକାର୍ଡ ନାମକ ଏହି ଜାନ୍ୟେୟାରର ଗଳା ଝୁଲି ପଡ଼ିବାକୁ ହୋଇଥିଲା ଭାଗ୍ୟ ଭଲ ଯେ ଗର୍ଭଧାରିଣୀକୁ ଅଳ୍ପକରେ ମୁକ୍ତି ଦେଇ ଛ’ମାସ ମଧ୍ୟରେ ହିଁ ଶିଶୁଟି ମୃତ ଅବସ୍ଥାରେ ଭୂମିଷ୍ଠ ହୋଇଥିଲା ।

 

ତେବେ କଥାହେଲା ଶାରୀରିକ ମୁକ୍ତିଲାଭ କରିଥିଲେ ହେଁ ସେହି ଅଳ୍ପଦିନ ଅଶୁଚି କ୍ରୋଧରୁ ଏଯାଏ ରେନୀ ମୁକ୍ତ ହୋଇ ନ ଥିଲା । ସନ୍ତାନ ଧାରଣ ଯେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ତା’ର ଅଟଳ ସଂକଳ୍ପ । ତା’ ବୋଲି ସେ ଯେ ଶୁଚିଶୁଦ୍ଧା ବ୍ରହ୍ମଚାରିଣୀ ଭଳି ଯୌବନର ଉଦ୍ଧାମ ତାଡ଼ନାକୁ ବର୍ଷ ପରେ ବର୍ଷ ଅଗ୍ରାହ୍ୟ କରିଯାଉଛି ଏ ଧାରଣା ବି କେହି ଯେମିତି ନ କରନ୍ତି-। ସାକାର୍ଡକୁ ସୁଯୋଗ ଦେଇ ନାହିଁ; କିନ୍ତୁ ମସିୟାର ମସି ନାମକ ଏକ ତରୁଣ ସୌଖୀନ କ୍ୟାବିନେଟ ସେକ୍ରେଟେରୀକୁ ଦେହଦାନ କରିଛି । ତରୁଣଟି ସାକାର୍ଡର ଖୁବ୍‌ ଅନୁଗତ । ସବୁ ସମୟରେ ଏ ପରିବାରର ଡିନର ଟେବୁଲରେ ତା’କୁ ଦେଖିବାକୁ ମିଳିଥାଏ–

 

କିନ୍ତୁ ସେ କଥା ବର୍ତ୍ତମାନ ଥାଉ । ସାକାର୍ଡ ରେନୀର ଅନୁରୋଧ ଉପେକ୍ଷା କରିନାହିଁ ମ୍ୟାକ୍‌ସିମକୁ ପ୍ଳାସାରୁ ନେଇ ଆସିଛି । ରେନୀ ବି ତା’କୁ ଦେଖି ଆନନ୍ଦରେ ଉତ୍‌ଫୁଲ୍ଲ ! ଆରେ ! ଏ ତ ଖୁବ୍‌ ସୁନ୍ଦର ପିଲା । କିନ୍ତୁ ତୁମର ବାଳ ଏତେ ଛୋଟ କରି କଟାଯାଇଛି କାହିଁକି ? ଆଉ ତମ ଦେହରେ କଚୋୟାନ ପରି ଏ ଚିପା ପୋଷାକ କାହିଁକି ?

 

ସ୍କୁଲର ନିୟମ ଏହିଭଳି–ସପ୍ରତିଭ ଭାବରେ ମ୍ୟାକ୍‌ସିମ ଉତ୍ତର ଦେଇଥିଲା–ଷୋହଳ ବର୍ଷ ବୟସ ନ ହେଲେ ଲମ୍ୱା ବାଳ ରଖାଯାଏନା । ପୋଷାକ ଅବଶ୍ୟ ଏମିତି ନହେଲେ ବି ଚଳିବ-। ତେବେ ଏହା ମୋ ଅଜାଙ୍କ ସମ୍ପଦ । ତମର ବୟସ ଷୋହଳ ହୋଇନି ନୁହେଁ ? କେତେ ହେଲା, ବାର ? ନା, ତେର । ଆଉ ତମର ?

 

ରେନୀ ହସି ହସି ବେଦମ ବୋକା ପିଲା । ସହରୀ ପିଲା ହୋଇଥିଲେ ତୁମେ ଏହି ବୟସରେ ହିଁ ଏହା ଅନ୍ତତଃ ଶିଖିଥାଆନ୍ତ ଯେ କୌଣସି ମହିଳାକୁ ତା’ର ବୟସ କଥା ପଚାରିବା କଥା ନୁହେଁ । ଅବଶ୍ୟ ମୋତେ ପଚାରିବାରେ କୌଣସି କ୍ଷତି ହୋଇନି । ମିଛ ନ କହି ମଧ୍ୟ ମୁଁ ଏ ପ୍ରଶ୍ନର ଉତ୍ତର ଦେଇପାରେ ତହିଁରେ ମୁଁ ଲଜ୍ଜିତ ନୁହେଁ । ଏଇ ପ୍ରାୟ ଏକୋଇଶଟି ବସନ୍ତ ବିଗତପ୍ରାୟ ।

 

ଏହି କଥାବାର୍ତ୍ତାଟା ହୋଇଥିଲା ପାଞ୍ଚବର୍ଷ ପୂର୍ବେ । ବର୍ତ୍ତମାନ ରେନୀର ବୟସ ଛବିଶ, ମ୍ୟାକ୍‌ସିମର ଅଠର । ପ୍ରଥମ ପରିଚୟରେ ସେମାନଙ୍କ ମଧ୍ୟରେ ଯେଉଁ ବନ୍ଧୁତ୍ୱ ଗଢ଼ି ଉଠିଥିଲା ତାହା ଏହି ପାଞ୍ଚବର୍ଷ ଭିତରେ ବେଶ ନିବିଡ଼ ହୋଇଛି । ପ୍ରଥମେ ପ୍ରଥମେ ମ୍ୟାକ୍‌ସିମ ପାର୍କମ୍ୟାନ୍‌ସନ୍‌ରେ ରହୁଥିଲା ସେତେବେଳେ ସାରଦିନ ଆଉ ପ୍ରାୟ ଅଧରାତିଯାଏ ସେମାନଙ୍କର ଏକାଠି କଟୁଥିଲା । ରେନୀ ନିଜକୁ ଏକାବେଳକେ ମାକ୍‌ସିମର ଅଭିଭାବକ, ଶିକ୍ଷୟିତ୍ରୀ ସଙ୍ଗୀନ ଭାବରେ ନିଜକୁ ଅଧିଷ୍ଠିତ କରିଥିଲା । ଏକାସାଥିରେ ବସାଉଠା, ଖିଆପିଆ, ରେନୀର ଗାଡ଼ି ନେଇ ଏକାସଙ୍ଗରେ ସହର ପରିକ୍ରମା । ଅବିଚ୍ଛେଦ୍ୟ ମାଡାମ ସିଡୋନୀ, ଓଠ ବଙ୍କେଇ ମନ୍ତବ୍ୟ କରୁଥିଲେ-। ପିଲା ଦୁଇଟିର ଯୋଡ଼ି ବେଶ ଚମତ୍କାର, ବେଶ୍‌ ତୃପ୍ତି କଣ୍ଠରେ ସ୍ନେହଶୀଳ ଅଭିଭାବକ ଭଳି କହୁଥିଲା ସାକାର୍ଡ ।

 

ହଁ ପ୍ରଥମେ ପ୍ରଥମେ ମ୍ୟାକ୍‌ସିମ ଏହି ଘରେ ହିଁ ରହୁଥିଲା ବର୍ତ୍ତମାନ ଆଉ ରହୁନାହିଁ । ସତ କହିବାକୁ ଗଲେ ଚବିଶ ଘଣ୍ଟା ରେନୀର ଅନୁଗାମୀ ହୋଇ ରହିବା ତା’ ପକ୍ଷରେ ଥିଲା ଏକାନ୍ତ ଭାବରେ ବିରକ୍ତିକର । ଏପଟେ ବୟସ ବି ବଢ଼ିଛି ହୋଟେଲରେ ଖାନାପିନା, ସାର୍ଲୋନେ ନୃତ୍ୟୋତ୍ସବରେ ଯୋଗଦେଇ ବାହୁଲଗ୍ନା ସୁନ୍ଦରୀର କାନେକାନେ ରସାଳାପ ନ କଲେ ଆଉ କରିବ କେବେ ? ରେନୀ ଜରିଆରେ ବାପ ପାଖକୁ ଖବର ପଠାଇଲା ଯେ, ସେ ଅଲଗା ରହିବାକୁ ଚାହେଁ-। ସାକାର୍ଡ ଆପତ୍ତି କଲା ନାହିଁ । ସେହି ଦିନଠାରୁ ମ୍ୟାକ୍‌ସିମ ନିକଟବର୍ତ୍ତୀ ଅନ୍ୟ ଏକ ଫ୍ଲାଟ୍‌ର ବାସିନ୍ଦା ସେଠାରେ ବି ରେନୀର ପଦାର୍ପଣରେ କୌଣସି ବାଧା ନାହିଁ ।

 

ପୂର୍ବେ ମ୍ୟାକ୍‌ସିମ ପାଇଁ ସାକାର୍ଡ ଯେତିକି ବ୍ୟୟ କରୁଥିଲା ବର୍ତ୍ତମାନ ତାହା ଚାରିଗୁଣକୁ ବଢ଼ିଗଲା । ଘର ଭଡ଼ା ରହିଛି, ରହିଛି ନିତ୍ୟନୂତନ ପୋଷାକର ଖର୍ଚ୍ଚ ତା’ ଉପରେ ହୋଟେଲର ମୋଟାମୋଟା ବିଲ ପ୍ରାୟ ପ୍ରତ୍ୟହ ଦେବାକୁ ପଡ଼ୁଛି । ସିଡୋନୀ ଦିନେ ଭାଇକୁ କହିଲା । ପିଲାଟି ଭାସିଗଲା ଯେ ! ତା’କୁ ଏତେ ଖର୍ଚ୍ଚ କରିବା ପାଇଁ ଦେଉଛ କାହିଁକି ? ଖର୍ଚ୍ଚ କରେଇବାରୁ ଗୋଟିଏ ବାହାନା ସାକାର୍ଡ ନିଜେ ହିଁ ଖୋଜୁଥିଲା, ଭଉଣୀର ପରାମର୍ଶଟା ସେ ମାସିକ ହଜାରେ ଫ୍ରାଁ ମ୍ୟାକ୍‌ସିମ ପାଇଁ ନିର୍ଦ୍ଦିଷ୍ଟ କରିଦେଲା । ବେଶ୍‌ ଏହାଠୁ ଆଉ ଯେମିତି ବେଶୀ ଖର୍ଚ୍ଚ ନ ହୁଏ । ଯେତେ ବଡ଼ଲୋକର ପୁଅ ହେଉନା କାହିଁକି ତମର ବୟସୀ ଅନ୍ୟ କୌଣସି ପିଲା ଏହି ପ୍ୟାରିସ୍‌ ସହରରେ ଏତେ ଅର୍ଥ ପାଉନାହାନ୍ତି ଏ କଥା ମୁଁ ଜୋର୍‌ କରି କହିପାରେ ।

 

ମ୍ୟାକ୍‌ସିମ ବାପର କଥାରେ କୌଣସି ପ୍ରତିବାଦ କଲା ନାହିଁ, କିନ୍ତୁ ଖର୍ଚ୍ଚକୁ ବଜେଟ ମଧ୍ୟରେ ସୀମାବଦ୍ଧ କୌଣସି ଆଗ୍ରହ ମଧ୍ୟ ତା’ର ଦେଖାଗଲା ନାହିଁ । ପିତା ଅଳ୍ପ କଠିଣ ହୋଇଛନ୍ତି ତହିଁରେ କ’ଣ ଯାଏ ଆସେ । ସାବତ ମା’ତ ଅଛି । ସାକାର୍ଡର କଡ଼ା ନଜର ଫଳରେ ରେନୀ ଉପରେ ଆହୁରି ନିର୍ଭରଶୀଳ ହୋଇପଡ଼ିଲା ମ୍ୟାକ୍‌ସିମ । ପିତୃଗୃହରୁ ରେନୀ ସଙ୍ଗରେ ଆଣିଲା ନଗଦ ଏକଲକ୍ଷ ଫ୍ରାଁ । ଏହା ସାକାର୍ଡ ନିକଟରେ ଗୋପନ ରହିଥିଲା । ଏହି ଆଠବର୍ଷର ବିବାହିତ ଜୀବନରେ ସେହି ଅଗାଧ ଅର୍ଥ ସେ ଇତିମଧ୍ୟରେ ହିଁ ଶେଷ କରି ଦେଇଛି; ଅଥଚ ନିଜର ବିଳାସିତାର ବ୍ୟୟ ବ୍ୟତୀତ ତା’ର ଆଉ କୌଣସି ଖର୍ଚ୍ଚ ନାହିଁ ।

 

ସ୍ୱାମୀ ପାଖରେ ରୁହେ, ସ୍ୱାମୀର ଟେବୁଲରେ ଭୋଜନ କରେ, ନିଜସ୍ୱ ପରିଚାରିକା ସହିତ କୋଚମ୍ୟାନମାନଙ୍କର ଦରମା ବି ସ୍ୱାମୀକୁ ଦେବାକୁ ପଡ଼େ । ତା’ର ଗାଡ଼ିର ଘୋଡ଼ାମାନଙ୍କ ପାଇଁ ଦାନା ବି ସ୍ୱାମୀଙ୍କ ଅସ୍ତାବଳରୁ ଆସେ । ତେବେ ଏତେ ଅର୍ଥ ସେ ଉଡ଼େଇ ଦେଲା କେମିତି ?

 

ପଦେ କଥାରେ ତା’ର ଉତ୍ତର ଦିଆଯାଇପାରେ । ପୋଷାକରେ । ଦର୍ଜିସମ୍ରାଟ ୟୋମର୍ସର ପକେଟକୁ ଯାଇଛି ଏ ଅଜସ୍ର ଅର୍ଥ । ଆଜି ଆଉ ରେନୀର ନିଜସ୍ୱ ଅର୍ଥ ବୋଲି କିଛି ନାହିଁ । ବଜାରରେ କରଜ ହୋଇଯାଉଛି । ଦୁଇ ଚାରୋଟି ବିଲ ଦାସୀ ହାତରେ ସ୍ୱାମୀ ପାଖକୁ ପଠେଇଥିଲା । ସାକାର୍ଡ ତତ୍‌କ୍ଷଣାତ୍‌ ପରିଶୋଧ କରିଦେଇଛି । କିନ୍ତୁ ଚିରଦିନ କରିବ କ’ଣ ? ଶ୍ୟାରୋନରେ ତା’ର ଦୁଇ ମିଲିୟନର ସମ୍ପତ୍ତି ରହିଛି । ବନ୍ଧକ କରାଯାଇପାରେ । ନହେଲେ ଓୟାର୍ମସର ପରବର୍ତ୍ତୀ ବିଲ ଯଦି ସାକାର୍ଡ ପରିଶୋଧ ନ କରେ, କରିବା ପାଇଁ ସେ ବାଧ୍ୟ ନୁହେଁ । ହୁଁ ଓୟାର୍ମସର ପରବର୍ତ୍ତୀ ବିଲ୍‌ଟା କେମିତି ପରିଶୋଧ କରାଯିବ ? ସେହ ଚିନ୍ତାରେ ଯେତେବେଳେ ରେନୀ ଅସ୍ଥିର ସେତେବେଳେ ମ୍ୟାକ୍‌ସିମ ଆସି ଏ ଦୁଃସମ୍ୱାଦ ଦେଲା । ଜୁଆଖେଳରେ ସେ ସର୍ବସ୍ୱ ହରେଇଛି । ଦୁଇ ଶହ ଲୁଇ ଋଣ ବର୍ତ୍ତମାନ ପରିଶୋଧ କରିବା ଦରକାର । ବର୍ତ୍ତମାନ ବିବ୍ରତ ହୋଇପଡ଼ିଲା ରେନୀ ।

 

ମାନେ ପରଦିନ ନଦେଲେ ନଚଳେ....

 

ଓଃ ପରଦିନ ଆଚ୍ଛା ହୋଇଯିବ, ରେନୀ ଆଶ୍ୱାସ ଦେଲା ।

 

ହୋଇଯିବ, ହୁଏତ ହୋଇଯାଇପାରେ । କିନ୍ତୁ କେମିତି ଭାବରେ ଯେ ହୋଇଯିବ, ତାହା ବର୍ତ୍ତମାନ ବି ରେନୀ ଜାଣେନା । ଶ୍ୟାରୋନେର ଜମିତକ ବନ୍ଧକ ଦେବା ବ୍ୟତୀତ କୌଣସି ଉପାୟ ନାହିଁ । କିନ୍ତୁ ସେ ତ ଜଟିଳ ବ୍ୟାପାର । ଦିନକ ଭିତରେ ବନ୍ଧକ ଦେବା ବି ସମ୍ଭବ ନୁହେଁ । ଅବଶ୍ୟ ସାକାର୍ଡକୁ କହିଲେ ନିମିଷକରେ ବନ୍ଦୋବସ୍ତ ହୋଇଯାଇପାରେ । ତା’ ପକ୍ଷରେ ଲାର୍ସୋନୋ ରହିଛି । ବନ୍ଦକୀ ସୂତ୍ରେ ପଚାଶ ହଜାର ଫ୍ରାଁ ଦେବା ତା’ ପକ୍ଷରେ ଜଳବତ୍‌ ତରଳ ବ୍ୟାପାର । କିନ୍ତୁ ବନ୍ଧକ ଦେବା କଥା । ସେ ସାକାର୍ଡକୁ କହିବାକୁ ଚାହେଁନା । ସେ ହୁଏତ ନାନା ବାହାନା କରିବ । ତା’ ଛଡ଼ା ରେନୀ ନାମରେ ଥିବା ଏ ଜମିତକ ନିଜ ଆୟତ୍ତକୁ ଆଣିବା ପାଇଁ ମନେ ମନେ ସାକାର୍ଡର ଯେ ଗୋଟାଏ ଗୂଢ଼ ଅଭିପ୍ରାୟ ରହିଛି ସାକାର୍ଡ ମୁହଁ ଖୋଲି କେବେହେଲେ ଏକଥା ନ କହିଲେ ବି ରେନୀ ପାଖରେ ସେକଥା ଅଛପା ନୁହେଁ । ନା, ଏ ସମ୍ପର୍କରେ ଆଉ କାହାର ପରାମର୍ଶ ବା ସାହାଯ୍ୟ ସେ ବରଂ ନେବ, ମାତ୍ର ସାକାର୍ଡର ନୁହେଁ । ରେନୀ ଯେତେବେଳେ ଚିନ୍ତାମଗ୍ନ ଠିକ୍‌ ସେତିକିବେଳେ ସିଡୋନୀ ଆସି ହାଜର । କି ଗୋ ସୁନ୍ଦରୀ କେମିତି ଅଛ କୁହ ?

 

ଭଲ ନାହିଁ ଦିଦି, ଖୁବ୍‌ ଅର୍ଥାଭାବ । ପଚାଶ ହଜାର ଫ୍ରାଁ କରଜ ଦେଇପାର ? ଶୁଣିଛି ତମର ତ ଅନେକ ପଇସା । ଯେତେଦୂର ସମ୍ଭବ ପରିହାସରେ ତରଳ କରି ରେନୀ କଥାଟା ପକେଇଲା, କିନ୍ତୁ ସିଡୋନୀ ବେଶ୍‌ ବିଜୟିନୀ ଭଳି ବେଶ୍‌ ଭାରି କଣ୍ଠରେ ଉତ୍ତର ଦେଲା–ପଚାଶ ହଜାର ପାରିବି ନାହିଁ କାହିଁକି ? ଥରେ ତୀକ୍ଷ୍‌ଣ ଦୃଷ୍ଟିରେ ରେନୀକୁ ଚାହିଁ ସେ ତତ୍‌କ୍ଷଣାତ୍‌ ପୁନରାୟ ତା’ର ସ୍ୱରଟା ଅତ୍ୟନ୍ତ ଅମାୟିକ କରି ପକେଇଲା–ବୋଧହୁଏ ବ୍ୟବସ୍ଥା କରି ପାରିବି । କାଲି ସନ୍ଧ୍ୟାରେ ଥରେ ଯଦି ମୋ ଦୋକାନରେ ପଦଧୂଳି ଦେବ ତେବେ ବ୍ୟବସ୍ଥା ହୋଇଯିବ । ବ୍ୟବସ୍ଥା–ଏସବୁ ବ୍ୟବସ୍ଥା କରିବା ପାଇଁ ସିଡୋନୀ ହେଉଛି ଅସଲ ବ୍ୟକ୍ତି । ଅବଶ୍ୟ ରେନୀ ସେକଥା ଜାଣିବାର କଥା ନୁହେଁ, କିନ୍ତୁ ତା’ର ସ୍ୱାମୀ ସାକାର୍ଡକୁ ମଧ୍ୟ ଏକଦା ଖାଲିହାତରେ ପଚାଶ ହଜାର ଫ୍ରାଁ ଯୋଗାଡ଼ କରି ଦେଇଥିଲା ଏହି କଳାଗାଉନ ପରିହିତା ଅକାଳପୋଡ଼ା ସିଡୋନୀ । ସେହି ପଚାଶ ହଜାରକୁ ଭିତ୍ତିକରି ହିଁ ଆଜି ସାକାର୍ଡର ଏ ଅବସ୍ଥା ।

 

ହଁ ତା’ ପାଇଁ ଆଜି ପଚାଶହଜାର ଫ୍ରାଁର ବନ୍ଦୋବସ୍ତ କରି ରଖିଛି ସିଡୋନୀ । ରେନୀ ଆସିବା ମାତ୍ରକେ ସେ ତା’କୁ ନେଇ ଏକ ମନୋରମ କକ୍ଷରେ ବସେଇଲା । ଏହା ପୂର୍ବରୁ ବି ରେନୀ ଥରେ ନଣନ୍ଦ ଘରକୁ ଆସିଛି, ସେତେବେଳେ ସେ ବସିଛି ଏକ ସାଦାସିଧା ବୈଠକଖାନାରେ । ଅନ୍ୟ ଆସବାବ ତେଣିକି ଥାଉ, ଖଣ୍ଡେ ସୋଫା ପର୍ଯ୍ୟନ୍ତ ସେଠାରେ ନାହିଁ । ହାତଭଙ୍ଗା ଚୌକିରେ ବସି ସିଡୋନୀ ସହିତ ଦୁଇ ଚାରିପଦ କଥାବାର୍ତ୍ତା କରି ସେଥିରୁ ସେ ଫେରି ଆସିଛି । ଆଜି ସେ ଅବାକ୍‌ ହୋଇ ଦେଖିଲା ଏ ଘରେ ନିଭୃତ ବିଳାସ କକ୍ଷ ବି ରହିଛି । ଆଉ ସେ କକ୍ଷରେ ଭେଲଭେଟ ପର୍ଦ୍ଦାର ଆଢ଼ୁଆଳରେ ସାର୍ଟିନ ଆବୃତ ଡିଭାନ ବି ରହିଛି ଦେବାଲ ଦେହରେ । ଆଉ ଆଶ୍ଚର୍ଯ୍ୟ କଥା ସେ ଡିଭାନ କେତେବେଳେ ଶଯ୍ୟା ଭାବରେ ବି ବ୍ୟବହାର କରାଯାଇପାରେ । ତା’ର ପ୍ରମାଣ ସ୍ୱରୂପ ମୁଣ୍ଡ ପାଖରେ ସଜା ହୋଇରହିଥିବା ତକିଆ ।

 

ରେନୀ ଆସି ବସିଛି । ଅବାକ୍‌ ଆଖିରେ ଏପଟ ସେପଟ ଚାହୁଁଛି । ତା’ଭଳି ଧନୀ ରମଣୀର ବିସ୍ମୟ ଉଦ୍ରେକ କରିବା ଭଳି ବାହାର ଅବଶ୍ୟ ଏ ଘରର ଆସବାବପତ୍ରରେ ନାହିଁ, ସେ ଏହା ଭାବି ଆଶ୍ଚର୍ଯ୍ୟ ହେଉଛି ଯେ ଘର ଭିତରେ ଯେଉଁ ସ୍ୱଚ୍ଛଳ ଅବସ୍ଥାର ପରିଚୟ ମିଳୁଛି ସିଡୋନୀର ଅଙ୍ଗସଜାରେ ତାହା କେବେହେଲେ ପ୍ରତିଫଳିତ ହୋଇନି କାହିଁକି ? ସେ ଯାହାହେଉ, ସିଡୋନୀ ଆସି ପାଖରେ ବସିଛି, ଖୁବ୍‌ ଅନ୍ତରଙ୍ଗ ଭାବରେ ହିଁ ରେନୀ ପାଖରେ ଲାଗି ବସିଛି । କଥାରେ ମଧୁତାଳି ପିସ୍‌ ପିସ୍‌ କରି କହୁଛି–ଜାଣ ଭଉଣୀ, ଆଜି ଏହି ମୁହୂର୍ତ୍ତରେ ତୁମେ ଏକାକୀ କେବଳ ମୋର ଅତିଥି ନୁହଁ । ହଠାତ୍‌ କୌଣସି ଖବର ନ ଦେଇ ଜଣେ ବନ୍ଧୁ ବି ଆସିଛନ୍ତି ସାକ୍ଷାତ କରିବାକୁ । ଯଦି ଚାହଁ, ତାଙ୍କ ସହିତ ତୁମର ପରିଚୟ କରେଇଦେବି । ଅବଶ୍ୟ ତା’ ପୂର୍ବରୁ ମାନେ ତୁମ ମନରେ ଯଦି ସେହି ପଚାଶ ହଜାର ପାଇଁ କୌଣସି ଦୁଃଶ୍ଚିନ୍ତା ଥାଏ, ତେବେ ସୁଖବର ଦେଇ ତୁମକୁ ମୁଁ ଆଗରୁ ନିଶ୍ଚିନ୍ତ କରିଦେବାକୁ ଚାହେଁ । ଆଗରୁ ଯୋଗାଡ଼ ହୋଇଛି, ତମେ ବର୍ତ୍ତମାନ ପାଇଯିବ ? ଏଇ ଧରଣର କଥା ଆପାତତଃ ବିଚାରକଲେ ଦୋଷ ଧରିବାର କିଛି ନାହିଁ । କିନ୍ତୁ ସାବଧାନୀ ମଣିଷର କାନରେ ବିଶେଷ ରକମର ଇଙ୍ଗିତର ହିଁ ଏହା ସୂଚନା ଦିଏ । ଏଇ ହଠାତ୍‌ ଅତିଥିଙ୍କ ସହ ଏହି ପଚାଶ ହଜାର ଫ୍ରାଁର କୌଣସି ସମ୍ପର୍କ ନାହିଁ ତ ? ଥିଲେ ବି ତହିଁରେ ଆପତ୍ତିର କିଛି ନ ଥାନ୍ତା ଯଦି ବନ୍ଧୁ ବୋଲି ପ୍ରଚାର ନକରି ତା’କୁ ଋଣଦାତା ମହାଜନ ରୂପେ ହାଜର କରିଥାନ୍ତା ସିଡୋନୀ ! କରଜ ନେବାକୁ ହିଁ ଆସିଛି ରେନୀ, ମହାଜନ ସହିତ ଦେଖା ନ କରିବ କାହିଁକି ? ପରିଚୟ କରେଇଦେବା ପାଇଁ ଏଇ ଯେ ଅନୁମତି ଏଇଟା ହିଁ ସନ୍ଦେହଜନକ ।

 

ରେନୀ କିନ୍ତୁ ମନର ସନ୍ଦେହ ମୁହଁରେ ପ୍ରକାଶ କଲାନାହିଁ । କେବଳ ପଚାରିଲା ପରିଚୟ କରେଇ ଦେବାପାଇଁ ଚାହୁଁଛି ? ପ୍ୟାରିସରେ କ’ଣ ନବାଗତ ? ଏ ସହର କେଉଁ ଲୋକକୁ ବା ମୁଁ ଚାହେଁନା ? ସେଡ଼ୋନୀ ଥର ଛେପ ଢୋକିଲା, ତା’ପରେ ଅଳ୍ପ ମୁରୁକି ହସିଲା–ନା, ନା, ନବାଗତ ନୁହେଁ; ଆଉ ତମର ଅପରିଚିତ ବି ନୁହେଁ । ଲୋକଟି ମସିୟାର ସାଫ୍ରେଁ ।

 

ସାଫ୍ରେଁ ରେନୀ ସୋଫାରେ ବସିଥିଲା, ଏଥର ସିଧା ହୋଇ ବସିଲା । ଗୋଟାଏ ଦୀର୍ଘନିଶ୍ୱାସ ସମସ୍ତ ବାୟୁମଣ୍ଡଳକୁ କେମିତି ଭରି କରି ପକେଇଲା ସାଫ୍ରେଁ । ଘଟଣାଟି ବେଶ୍‌ ପରିଷ୍କାର ହୋଇ ଆସୁଛି । ସାଫ୍ରେଁ ବଡ଼ କର୍ମଚାରୀ । ଇଉଜିନ ରୌଗନ ବର୍ତ୍ତମାନ ମନ୍ତ୍ରୀ ସାଫ୍ରେଁ ତାଙ୍କର ହିଁ ସେକ୍ରେଟାରୀ । ବହୁଥର ସାକାର୍ଡର ଡିନାର ଟେବୁଲକୁ ସେ ନିମନ୍ତ୍ରିତ ହୋଇ ଆସିଛି ଏବଂ ସେହି ସୁଯୋଗର ଏମିତି ଭାବଭଙ୍ଗୀ ପ୍ରଦର୍ଶନ କରିଛି ଯା ଫଳରେ ରେନୀର ମନରେ ଆଉ କୌଣସି ସନ୍ଦେହ ଯେପରି ନ ରୁହେ ଯେ ସେ ରେନୀର ପ୍ରଣୟପ୍ରାର୍ଥୀ । ରେନୀ ତା’କୁ ପ୍ରଶୟ ଦେଇ ନାହିଁ । କାହିଁକି ପ୍ରଶୟ ଦେଇନି ତାହା ସାଫ୍ରେଁ ନିକଟରେ ଏକାନ୍ତ ଦୁଃର୍ବୋଧ କାରଣ ରୂପ, ଯୌବନ ରମଣୀ ମନୋରଂଜନର ସକଳ କଳାରେ ସାଫ୍ରେଁ ଅଭିଜ୍ଞ ତେବେ କାହିଁକି ?

 

ସାଫ୍ରେଁ ସହିତ ମୋର ଏଇଠି ପରିଚୟ ହେବ କାହିଁକି ? ବହୁଦିନରୁ ପରିଚୟ ହୋଇଛି ମୋର ନିଜ ଘରେ । କହୁ କହୁ ରେନୀ ଠିଆହୋଇପଡ଼ିଲା । ବୋଧହୁଏ ଏ ଡିଭାନରେ ତକିଆ ସଜେଇ ରଖିଛ ସାଫ୍ରେଁ ନିକଟରେ ମୋତେ ଶୁଆଇବା ପାଇଁ ? ତେବେ ସେଭଳି ରୁଚି ଥିଲେ ତୁମକ ଦୂତୀର ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ନ୍ତା ନାହିଁ । ନିଜ ଘରକୁ ସାଫ୍ରେଁ ବା ଅନ୍ୟ କୌଣସି ଯେକୌଣସି ଲୋକକୁ ଡାକିପାରନ୍ତି ।

 

ପଚାଶ ହଜାର ପ୍ରାଁ କେହି ଏମିତି ଦିଏନା–ତିକ୍ତ ସ୍ୱରରେ ସିଡୋନୀ । ତୁମର ସ୍ୱାମୀ ବି ଏକଦା ଜଣେ ଧର୍ଷିତା ନାରୀକୁ ବିବାହ କରି ସମ ପରିମାଣରୁ ଅର୍ଥ ଉପାର୍ଜନ କରିଥିଲା । ତୁମେ ବର୍ବର–ଏତକ କହି ରେନୀ ଦରଜା ଆଡ଼କୁ ଆଗେଇ ଗଲା ।

 

ଦେହକୁ ବିଚାର କଲେ ରାନୀ ଯେ ନିଷ୍ପାପ ଏମିତି ଦାବି ସେ କେବେହେଲେ କରିବ ନାହିଁ । ମାସି ନାମକ ଯେଉଁ ତରୁଣୀଟିକୁ ପ୍ରାୟତଃ ସାକାର୍ଡ ପରିବାରରେ ପ୍ରତି ସପ୍ତାହରେ, ଦେଖାଯାଏ, ତା’ ସହିତ ରେନୀ ଗୋପନ ସମ୍ପର୍କ କଥା ପ୍ୟାରିସ୍‌ର ସଭ୍ୟସମାଜରେ ପ୍ରାୟ ସମସ୍ତେ ଜାଣନ୍ତି । ସମସ୍ତେ, ଅର୍ଥାତ୍‌ ସାକାର୍ଡ ବ୍ୟତୀତ ସମସ୍ତେ । ଆଉ ସେକଥା ସାକାର୍ଡ ବି ଯଦି ଜଣାଯାଏ, ତା’ର ଲକ୍ଷଣ ସେ କେବେହେଲେ ପ୍ରକାଶ କରି ନାହିଁ ଘୃଣାକ୍ଷରେ । ଆକାରଣ ଗତିରେ ବି ନୁହେଁ, ଏମିତି ରେନୀ ସହିତ ନିର୍ଜନ ଘରେ ନିଭୃତ ଆଳାପ ସମୟରେ ବି ନୁହେଁ ।

 

ନିଭୃତ ଆଳାପ ? ସାକାର୍ଡ ଦମ୍ପତ୍ତି ମଧ୍ୟରେ ? ସମୟ ସମୟରେ ଯେ ନ ହୁଏ ନୁହେଁ । ତେବେ ଯେ ଆଳାପ ଦାମ୍ପତ୍ୟ ସମ୍ପର୍କ ସହ ସମ୍ପର୍କହୀନ ଏକାନ୍ତ ଭାବରେ ଜଣାଯାଉଣା ପୋଷାକପତ୍ରର ବିଲ୍‌ ବାବଦରେ କଥାବାର୍ତ୍ତା ତେବେ ଇଚ୍ଛା କଲେ ସେହି ଆଲୋଚନା ଫ୍ରାଁକରେ ଗୋଟାଏ ଦୁଇଟି ବକ୍ରୋକ୍ତି ସାକାର୍ଡ ଅବଶ୍ୟ କରିପାରନ୍ତା, କିନ୍ତୁ କେବେହେଲେ ତାହା ସେ କରି ନାହିଁ । ଏହି କାରଣରୁ ରେନୀ ହୁଏତ ଭାବୁଥାଇପାରେ ଯେ, ମାସି ସହିତ ତା’ର ମତିଭ୍ରମର କାହାଣୀ ସମ୍ପର୍କରେ ସ୍ୱାମୀ ବର୍ତ୍ତମାନ ପର୍ଯ୍ୟନ୍ତ ଅଜ୍ଞ ।

 

କିନ୍ତୁ ପୁରୁଷଜାତି ସମ୍ପର୍କରେ ରେନୀର ଯେ ଆଗ୍ରହ ନାହିଁ, ସେକଥା କହିଲେ ସତ୍ୟର ଅପଳାପ ମାତ୍ର ହେବ । ବିବାହ ପୂର୍ବରୁ ବିଚାରୀର ଭାଗ୍ୟରେ ଯାହା ଘଟିଥିଲା, ତହିଁରେ ତା’ର ନିଜର କୌଣସି ହାତ ନ ଥିଲା । ତେଣୁ ତାହା ହିସାବର ବାହାରେ ରଖିବା ବିଧେୟ । କିନ୍ତୁ ବିବାହ ପରେ ? ସ୍ୱାମୀକି ଧରାଛୁଆଁ ନ ଦେଲେ ହେଁ ଦୁଇ ଚାରିଦିନ ଉପ–ସ୍ୱାମୀ ପଦରେ ବେଶ ଦୁଇ ଚାରିଜଣଙ୍କୁ ସେ ଜଣକ ପରେ ଜଣେ ବାହାଲ କରିଛି । ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବାରେ ବି ହୁଏତ ତା’କୁ ବେଶୀଦିନ ଲାଗି ନାହିଁ । ପ୍ରଣୟୀମାନଙ୍କ ମଧ୍ୟରେ ମାସି ହିଁ ବୋଧହୁଏ ସର୍ବାଧିକ ସ୍ଥାୟିତ୍ୱ ଲାଭ କରିଥିଲା; କିନ୍ତୁ ତା’ର ବି କପାଳ ଏକ ସମୟରେ ପୋଡ଼ିଛି । କିନ୍ତୁ ମାସି ବିଦାୟ ନେବାପରେ ତା’ର ପରିତ୍ୟକ୍ତ ସ୍ଥାନରେ ଆଉ କାହାକୁ ଅଭିଷିକ୍ତ କରିନାହିଁ ରେନୀ । ଦେଇନାହିଁ ଏବଂ ଦେବାର ମତଲବ ବି ନାହିଁ । କାରଣ ହୁଏତ କ୍ରମଶଃ ଜଣାଯିବ । ବର୍ତ୍ତମାନର ପରିସ୍ଥିତି ହେଲା, ନୂତନ କାହାକୁ ତା’ ପାଖକୁ ପଶିବା ପାଇଁ ଦେବାର ମତଲବ ରେନୀର ନାହିଁ । ନାଶ ବୋଲିହିଁ ସାଫ୍ରେଁ ପ୍ରତ୍ୟାଖ୍ୟାତ ହୋଇଛି ।

 

ତା’ ନହେଲେ ବ୍ୟକ୍ତିଗତ ଭାବରେ ତା’ ସମ୍ପର୍କରେ ରେନୀର କୌଣସି ବିତୃଷ୍ଣା ନ ଥିଲା-। ତେବେ ବର୍ତ୍ତମାନ ରେନୀର ମନରେ ବେଶ ଟିକିଏ ବିତୃଷ୍ଣା ଜାତ ହୋଇଛି । ତା’ର କାରଣ ହେଲା ପଚାଶ ହଜାରର ଏହି ଉତ୍‌କୋଚ । ଅର୍ଥର ପ୍ରୟୋଜନ ଯେତେ ଥାଉନା କାହିଁକି କେବଳ ଅର୍ଥର ଖାତିରିରେ ଦେହଦାନ କରିବାର ପାତ୍ରୀ ରେନୀ ନୁହେଁ । ସାଫ୍ରେଁ ଓ ସିଡୋନୀର ଚଉଦପୁରୁଷ ଉଦ୍ଧାର କରି ସେ ସେଦିନ ଘରକୁ ଫେରିଛି । ଫେରିଛି ସତ, ତେବେ ସେ କରିବ କଣ-? ପଚାଶ ହଜାର ଫ୍ରାଁ ନ ହେଲେ ନ ଚଳେ କେଉଁଠୁ ମିଳିବ, କିପରି ? ଘରେଇ ଫେରେଇ ସେହି ଅବହେଳିତ, ଅବାଞ୍ଛିତ ଅଧମ ସ୍ୱାମୀଟିର କଥା ହିଁ ମନେପଡ଼ିଲା । ସେ ଇଚ୍ଛାକଲା ମାତ୍ରକେ ଦେଇପାରେ । ଏହା ପୂର୍ବରୁ ଦେଇଛି । କୌଣସି ପ୍ରତ୍ୟାଶା ନରଖି ହିଁ ଦେଇଛି । ନିଜର ଅର୍ଥାଭାବ ଥିବା ସତ୍ତ୍ୱେ ବି ହୋଇଛି । ଅର୍ଥାଭାବ ? ହଁ ସାକାର୍ଡର ବି ଅର୍ଥଭାବ ରହିଛି । ଦେବାଳ ଦେହରେ ତାଲା ବନ୍ଦ ଟ୍ରେଜେରୀଟା ସକାଳେ ପୂରାପୂରି ଭର୍ତ୍ତିଥାଏ ନିଶ୍ଚୟ; କିନ୍ତୁ ସନ୍ଧ୍ୟା ମଧ୍ୟରେ ହିଁ ସବୁ ଶେଷ । ରାତିକ ମଧ୍ୟରେ ପୁଣି ଯେ ତାହା ସୁନାରୂପା ଆଉ କାଗଜର ମୁଦ୍ରାରେ ପରିପୂର୍ଣ୍ଣ ହୋଇଉଠେ ତା’ର ଏକମାତ୍ର କାରଣ ମାଡାମ ଆର୍ଥିକ ଜଗତର ଐନ୍ଦ୍ରଜାଲିକ କେଉଁଠି ଅନ୍ୟ ଲୋକର ଅଙ୍ଗୁଠି ଗଳିବା ଅସମ୍ଭବ ସେଠି ସେ ବାହାର କରି ଆଣେ ଗଦା ଗଦା ଲୁଇ ନିମିଷ କରେ-

 

ହଁ ମନେ କଲେ ସେ ଦେଇପାରେ । ତେବେ ତା’ ହାତରେ ନ ଥିବା ମଧ୍ୟ ସମ୍ଭବ, ଯଦି ଦେବାପାଇଁ ଚାହେଁ ତେବେ କରଜ କରି ଆଣି ଦେଇପାରେ । ଅନେକ ତକଲିପ୍‌ । ତା’ କ’ଣ ବିନା ସ୍ୱାର୍ଥରେ ସ୍ୱୀକାର କରିବ ? ଶ୍ୟାରୋନର ସମ୍ପତ୍ତିଟା ଉପରେ ତା’ର ନଜର ରହିଛି । କେବଳ ଚକ୍ଷୁ ଲଜ୍ଜା ପାଇଁ ସେ ସମ୍ପର୍କରେ କଥାବାର୍ତ୍ତା କରୁନାହିଁ । ବର୍ତ୍ତମାନ ରେନୀ ଯଦି ନିଜ ତରଫରୁ ପ୍ରସ୍ତାବ ଦିଏ–ଏ ସମ୍ପଦ ବନ୍ଧା ରଖିବା ପାଇଁ, ତେବେ ଫଳ କ’ଣ ହେବ ? ଲାର୍ସୋନୋର ବେନାମିରେ ସାକାର୍ଡ କ’ଣ ତାହା ଲୁଟି ନେବ ନାହିଁ ! ରେନୀ ତରଫରୁ କୌଣସି ଉତ୍ତର ବିଶେଷ ନାହିଁ । ସେ ତ ସିଡୋନୀ ମାରଫତ୍‌ ସମ୍ପତ୍ତିଟା ଅନ୍ୟଲୋକ ପାଖରେ ବନ୍ଧା ରଖିବା ପାଇଁ ହିଁ ଚାହିଁଥିଲା ।

 

ଏଭଳି ଅନେକ ଭାବନା ଚିନ୍ତା ପରେ ରେନୀ ସ୍ୱାମୀର ଅଫିସ ରୁମକୁ ଓହ୍ଲେଇଗଲା ଏବଂ ବିନା କୌଣସି ଭୂମିକାରେ କଥାଟା ଉଠେଇଲା । ମୁଁ ଜାଣେ ଯେ, ଅଭାବ ଭିତରେ ତମର ଦିନ କଟୁଛି, ସେଥିପାଇଁ ମୁଁ ଦାନ ହିସାବରେ ଆଜି ତୁମ ପାଖରୁ ଆଉ କିଛି ଚାହିବି ନାହିଁ । ଆଗେ ତ ବହୁତ ଦେଇଛ, ମୁଁ ବି ଅମ୍ଳାନ ବଦନରେ ନେଇଛି । କିନ୍ତୁ ଅସୁବିଧାର କଥା ସମସ୍ତଙ୍କୁ ହିଁ ବିବେଚନା କରିବା ପାଇଁ ହୁଏ । ତୁମେ ମୋର ସ୍ୟାରୋନ୍‌ର ସମ୍ପତ୍ତିଟେ କେଉଁଠି ବନ୍ଧକ ଦେବାର ବନ୍ଦୋବସ୍ତ କର । ପଚାଶ ହଜାର ଫ୍ରାଁ ମୋର ଏଇକ୍ଷଣି ଦରକାର । ଓୟାର୍ମସ ନାଲିଶ କରିବାର ଭୟ ଦେଖଉଛି । ତା’ର ବିଲ ହେଇଛି ଅଢ଼େଇ ଲକ୍ଷ ଫ୍ରାଁ ।

 

ସାକାର୍ଡ । ବିସ୍ମୟରେ ହତବାକ୍‌ । ଖୁସିରେ ଉଜ୍ଜ୍ୱଳ । ସେ ବୁଝିପାରୁନି ଯେ କ’ଣ ସେ ଶୁଣୁଛି । ଯାହା ଶୁଣୁଛି ତାହା ସତ୍ୟ ନା ମିଥ୍ୟା ! ଏମିତି ଦୈବାନୁଗ୍ରହ କେଉଁ ସୁକୃତି ଫଳରେ ଘଟିଲା ? ସେ ଯେ କିଛିଦିନ ଧରି କେବଳ ଏହି ସମ୍ପତ୍ତିର କଥା ହିଁ ଭାବୁଛି । ଚିନ୍ତା ନ କରି ତା’ର ଉପାୟ ନାହିଁ; କାରଣ ନଗର ସ୍ଥପତିଗଣ ଏଥର ଏହି ସମ୍ପତ୍ତି ଭିତର ଦେଇ ବିରାଟ ରାଜପଥ ବାହାର କରିବାର ପରିକଳ୍ପନା କରିଛନ୍ତି । ସ୍ଥପତିବୋର୍ଡ ବାହାରେ କେବଳ ତିନୋଟି ମାତ୍ର ଲୋକ ଏ ଖବର ଜାଣନ୍ତି । ହୋଟେଲ ଦ୍ୟ ଭିଲର ଦୁଇଜଣ କିରାନୀ ଆଉ ସାକାର୍ଡ ନିଜେ । ଯଦି କିଛି କରାଯାଇପାରେ ତେବେ ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ । ଏହାପରେ ? ରହସ୍ୟ ପ୍ରକାଶ ପାଇଯିବା ପରେ ? ସେତେବେଳେ କ୍ଷତିପୂରଣର ଅର୍ଥ ଯିବ ରେନୀର ପକେଟକୁ, ସାକାର୍ଡର ନୁହେଁ ।

 

ଯଦି କିଛି କରିବାର ଥାଏ ଏହା ହିଁ ପ୍ରକୃଷ୍ଟ ସମୟ । ଆଉ ଭଗବାନଙ୍କର କି ଦୟା ! ଏହି ସମୟରେ ହିଁ ରେନୀ ନିଜେ ଉପଯାଚିକା ଭାବରେ ଆସି କହୁଛି ଏହି ସମ୍ପତ୍ତିଟା ବନ୍ଧକୀ ବ୍ୟବସ୍ଥା କରିଦିଅ । ଅଭାବନୀୟ ଯୋଗାଯୋଗ । ଯୋଗାଯୋଗରେ ଅବଶ୍ୟ ତ୍ରୁଟି ବି ରହିଛି । ରେନୀ ବନ୍ଧୁକ ଦେବାପାଇଁ ଚାହୁଛି, ସାକାର୍ଡ ତା’କୁ କରିନେବା ପାଇଁ ଚାହେ । ବନ୍ଧକ ଦେବାମାନେ ହସ୍ତାନ୍ତର କରିବା ନୁହେଁ; ଅଥଚ ସାକାର୍ଡର ନାଁରେ ଯେତେ ସମୟ ଯାଏ ରେନୀ ହସ୍ତାନ୍ତରର ଦଲିଲ ସମ୍ପାଦନ କରି ନ ନେଇଛି କ୍ଷତିପୂରଣର ରାହଳାଟାଏ ବି ତା’ ପକ୍ଷରେ ପାଇବା ଅସମ୍ଭବ । ଅତଏବ......

 

ଅତଏବ ରେନୀକୁ ବୁଝେଇବା ପାଇଁ ପଡ଼ିବ । ବନ୍ଧକ ଦେଇ ଯେ କୌଣସି ଲାଭ ନାହିଁ ଏହା ହିଁ ବୁଝେଇବା ପାଇଁ ପଡ଼ିବ । ସେହି ଚେଷ୍ଟାରେ ହିଁ ସାକାର୍ଡ ଲାଗିଗଲା....। ଦେଖ ରେନୀ ପରାମର୍ଶ ତୁମେ ଚାହିଁନା, ବସ୍ତୁତଃ ମୋର କିଛି କହିବାର ନାହିଁ । କିନ୍ତୁ ଯେହେତୁ ତୁମର ମୋର ମଧ୍ୟରେ ଗୋଟାଏ ସମ୍ପର୍କ ରହିଛି ତମ କଥା ନ ବୁଝିଲେ ମୋ ପକ୍ଷରେ କର୍ତ୍ତବ୍ୟରେ ଅବହେଳା ହେବ । ଶ୍ୟାରୋନର ଜମି ବନ୍ଧକ ଦେବାପାଇଁ ଚାହୁଁଛ; କିନ୍ତୁ ବନ୍ଧକ କେଉଁମାନେ ଦିଅନ୍ତି ? ଯେଉଁମାନଙ୍କର ପୁନରୁଦ୍ଧାରର ଆଶା ଥାଏ । ଆପାତତଃ ଅର୍ଥାଭାବ ଘଟିଛି, ଦୁଇଦିନ ପରେ ଯେଉଁମାନେ ଆଶା କରନ୍ତି ଯେ, ସେମାନଙ୍କ ହିତକୁ ପ୍ରଚୁର ଅର୍ଥ ଆସିବ ଏବଂ ସମ୍ପତ୍ତି ସେମାନେ ମୁକ୍ତ କରିନେବେ, ତୁମର କ’ଣ ସେମିତି ଆଶା ଅଛି ? ଦୁଇ–ତିନି ମାସ ମଧ୍ୟରେ ତୁମେ କ’ଣ ଏହି ପଚାଶ ହଜାର ଫ୍ରାଁ ପରିଶୋଧ କରିଦେଇ ପାରିବ ସୁଧ ସହିତ । ମୋର ତ ତାହା ମନେହେଉନି; ବରଂ ମୁଁ ଦିବ୍ୟଚକ୍ଷୁରେ ଦେଖିପାରୁଛି ପଚାଶ ହଜାର ଫ୍ରାଁ ଧାରକରି ଆଣି ୟୋର୍ମସର ବିଲ ଆଂଶିକ ପରିଶୋଧ କରିଦେଲେ ବି, ଦେବାପାଇଁ ସେମାନଙ୍କର ଆହୁରି ପାଉଣା ବାକି ରହିଯିବ ଏବଂ ସେ ପାଉଣା ଦିନକୁ ଦିନ ଆହୁରି ବଢ଼ିବାକୁ ଲାଗିବ । ଭବିଷ୍ୟତରେ ତୁମର ଯେ ପୋଷାକ ଆଉ ଦରକାର ହେବ ନାହିଁ, ସେ କଥା ନୁହେଁ । ସେତେବେଳେ ? ୟୋର୍ମସ ଛଅ ମାସ ପରେ ପୁଣି ବିଲ ପଠେଇବ, ଧରିନିଅ ପୁଣି ଅଢ଼େଇ ଲକ୍ଷ ଟଙ୍କାର ବିଲ । ସେତେବେଳେ କ’ଣ କରିବ ? ସ୍ୱଭବାତଃ ହିଁ ପୁନରାୟ ଋଣ କରିବା ପାଇଁ ଚାହିବ । ସେତେବେଳେ ମହାଜନ କହିବ–ସମ୍ପତ୍ତିଟା ବିକ୍ରି କରି ଦେଲେ ଆଉ ପଚାଶ ହଜାର ଦେଇପାରେ, ନ ହେଲେ ସମ୍ଭବ ନୁହେଁ । ତୁମେ କ’ଣ କରିବ ? ବାଧ୍ୟ ହୋଇ ବିକ୍ରି କରିଦେବ । ବିକ୍ରି ନ କରି ଉପାୟ ନ ଥିବ । ତେବେ ଦୁଇ କିସ୍ତିରେ ହୁଏତ ତୁମେ ଶ୍ୟାରୋନର ସମ୍ପତ୍ତି ପାଇଁ ପାଇଲ ଲକ୍ଷେ ଫ୍ରାଁ, ଅଥଚ ୟୋର୍ମସର ଦାବି ରହିଥିବ ପାଖାପାଖି ଦୁଇଲକ୍ଷ । ହିସାବଟା ଏତେ ସହଜ ଯେ ରୀନା ପରି ବିଷୟ ବୃଦ୍ଧିହୀନ ପକ୍ଷରେ ବି ତାହା ବୁଝିବାର କୌଣସି ଅସୁବିଧା ହେଲା ନାହିଁ । ଦିଗବିଦିଗ ଶୂନ୍ୟହୋଇ ସେ ସ୍ୱାମୀକୁ ହିଁ ପଚାରିଲା....ତେବେ ତୁମେ କ’ଣ କରିବାପାଇଁ କହୁଛ....କହୁଛି ବର୍ତ୍ତମାନ ହିଁ ସମ୍ପତ୍ତିଟା ବିକ୍ରି କରିଦିଅ । ଅନ୍ତତଃ ତିନିଲକ୍ଷ ଫ୍ରାଁ ଯେପରି ମିଳେ ତା’ର ଚେଷ୍ଟା ମୁଁ କରିବି । ସେ ଅର୍ଥରେ ୟୋମର୍ସର ଅଢ଼େଇ ଲକ୍ଷ ଫ୍ରାଁ ପୂରାପୂରି ପରିଶୋଧ କରିଦିଅ । ତା’ପରେ ହାତରେ ଯେଉଁ ପଚାଶ ହଜାର ରହିବ ତାହା ଲାର୍ସୋନୋ ହାତରେ ସୁଧ ଖଟାଇବା ପାଇଁ ଦେଇଦିଅ । ସୁଧରୁ ଯାହା ପାଇବ, ତହିଁରେ ୟୋମର୍ସର ଭବିଷ୍ୟତ ବିଲ୍‌ ତକ ପରିଶୋଧ କରିବା ପାଇଁ ପଡ଼ିବ, ଅର୍ଥାତ କିଛିଦିନ ପୋଷାକପତ୍ର କମ୍‌ କିଣିବା ପାଇଁ ପଡ଼ିବ ? କିଛିଦିନ ? ତା’ର ମାନେ ? କିଛିଦିନ ପରେ ମୁକ୍ତହାତରେ ଖର୍ଚ୍ଚ କରିବାପାଇଁ ଅର୍ଥ ପାଇବି କାହୁଁ ? ଅବାକ୍‌ ହୋଇ ପ୍ରଶ୍ନକଲା ରେନୀ ।

 

ଭୁଲିଯାଉଛ ଯେ ତୁମର ପିତାଙ୍କର ବୟସ ଅଶି ବର୍ଷ ହେଲା ଏବଂ ତାଙ୍କର ବର୍ତ୍ତମାନର ଭାଗଆଳିରେ ଅନ୍ତତଃ ତୁମ ହାତକୁ ଦଶ ସିଲିୟନ ଫ୍ରାଁ ଆସିଯିବ ।

 

ରେନୀ ଏତେକଥା କୌଣସି ଦିନ ଭାବି ଦେଖିନି । ସାକାର୍ଡର କଥା ଶୁଣି ତା’ର ଯେପରି ଦିବ୍ୟଜ୍ଞାନ ଉଦୟ ହେଲା । ସେ ରାଜି ହୋଇଗଲା । ବେଶ୍‌ ତେବେ ଶ୍ୟାରୋନର ସମ୍ପତ୍ତି ବିକ୍ରି କରିବାକୁ ମୁଁ ରାଜି । ଅନ୍ତତଃ ତିନି ଲକ୍ଷ ଦାମ୍‌ ଦେବା ଉଚିତ । ଯେମିତି ହୁଏ, ତା’ ମୁଁ କରିବି–କହିଲା ସାକାର୍ଡ ।

 

ଆଉ ବିକ୍ରି ହେବାରେ ଯଦି ଡେରି ହୁଏ, ତେବେ ଅ୍ରଗୀମ ପୁରୁଷ ଆଜି ମୋତେ ଅନ୍ତତଃ ପଚାଶ ହଜାର ଫ୍ରାଁ ଆଣିଦିଅ । ମୁଁ ୟୋର୍ମସକୁ କଥା ଦେଇଛି କାଲି ଭିତରେ ଅନ୍ତତଃ କିଛିଟା ପରିଶୋଧ କରିଦେବି । ରେନୀକୁ ଏଇଠି ସାମାନ୍ୟ ମିଥ୍ୟାର ଆଶ୍ରୟ ନେବାକୁ ହେଲା । କାଲି କିଛିଟା ଅର୍ଥଦେବାର ପ୍ରତିଶ୍ରୁତି ସେ ଜଣକୁ ଦେଇଛି ଏ କଥା ସତ, କିନ୍ତୁ ସେ ଜଣକ ହେଲା ମ୍ୟାକସିମ, ୟୋର୍ମସ ନୁହେଁ । ମ୍ୟାକ୍‌ସିମ୍‌କୁ ସେ ଅର୍ଥ ସାହାଯ୍ୟ କରେ ବା କରିବାକୁ ଯାଉଛି ଏକଥା ତ ଆଉ ସାକାର୍ଡକୁ କୁହାଯାଇପାରେନା । କାରଣ ସାକାର୍ଡ ଜୀବିତ ଥିବାଯାଏ, ମ୍ୟାକ୍‌ସିମର ସମସ୍ତ ଦାୟିତ୍ୱ ତା’ର ରେନୀ ତା’କୁ ସାହାଯ୍ୟ କରିବା ପାଇଁ ନିଜର ସମ୍ପତ୍ତି ବିକ୍ରି କରିବା ପାଇଁ ଯାଇଛି ଏକଥା କହିଲେ ଏକାନ୍ତ ଉଦ୍‌ଭଟ ଶୁଣାଯିବ । ଯାହା ପ୍ରାୟ ଦୁଇଘଣ୍ଟା ମଧ୍ୟରେ ମାଡାମ ପଚାଶ ହଜାର ଫ୍ରାଁ ଆଣି ରେନୀ ହାତରେ ଦେଲା । ଆଉ କହିଲା ଖରିଦଦାର ଠିକ୍‌ କରିବା ପାଇଁ ବର୍ତ୍ତମାନ କିଛିଟା ସମୟ ନିଶ୍ଚୟ ଲାଗିବ, ତେବେ ଯେତେବେଳେ ରେନୀର ଜରୁରୀ ରହିଛି ସେତେବେଳେ ଲାସୋନୋ ହିଁ ବର୍ତ୍ତମାନ ତିନିଲକ୍ଷ ଫ୍ରାଁ ଦେବ ଏବଂ ଆପାତତଃ ଦଲିଲଟା ତା’ ନାଆଁରେ କରାହେବ । ପରେ ସେ ପୁଣି ଅନ୍ୟ ହାତକୁ ହସ୍ତାନ୍ତର କରିବ ।

 

ରେନୀ ହୁଏତ ଭିତିରି ରହସ୍ୟଟା ବୁଝିପାଇଲା । ବୁଝିଲେ ବି ସେବା କ’ଣ କରିପାରିବ ! ଏଇ ପଚାଶ ହଜାର ହାତକୁ ନେବା ମାନେ ହିଁ ଜମି ବିକ୍ରିରେ ରାଜି ହେବା ଆଉ ନେବା ପାଇଁ ଦ୍ୱିଧା କରିବା ଅର୍ଥ ମ୍ୟାକ୍‌ସିମ ନିକଟରେ କଥାର ଖିଲାପ କରିବା, ଯାହା ସେ ଜୀବନ ଚାଲିଗଲେ ବି କରିବ ନାହିଁ । କରିବ ନାହିଁ ମାନେ ସେ କାମ କରିବାର ଶକ୍ତି ତା’ର ନାହିଁ । ମ୍ୟାକ୍‍ସିମ ନିକଟରେ ନ୍ୟୁନ ହୋଇଯିବା ? ତା’ ଅପେକ୍ଷା ସିୟେନ, ନଦୀରେ ଆଉ ଲମ୍ଫ ଦେଇ ବୁଡ଼ିମରିବା ବରଂ ଶ୍ରେୟସ୍କର । ରେନୀ ନିଜ ମନ ସହିତ ଲୁଚକାଳି ଖେଳିପାରୁ ନାହିଁ । ମ୍ୟାକ୍‌ସିମ ସମ୍ପର୍କରେ ତା’ର ମୋହଟା ଦିନକୁ ଦିନ ବୃଦ୍ଧି ଲାଭ କରି ଅଦୃଶ୍ୟ ନାଗପାଶ ସଦୃଶ୍ୟ ଦୁଃଚ୍ଛେଦ୍ୟ ବନ୍ଧନରେ ତା’କୁ ବାନ୍ଧି ପକେଇଛି । ଦଶ ଦଶଟା ବର୍ଷର ନିରବଚ୍ଛିନ୍ନ ଅନ୍ତରଙ୍ଗତା ଗୋଟାଏ ନାରୀ ଆଉ ଗୋଟାଏ ପୁରୁଷ ମଧ୍ୟରେ ତା’ର ଯାହା ଅବଶ୍ୟମ୍ଭାବୀ ଫଳ ଫଳିଛି ଲୋଭନୀୟ ବିଷଫଳ ରୂପର । ରେନୀର ବୟସ ବର୍ତ୍ତମାନ ଅଠେଇଶ ଆଉ ମ୍ୟାକ୍‌ସିମର କୋଡ଼ିଏ । ଏକ ପରିଣତ ଯୌବନା ରମଣୀ ଆଉ ଏକ ଉଦ୍‌ଭିନ୍ନ ଯୌବନା ପୁରୁଷ ଉଭୟଙ୍କ ଆକର୍ଷଣ ଦେହରେ ଧକ୍‌କା ଖାଇ ନୀତିଜ୍ଞାନ ଆଉ ସମ୍ପର୍କ ବିଚାର ଭାଙ୍ଗି ଚୁନା ଚୁନା ହୋଇଯାଉଛି, ଠିକ୍‌ ଲୌହପ୍ରାଚୀର ଦେହରେ ଫାଙ୍କି ମାଟି କଣ୍ଢେଇ ପରି ।

 

ମାସିକୁ ରେନୀ ପ୍ରତ୍ୟାଖ୍ୟାନ କରିବାର ଆଜକୁ ଅନେକ ଦିନ ହେଲା । କାହିଁକି ? ମ୍ୟାକ୍‌ସିମ ସେତେବେଳେ କିଶୋର ମାତ୍ର । କିନ୍ତୁ କିଶୋରର ଅନ୍ତରାଳରେ ତା’ର ଭାବୀ ଯୌବନର ଜୌଳୁଶ ରେନୀର ଆଖିରୁ ବାଦ ପଡ଼ିନି । ସେ ଜୌଳୁଶ ସମ୍ମୁଖରେ ମାସିକୁ ମନହୋଇଛି ଚନ୍ଦ୍ର ସମ୍ମୁଖରେ ଜ୍ୟୋତିରିଙ୍ଗଣ ସଦୃଶ । ତେଣୁ ମାସିକୁ ବିଦାୟ ନେବାକୁ ପଡ଼ିଛି ।

 

ସାଫ୍ରେଁ ବି ଏଇ ମାତ୍ର କାଲି ପ୍ରତ୍ୟାଖ୍ୟାତ ହୋଇଛି; କାରଣ ମ୍ୟାକ୍‌ସିମ୍‌ର ଯୌବନ ବର୍ତ୍ତମାନ ଆଉ ଭବିଷ୍ୟତର ଅସ୍ପଷ୍ଟ ପୂର୍ବାଭାସରେ ସୀମିତ ନୁହେଁ, ଦୀପ୍ତ ସୂର୍ଯ୍ୟର ଦୁଃସହ ବହ୍ନଜ୍ଜ୍ୱାଳାରେ ତାହା ବର୍ତ୍ତମାନ ରେନୀର ଶିରାପ୍ରଶିରାରେ ଅଗ୍ନିର ସଞ୍ଚାର କରିଛି । ମ୍ୟାକ୍‌ସିମ । ମ୍ୟାକ୍‌ସିମ । ରେନୀ ବର୍ତ୍ତମାନ ଉନ୍ମାଦିନୀ କହିଲେ ଚଳେ । ସବୁପ୍ରକାର ପ୍ରକୃତିସ୍ଥ ଥିଲେ ହେଁ ମ୍ୟାକ୍‌ସିମ୍‌ ବ୍ୟାପାରରେ ସେ ହିତାହିତ ଜ୍ଞାନଶୂନ୍ୟା ଉନ୍ମାଦିନୀ ଏକାବେଳକେ । ଆଗ୍ନେୟଗିରିର ସମ୍ମୁଖରେ ସେ ଆସି ଠିଆ ହୋଇଛି । ଯେ କୌଣସି ମୁହୂର୍ତ୍ତରେ ଡେଇଁପଡ଼ିବ ଗହ୍ୱରରେ ଜ୍ୱଳନ୍ତ ଲାଭାରେ ।

 

ତ୍ରିଶ ହଜାର ଫ୍ରାଁ ୟୋର୍ମସକୁ ଏବଂ ମ୍ୟାକସିମକୁ ପନ୍ଦର ହଜାର ଫ୍ରାଁ ଦେବାପରେ ରେନୀର ହାତରେ ରହିଛି ମାତ୍ର ପାଞ୍ଚହଜାର ଫ୍ରାଁ । ଆଗାମୀ କାଲି ଘରେ ପୁଣି ଗୋଟାଏ ଉତ୍ସବ ରହିଛି, ଯେମିତି ପ୍ରତି ସପ୍ତାହରେ ଥାଏ । ସାକାର୍ଡ ପାର୍ଟି ନ ଦେଇ ରହି ପାରେନା । ମୂରବୀମାନଙ୍କର ମୁହଁ ଚାହିଁ ନୃତ୍ୟ ଆସର ବସେଇବା ପାଇଁ ବି ବାଧ୍ୟହୁଏ । ଯେଉଁମାନେ କ୍ଷତିପୂରଣ ବୋର୍ଡର ସଦସ୍ୟ ସେମାନେ ହିଁ ତା’ର ମୁରବୀ । ସେମାନଙ୍କ ଭେଟ ବଳରେ ହିଁ ନ୍ୟାଯ୍ୟ ପ୍ରାପ୍ୟର ଦଶ କୋଡ଼ିଏ ଗୁଣ କ୍ଷତିପୂରଣ ସେ ପାଇଯାଏ । ଏମାନଙ୍କ ପ୍ରସାଦରେ ହିଁ କୋଡ଼ିଏ ହଜାର ଫ୍ରାଁ ମୂଲ୍ୟର ଘର ସେ କୋଡ଼ିଏ ଲକ୍ଷରେ ବିକ୍ରି କରିପାରେ । ଅବଶ୍ୟ ନଗଦ ଆକାରରେ ହାତହାତି ସେମାନଙ୍କର ଭାଗ ସେମାନେ ନିଅନ୍ତି; କିନ୍ତୁ ଉପରି ହିସାବରେ ଏହିଭଳି ପାର୍ଟିର ପ୍ରତ୍ୟାଶା ବି ସେମାନେ କରନ୍ତି । ରହିଛି ଭୋଜି ଏବଂ ନାଚ । ଆଗାମୀ କାଲି ହିଁ ଏହି ଉପଲକ୍ଷେ ସାକାର୍ଡର ବଡ଼ଭାଇ ଇଉଜିନ, ଯିଏ ବର୍ତ୍ତମାନ ମନ୍ତ୍ରୀପରିଷଦର ସଭ୍ୟ, ରାଜନୈତିକ ଓ ସାମାଜିକ ଜୀବନରେ ଯିଏ ବର୍ତ୍ତମାନ ପ୍ୟାରୀ ନଗରୀର ପୁରୁଷ ସିଂହ ସିଏ ବି ଆସୁଛନ୍ତି । ସାନଭାଇ ଉପରେ ତାଙ୍କଇ କୁଆଡ଼େ ଆଗାଧ ସ୍ନେହ; ତଥାପି ସେ ଆସି ପାରନ୍ତିନି ସମୟ ଅଭାବରୁ । କିନ୍ତୁ କାଲି ଆସୁଛନ୍ତି ସାକାର୍ଡ କୌଣସି ଏକ ବିଶେଷ କାରଣରୁ ତାଙ୍କୁ ଆସିବା ପାଇଁ ସମିବନ୍ଧ ଅନୁରୋଧ ଜଣେଇଛି । ରୌଗନ ବଂଶର ଜ୍ୟେଷ୍ଠ ଶ୍ରେଷ୍ଠ ପୁରୁଷ ଇଉଜିନ, ସେ ଉପସ୍ଥିତ ନ ରହିଲେ, ଯେଉଁ ବିଶେଷ କାମଟି କରିବାର ମତଲବ ସାକାର୍ଡର ରହିଛି । ତାହା ସମସ୍ତଙ୍କ ପକ୍ଷରେ ସୌଷ୍ଠବହୀନ ଓ ଅଙ୍ଗହୀନ ମନେ ହେବ । ଭାଇର ଅନୁରୋଧ ଉପେକ୍ଷା କରି ପାରି ଇଉଜିନ ଆସିବା ପାଇଁ ରାଜି ହୋଇଛନ୍ତି ।

 

ଭୋଜିର ଦିନ ଆସିଲା, ଅତିଥିମାନଙ୍କର ସମାଗମ ଆରମ୍ଭ ହେବା ପୁର୍ବରୁ ସାକାର୍ଡ ରେନୀ ପାଖକୁ ଆସିଲା । ତା’ର ଗୋଟାଏ ହାତରେ ବିକ୍ରି କବଲା, ଅନ୍ୟ ହାତରେ ରାଶି ରାଶି ଟ୍ରେଜେରୀ ନୋଟ, ତା’ ସହିତ ରହିଛି କିଛି ଲୁଇ ମୋହର, ଏକା ସାଙ୍ଗରେ ଅଢ଼େଇ ଲକ୍ଷ । ରେନୀ ଆଖି ବୁଜି ଦସ୍ତଖତ କରିଦେଲା । କରଜଟା ପରିଶୋଧ କରିଦିଅ–ଏହି ସତପରାମର୍ଶ ଦେଇ ମାଡାମ ଦଲିଲ ପକେଟରେ ପୂରେଇଲା–ଆଜି ସମସ୍ତଙ୍କୁ ଗୋଟାଏ ସରପ୍ରାଇଜ ଦେବି । ତୁମକୁ ବି-। ତୁମକୁ ଆଗେ କହି ନାହିଁ, ବର୍ତ୍ତମାନ ବି ଯେ କାହିଁକି କହୁନାହିଁ ତାହା ପରେ ବୁଝେଇଦେବି । ସାକାର୍ଡ ହସ ହସ ମୁହଁରେ ତଳକୁ ଓହ୍ଲେଇ ଗଲା । ଅତିଥିମାନେ ଆସିବା ଆରମ୍ଭ କଲେଣି । ରେନୀକୁ ଅନେକ କଷ୍ଟ କରିବାକୁ ପଡ଼ିବ । ଗୃହକର୍ତ୍ତୀର କର୍ତ୍ତବ୍ୟ ପାଳନ କରିବାକୁ ହେବ । ଷୋହଳଅଣା ଏବଂ ତା’ରି ମଝିରେ ମଝିରେ ନିଜ କାମ ବି ସାରିନେବାକୁ ପଡ଼ିବ । ସରପ୍ରାଇଜ । ସାକାର୍ଡ କହିଯାଉଛି ସର୍ବସାଧାରଣଙ୍କୁ ସେ ଚମକ ଲଗେଇଦେବ ଆଜି । ରେନୀକୁ ବି । ହେଉ ନା କି ସରପ୍ରାଇଜ ଦେବ, ଦେଉ । ରେନୀ ମନେ ମନେ ହସୁଛି । ଅତି କୁଟିଜ ହିଂସ୍ର ସେ ହସ । ସାକାର୍ଡର ସରପ୍ରାଇଜ ଅପେକ୍ଷା ସେ ଯେ ଶହେ ଗୁଣ ସରପ୍ରାଇଜ ଦେଇପାରିବ ଏଥିରେ ତା’ର ତିଳେମାତ୍ର ସନ୍ଦେହ ନାହିଁ । ଦେଖାଯାଉ ନା ?

 

ଆକର୍ଷଣୀୟ ଭାବରେ ନିଜକୁ ସଜେଇ ରେନୀ ତଳକୁ ଓହ୍ଲେଇଗଲା । ଅନବରତ, ବିରାମହୀନ ଗତିରେ ନାଚ ଚାଲିଲା–କୋୟାଡ୍ରିଲ ଓୟାଇ୍‌ଜ, କୋଟିଲୋଁ । ଗୋଟାଏ କୋଟିଲୋଁର କେତେପ୍ରକାର ପେରା ସାପ୍ରେ ହୋଇି ନୃତ୍ୟ ନାୟକ । ରେନୀ ପାଖରୁ ପ୍ରତ୍ୟାଖ୍ୟାନ ହୋଇ, ସେ ଯେ ଖୁବ୍‌ ବେଶୀ ବିମର୍ଷ, କୌଣସି ଭାବ ସେ ପ୍ରକାଶ କଲାନାହିଁ । ହସି ହସି ଆସି ସହଜ ଭାବରେ ହିଁ କଥାବାର୍ତ୍ତା କଲା । ନାଚ ନାଚ । ନାଚାର ଢେଉ ଉପରେ ଢେଉ ମାଡ଼ିଆସୁଛି । ତା’ରି ମଝିରେ ଯାହାର ଯାହା ରୁଚି ଖାଇ ନେଉଛନ୍ତି । ଡିନାର ଟେବୁଲରେ ବସିବାର ସମୟ ନାହିଁ । ଖାଇବସିଲେ ନାଚିବା ବା ନାଚ ଦେଖିବା ହୋଇପାରେନା । ଅତିଥିମାନଙ୍କ ପକ୍ଷରେ ଏହା ଏକ ସଙ୍କଟ ।

 

ଅବଶ୍ୟ ଏ ସଙ୍କଟ ତରୁଣ–ତରୁଣୀମାନଙ୍କ ବ୍ୟତୀତ ଆଉ କାହାରି ନୁହେଁ । ଯେଉଁମାନେ ବୟସ୍କ, ଯେଉଁମାନେ ସାକାର୍ଡ ମୁରବୀ ସେମାନେ ନାଚ ଘରେ ଥରେ ଅଧେ ଅବଶ୍ୟ ଉଙ୍କି ମାରିଯାଉଛନ୍ତି । ତେବେ ତା’ ଫଳରେ ସେମାନଙ୍କର ପାନଭୋଜନ ଓ ବିଶ୍ରାମାଳାପର କୌଣସି ଅସୁବିଧା ହେଉନାହିଁ । ବିଶ୍ରୟାଳପର ଅର୍ଥ ଅବଶ୍ୟ ବୈଷାୟିକ ବ୍ୟାପାରର ଆଳାପ । ନାନା କମ୍ପାନୀରେ, ନାନା ବ୍ୟବସାୟରେ ସାକାର୍ଡ ଇତି ମଧ୍ୟରେ ଜଡ଼ିତ ହୋଇପଡ଼ିଛି । ଆଜିକାର ଏହି ଉତ୍ସବକୁ ସେହିସବୁ କମ୍ପାନୀ ଏବଂ ବ୍ୟବସାୟର ସମସ୍ତ ସହକର୍ମୀ ଆମନ୍ତ୍ରିତ ହୋଇ ଆସିଛନ୍ତି-। କାରଣ ସାକାର୍ଡ–ଭବନର ନିତ୍ୟନୈମିତ୍ତିକ ଉତ୍ସବମାନଙ୍କ ଅପେକ୍ଷା ଆଜିକାର ଏହି ଅନୁଷ୍ଠାନର ପ୍ରାର୍ଥକ୍ୟ ଅନେକ । ସାକାର୍ଡ ମୁହଁରୁ ଗୋଟାଏ ଚମକପ୍ରଦ ଘୋଷଣା ଶୁଣାଯିବ । ଅନେକେ ଏ ଆଭାସ ପାଇଛନ୍ତି । ଯେଉଁମାନେ ବିଶେଷ ଅନ୍ତରଙ୍ଗ, ସେମାନଙ୍କ ମଧ୍ୟରୁ ଅନେକ ଜାଣନ୍ତି ଯେ, ଚମକଟା କି ଧରଣର ହୋଇପାରେ ?

 

ମନ୍ତ୍ରୀ ଇଉଜିନ ଆସିଲେ, ନାଚଘର ଏ ମୁଣ୍ଡରୁ ସେମୁଣ୍ଡ ଥରେ ବୁଲିଆସିଲେ । ପ୍ରତ୍ୟେକ କରମର୍ଦ୍ଦନରେ ଆପ୍ୟାୟିତ କଲେ । ମୁଗ୍‌ଧ କଲେ ମିଷ୍ଟ ସମ୍ଭାଷଣରେ । ଜନପ୍ରିୟତା ପାଇଁ ଏସବୁ ଏକାନ୍ତ ଆବଶ୍ୟକ । ସବୁ ଶେଷକରି ସେ ସେହି କକ୍ଷରେ ଆସନ ଗ୍ରହଣ କଲେ ଯେଉଁଠି ପୂର୍ବରୁ ମୁରବୀଗଣ ଅଧିଷ୍ଠିତ । ଏଥର ସାକାର୍ଡକୁ ଘୋଷଣାଟି କରିବାକୁ ହେବ ।

 

ଭଦ୍ର ମହୋଦୟଗଣ ! ବନ୍ଧୁଗଣ ! ଆପଣମାନଙ୍କୁ ମୁଁ ଏକ ଶୁଭ ସମ୍ୱାଦ ଦେବି । ପ୍ରଥମରୁ ହିଁ ଆପଣମାନଙ୍କର ଶୁଭେଚ୍ଛା କାମନା କରି ନେଇଛି । ମୋର ଏକମାତ୍ର ପୁତ୍ର ମ୍ୟାକସିମକୁ ଆପଣମାନେ ଚିହ୍ନନ୍ତି । ଚିହ୍ନନ୍ତି ବନ୍ଧୁବର ମସିୟାର ମେରୁୟିଲର କନ୍ୟା ଲୁଇଜିକୁ । ମସିୟାର ମେରୁୟଲ ଏବଂ ମୁଁ । ଆମ ଉଭୟଙ୍କ ଇଚ୍ଛାରେ ହିଁ ମ୍ୟାକସିକ ସହିତ ଲୁଇଜିର ବିବାହ ସମ୍ପନ୍ନ ହେବାକୁ ଯାଉଛି । ପୁଅ ଝିଅଙ୍କ ତରଫରୁ ମଧ୍ୟ କୌଣସି ଆପତ୍ତି ନାହିଁ, ସେମାନେ ପରସ୍ପର ପ୍ରତି ଅନୁରକ୍ତ । ଆଗାମି ରହିବାର ଚୁକ୍ତିନାମା ସ୍ୱାକ୍ଷରିତ ହେବ ।

 

ସମସ୍ତେ ଆନନ୍ଦରେ ସାଧୁବାଦ କରିଉଠିଲେ । ବିବାହମାନେ ହିଁ ଆହୁରି ଭୋଜି, ଆହୁରି ନାଚ, ଆହୁରି ଆନନ୍ଦ । ପର ଖର୍ଚ୍ଚରେ ପୂର୍ତ୍ତି କରିବାକୁ ନ ଚାହେଁ କିଏ ? ମେରୁୟିଲର କନ୍ୟା କ୍ଷୟରୋଗୀ ଓ କୁଜି ହେଲେ ବି କିଛି ଯାଏ ଆସେନା । ବିବାହ ମାନେ ହିଁ ଆନନ୍ଦ ।

 

ଇଉଜିନ ଅନୁମୋଦନ ଜଣେଇ କହିଲେ–ଖୁବ୍‌ ଭଲ ବ୍ୟବସ୍ଥା ହୋଇଛି । ମୁଁ ଚୁକ୍ତିନାମାରେ ସାକ୍ଷୀ ରହିବି– । ରେନୀ ବି ଘୋଷଣାଟି ଶୁଣିଲା । ନାଚଘରେ ଯେଉଁମାନେ ଥିଲେ ସେମାନେ ଏକ ସଙ୍ଗରେ ଶୁଣିଲେ । ୟେ ତାହାହେଲେ ସାକାର୍ଡର ଚମକ ? ସେ ଦାନ୍ତରେ ଏତେ ଜୋର ଓଠ କାମୁଡ଼ିଲା ଯେ ଓଠରୁ ରକ୍ତ ବାହାରିପଡ଼ିଲା । ଏପଟ ସେପଟ ଚାହିଁ ଦେଖିଲା । ମ୍ୟାକସିମ କେଉଁଠି ହେଲେ ନାହିଁ । ରେନୀ ମ୍ୟାକ୍‌ସିମକୁ ଖୋଜିବା ପାଇଁ ଦୌଡ଼ି ବାହାରିଗଲା । ପରିଶେଷରେ ତା’କୁ ଆବିଷ୍କାର କଲା ବଗିଚା ଭିତରେ । ଏକାନ୍ତରେ ସେ ଲୁଇଜି ସହିତ ପ୍ରେମାଳାପରେ ମତ୍ତ । ମ୍ୟାକସିମ ଦୌଡ଼ି ଆସ ତ, ଗୋଟାଏ ଜରୁରୀ କାମ ଅଛି...

 

ତା’ର ଅସ୍ତବ୍ୟସ୍ତ ଆହ୍ୱାନ ଶୁଣି ସ୍ୱଭାବତଃ ହିଁ ମ୍ୟାକସିମ ଦୌଡ଼ି ଆସିଲା, ଅବଶ୍ୟ ପ୍ରଥମେ ଲୁଇଜିର ଅନୁମତି ନେଇ । ସେ ଆସିଲା ଏବଂ ରେନୀ ତା’ର ହାତ ଧରି ଟାଣି ଟାଣି ନେଇଗଲା । ଏକାବେଳକେ ତା’ର ଶୋଇବା ଘରକୁ ଲୁଇଜି ସହିତ ବିବାହ, ତୁମେ କ’ଣ ଜାଣନା ଯେ ତାହା ଅସମ୍ଭବ ? ନିଶ୍ଚୟ ତୁମର ବାପା ତୁମର ମତ ନେଇଛନ୍ତି । କେଉଁ ରୂପ ଦେଖି ମତ ଦେଲ ତୁମେ ? ତୁମେ କ’ଣ ଜାଣନା ଯେ ଅନ୍ୟ ଝିଅ ହାତରେ ତୁମକୁ ସମର୍ପଣ କରିଦେଲେ ମୁଁ ବଞ୍ଚିବି ନାହିଁ ?

 

ଏ ସବୁ କ’ଣ କହୁଛ ସାନ ମା ? ଛେପ ଗିଳୁ ଗିଳୁ କହିଲା ମ୍ୟାକ୍‌ସିମ । ସାନ ମା’ ? ସାନ ମା’ ? ଏହା ପୂର୍ବରୁ କ’ଣ କହିନାହିଁ ଯେ, ଏହି ବୃଦ୍ଧ ସହିତ କେବେହେଲେ ମୋର କୌଣସି ସମ୍ପର୍କ ନ ଥିଲା, ବର୍ତ୍ତମାନ ବି ନାହିଁ । ଲୋକନିନ୍ଦା ? ନିନ୍ଦାର ଭୟ କରେ କିଏ ? ମୁଁ ତୁମକୁ ନେଇ ଆମେରିକା ଚାଲିଯିବି, ସେତେବେଳେ କିଏ କରିବ ଆମର ନିନ୍ଦା ? ଆଜିଠାରୁ ଦଶବର୍ଷ ପୂର୍ବରୁ ଯେଉଁ କ୍ଷେତ୍ରରେ ମୁଁ ଜତାଳି ଆସୁଛି, ସେ କ୍ଷେତର ଫସଲ ଆଜି ମୁଁ ଅନ୍ୟ କାହାରିକୁ ଅମଳ କରିବାକୁ ଦେବି ନାହିଁ, ଆଉ ଦେବା ଭଳି ଝିଅ ବି ମୁଁ ନୁହେଁ.....

 

ଏ ତ ନିହାତି ପାଗଲାମି । ୟେ କୌଣସି ପ୍ରକାରେ ହୋଇପାରେନା । ମ୍ୟାକ୍‌ସିମ କ୍ରମଶଃ ପଛକୁ ହଟିଗଲା ରେନୀର ଉଦ୍ୟତ ବାହୁର ଆଲିଙ୍ଗନରୁ ନିଜକୁ ମୁକ୍ତ କରିବାପାଇଁ–ତା’ଛଡ଼ା ଆମେରିକା ଯିବା ଏତେ ସହଜ କଥା ନୁହେଁ । ମୋ ହାତରେ କପର୍ଦ୍ଦକ ସୁଦ୍ଧା ନାହିଁ । ଯେତେ ଦୂର ଜାଣେ ତମ ହାତରେ ବି ନାହିଁ ।

 

ଭୁଲ, ତମେ ସବୁ ଭୁଲ ଖବର ରଖିଛ । ମୋ ପାଖରେ ଅନେକ ଅର୍ଥ ଅଛି । ଶ୍ୟାରୋନର ସମସ୍ତ ସମ୍ପତ୍ତି ବିକ୍ରୟ କରି ମୁଁ ପାଇଛି ଅଢ଼େଇ ଲକ୍ଷ ଫ୍ରାଁ । ଏହାକୁ ନେଇ ଆମେ ଆମେରିକା ଯିବା । ତୁମେ ବର୍ତ୍ତମାନ ପଳାୟନ କରୁଛ ? ତୁମେ କ’ଣ ମୋ ଅପେକ୍ଷା ଏହି କୁଜି ଲୁଇଜିକୁ ବେଶୀ ପସନ୍ଦ କର ? ତା’ ଯଦି ହୁଏ, ତେବେ ତୁମକୁ ମୁଁ ହତ୍ୟା କରିବି; ତଥାପି ଲୁଇଜି ହାତରେ ତୁମକୁ ମୁଁ ଛାଡ଼ି ଦେବି ନାହିଁ ।

 

ଦୌଡ଼ି ଯାଇ ରେନୀ ମ୍ୟାକ୍‌ସିମକୁ ଏତେ ଜୋର୍‌ରେ ଚାପି ଧଇଲା ଯେ, ସେ ଯନ୍ତ୍ରଣାରେ ଚିତ୍କାର କରି ଉଠିଲା ଆଉ ସେହି ମୁହୂର୍ତ୍ତରେ ଦରଜା ଖୋଲି ଭିତରକୁ ପଶିଆସିଲା ସାକାର୍ଡ । ଏ ମହଲାରେ ଜନପ୍ରାଣୀର ଚଳାଚଳ ନ ଥିବାରୁ ଦରଜା ବନ୍ଦ କରିବା ପାଇଁ ରେନୀ ଭୁଲିଯାଇଥିଲା ।

 

ସାକାର୍ଡ ମୁହୂର୍ତ୍ତକ ପାଇଁ ରେନୀ ଏବଂ ମ୍ୟାକ୍‌ସିମକୁ ଚାହିଁ ରହିଲା । ସେ ଦୃଷ୍ଟିରୁ ଯେ ଅର୍ଥ କ’ଣ ତାହା ସେ ଦୁହେଁ କେହି ବୁଝିଲେନି । ଭୟ ଏବଂ ଲଜ୍ଜାରେ କିଂକର୍ତ୍ତବ୍ୟବିମୂଢ଼ ଉଭୟେ । କ’ଣ କହିବେ, କ’ଣ କରିବେ କିଛି ବୁଝି ପାରୁନାହାନ୍ତି । ଅବଶ୍ୟ ଅଳ୍ପ ସମୟ ପରେ ମ୍ୟାକ୍‌ସିମ ନିଜକୁ ରେନୀର ବାହୁପାଶରୁ ମୁକ୍ତ କରିଦେଲା ଆଉ କହିଉଠିଲା–ମୋର କୌଣସି ଦୋଷ ନାହିଁ–ସେ କହୁଥିଲା–କାହାରି କୌଣସି ଦୋଷ ନାହିଁ–ନିରୁତ୍ତାପ କଣ୍ଠରେ ଉତ୍ତର ଦେଲା ସାକାର୍ଡ ମୁଁ ତୁମକୁ ଡାକିବା ପାଇଁ ଆସିଛି । ମେରୁୟେଲ ଏବଂ ତାଙ୍କ କନ୍ୟାକୁ ବିଦାୟ ସମ୍ଭାଷଣ ଜଣେଇବା ପାଇଁ ଏମିତି ଅନୁଷ୍ଠାନମାନଙ୍କରେ ଅବକାୟଦା ମାନି ଚଳିବାକୁ ହୁଏ ।

 

ମ୍ୟାକ୍‌ସିମ ଦୀର୍ଘଶ୍ୱାସ ଛାଡ଼ି ବଞ୍ଚିଗଲା । ଦୌଡ଼ି ଆସି ବାପର ହାତକୁ ଚାପି ଧଇଲା । ରେନୀ ସହ ସେ କେଉଁଠିକି ଯିବ ? ଏଠି ସେ ଅଗାଧ ସମ୍ପତ୍ତିର ମାଲିକ ହେବାପାଇଁ ଯାଉଛି, କାରଣ ଲୁଇଜିର ଆଉ କୌଣସି ଭାଇଭଉଣୀ ନାହାନ୍ତି । ବାପ ପାଖରୁ ସେ ଆଗରୁ ସବୁ ଶୁଣିଛି । ସମ୍ମତି ବି ଦେଇଛି–ବିବାହ ପରେ ସସ୍ତ୍ରୀକ ସେ ଚାଲିଯିବ ଇଟାଲୀ । କ୍ରମଶଃ ଅସହ୍ୟ ହୋଇଉଠୁଛି ରେନୀର ଭଲପାଇବରା ଅତ୍ୟାଚାର । ସେ ପ୍ରେମ କଳୁଷିତ ବୋଲି ଯେ ଅସହ୍ୟ ହୋଇ ଉଠୁଛି, ତା’ ନୁହେଁ; ଅସହ୍ୟ ହୋଇଉଠୁଛି ତା’ର ବୈଚିତ୍ର୍ୟହୀନ ଗତାନୁଗତିକତା ପାଇଁ । ହାତ ଧରାଧରି ହୋଇ ପିତାପୁତ୍ର ସିଡ଼ିରେ ଓହ୍ଲେଇଗଲେ । ମାଡାମ ଠିକ୍‌ ସମୟରେ ଆସି ହାତା ହାତି ଧରି ପକେଇଲେ ରେନୀ ଆଉ ମ୍ୟାକ୍‌ସିମକୁ ? ଏହାରି ମେଳରେ ରହିଛି ସିଡୋନୀର ଗୋୟେନ୍ଦାଗିରି ।

 

ସାଫ୍ରେଁକୁ ସେଦିନ ପ୍ରତ୍ୟାଖ୍ୟାନ କରି ଆସିଥିଲା ରେନୀ । ତହିଁରେ ସମୂହ କ୍ଷତି ହୋଇଛି ସିଡୋନୀର । ସାଫ୍ରେଁ କେବଳ ରେନୀକୁ ଯେ ପଚାଶ ହଜାର ଦେବାପାଇଁ ଚାହିଁଥିଲା ତା’ ନୁହେଁ ଦୂତଗିରି ପାଇଁ ସିଡୋନୀର କମିଶନ ବି ଥିଲା ପ୍ରାୟ ହଜାରେ ଫ୍ରାଁ । ପକେଟରେ ପଶୁ ପଶୁ ଅର୍ଥଟା ହାତଛଡ଼ା ହୋଇଗଲା । ଏହା ସିଡୋନୀ ପକ୍ଷରେ ବେଶୀ କ୍ଷୋଭର କାରଣ ହୋଇପଡ଼ିଲା-। ସେ ରେନୀ ଉପରେ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହୋଇ ରହିଲା । ସେ ଭାବିବାକୁ ଲାଗିଲା ।

 

ସେ ଭାବିବାକୁ ଲାଗିଲା ରେନୀ ଏମିତି କିଛି ସତୀସ୍ୱାଧ୍ୱୀ ନୁହେଁ ଯେ ସାଫ୍ରେଁ ଭଳି ସୁନ୍ଦର ଯୁବକର ପ୍ରେମକୁ କେବଳ ସତୀତ୍ୱ ରକ୍ଷାପାଇଁ ପ୍ରତ୍ୟାଖ୍ୟାନ କରିବ । ବିଶେଷ ଭାବରେ ଯେତେବେଳେ ପ୍ରେମ ସହ ନଜରାନା ଥିଲା ପ୍ରଚୁର ଅର୍ଥ । ଏହା ଭିତରେ ନିଶ୍ଚୟ କିଛି ଗୂଢ଼ ରହସ୍ୟ ରହିଛି ଏବଂ ସେ ଗୂଢ଼ରହସ୍ୟ ଆଉ କ’ଣ ହୋଇପାରେ ! ସେ କେବଳ ଅନ୍ୟ ପୁରୁଷର ପ୍ରେମ ଛଡ଼ା ଆଉ କିଛି ନୁହେଁ । ପୁଣି ସେ ପ୍ରେମ ନିଶ୍ଚୟ ଗୋପନ ପ୍ରେମ ।

 

କିଏ ସେ ପ୍ରେମିକ ? ଖୋଜି ବାହାର କର ସାକାର୍ଡ ହାତରେ ଧରେଇ ଦେବ । ସିଡୋନୀ ସେହି ଦିନରୁ ଛକି ରହିଥିଲା । ଆଜି ନାଚଘରୁ ରେନୀ ମ୍ୟାକ୍‌ସିମର ସନ୍ଧାନରେ ଯେମିତି ଛୁଟି ଚାଲିଗଲା, ସିଡୋନୀ ବି ତା’ର ଅନୁସନ୍ଧାନ କଲା । ତା’ପରେ ମ୍ୟାକ୍‌ସିମଙ୍କୁ ନେଇ ରେନୀ ଯେତେବେଳେ ନିଜ ଘରେ ପଶିଲା, ସିଡୋନୀ ସାକାର୍ଡକୁ ଡାକି ଆଣିବା ପାଇଁ ଦୌଡ଼ିଲା ।

 

ତା’ପରେ ଆଉ କ’ଣ ? ମ୍ୟାକ୍‌ସିମ ସହିତ ଲୁଇଜିର ବିବାହ ସମ୍ପନ୍ନ ହୋଇଗଲା । ସେମାନେ ଚାଲିଗଲେ ଇଟାଲୀ । ସେଠି ଛ’ମାସ ମଧ୍ୟରେ ମୃତ୍ୟୁବରଣ କଲା କ୍ଷୟରୋଗୀ ଲୁଇଜି । ମ୍ୟା‌କ୍‌ସିମ କେବେହେଲେ ହିସାବ କରି ଖରଚ କରିବା ଶିଖି ନାହିଁ, ସେହି ଛଅମାସ ମଧ୍ୟରେ ହିଁ ନିଜର ଯୌତୁକ ଏକ ସିଲିୟନ ନିଃଶେଷ ପ୍ରାୟ; ଆଉ ଲୁଇଜି ଯେତେବେଳେ ମୃତ ତା’ର ପୈତୃକ ସମ୍ପତ୍ତି ତା’ ପକ୍ଷରେ ପାଇବାର ଆଉ କୌଣସି ଆଶା ନାହିଁ । ଅତଏବ ମ୍ୟାକ୍‌ସିମ ପୁର୍ନମୂଷିକ । ଲୁଇଜିକୁ କବର ଦେଇ ସେ ପ୍ୟାରିସ ସହରକୁ ପ୍ରାୟ ନିଃଶ୍ୱ ହୋଇ ଫେରିଆସିଲା; ଅଥଚ ସାକାର୍ଡ ବି ତା’ ଆଡ଼କୁ ଆଉ ଦାକ୍ଷିଣ୍ୟର ହସ୍ତ ପ୍ରସାରିତ କରିବାକୁ ରାଜି ହେଲା ନାହିଁ । ଗୋଟାଏ କଥାରେ ତୁମକୁ ତ ଭଲ ଜାଗାରେ ଲଗେଇ ଦେଇଥିଲି, ନିଜ ଦୋଷରୁ ସବୁ ହରେଇଛ । ଆଉ ତୁମକୁ ନିଜର ଦେବାର ମୋର କୌଣସି ଦାୟିତ୍ୱ ନାହିଁ । ତୁମରି ବୟସରେ ମୋତେ ମୋର ବାପା ଦେଖିନି ।

 

ନିରୁପାୟ ମ୍ୟାକ୍‌ସିମ ଏଥର କ’ଣ ପୁନରାୟ ରେନୀର ଦ୍ୱାରସ୍ଥ ହେବ ! କିନ୍ତୁ ରେନୀ ଯେ ପୁଣି ତା’କୁ ସ୍ୱାଗତ କରିବ ଏମିତି କୌଣସି ଆଶା ଦେଖା ଯାଉନାହିଁ । ସେ ସାକାର୍ଡର ଘରେ ଆଉ ରହୁନାହିଁ । ମ୍ୟାକ୍‌ସିମ ଓ ଲୁଇଜିର ବିବାହ ପୂର୍ବରୁ ସେ ଚାଲିଯାଇଛି ବାପଘରକୁ । ସେ ବଡ଼ କଠିଣ ସ୍ଥାନ । ମାଡ଼ାମ ଏଲିଜାବେଥ୍‌ଙ୍କ ମୃତ୍ୟୁ ହୋଇଯାଇଛି, କିନ୍ତୁ ମସିୟାର ବେରୁଡ ଜୀବିତ ଥାଉଣୁ ସେ ଘର ତ୍ରିସାମାରେ କୌଣସି ଅବାଞ୍ଛିତ ବ୍ୟକ୍ତିର ପାଦଦେବା ଅସମ୍ଭବ । ଆଉ ମସିୟାର ବେରୁଡ ଜୀବିତ ଥାଉଣୁ ରେନୀ ଦିନେ ମେନିଜାଇଟିସରେ ମୃତ୍ୟୁବରଣ କଲା । ନିଜ ଘରେ ସେ ପ୍ରାୟ ଏକାକୀ ରହୁଥିଲା, ସେ ଯେ ରୋଗରେ ପଡ଼ିଚି, ସେ ଖବର କେହି ଜାଣିପାରି ନାହାନ୍ତି । ତା’ର ବାପା ବି ନୁହେଁ । କହିବାକୁ ଗଲେ ତା’ର କୌଣସି ବି ହୋଇନାହିଁ ।

 

ରେନୀର ମୃତ୍ୟୁର ଦୁଃଖିତ ହେଲା ଏକମାତ୍ର ସାକାର୍ଡ । ଅନ୍ୟ କୌଣସି କାରଣରୁ ନୁହେଁ-। ମସିୟାର ବେରୁଡର ଅଗାଧର ସମ୍ପତ୍ତି ଉପରେ ତା’ର ଆଉ କଡ଼ାକର ହକ୍‌ ନ ରହିବାରୁ ତା’ର ଏ ଦୁଃଖ । ଅଗାଧ ସମ୍ପତ୍ତି ହାତଛଡ଼ା ହୋଇଗଲା ।

Image